ଛମ୍ ଛମ୍
ଛମ୍ ଛମ୍
ପିଲାଦିନର ଏକ ଅଭୁଲା ଫର୍ଦ୍ଦ।
ଆରେ କିଏ ସେଠି...!ପାଦରେ ଘୁଙ୍ଗୁର ବାନ୍ଧି ନାଚୁଛି ଛମ୍ ଛମ୍।
ତଲ୍ଲୀନ ଘୁଙ୍ଗୁର ତାଳେ ତାଳେ ନାଚୁଛି ଛୁଆଟିଏ।ଓଃ କି ନୃତ୍ୟ!ବିମୁଗ୍ଧ ଦର୍ଶକ।ବାଃ ବାଃ କି ଚମତ୍କାର ଧ୍ବନି ସହ କରତାଳିରେ ପୋତି ହୋଇ ପଡୁଛି ପିଲାଟି।
ମୁଁ ସେଇ ସମୟ କଥା କହୁଛି ଯେଉଁ ସମୟରେ ଆମ ଦେଓଗଡ଼ରେ ଗୋଟିଏ ବି ନାଚ କି ଗୀତ ସ୍କୁଲ ନଥିଲା।ମୋ ବାପାଙ୍କ ପ୍ରଚେଷ୍ଟାରେ ଦେଓଗଡ଼ରେ ଗଢି ଉଠିଥିଲା ସଙ୍ଗୀତ ,ନୃତ୍ୟ ଏକା
ଡେମୀ।ସେଇଠି ପଡିଥିଲା ମୋ ,ନାଚ,ଗୀତର ମୁଳୁ ଦୁଆ।ବାପା ଥିଲେ ଏ ଅନୁଷ୍ଠାନର ତତ୍ୱବଧାରକ।ଏଇଠୁ ଶିଖି କେତେ ଷ୍ଟେଜ ସୋ,କେତେ ମେଡାଲ,ସାର୍ଟିଫିକେଟ ଅର୍ଜନ କରିଥିଲି ତାର ହିସାବ ନାହିଁ।
ବାପା ଶ୍ରୀମା ଅରବିନ୍ଦଙ୍କ ଭକ୍ତ ଥିଲେ।ବହୁତ ସିଗାରେଟ ପିଉଥିଲେ ସେ। ସିଗାରେଟ ଧୂଆଁ ରାକ୍ଷସ କବଳରୁ ସେ ନିଜକୁ ମୁକୁଳେଇ ପାରିଥିଲେ ମାଙ୍କ ଆଶ୍ରିତ ହୋଇ।ତେଣୁ ମୋ ମନ,ପ୍ରାଣ ମା ମୟ ହୋଇ ଯାଇଥିଲା ବାପାଙ୍କ ସିଗାରେଟ୍ ଛାଡିବା ଦିନୁ।ପିଲା ମନତଳେ ବିଶ୍ୱାସର ଅଖଣ୍ଡ ଦୀପଟିଏ ପ୍ରଜ୍ବଳିତ ହୋଇଥିଲା।ଆସ୍ଥା ଓ ଭରସା ମାଙ୍କ ଉପରେ ଆସି ଯାଇଥିଲା।ହଁ ଏମିତି ମା ହିଁ ଚମତ୍କାର କରିପାରନ୍ତି।ଈଶ୍ୱର ଆଉ କଣ କି ଟିକେ ବିଶ୍ୱାସ, ଟିକେ ଭରସାର ଅନ୍ୟ ନାମ ତ ..
