ଚଢ଼େଇ
ଚଢ଼େଇ
ପ୍ରଭୁ ହନୁମାନ ହୃଦୟର ସହ ଜୟ ଶ୍ରୀରାମ ବୋଲି ଜୀବନର ଗୀତ କରିଥିଲା ଭଳି ମୁନା ଘର ଜେଜେମାଆ କହେ ଉଡି ଉଡି ଯାଉ ଡାମେରା କାଉ... ଉଚ୍ଚ ପରବତେ ବୋବାଉ ଥାଉ... ଉଚ୍ଚ ପରବତ କୁଞ୍ଚିକୁଞ୍ଚିକା.. ତହିଁରେ ବସିଛି ତିନିମାଣିକା. ଗୀତଟିକୁ ଗାଉ ଗାଉ ଚାଉଳ ମୁଠିଏ ଥୁଏ ଓ କଳା ମଚମଚ ଡାମେରା କାଉ ଚାଉଳ ଖାଇ ଉଡିଯାଏ. ଏଇ କିଛି ଦିନ ହେଲାଣି ଜେଜେମାଆ ଙ୍କୁ ଜର. ଉଠି ବସି ପାରୁନାହାଁନ୍ତି ତ ଛାତ ଉପରକୁ ଯାଇ ତାଙ୍କ ହୃଦୟର ଗୀତ ଗାଇ କାଉକୁ ଚାଉଳ ଦେଇ ପାରୁନାହାଁନ୍ତି. ଇଏ ସେଇ କଳା କାଉ, ଯିଏ ଖୁବ ଚତୁର ଓ ନିର୍ଭିକ. ପାଣି ମାଠିଆର ତଳ ସ୍ତରରେ ଥିବା ଜଳକୁ ଯିଏ ଗୋଡି ପକେଇ ଉପର ସ୍ତରକୁ ଆଣି ପାଣି ପିଇବାକୁ ସକ୍ଷମ ହୋଇପାରେ ସେ ପକ୍ଷୀ କେତେ ଚାଲାକ ହୋଇପାରେ ସତରେ! ଜେଜେମାଆ ଥୋଉଥିବା ଚାଉଳ ମୁଠିଏ ଖାଇବାକୁ ନପାଇ, କାଉଟି ଏବେ ଏକ ଅଭିନଵ ଉପାୟ ବାହାର କରିଛି. ଷ୍ଟେସନ ହେଉ ଅବା କେଉଁ ଛକ ବା କଲେଜ କରିଡର ବା କୌଣସି ଜାଗାରେ କେହି ବାଳକ ବା ବାଳିକା ଅବା କେହି ଯୁବକ କି ବୃଦ୍ଧ ଲୋକ ବସି ଖାଇବାର ଦେଖିଲେ କାଉ ଆସିଥାଏ. ସାଙ୍ଗରେ କେବେ ଆଣିଥାଏ ବୋତାମଟିଏ ତ କେବେ ମାର୍ବଲ ଖଣ୍ଡେ. ପୁଣି ଅଳିଆରୁ ପାଇଥିବା ଇଲେକ୍ଟ୍ରି ଉପକରଣ ରୁ ଖଣ୍ଡେ ତାର ଅବା ଆଣିଥାଏ କଉଡ଼ିଟିଏ. ତାକୁ ଥୋଇ ତା ବଦଳରେ ମାଗୁଥାଏ ସତେ ଯେମିତି ଦାନା ବା ଆହାର. ଚପଲମତି ଶିଶୁ, କିଶୋର, ବୃଦ୍ଧ ଅବା ଯୁବକ, କାଉଟିର ଏପରି ଦକ୍ଷତା ରେ ଖୁସି ହୋଇ ଦିଅନ୍ତି ଖାଦ୍ୟ କିନ୍ତୁ ଚାଲାକ କାଉ ଖାଇସାରି ବା ଖାଦ୍ୟ ଟୁକୁଡା ଥଣ୍ଟରେ ଧରି ତା ସହ ଆଣିଥିବା ଦରବଟିକୁ ମଧ୍ୟ ଥଣ୍ଟରେ ଧରି ଉଡିଯାଏ. ଜେଜେମାଆ, ନିଜ ନାତି ମୁନା ଠାରୁ ଏକଥା ଶୁଣି ଗାଉଥାଆନ୍ତି ତାଙ୍କ ହୃଦୟର ସେହି ଗୀତ ଯେମିତି ଆଗରୁ ଗାଉଥିଲେ. ପୁଣି ତା ସହିତ ଯୋଡି ଦିଅନ୍ତି କାଉରେ କାଉ ଉଡି ଉଡି ଯାଇ ଧୋଇବୁ ଥଣ୍ଟ... ଆସିଲେ ଖାଇବୁ କଲୁରୀ ବେଣ୍ଟ. ଶିଡ଼ି ଚଢି କିନ୍ତୁ ଜେଜେମାଆ ଆସି ପାରୁନଥାନ୍ତି ଛାତ ଉପରକୁ କି ଦେଖିପାରୁନଥାନ୍ତି କାଉଟିକୁ.
