STORYMIRROR

Rajalaxmi Mohanty

Others

4  

Rajalaxmi Mohanty

Others

ବୋଉ

ବୋଉ

9 mins
303

ଅପା, ଅପା, ଉଠ୍, ଦେଖ୍ ,ସେ କାଳିଆ ଭୁଆ ଭଙ୍ଗା ଦନ୍ତା ଟେରା ବୁଢା ଆଜି ପୁଣି ସେମିତିକା ପ୍ରସ୍ତାବ ଆଉଗୋଟେ ଆଣି ଆସିଛି। ମୁଁ ସିଓର୍, ଏ ଗୌରୀ ତାକୁ ଖାଲି ଏଇ ଭଳିଆ ପ୍ରସ୍ତାବ ପାଇଁ ହିଁ କହିଥିବ। ଚଟ୍ କରି ନିଦରୁ ଉଠିବସିଲା ସୋନାଲି।ନିଦୁଆ ଆଖିକୁ ମଳିମଳି ପଚାରିଲା "ପୁଣି ସେଇଭଳିଆ "?

 ହଁ,ଏଥର ତା'ର ଦୁଇଟା ଛୁଆ ବି ଅଛନ୍ତି। ବୟସ ପଇଁଚାଳିଶି।ଧନୀ ଘର କୁଆଡେ। ସେ ଛେନାଗୁଡ ଧନରୁ କ'ଣ ମିଳିବ? ତୁ ଯା ଏବେ ସେଠିକି। ଏଇଟା ଶୋଇବା ସମୟ ନୁହେଁ। ତୁ ଯଦି ଏବେ ଶୋଇବୁ ତୋ ସାଙ୍ଗେ ତୋ ଭାଗ୍ୟ ବି ଶୋଇଯିବ"। ବଡ ଭଉଣୀକୁ ଠେଲିପେଲି ପଠଉଥିଲା ସାନ ଭଉଣୀ ରୁପାଲି। 

ଖଟ ଉପରୁ ଓହ୍ଲେଇ ଛିଡା ହେଲା ସୋନାଲି। 

ସେଠି ଆଉ କିଏ ସବୁ ଅଛନ୍ତି? ପଚାରିଲା ରୁପାଲିକୁ।

"ସେଇ ତିନିଜଣ। ତୁ ଯାଆ । ଯିଏବି ଥାଆନ୍ତୁ।ଡରିଲେ ମରିବୁ। ଏମିତି ବି ମରିବୁ। ଯାଇକି ପ୍ରତିବାଦ କର"। 

ସୋନାଲି ବାହାରି ଆସିଲା ତା ଶୋଇବା ଘରୁ ।ଦାଣ୍ଡ ଘରେ ବସିଛନ୍ତି ଗୌରୀ, ଗୌରୀର ବୋଉ ଓ ସେ ମଧ୍ୟସ୍ଥି ଜଣକ। ସୋନାଲି କବାଟ ପାଖରେ ଛିଡା ହେଇ ସେମାନଙ୍କ କଥାବାର୍ତ୍ତା ଶୁଣିବାକୁ ଚେଷ୍ଟା କଲା। ତିନିଜଣ ଯାକ କ'ଣ ଫୁସଫୁସ ହେଇ କଥା ହେଉଥାନ୍ତି। ସେମାନଙ୍କର କଥାରେ ନିଜେ ନିଜେ ଆମୋଦିତ ହେଇ ଆଖି ବଡବଡ ହେଇଯାଉଛି। ଓଠ ମେଲି ମେଲି ଯାଉଛି। ଏପଟେ ସୋନାଲିର କ୍ରୋଧ ବଢିବଢି ଯାଉଛି। ରୁପାଲି ଯାହା କହୁଥିଲା ସବୁ ସତ।ଆଉ ନିଜକୁ ସମ୍ଭାଳି ପାରିଲାନି ସେ। ଘର ଭିତରକୁ ପଶି ଆସି ସିଧାସିଧା କହିଲା "ମୁଁ ସେ ବୁଢାକୁ ବାହା ହେବିନି। ସେ ମୋ ଠାରୁ ବୟସରେ ଦୁଇଗୁଣ ବଡ"।ଚିହିଁକି ଉଠିଲେ ଗୌରୀର ବୋଉ। କିଏସେ ଲୋ ତୁ।ଆମେ ଆଉ କ'ଣ ଝୁଅ ହେଇନଥିଲୁ। ବାହାଘର କଥା ପଡିଲେ କେଉଁଠି ଯାଇ ମୁହଁ ଲୁଚେଇବୁ ବୋଲି ବାଟ ପାଉନଥିଲୁ। ଇଏ ବାହାରି ଆସି ଭଦ୍ରଲୋକଙ୍କ ଆଗରେ କଥା କହୁଛି।ସବୁ ଅଭିଲା କଥା ଏଇ ଟୋକି ଠେଇଁ।ଗୌରୀ ଆଡକୁ ଚାହିଁ, ସବୁ ତୋରି ପାଇଁ। ନହେଲେ କେଉଁ ଭୁଆସୁଣୀ ଝୁଅ ଆସି ନିଜ ବାହାଘର କଥା କାନଉଥାନ୍ତା ।