ସିଗାରେଟ୍ ଯେଉଁ ଦିନ ଛିଃ କରି ବାପା ଛାଡିଦେଲେ ସେହି ଦିନ ମୋତେ ଘୁଙ୍ଗୁର ହଳେ ଆଣି ଦେଇଥିଲେ।ପାଦରେ ବାନ୍ଧି ପାଦ ବାଡେଇ ବାଡେଇ ମୁଁ କରୁଥିଲି ବିଭିନ୍ନ ନୃତ୍ୟ।
ଏକାଧାରରେ ସ୍ୱାବଲମ୍ବୀ,ସ୍ୱାଭିମାନୀ,ଦୃଢ଼ମନା, ଧୈର୍ଯ୍ୟଶାଳୀ,ଜିଦିଆ,ଓ ସ୍ମାର୍ଟ ଝିଅଟିଏ ଥିଲି।ନିଷ୍ପତ୍ତି ନେବାରେ ଥ ଥ ମ ମ ହୁଏନି କେବେ।ଥରେ ଯାହା ଭାବିବି କାମରେ କରି ଦେଖାଇ ଦେବା ପ୍ରବଣତା ମୋ ଭିତରେ ପୂର୍ଣ୍ଣ ମାତ୍ରାରେ ଭର ପୁର।ସେଇ ପାଇଁ ତ ତିନି ପିଲାଙ୍କ ମଧ୍ୟରେ ବାପାଙ୍କ ମୁଁ ଥିଲି ଆଖିର ତାରା।
ସଉକି,ଷ୍ଟାଇଲିସ୍ ଓ ଖୁବ୍ ଜିଦିଆ ଝିଅ।ଯାହା ଚାହୁଁଥିଲି ଜିଦ୍ କରି ହାସଲ କରୁଥିଲି।ଇଚ୍ଛା ପୂରଣ ନ ହେଲେ ଅମୋଘ ଅସ୍ତ୍ର କରିଥିଲି ମୁଣ୍ଡ ବାଡ଼ିଆ।ଯାହା ଦରକାର ମିଳିଲେ ତ ଭଲ ନଚେତ ଢୋ ଢୋ ଚାଲିବ ମୁଣ୍ଡ ପିଟା। ମୋ ମୁଣ୍ଡ ବାଡେଇବାକୁ ସମସ୍ତଙ୍କର ଡର।ଏଇ ଡରରେ ସମସ୍ତେ କୁହନ୍ତି ଦେଇ ଦିଅ ଯାହା କହୁଛି ନଲେ ଆରମ୍ଭ କରିଦେବ ମୁଣ୍ଡ ବାଡ଼ିଆ। ମୋ ଭାଇ କି ମା ଘୁଙ୍ଗୁର ଲୁଚେଇ ଦେଲେ ମୁଣ୍ଡ ପିଟୁଥିଲି ଢୋ ଢୋ।କେବେ କେବେ ମୁଣ୍ଡ ଫାଟି ରକ୍ତ ବୋହିଛି ଧାର ଧାର।
ଆହୁରି ଗୋଟିର ଅଜବ ଅଭ୍ୟାସ ଥିଲା।ଘୁଙ୍ଗୁରକୁ କୋଳରେ ଜାକି ଶୋଇବା। ତାକୁ ଟିକେ ହଲେଇ ତା ଛମ୍ ଛମ୍ ଶବ୍ଦରେ ବିଭୋର ହେବା।
ଦିନେ ଦିନେ ହଠାତ୍ ରାତି ଅଧରେ ଉଠି ପଡି ଘୁଙ୍ଗୁର ନାଇଁ ନାଚୁଥିଲି।ନିଦରେ ବ୍ୟାଘାତ ହେବାରୁ ଘର ଲୋକେ ଚିଡୁଥିଲେ।
ଫିକ୍ କିନା ହସିଦେଲି ପିଲାଦିନର ଏଇ କଥାଟିକୁ ମନେ ପକେଇ।ସତରେ ବିଚିତ୍ର ଥିଲି ନା ମୁଁ ପିଲାଦିନେ!
ଫୁଲ ଗଛ ମୋର ଭାରି ପ୍ରିୟ। ଫୁଲ ମୋ ସାଙ୍ଗ।ଫୁଲ ପରି ଘୁଙ୍ଗୁର ବି ମୋ ସାଙ୍ଗ।ଗଛକୁ ସିନା ଯୁଆଡେ ଯାଏ ନେଇ ପାରେନି ଘୁଙ୍ଗୁର କିନ୍ତୁ ଯୁଆଡେ ଯାଏ ସାଙ୍ଗରେ ନେବା ଥୟ।
ଦିନେ ସ୍କୁଲ ସାର୍ ମୋ ବ୍ୟାଗରେ ଘୁଙ୍ଗୁର ଦେଖି ଦେଇଥିଲେ ଦି ପାହାର।
