The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Abhiram Mandal

Others

2.8  

Abhiram Mandal

Others

ଚାକିରୀ ଖାଲି ନାହିଁ

ଚାକିରୀ ଖାଲି ନାହିଁ

6 mins
437


ସମୀର ଓ ସରୋଜ ଏକା ଗାଁର ପିଲା । ଏକାଠି ପଢ଼ନ୍ତି । ଯେମିତି ଚାଲାକ ସେମିତି ବୁଦ୍ଧିମାନ । ତେଣୁ ପରୀକ୍ଷାରେ କୃତିତ୍ୱର ସହ ପାସ କରନ୍ତି । ସେମାନଙ୍କ ଘରର ଅବସ୍ଥା ମଧ୍ୟ ଭଲ । ଦୁହିଁଙ୍କ ବାପା ବ୍ୟବସାୟୀ । କୌଣସି ବିଷୟରେ ଅଭାବ ନଥାଏ । ଏଣୁ ଦୁଇଜଣଯାକ ପ୍ରଥମ ଶ୍ରେଣୀରେ ଏମ.ଏ. ପାସ କରିଗଲେ ।


 ପାଠପଢା ଶେଷ କରି ଦୁହେଁ ଚାକିରୀ କରିବାକୁ ଇଛା କଲେ । ଦରଖାସ୍ତ ଓ ଇଣ୍ଟରଭିଉ ପର୍ବ ଶେଷ ହେଲା । କିନ୍ତୁ କୌଣସିଠାରେ ଚାକିରୀ ମିଳିଲା ନାହିଁ । ଲାଞ୍ଚ ଓ ପ୍ରିୟାପ୍ରୀତିତୋଷଣର ଜାଲ ଭେଦ କରି ନପାରି ଦୁହେଁ ବେକାର ହେଇ ବସି ରହିଲେ ।


ଦିନେ ସମୀର ସରୋଜଙ୍କୁ କହିଲା, "ଦେଖ ଭାଇ, ଯେଉଁ ସମୟ ହେଲାଣି, ଚାକିରୀ ଖଣ୍ଡେ ଯୋଗାଡ଼ କରିବା ଦୁଃସାଧ୍ୟ ହୋଇପଡିଲାଣି । ଏତେଗୁଡାଏ ପାଠ ପଢି ବୃଥା ହେଲା ।" ସରୋଜ କହିଲା, "ବୁଦ୍ଧି ଥିଲେ କୌଣସି ବ୍ୟବସାୟ କରି ସ୍ୱାଧୀନ ଭାବରେ ଜୀବନ ଯାପନ କରିବା ଅସମ୍ଭବ ନୁହେଁ । ଆତ୍ମନିଯୁକ୍ତି ସବୁଠାରୁ ଭଲପନ୍ଥା । ଆଛା ସମୀର, କହିଲୁ ବର୍ତ୍ତମାନ ଶସ୍ତା ଓ ସୁଲଭ କଣ ? ଯାହାକୁ ନେଇ ଆମେ ବ୍ୟବସାୟ କରି ପାରିବା ?"


ସମୀର କହିଲା, "ଆମେ ଯୁଆଡେ ଇଣ୍ଟରଭିଉ ଦେବାକୁ ଯାଇଛୁ, ଆମକୁ ଶୁଣିବାକୁ ମିଳିଛି ସେଇ ଘଷାପିଟା ବାକ୍ୟ 'ଚାକିରୀ ଖାଲି ନାହିଁ' । ତେଣୁ ସେହି ବାକ୍ୟକୁ ଆମେ ଆମର ମନ୍ତ୍ର କରି ବ୍ୟବସାୟ ଆରମ୍ଭ କରିବା ।" ସମୀର କଥାରୁ ସରୋଜ କିଛି ବୁଝି ନପାରି ପଚାରିଲା, "ସେ ବାକ୍ୟଟାକୁ ନେଇ କେମିତି ବ୍ୟବସାୟ କରି ପାରିବା, ମତେ ଟିକେ ବୁଝାଇ କହ ।"