ତା ପରେ ଆରମ୍ଭ ହେଇଗଲା ଗୌରୀର ପାଳି। ସେଇ ଏକାକଥା। ସବୁଦିନ ଭଳି। ତା ବାହାଘର ଠାରୁ ଆଜିଯାଏ ଯାହାଯାହା ଘଟିଛି, ଆଉ ସେ କହି ଆସିଛି ଆଜି ପର୍ଯ୍ୟନ୍ତ। ବାପା ବୋଉ ଦୁଇ ଭଉଣୀ କେହି ବାଦ୍ ପଡନ୍ତିନି ସେଥିରୁ।ସୋନାଲିର ପଦିଏ କଥାରେ ଘର ପଡିଲାଣି ଉଠିଲାଣି। ଆଉ ଯଦି କିଛି କହିବ ସାହି ପଡିବ ଉଠିବ। ସେମାନଙ୍କ ବାପାଙ୍କ ଆଖିରୁ ଲୁହ ଝରିବ।ତେଣୁ ଚୁପ୍ ରହିବାଟା ଠିକ ହେବ ଭାବି ଦୁଇ ଭଉଣୀ ଚୁପ୍ ରହିଲେ।ଘଣ୍ଟାଏ ଦୁଇଘଣ୍ଟା ଚବର ଚବର ହେଇସାରିବା ପରେ ଯାଇ ମା ଝିଅ ଶାନ୍ତ ପଡିଲେ।

  ରାତିରେ ଖାଇପିଇ ଶୋଇବାକୁ ଗଲେ ସମସ୍ତେ। ଦୁଇ ଭଉଣୀଙ୍କ ଆଖିରେ ନିଦ ନାହିଁ। "ଆମ ପାଖରେ ଆଉ କିଛି ଉପାୟ ନାହିଁ। ଏଇ ଗୋଟିକ ହିଁ ଶେଷ ରାସ୍ତା। ତୁ ମୋ କଥା ମାନେ ।ଏଥିରେ ତୋର ମଙ୍ଗଳ ହେବ"। ରୁପାଲି ବୁଝାଉଥାଏ ସୋନାଲିକୁ। 

"ଯିବି ତ କୁଆଡେ ଯିବି ?କେମିତି ଯିବି? କାହା ପାଖକୁ ଯିବି?କେଉଁଠି ରହିବି? କ'ଣ ଖାଇବି?କିଛି ଭାବି ପାରୁଛୁ ନା ଏମିତି ଖାଲି କହି ଦେଉଛୁ। ଘର ଠାରୁ ବାହାରେ ଆହୁରି ଭୟଙ୍କର ବିପଦ ଜଗି ରହିଛନ୍ତି। ତୁ ଛୋଟ ପିଲା ।ସେ କଥା ବୁଝିପାରିବୁନି। ମୁଁ ପଳେଇଲେ ତୋ ଅବସ୍ଥା କ'ଣ ହେବ?ବାପାଙ୍କ ଅବସ୍ଥା କ'ଣ ହେବ? କିଛି ଭାବିଛୁ?