ସାର୍ ବି ଘୁଙ୍ଗୁରକୁ ଭଲ ପାଉ ନଥିଲେ ! ଏ ଗୁଡା ନର୍ତ୍ତକୀ ବାନ୍ଧନ୍ତି।ତୁ ଏଗୁଡା କାଇଁ ଆଣିଛୁ ? ପାଠ ପଢିବାକୁ ଆସିଛୁ ନା ନାଚ କରିବାକୁ।ଏଠି ପାଠ ପଢା ହୁଏ ଏଇଟା ନାଚ ସ୍କୁଲ ନୁହେଁ, ବୁଝିଲୁ। ଘୁଙ୍ଗୁର ବାନ୍ଧିବା କଥା ତ ଛୁଟି ଦିନ ମାନଙ୍କର ନାଚ ସ୍କୁଲରେ ଶିଖିବୁ।ହୁଁ ନାଚବାଲୀ ହେବ।
ଓଃ ସେ ପାହାରର ତୀବ୍ର ପୀଡା ଏବଂ ତାଛଲ୍ୟ କଥା ଏବେ ବି ଅନୁଭବ କରୁଅଛି।ମୋ ଭାଗ୍ୟ ଖରାପ ସେଦିନ। ଗୋଟେ ପିଲା ମୋ ବ୍ୟାଗରୁ ଘୁଙ୍ଗୁର ନେଇ କ୍ଳାସରେ ଖୁସିରେ ତା ନିକଟରେ ବସିଥିବା ପିଲା କାନ ପାଖରେ ଛମ୍ ଛମ୍ କରିଦେଲା।ଦେଖିବ କଣ ସାର୍ ରାଗି ନିଆଁ ବାଣ ହୋଇ କହିଲେ , "ଏଇଟା ନାଚ ସ୍କୁଲ କି ଘୁଙ୍ଗୁର ଆଣି ସ୍କୁଲକୁ ଆସିଛୁ ? କାଲି ଠାରୁ ଘୁଙ୍ଗୁର ଯଦି ଆଣିଛୁ ଦେଖିବୁ !"
କଥାଟା ବାପାଙ୍କ କାନକୁ ଗଲା।ହେଡ୍ ସାର୍ ବାପାଙ୍କୁ ଡକାଇ ଚେତାବନୀ ଦେଲେ ,ସାହୁ ବାବୁ ଝିଅକୁ ଟିକେ ବୁଝାନ୍ତୁ। ଘୁଙ୍ଗୁର ଆଣିବା ଦ୍ୱାରା ଅନ୍ୟ ପିଲାଙ୍କ ପଢ଼ାରେ ବିଶୃଙ୍ଖଳା ହେଉଛି।ପିଲାଏ ପାଠ ଛାଡି ଘୁଙ୍ଗୁର ସହ ଖେଳୁଛନ୍ତି।ଏମିତି ଜିନିଷ କିଛି ପିଲା ସ୍କୁଲକୁ ଆଣିବା ଉଚିତ ନୁହେଁ।ଆପଣ ଏଥି ପ୍ରତି ଟିକେ ଦୃଷ୍ଟି ରଖିବେ।
ଏ ଘୁଙ୍ଗୁର ପ୍ରତି ଘରେ ଓ ବାହାରେ ସଭିଙ୍କର ଏତେ ଘୃଣା ଭାବନା କାହିଁକି ? କେହି ଏ ଘୁଙ୍ଗୁରକୁ ସହଜରେ ଗ୍ରହଣ ନ କରିବାର କାରଣ କଣ ହୋଇପାରେ ? ଘୁଙ୍ଗୁର ଖାଲି ନାଚୁଣି ପାଦରେ ଶୋଭାପାଏ ! ଭଦ୍ର ଝିଅ ବୋହୁଙ୍କ ପାଦରେ ନୁହେଁ ! ଏକଥା କହିବାର ତାପର୍ଯ୍ୟ ବୁଝି ନ ପାରି କଲବଲ ହୁଏ।ପ୍ରତିବାଦ କରି ପାରେ ନାହିଁ।ସାନ ପିଲା ନା । ସବୁ କଥାରେ ମୋତେ ବଡ଼ ମାନଙ୍କୁ ଅନୁକରଣ କରିବାକୁ ଶିଖାଯାଏ।
ନାଚୁଣୀ ! ନାଚ ବାଲୀ !ତ କଣ ହେଲା? ସେମାନେ ତ ଅନ୍ୟ ମାନଙ୍କ ଠାରୁ ନିଆଁରା।ସମସ୍ତେ ନାଚି ପାରନ୍ତି କି ! ଅଲଗା ପ୍ରତିଭା ଅଛି ବୋଲି ନାଚୁଣୀ ପ୍ରତି ଏତେ ବିଦ୍ୱେଷ ଭାଵ କି! ନାଚୁଣୀ କଣ ମଣିଷ ନୁହେଁ ?