ସରୋଜ କହିଲା, " ଚାଲ କୌଣସି ପେଣ୍ଟର ନିକଟକୁ ଯାଇ ପତଳା ଛୋଟ ଛୋଟ ପଟାରେ 'ଚାକିରୀ ଖାଲି ନାହିଁ' 'ଦେଖା ହେଇ ପାରିବ ନାହିଁ' ଇତ୍ୟାଦି ଗୁଡ଼ାଏ ସାଇନ ବୋର୍ଡ କରାଇବା । ତା ପରେ ସେହି ପଟାଗୁଡିକୁ ନେଇ ଆମର ବ୍ୟବସାୟ ଆରମ୍ଭ କରିବା ।"

-"ବହୁତ ଭଲ ଆଇଡ଼ିଆ, ତୋ ବୁଦ୍ଧିକୁ ମାନିବାକୁ ପଡିବ ।" ସମୀର ସରୋଜକୁ ପ୍ରଶଂସା କଲା । ତା ପରେ ଦୁହେଁ ଯୋଜନା ପ୍ରସ୍ତୁତ କରି ଜଣେ ପେଣ୍ଟର ପାଖକୁ ଗଲେ । ପୂର୍ବ ବର୍ଣ୍ଣିତ କିଛି ବୋର୍ଡ ତିଆରି କରିବା ପାଇଁ ତା ସହିତ କଥାବାର୍ତ୍ତା କରି ଦୁହେଁ ପଇସାପତ୍ର ଚୁକ୍ତି ଶେଷ କଲେ ।


ପେଣ୍ଟର ବୋର୍ଡ ତିଆରି କରି ସାରିବା ପରେ ଦିନେ ସମୀର ଓ ସରୋଜ ଗୋଟିଏ ବ୍ୟାଗରେ କିଛି କାଗଜପତ୍ର ଓ ଉକ୍ତ ବୋର୍ଡ଼ରୁ କିଛି ଭର୍ତ୍ତି କରି ବାହାରିଲେ ସେମାନଙ୍କ କର୍ମକ୍ଷେତ୍ରକୁ । ପ୍ରଥମେ ସେମାନେ ଜଣେ ବଡ଼ ସରକାରୀ ଅଫିସରଙ୍କ ପାଖରେ ନିଜ ଫର୍ମୁଲା ପ୍ରୟୋଗ କରିଵାକୁ ଠିକ୍ କଲେ, ଯେ କି ଶିକ୍ଷିତ ବେକାର ଯୁବକମାନଙ୍କୁ ଚାକିରୀ ନିମନ୍ତେ ବାଛନ୍ତି ।


ସେମାନେ ପ୍ରଧାନ ଫାଟକ ପାର ହେଇ ସାହେବଙ୍କ ଅଫିସ ବାରଣ୍ଡାକୁ ଉଠି ଦେଖିଲେ ବାରଣ୍ଡାରେ ଜଣେ ଚପରାଶି ଟୁଲ ଖଣ୍ଡିକରେ ବସି ଢୁଳାଉ ଅଚ୍ଛି । ସମୀର ପଚାରିଲା, "ସାହେବ ଅଛନ୍ତି ?" ପିଅନ ଆଖି ଖୋଲି ଚାହିଁଲା ଆଉ କହିଲା, "ସାହେବ କାର୍ଯ୍ୟବ୍ୟସ୍ତ ଅଛନ୍ତି । ଦେଖା ହେଇ ପାରିବ ନାହିଁ ।"

-"ସାହେବ ମୋର ବନ୍ଧୁ ଅଟନ୍ତି । ନିଅ ପାନ ଖଣ୍ଡେ ।"