ଜୀବନଟା ଗୋଟେ ଯାତ୍ରା କିମ୍ବା ଚଳଚ୍ଚିତ୍ରର କାହାଣୀ ନୁହଁ ଯେ ମୁଁ ଏଠୁ ରାତିରାତି ଘର ଛାଡି ଚାଲିଯିବି, ଆଉ ସକାଳୁ ସକାଳୁ କେଉଁ ରାଜକୁମାରର ହାତ ଧରି ରାଣୀ ହେଇ ଚାଲିଆସିବି "।

"ମୁଁ କିଛି ଯାଣିନି। ଏତିକି ଯାଣିଛି ଏ ଘରେ ତୋ ପାଇଁ ବିପଦ ଅଛି। ଏଠୁ ଚାଲିଗଲେ ବିପଦରୁ ମୁକ୍ତି। ମୁଁ ମୋ କଥା ବାପାଙ୍କ କଥା ବୁଝିପାରିବି,ମୋ ଉପରେ ଏତିକି ବିଶ୍ୱାସ ରଖ।ତୋତେ ବିଶ୍ୱାସ ରଖିବାକୁ ପଡିବ।କାହିଁକିନା ଆମ ପାଖରେ କିଛି ଉପାୟ ନାହିଁ"। ଏତିକି କହିସାରି ସୋନାଲିର କୌଣସି ଉତ୍ତରକୁ ଅପେକ୍ଷା ନକରି ଗୋଟେ ବ୍ୟାଗରେ ଡ୍ରେସ ଦୁଇ ତିନି ହଳ ଓ ଦୁଇଶହ ଟଙ୍କା ଭର୍ତ୍ତି କଲା ରୁପାଲି। ପ୍ରଥମାଷ୍ଟମୀକୁ ମାମୁଁ ଆସିଥିଲେ ଯେ ଦୁଇ ଭାଣିଜୀଙ୍କ ହାତରେ ଗଲାବେଳେ ଦେଇଯାଇଥିଲେ। ସେତକ ଗୌରୀ ଆଖିରେ ପଡିନି ବୋଲି ଆଜିଯାଏ ଅଛି। ନ ହେଲେ......।ମାମୁଁ ବି ବିଚରା ଅସହାୟ।ତାଙ୍କ ନିଜ ବୋଝ ତାଙ୍କୁ ବଳଉଛି। ସେ ଆଉ ଦୁଇଟି ବୋଝ ମୁଣ୍ଡାଇବାକୁ ସମ୍ପୂର୍ଣ୍ଣ ଅସମର୍ଥ। ସବୁ ଜାଣନ୍ତି। ନିରୁପାୟ ରୁହନ୍ତି।


  ବ୍ୟାଗ ଧରି କବାଟ ଖୋଲି ବାହାରକୁ ଚାହିଁଲା ରୁପାଲି। ଅପା ଆସେ। ଆଉ ଡେରି କରନା। ଏଇଟା ହିଁ ଠିକ୍ ସମୟ।କାନ୍ଦ କାନ୍ଦ ହେଇ ରୁପାଲିକୁ କୁଣ୍ଢେଇ ଧରିଲା ସୋନାଲି। 