ଏମିତି କେତେ ପ୍ରଶ୍ନ ମୋତେ ପ୍ରତିକ୍ଷଣେ ଦଂଶନ୍ତି ତାର ଇୟତା ନାହିଁ।
ଖୁସି ଲାଗେ ଏବେ ଲୋକମାନଙ୍କ ମାନସିକତାରେ ପରିବର୍ତ୍ତନ ଆସିଛି।ନିଜ ପସନ୍ଦର ଯେ କୌଣସି ବୃତି ଚୟନ କରିବାରେ ବାଧା ନାହିଁ ଝିଅଙ୍କର।ବରଂ ଯାହାର ଯେଉଁ ଦିଗରେ ଆସକ୍ତି ତାକୁ ସେଇ ଦିଗରେ ବଢ଼ିବାରେ ସାହାଯ୍ୟ କରୁଛନ୍ତି ବାପା ମା ପଇସା ପାଣି ପରି ଖର୍ଚ୍ଚ କରି।
କିନ୍ତୁ ମୋ ବେଳେ ପୁରା ଓଲଟା। ସାରଙ୍କ ଚେତାବନୀ ଶୁଣି ମା କହିଲା , ଦେଖିଲ ତ ଆଜି ହେଡ୍ ସାର୍ କହିଲେଣି, କାଲି ସାଇ ଭାଇ କହିବେ।ଏଥରକ ହଳ ହଳ କରି ଘୁଙ୍ଗୁର ଆଣି ଝିଅକୁ ଦିଅ।ବୁଲି ବୁଲି ନାଚ କରାଅ। ବାଃ ବାଃ ରୋଜଗାର ପୁଳେ ଠୁଳ କର ବାପା ଝିଅ।
ଭବିଷ୍ୟତ କଥା ଟିକେ ଚିନ୍ତା କର। ଝିଅ ଦେହରେ ଯେତେବେଳେ ନାଚୁଣୀ ଷ୍ଟାମ୍ପଟି ବାଜି ଯିବ ଯେତେବେଳେ ସେବେ ଭାବିବ।ଏବେ ଝିଅ ସାନ ଅଛି ଲୋକେ ନାଚକୁ ତାରିଫ କରୁଛନ୍ତି।ବଡ଼ ହୋଇଯାଉ ଝିଅକୁ ପ୍ରଶଂସା କରୁଥିବା ସେଇ ଲୋକେ ଆଗ ସମାଲୋଚନା କରିବେ। ନାଚୁଣୀ,ନାଚ ବାଲୀ କହି ନାକ ଟେକିବେ।
ଏ ସୋନା ଦେ ସେ ଘୁଙ୍ଗୁର।ଯାହା ତ କରୁଥିଲୁ ପୁଣି ସ୍କୁଲ ନେଇ ଘୁଙ୍ଗୁର ଯିବା କଣ ନିହାତି ଦରକାର ଥିଲା ? ବାପା ମୁହଁ ପାଇ ଭାରି ଉପର ମୁହିଁ ହୋଇ ଗଲାଣି।ଦେ ସେ ଘୁଙ୍ଗୁର।ଆଜି ତୋ ଘୁଙ୍ଗୁର ସଉକ ଛଡେଇବି।
ମୋ ବ୍ୟାଗ ଭିତରୁ ଘୁଙ୍ଗୁର ନେଇ ମା କୁଆଡେ ଯାଇ ଫିଙ୍ଗିଦେଲା।ଘୁଙ୍ଗୁର ନୁହେଁ ଯେପରି ମୋ ଛାତି ଭିତରୁ ହୃଦୟଟି କାଢି ନେଲା ମା ।
ବାପା ମଧ୍ୟ ନୀରବ ରହିଲେ ସାରଙ୍କ କଥା ଶୁଣିବା ପରେ। ମା ଘୁଙ୍ଗୁର ନେଇ ଫିଙ୍ଗିଲେ ବି ସେ ଅନ୍ୟ ଦିନ ପରି ମା କୁ କିଛି ବୁଝାଇଲେ ନାହିଁ।ତେବେ କଣ ଘୁଙ୍ଗୁର ନାଇଁ ନାଚିବା ଗୋଟେ ଖରାପ କଥା!