ହାକିମଙ୍କ ବନ୍ଧୁ ଅଟନ୍ତି ଶୁଣି ସେ ଟିକିଏ ନରମି ଗଲା ଆଉ ବାଟ ଛାଡିଦେଲା । ତା ପରେ ସମୀର ପର୍ଦ୍ଦା ଆଡେଇ ଭିତରକୁ ପ୍ରବେଶ କଲା ।

"ସୁପ୍ରଭାତ ରାୟ ସାହେବ" କହି ସମୀର ଚେୟାରଖଣ୍ଡେ ଟାଣି ଆଣି ବସି ପଡିଲା ଏବଂ କହିଲା,"ଆପଣଙ୍କ କାର୍ଯ୍ୟରେ ବାଧା ଦେଲି, କ୍ଷମା କରିବେ ।" ରାୟ ସାହେବ ଫାଇଲ ଉପରୁ ଆଖି ଉଠାଇ କହିଲେ, " ମୁଁ ଆପଣଙ୍କୁ କଣ ସାହାଯ୍ୟ କରିପାରେ ?"

-"ମୋର କିଛି ନୁହେଁ, ଆସିଛି ଆପଣଙ୍କ ପାଇଁ" ସମୀର କହିଲା । "ଏଇ ଯେଉଁ ଯୁଗ ହେଲାଣି ରାସ୍ତାଘାଟରେ ଯିବା ଆସିବା ବଡ଼ ବିପଦପୂର୍ଣ୍ଣ ହୋଇ ପଡ଼ିଲାଣି । ସବୁ ସମୟରେ ଆକ୍ସିଡେଣ୍ଟ ଲାଗି ରହିଛି । ସବୁ ବେଳେ ଜୀବନ ସଙ୍କଟାପନ୍ନ । ଏ କ୍ଷେତ୍ରରେ ଆପଣ...."

-"ଶୀଘ୍ର କଥାଟାକୁ ସାରନ୍ତୁ । ମୋର ସମୟ ଖୁବ ଅଳ୍ପ ।" ସାହେବ କହିଲେ ।

-"ବୁଝିଲି, ସମସ୍ତଙ୍କ ପାଇଁ ସମୟ ଖୁବ ଅଳ୍ପ । କିନ୍ତୁ ଏହି ଅଳ୍ପ ସମୟ ମଧ୍ୟରେ ବହୁତ କିଛି କାମ ସାରିବାକୁ ହେବ । କେତେଜଣ ଏ କଥା ବୁଝନ୍ତି ?" ଟିକିଏ ନୀରବ ରହି ସମୀର କହିଲା, "ମୁଁ ଜଣେ ଜୀବନ ବୀମା କମ୍ପାନୀର ଏଜେଣ୍ଟ ।"

-"ଏଜେଣ୍ଟ !" ଶୁଣିବା ମାତ୍ରେ ସାହେବଙ୍କ କଣ୍ଠରୁ ବିରକ୍ତିର ଭାବ ସ୍ପଷ୍ଟ ବାରି ହେଇ ପଡିଲା । ସମୀର ତା ପରେ କହିଲା, "ମୋ କମ୍ପାନୀର ଡିଭିଡେଣ୍ଟ ପ୍ରିମିୟମ ଦୃଷ୍ଟିରୁ ଖୁବ ଲାଭଜନକ । ଏଇ ଦେଖନ୍ତୁ..." କହି ସମୀର ବ୍ୟାଗରେ ହାତ ପୁରାଇଲା ।

-"ଥାଉ ଥାଉ, ରଖନ୍ତୁ । ମୋର ବୀମା କରିବା ଦରକାର ନାହିଁ । ଆପଣ ଏଥର ଆସିପାରନ୍ତି । ନମସ୍କାର ।"

-"ଥରେ ଦେଖନ୍ତୁ.... ଆପଣଙ୍କ ପରି ଉଚ୍ଚ ଶିକ୍ଷିତ ଯଦି ବୀମା ନ କରନ୍ତି ତେବେ ଆଉ କାହାକୁ କହିବା ? ଆପଣ ପଛେ ନ କରନ୍ତୁ, ଆପଣଙ୍କ ବନ୍ଧୁ ବାନ୍ଧବଙ୍କୁ ଟିକିଏ କହିଲେ ବିଶେଷ ଉପକୃତ ହୁଅନ୍ତି ।"