ଏଇଟା କାନ୍ଦିବା ସମୟ ନୁହେଁ ଅପା। କିଏ ଉଠିପଡିଲେ ଆମର ସବୁ ପ୍ଳାନ ବରବାଦ ହେଇଯିବ।ଆଖିରୁ ଲୁହ ପୋଛି ରୁପାଲି ହାତରୁ ବ୍ୟାଗ ନେଇ ବାହାରିଗଲା ସୋନାଲି। ବାହାରେ ଚାରିଆଡ ଶୂନଶାନ୍କୁ ଅନ୍ଧାର ରାତି। ଘରୁ ବାହାରି ଆସିଲା ସିନା ଯିବ କୁଆଡେ କିଛି ସେ କିଛି ଜାଣି ପାରୁନଥାଏ। ଘର ଭିତରୁ କାହାର ଚୁପ୍ ଚୁପ୍ କଥା ବାହାରକୁ ଶୁଭୁଛି। କାନ ପାରିଲା ଝରକା ପାଖକୁ ଯାଇ। ଗୌରୀ ଓ ତା ବୋଉ କଥା ହେଉଛନ୍ତି ତା'ରି ବିଷୟରେ। 

ଗୌରୀର ବୋଉ କହୁଥାନ୍ତି " ତୁ ସେ ପ୍ରସ୍ତାବରେ ଆଖି ବୁଜି ହଁ କରିଦେ। ପୁଅ ପିଲାଙ୍କ ବୟସ କ'ଣ ଦେଖାଯାଏ। କେବଳ ରୋଜଗାର ଦେଖାଯାଏ। ଏମିତି ପ୍ରସ୍ତାବ କେହି ହାତ ଛଡା କରନ୍ତିନି । ସେ ଟୋକୀ ନିଜେ ଭଲ ଘରେ ବସିଲେ ତା ସାନ ଭଉଣୀ ବାହାଘର ବେଳକୁ ଦଶ ପଚାଶ ସାହାଯ୍ୟ କରିପାରିବ। ତୁ ଯଦି ଆଉ ଟିକେ କଳ ବଳ କୌଶଳ ଖଟେଇବୁ ସେ ତା ବାପାଙ୍କ ଔଷଧ ଖର୍ଚ୍ଚ ବି ଉଠେଇବ ।ଟିକେ ଟିକେ କଥାରେ ଆଉ ତୋ ଉପରେ ନିର୍ଭର କରିବନି। ଏମିତି ଧନୀ ଘର ପିଲା ଆଉ ଖୋଜିଲେ ମିଳିବନି। 

ଗୌରୀ ବିରକ୍ତ ହେଇ କହିଲା "ରଖ୍ ତୋ ଧନ। କି ଧନ ଦେଖଉଛୁ ତୁ ମୋତେ। ଗୋଟିଏ ବେମାରୀକୁ ଧନ ନିଅଣ୍ଟ। ଧନ କ'ଣ ଦୁନିଆରେ ଏକା ବଡ।ମଣିଷପଣିଆ ବୋଲି କିଛି ନାହିଁ।ମୋତେ ବି ଦିନେ ତୁ ଏମିତି କହିଥିଲୁ। ପୁଅ ପିଲାଙ୍କ ବୟସ କ'ଣ ଦେଖାଯାଏ। ରୋଜଗାର ଦେଖାଯାଏ। ଏବେ ଦେଖ୍ କାହା ରୋଜଗାରରେ ଘର ଚଳୁଛି। 

   ଏତିକିରେ ଚୁପ୍ ରହିଲେ ଗୌରୀର ବୋଉ। ଆଜି ପର୍ଯ୍ୟନ୍ତ ତାଙ୍କରି ଆଙ୍ଗୁଠି ଅଗରେ ନାଚୁଥିବା ତାଙ୍କ ଝିଅ ଠାରୁ ବୋଧହୁଏ ଏମିତି ଶୁଣିବେ ବୋଲି ସେ କଳ୍ପନା ବି କରିନଥିବେ।ତାଙ୍କ ଶୋଇବା ଦେଖି ଗୌରୀ ବି ଶୋଇପଡିଲା। ଘର ଭିତର ଚୁପଚାପ। ଗୌରୀର କଥା ଗୁଡିକ ସୋନାଲି କାନରେ ବାରମ୍ବାର ପ୍ରତିଧ୍ୱନିତ ହେଉଥିଲା। ଆଗକୁ ବଢିଥିବା ପାଦ ତା'ର ପଛକୁ ଘୁଞ୍ଚି ଆସିଲା। 


  ଘର ଭିତରେ ଅନ୍ଧାର କରି ତକିଆ ଭିତରେ ମୁହଁକୁ ଗୁଞ୍ଜି ସୁଁ ସୁଁ ହେଇ କାନ୍ଦୁଛି ରୁପାଲି। ବ୍ୟାଗଟି ତଳକୁ ଥୋଇ ଦେଇ ରୁପାଲିକୁ କୋଳକୁ ଟାଣିଆଣିଲା ସୋନାଲି। ଚମକି ପଡିଲା ରୁପାଲି। ଅପା ତୁ! ତୁ ଗଲୁନୁ? 