ବହୁତ କାନ୍ଦିଛି।କେତେ ଝୁରି ହୋଇଛି।ଘୁଙ୍ଗୁର ରୁଣୁଝୁଣୁ ଶବ୍ଦ ମୋତେ କିଛି ଦିନ ଶୁଆଇ ଦେଇ ନାହାନ୍ତି।ସ୍ୱପ୍ନରେ ବିଳି ବିଳେଇ ମୋ ଘୁଙ୍ଗୁର ମୋ ଘୁଙ୍ଗୁର , ମା ଫୋପାଡେନା କହି କାନ୍ଦିଛି।ଯେଉଁମାନେ ଘୁଙ୍ଗୁରକୁ ଭଲ ପାଆନ୍ତି ନାହିଁ ,ମୁଁ ବି ସେମାନଙ୍କୁ ଭଲ ପାଏ ନାହିଁ।
ସାରଙ୍କର ଓ ମାର ଘୁଙ୍ଗୁର ପ୍ରତି ଅନାଦର , ରାଗ ଦେଖି ମୁଁ ଘୁଙ୍ଗୁର ପ୍ରେମରୁ ନିଜକୁ ମୁକୁଳାଇବାକୁ ଚେଷ୍ଟା କରି ବାନ୍ଧି ବୁନ୍ଧି ନାଚ ପ୍ରବଣତାର ମନଟିକୁ ଗଣ୍ଠିଲିରେ ସାଇତି ଦେବି ଭାବିଲି। କିନ୍ତୁ ପାରିଲି କେଉଁଠି ? ଘୁଙ୍ଗୁର ଛମ ଛମ ଶବ୍ଦ ମୋତେ ପାଗଳ କଲେ ।ଘୁଙ୍ଗୁର ସିନା ପାଖରେ ରଖି ପାରିବି ନାହିଁ।ତାକୁ ମନେ ପକେଇ ପାରିବି ତ ! ଏତକ କରିବାକୁ କେହି ବାରଣ କରି ପାରିବେ ନାହିଁ। ମୁଁ କାହିଁକି କହିବି କି ଯେ ଘୁଙ୍ଗୁରକୁ ମୁଁ ଭଲପାଏ ! ସେ ମୋ ମନ ଭିତରେ ରହିବ।
ପ୍ରେମ ଚିଜଟି ସେମିତି।କାହାକୁ କେମିତି ଓ କେଉଁ ବାଗରେ ଯେ କୌଣସି ବୟସରେ ବି ହୋଇ ପାରେ ।ଅପ୍ରେମେ ଜୀବନ କାହିଁ ଯେ! ପୁଣି ଦୂରତାରେ ପ୍ରେମ ଆହୁରି ଦୃଢ଼ ହୁଏ ଓ ବଢିଯାଏ।ସେମିତି ମୋ ପାଖେ ମୋ ପ୍ରିୟ ଘୁଙ୍ଗୁର ସିନା ନଥିଲା କିନ୍ତୁ ତା ପ୍ରତି ମୋର ପ୍ରେମ ଆହୁରି ବଢ଼ି ଯାଇଥିଲା। ସଯତ୍ନେ ସାଇତି ଥିଲି ତାକୁ ମୋ ପ୍ରେମ ହୃଦୟ ପାଖେ।
ସମୟ ଦଉଡୁ ଥିଲା ଆଗକୁ।ତା ସହିତ ବଡ଼ ହେଉଥିଲି ମୁଁ। ଏବେ ଆଉ କାହାର ଆକଟ ନାହିଁ।ଘୁଙ୍ଗୁର ନାଇଁ ମୁଁ ଦେଶ ଭିତରେ ଯେତେ ଓଡିଶୀ ନୃତ୍ୟ କରି ଅର୍ଥ ଓ ସମ୍ମାନ ଟାଣି ଆଣେ ମା ମୋ ମୁଣ୍ଡ ସାଉଁଳେଇ କୁହେ ତୋ ପ୍ରତି ଖୁବ୍ ଅନ୍ୟାୟ କରିଥିଲି।
ତୁ ତ ଓଡିଶୀ ଜଗତର ତାରା ହେବାକୁ ଜନ୍ମ।ମୁଁ ତୋତେ ମାଟି ମଟାଳରେ ଘାସ ଫୁଲ କରିବା ଚେଷ୍ଟାରେ ଥିଲି ଯାହା।
ଘୁଙ୍ଗୁର ଛମ୍ ଛମ୍ ଶବ୍ଦକୁ ମୁଁ ପ୍ରେମ କରେ ମା।ତାକୁ ଛାଡି ମୁଁ କଣ ବଞ୍ଚି ପାରିବି । ସେ ଓ ମୁଁ ଏକ ନିବିଡ ସମ୍ପର୍କ ପ୍ରେମ ଡୋରୀରେ ବନ୍ଧା ପା ।