-"ଦେଖନ୍ତୁ ମୋର ସମୟ ନାହିଁ । ଆପଣ ଏଥର ଆସିପାରନ୍ତି ।"

-"ବୁଝିଲି...ଅନ୍ୟମାନଙ୍କୁ କହିବାରେ ଆପଣଙ୍କ ସମ୍ମାନରେ ବାଧା ଆସିପାରେ । ଆଛା, ଆପଣଙ୍କ ଗାଡି ଖଣ୍ଡକ ଇନସିଓର କରନ୍ତୁ । ଭଲ ଟର୍ମରେ ବନ୍ଦୋବସ୍ତ କରିଦେବି ।"

-"ମୁଁ ମୋର ଗାଡି ବିକ୍ରି କରିଦେବି । ନୂଆ ଗାଡି କିଣିଲେ ବିଚାର କରିବି ।"

-"ନିଶ୍ଚୟ..ନିଶ୍ଚୟ, ଭେରୀ ଗୁଡ଼...ସେତେବେଳେ ମୋ କଥା ଟିକେ ମନେ ପକେଇବେ । ଆଜିକାଲି ଘର ସଜେଇବା ପାଇଁ ନାନା ପ୍ରକାର ଫର୍ନିଚର ଦରକାର । ଫର୍ନିଚର ଯୋଗାଇବା ପାଇଁ ମୁଁ ଏକ ଏଜେନସି ନେଇଛି । ଏଇ ଦେଖନ୍ତୁ କାଟାଲଗ । ଚେୟାର, ଟେବୁଲ, ସୋଫା, ଇତ୍ୟାଦି କେତେ କଣ.. ସବୁ ଶସ୍ତା ଦାମରେ..."

-"ମୋର ଫର୍ନିଚର ଦରକାର ନାହିଁ । ଦୟାକରି ବାହାରକୁ ଯାଆନ୍ତୁ ।"


ସମୀର ଦେଖିଲା ମି ରାୟ ତା ଉପରେ ବିରକ୍ତ ହେଇ ଉଠିଲେଣି । ସେ କଣ ସହଜେ ଛାଡିବା ପିଲା ? ପୁଣି କହିଲା, " ଆପଣଙ୍କ ପୁରୁଣା ଗାଡିକୁ ଦିଅନ୍ତୁ, ମୁଁ ସ୍ପ୍ରେ ପେଣ୍ଟିଙ୍ଗ କରିଦେଇ ଏକଦମ ନୂଆ କରିଦେବି । ଆପଣ ନୂଆ ଗାଡି କିଣିବା ଖର୍ଚ୍ଚରୁ ରକ୍ଷା ପାଇଯିବେ । ସାତ ଦିନ ଭିତରେ ଏକଦମ ନୂଆ । କାରଖାନାରୁ ସଦ୍ୟ ବାହାରିବା ପରି ଦେଖାଯିବ ।"


-"ନା...ଦରକାର ନାହିଁ ।"

-"ଆପଣ ଗହଣା କଥା ତ ଜାଣନ୍ତି । ଆପଣଙ୍କ ସ୍ତ୍ରୀ ଆଉ ଝିଅ ପାଇଁ ଅତି ଆଧୁନିକ ଡିଜାଇନ... ଏଇ ଦେଖନ୍ତୁ କାଟାଲଗ...ଖୁବ କମ ରେଟରେ ଯୋଗାଇ ଦେବି ।"

-"ମୋର କୌଣସି ଗହଣା ଦରକାର ନାହିଁ । ଆପଣଙ୍କର କଣ ଏ ଯାଏ ସରି ନାହିଁ ? ଆହୁରି ଅଛି...?"