ସୋନାଲି-ନାଁ।

ରୁପାଲି-କିନ୍ତୁ କାହିଁକି? 

ସୋନାଲି-ମୋତେ ଲାଗୁଛି ଆମେ ଥରେ ବୋଉ ଉପରେ ଭରସା କରିବା ଦରକାର। 

ରୁପାଲି-ବୋଉ!!ସେ ଗୌରୀ କେଉଁଦିନଠାରୁ ତୋ ବୋଉ ହେଇଗଲା? 

ସୋନାଲି- ହଁ, ମୁଁ ଭାବୁଛି ଆମେ ବୋଧହୁଏ ତା ହୃଦୟ ଭିତରେ ଥିବା ବୋଉର ସ୍ଥାନଟି ଖୋଜି ପାଇନେ। ସେଥିପାଇଁ ଆମେ ସେଠି ପହଞ୍ଚି ପାରିନେ। କିନ୍ତୁ ମୋତେ ବିଶ୍ୱାସ କର ସମସ୍ତଙ୍କ ଛାତି ଭିତରେ ବୋଉପଣିଆ ଟେ ରହିଥାଏ। ତା'ର ବି ଅଛି। ହୁଏତ ସେ ବି ଆମ ଭଳି ଭ୍ରମରେ ଥିବ। ଆମେ ଚେଷ୍ଟା କଲେ ବୋଉର ହୃଦୟରେ ଜାଗା ଟେ ଖୋଜି ପାଇବା। ଆମେ ତ ଆଦୌ ଚେଷ୍ଟା କରିନେ। 

ରୁପାଲି-ତୁ ଯାହା କଲୁ କିଛି ଠିକ କଲୁନୁ ଅପା। ସେ ଗୌରୀକୁ ପୁଣି ଭରସା। ତୁ ସେତିକି ସରଳ ବୋଲି ତାକୁ ଭରସା ଓ ବିଶ୍ୱାସ କରୁଛୁ। ମୁଁ ନୁହେଁ। ଆଜି ସିନା ଫେରି ଆସିଲୁ। କାଲି ତୁ ନିଶ୍ଚୟ ଯିବୁ। 