ସେଦିନ ମୁନା ଜେଜେମାଆଙ୍କ ଆଗରେ ଗଳ୍ପ ପରି ଲାଗୁଥିବା ସତ କଥାଟିଏ କହୁଥିଲା ଯେ ଜାଣିଛ ଜେଜେମାଆ ଖାଲି ଡାମେରା କାଉ କାହିଁକି ବଣି ଚଢ଼େଇ ମଧ୍ୟ ଖୁବ ଚାଲାକ ଅଟେ. ଗୋଟେ ପଟ ପାଉଁରୁଟି ଧରି ବଣି ଟି ଖାଉଥିଲା ଆମ ବାଡ଼ିପଟେ. ପାଉଁରୁଟି ଲୋଭ ତଥା ଭୋକରେ କି କଣ କାଉଟି ପହଁଞ୍ଚି ଗଲା ବଣି ପାଖରେ ଆଉ ଥଣ୍ଟରେ ଧରିଥିଲା ଶୁଖିଲା ଗଛର ଡ଼ାଳ ପରି କାଠିଟିଏ. କାଉ ଭାବିଥିଲା ବଣି ତା ବସା କରିବା ପାଇଁ ଶୁଖିଲା ଡାଙ୍ଗ ନେଇ କାଉକୁ ଖାଇବା ଛାଡ଼ିଦେବ. ହେଲେ ଜାଣିଛ ଜେଜେମାଆ ବଣି କଣ କଲା!ଲୋଭ କରିବା ପରିବର୍ତ୍ତେ ଖାଦ୍ୟ ଖାଉ ଖାଉ ଓଲଟି ପଡିଗଲା ତ କଣ ଭାବିଲା କାଉ ଗଛ ଡ଼ାଳରୁ ସଂଗ୍ରହ କରିଥିବା ଶୁଖିଲା କାଠି ସହ ଉଡ଼ିଗଲା ଦୁରକୁ. ଜେଜେମାଆ କହିଲେ ବଣି ନିଶ୍ଚୟ ଚାଲାକ. ସେ ଅଭିନୟ କରି ଦେଖାଇଦେଲା ଯେ ସେ ଯେଉଁ ଖାଦ୍ୟ ଖାଉଛି ତାହା ବିଷାକ୍ତ ତେଣୁ ସେ ଛଳନା କରି ମରିପଡିଲା ସତ. ଭାବିଲୁ କିନ୍ତୁ ମୁନା, କାଉଟି ବୁଝିପାରିଲା ଯେ ଖାଦ୍ୟ ବିଷାକ୍ତ ଥିବାରୁ ବଣିଟି ମରିପଡିଲା ତେଣୁ ସେ ଆଉ ପାଉଁରୁଟି ନଖାଇ ଆଣିଥିବା ଶୁଖିଲା କାଠିଟିକୁ ଧରି ଉଡ଼ିଗଲା. ମୁନାର ମନ ବୁଝୁନଥିଲା ଯେ ବଣି ଅପେକ୍ଷା କାଉ ଚାଲାକ ତେଣୁ ଜେଜେମାଆ କହିଲେ ଆରେ ମୁନା ଦୁହେଁ ଚାଲାକ. ଆଣିଲୁ ଆଣିଲୁ ଚାଉଳ ମୁଠେ ମୁଁ ଛାତ ଉପରକୁ ଯାଏ. ଜେଜେମାଆ ଟିକେ ଭଲ ଥିଲେ ତ ସେଇ ପୁରୁଣା ଗୀତ ଦୋହରାଇ ଗାଉଥିଲେ ଉଡି ଉଡି ଯାଉ ଡାମେରା କାଉ... ଉଚ୍ଚ ପରବତେ ବୋବାଉ ଥାଉ... ଉଚ୍ଚ ପରବତ କୁଞ୍ଚି କୁଞ୍ଚିକା... ତହିଁରେ ରହିଛି ତିନିମାଣିକା. କାଉଟି ଯେମିତି ଖୁମ୍ପି ଚାଲିଲା ଚାଉଳ କୋଉଠି ଥିଲା ବଣି, ଉଡିଆସିଲା ତ କାଉଟି ଚଟାପଟ ଓଲଟି ପଡି ବଣି ଭଳି ମୃତକର ଅଭିନୟ କରୁ କରୁ ବଣି ଉଡିଯାଇଥିଲା ଆଉ କାଉ ଜେଜେମାଆଙ୍କ ହୃଦୟ ଭରା ଗୀତର ତାଳେ ତାଳେ ଖୁମ୍ପି ଖାଉଥିଲା ଚାଉଳ. କିଛିଦିନ ପରେ ବଣି ଏବେ ଏବେ କାଉ ସହ ସାମିଲ ହୋଇ ଖାଦ୍ୟ ଖାଇଲେ କାଉ ଆଉ କିଛି କହୁନଥିଲା ତ ଜେଜେମାଆ ମୁନା ଆଡକୁ ଚାହିଁ ହସୁଥିଲେ.ମୁନା ମଧ୍ୟ କାଉ ଓ ବଣି ଭିତରେ ବନ୍ଧୁତା ହୋଇଯାଇଥିବା ଦେଖି ଖୁସି ଅନୁଭବ କରିଥିଲା.