-"ଆଜ୍ଞା..ଅଛି ...ଅଛି..। ମୁଁ ଭାବୁଛି ଆପଣ ଭଲ କପଡାର ସାର୍ଟ କୋଟ ପିନ୍ଧିବାକୁ ଭଲ ପାଆନ୍ତି । ଟେରିଲୀନ , ଟେରିକଟ, କଟନ, ସିଫନ ଆଦି କପଡା.... ରେପୁଟେଡ଼ ବ୍ରାଣ୍ଡର କପଡା.... ହେଇ ଦେଖନ୍ତୁ ସାମ୍ପଲ ମୋ ପାଖରେ ଅଛି ।"


ଏଥର ମି ରାୟ ଅତ୍ୟନ୍ତ ହତାଶ ହେଇ କହିଲେ-" ଏ ଯାଏ ଆପଣଙ୍କର ସରୁନି...? ଆପଣଙ୍କର ବୋଧ ହୁଏ ଯିବାକୁ ଇଛା ନାହିଁ ।"

-"ଆପଣଙ୍କ ପରି ଶହ ଶହ ଲୋକଙ୍କୁ ସାକ୍ଷାତ ନକଲେ ଆମେ ଖାଇବାକୁ କେଉଁଠୁ ପାଇବୁ ? ଆଛା.. ଆପଣଙ୍କ କ୍ୱାଟର ଆଗରେ ଖୋଲା ଜାଗା ଥିବ ? ମୋ ଠାରୁ କିଛି ଫୁଲ ଗଛର ମଞ୍ଜି ନେଇ ସୁନ୍ଦର ବଗିଚାଟିଏ କରି ପାରନ୍ତି । ମୁଁ ଆପଣଙ୍କୁ ଉତ୍କୃଷ୍ଟ ମଞ୍ଜି ଯୋଗାଇ ଦେବି । ବହୁତ ଭଲ ଫୁଲର ମଞ୍ଜି ମୋ ପାଖରେ ଅଛି, ଯେମିତିକି ଡାଳିଆ, ବସରା, ଗୋଲାପ ଆହୁରି ଅନେକ ।ହଁ ...ଆପଣ ଚାହିଁଲେ ମୁଁ ଆପଣଙ୍କୁ ପନିପରିବା ମଞ୍ଜି ବି ଯୋଗାଇ ପାରେ...ମୂଳା, ଭେଣ୍ଡି, କୋବି, ବାଇଗଣ.."


ମି ରାୟ ଏଥର କିଛି ନକହି ମତେ ବିରକ୍ତିରେ ଚାହିଁଲେ । ସମୀର କିନ୍ତୁ କହି ଚାଲିଥାଏ-" ଓଃ...ବୁଝିଲି ଆପଣ ବୋଧ ହୁଏ ଭାବୁଛନ୍ତି, ସରକାରୀ ଜାଗାରେ ନିଜ ହାତରୁ ପଇସା ଖର୍ଚ୍ଚ କରି ଏ ସବୁ କରିବା କଣ ଦରକାର ? ଠିକ ଅଛି.. ଏସବୁ ନହେଲା ନାହିଁ..ଆପଣ ରିଟାୟାର୍ଡ଼ ହେବା ପରେ ନିଜ ପାଇଁ ସୁନ୍ଦର ଘରଟିଏ ତୋଳିବା କଥା ଚିନ୍ତା କରନ୍ତୁ । ସେ ସବୁର ପ୍ଲାନ ମୁଁ ଯୋଗାଇ ଦେବି ।"


-"ତେବେ ଆପଣ ଯିବେନି...? ଚପରାଶି ..."