ହସିଲା ସୋନାଲି। ବାୟାଣୀ ଟା ତୋ ମୁଣ୍ଡରେ କେତେ ବୁଦ୍ଧି କହିଲୁ ଏତେ କଥା ଭାବିଯାଉଛୁ। ଯା ଏଥର ଶୁଅ ଆଉ ମୋତେ ଶୋଇବାକୁ ଦେ।ରାଗରେ ସୋନାଲି ପଟକୁ ପିଠି କରି କଡ ବୁଲେଇ ଶୋଇଗଲା ରୁପାଲି। ସୋନାଲି ବି ଶୋଇବାକୁ ଚେଷ୍ଟା କଲା। ନିଦ କ'ଣ ଆସୁଛି ଏ ଆଖିକୁ ସହଜେ। ଆଖି ଆଗରେ ଭାସି ବୁଲୁଛି ତା ଅତୀତ।ଚୁଲବୁଲି ଦୁଇ ଭଉଣୀ ଦୁଇଟି ହରିଣ ଛୁଆ ପରି ଡେଇଁ ବୁଲନ୍ତି ଘର ଅଗଣାରୁ ଦାଣ୍ଡ ବାଡି ଦୁଆର ସବୁଆଡେ। ଖୁସିରେ ବାପା ବୋଉ ବିଭୋର ହୋଇ ଯାଆନ୍ତି। କିନ୍ତୁ କିଏ ଜାଣେ ଦୁଃଖ ଯେ ଆସି ତାଙ୍କ ଦୁଆର ବନ୍ଧ ପାଖରେ ହେଲାଣି। ବେଶି ଚଗଲି ଥିବା ରୁପାଲିକୁ ଖୁଆଇବା ପାଇଁ ତା ପଛରେ ଗୋଡଉ ଗୋଡଉ ବୋଉର ମୁଣ୍ଡ ବୁଲେଇ ସେଇଠି ପଡିଗଲେ। ଖାଇବା ପାଖରୁ ଉଠି ଯାଇ ବୋଉ ବୋଉ ବୋଲି ଡାକ ଛାଡୁଥାଏ ସୋନାଲି। ରୁପାଲି ବି ଫେରିଆସି ତା'ର ଦରୋଟି ସ୍ୱରରେ ବୋଉ ବୋଉ ଡାକୁ ଥାଏ। ହେଲେ ବୋଉ ଆଉ ଉଠୁନଥାଏ। ଛୋଟ ପିଲା, କ'ଣ କରିବ କିଛି ଭାବି ପାରୁନଥାଏ। ତଥାପି ମନକୁ ଆସିଲା ଟିଭିରେ ସମସ୍ତେ ଏହି ଭଳି ସମୟରେ ପାଣି ଛିଞ୍ଚନ୍ତି ବୋଲି। ସାଙ୍ଗେ ସାଙ୍ଗେ ବଢା ହେଇଥିବା ଖାଇବା ପାଖରୁ ପାଣି ଗ୍ଳାସ ଆଣି ବୋଉର ମୁହଁରେ ଛାଟିଦେଲା ସେ। ବୋଉ ଉଠିକି ବସିଲେ ସିନା। ଚାଲି ପାରୁନଥାନ୍ତି ଠିକ୍ ରେ। ମୁଣ୍ଡ ତଥାପି ଘୂରଉ ଥାଏ।ବହୁ କଷ୍ଟରେ ଖଟ ଉପରେ ଯାଇ ଶୋଇପଡିଲେ। ଦୁଇ ଭଉଣୀ ସେମିତି ଅଖିଆ ଅପିଆ ବୋଉର କୋଳରେ ପଶି ଜଗି ବସିଥାଆନ୍ତି। ସନ୍ଧ୍ୟା ବେଳକୁ ଅଫିସରୁ ଫେରିଲେ ବାପା। ଘଟଣା ଦେଖି ସେ ଚକିତ ହୋଇଗଲେ।ଏମିତି କେବେତ ଆଗରୁ ବୋଉର ଦେହ ଏତେ ଖରାପ ହୁଏନି। ଏମିତି କି ଦୁଇଦୁଇଟା ଛୁଆ ଗର୍ଭରେ ଥିଲାବେଳେ ମଧ୍ୟ ସେ ଏତେ ଅସୁସ୍ଥ ହେଇନି। ଆଜି କ'ଣ ହେଲା!