ସରୋଜ ଏ ଯାଏ ବାରଣ୍ଡାରେ ଅପେକ୍ଷା କରି ରହିଥିଲା । ସେ ଏତିକି ବେଳେ ଭିତରକୁ ପଶି ଯାଇ କହିଲା-"ନମସ୍କାର ଆଜ୍ଞା ।"

ବିରକ୍ତ ହେଇ ମି ରାୟ କହିଲେ-" ତୁମର ପୁଣି କି କାମ ?" ସେତେବେଳକୁ ତାଙ୍କ ରାଗ ପଞ୍ଚମରେ ।

-" ଆଜ୍ଞା ବାର ଓଳି ଶୁଣ୍ଢୀ ପିଣ୍ଡା ହେଲିଣି ଚାକିରୀ ଖଣ୍ଡିଏ ପାଇଁ । ବେକାର ହେଇ ବୁଲୁଛି...ଆପଣ ଯଦି ଚାହାନ୍ତେ...."

-"ମୁଁ କଣ ଏଠି ଚାକିରୀ ଗୋଦାମ କରିଛି ? ଚାକିରୀ ନାହିଁ...ଗେଟ ଆଉଟ ..।"

-"ହଁ ...ଏବେ ନଥାଇ ପାରେ...ପରେ ଖାଲି ହେଲେ ମୋ କଥା ଟିକେ ମନେ ରଖିଥିବେ ।" ସରୋଜ କହିଲା ।

-"ଗେଟ ଆଉଟ ପ୍ଲିଜ..." ମି ରାୟ ପାଟି କରି ଉଠିଲେ ।


 ଏଥର ସମୀର ସାହେବଙ୍କ ସମର୍ଥନ କରି କହିଲା-"ଯାଅ....ଯାଅ ...ଏଠି ଚାକିରୀ ଫାକିରି ନାହିଁ...ଅନ୍ୟ ଆଡେ ଦେଖ...।" ସରୋଜ କିନ୍ତୁ ସେଠାରେ ଠିଆ ହେଇ ରହିଲା । ସମୀର କହି ଚାଲିଲା-" ମି ରାୟ..ଦୁଆର ଆଗରେ 'ଚାକିରୀ ଖାଲି ନାହିଁ' ବୋଲି ସାଇନ ବୋର୍ଡଟିଏ ମାରିଦେଲେ ଭଲ ହୁଅନ୍ତା । ଏମାନଙ୍କ ପରି ବେକାରିଆଗୁଡା ଆଉ ଆପଣଙ୍କୁ ଡିଷ୍ଟର୍ବ କରନ୍ତେ ନାହିଁ । ସେହି ଭଳି ବୋର୍ଡ ମୋ ପାଖରେ ଅଛି ।"


ମି ରାୟ ଅତି ଉଦବିଘ୍ନ ହେଇ କହିଲେ-"ଦିଅନ୍ତୁ ...କେତେ ଦାମ ?"


ପୁଣି ସମୀର କହିଲା-"ଦେଖା ମିଳିବ ନାହିଁ, ବୋଲି ଆଉ ଏକ ବୋର୍ଡ ମାରିଦେଲେ, ମୋ ପରି ଏଜେଣ୍ଟ ଆଉ ଏଠାକୁ ଆସନ୍ତେ ନାହିଁ । ସେପରି ଲେଖା ବି ମୋ ପାଖରେ ଅଛି ।"

-"ଦିଅନ୍ତୁ ...ଦିଅନ୍ତୁ ...ସେଥିରୁ ଦିଟା ।"

ଏହିପରି ୪ ଖଣ୍ଡ ସାଇନ ବୋର୍ଡ ବିକ୍ରି କରି ବେକାର ଯୁବକ ଦୁଇ ଜଣ ବାହାରି ଆସିଲେ । ବାଟରେ ସମୀର ସରୋଜଙ୍କୁ ହସି ହସି କହିଲା-"ମି ରାୟ କେବେ ଭାବି ପାରି ନଥିବେ ଯେ ଆମେ ସାଇନ ବୋର୍ଡ ବିକିବାକୁ ଆସିଥିଲୁ ବୋଲି..."



Rate this content
Log in