ସାଙ୍ଗେ ସାଙ୍ଗେ ସେଇ ପୋଷାକରେ ସେମିତି ସମସ୍ତେ ଗଲେ ମେଡିକାଲ। ଅନେକ ଗୁଡିଏ ଟେଷ୍ଟ ତା ପଛକୁ ତା ପଛ କରିବାକୁ ପଡୁଥାଏ। ଏପଟେ ଦୁଇଟି ଛୁଆଙ୍କ ଦାୟିତ୍ୱ। ଦେହ ମନ ଟିକେ ଦୁର୍ବଳ ହେଇ ଆସିଲା ବେଳକୁ ଛୁଆ ମାନଙ୍କ ମୁହଁକୁ ଦେଖି ସବୁ ଥକ୍କାପଣ କୁଆଡେ ଚାଲିଯାଉଥାଏ। ଗୋଟିଏ ପରେ ଗୋଟିଏ ରିପୋର୍ଟ ଆସିଲା। ସବା ଶେଷରେ ଛାତି ଥରେଇ ଦେଲିଭଳି ରିପୋର୍ଟ ଆସିଲା। ଡାକ୍ତର ରିପୋର୍ଟ ଦେଖି କହିଲେ ବ୍ରେନ କ୍ୟାନସର। ପାଦତଳୁ ବସୁଧା ଫାଟିଗଲା ଭଳି ଲାଗିଲା। ମେଡିକାଲ ସାଇନ୍ସ ଓ ଭଗବାନଙ୍କ ଉପରେ ବିଶ୍ୱାସ ରଖି ଚିକିତ୍ସା ଜାରି ରହିଲା। ଗୋଟିଏ ବର୍ଷରେ ଯାହା ଯେମିତି ପାଣ୍ଠି ଥିଲା ସବୁ ସରିଗଲା ପରେ ବୋଉ ଚାଲିଗଲା ସବୁଦିନ ପାଇଁ ସେମାନଙ୍କୁ ମା ଛେଉଣ୍ଡ କରିଦେଇ। ସୋନାଲିର ବୟସ ଦଶକୁ ରୁପାଲିର ପାଞ୍ଚ। ଚାରିଆଡ ଅନ୍ଧାର ଦିଶିଲା ବାପାଙ୍କୁ। ସମସ୍ଯା ହେଲା ପିଲାଙ୍କ କଥା ତ ଛାଡ ନିଜର ବି ଦାୟିତ୍ବ ନେବା ଶିଖି ନଥିବା ବାପା କେମିତି ଘର ଘର ସମ୍ଭାଳିବେ? କେମିତି ନିଜକୁ ସମ୍ଭାଳିବେ? ସାଙ୍ଗ ସାଥି ମାନେ ବହୁତ ବୁଝା ସୁଝା କରି ମଧ୍ୟ ପିଲା ମାନଙ୍କ ପାଇଁ ସାବତ ମା ଆଣିବିନି ବୋଲି ଗୋଟିଏ ଜିଦ୍ରେ ରହିଲେ ବାପା। କେଉଁ ଏକ ଦୁର୍ବଳ ମୁହୂର୍ତ୍ତରେ ଏଇ ଟେରା ବୁଢା ଦିନେ ଗୋଟେ ପ୍ରସ୍ତାବ ଧରି ଆସି ପହଞ୍ଚିଲା। ସକାଳେ ସଞ୍ଜେ ଧାଇଁ ଧାଇଁ ଶେଷରେ ଜିତି ବି ଗଲା। ତାଙ୍କର ସାବତ ବୋଉ ଆସୁଛି ଜାଣି ଦୁଇ ଭଉଣୀ ଆଗରୁ ସତର୍କ ହେଇଗଲେ। ଟିଭିରୁ ଦେଖି ଆଗରୁ ଜାଣି ସାରିଛନ୍ତି ସାବତ ବୋଉର ସଂଜ୍ଞା କ'ଣ। ବାପା ଯେତେ ବୁଝାଇଲେ ବି ମୁହଁରେ ହୁଁ ହାଁ କରନ୍ତି ସିନା ଅନ୍ତର ଭିତରୁ ବୋଉ ଡାକଟି କେବେ ବାହାରିଲାନି। ଗୌରୀ ସେମିତି ଗୌରୀ ହେଇ ରହିଗଲା ସେମାନଙ୍କ ପାଇଁ। ଗୌରୀ ବି ଦିନ କେତେ ଚେଷ୍ଟା କରିଛି ଭଲ ବୋଉଟେ ହେବା ପାଇଁ। ହେଲେ ତା ବୋଉ ମଝିରେ ମଝିରେ ଆସି ମନ୍ତ୍ର ଫୁଙ୍କି ଦେଇ ଯାଏ। ଦୁଇଟି ଝିଅ ଅଛନ୍ତି ଆଉ ପିଲା ଦରକାର ନାହିଁ ବୋଲି ଯେବେ ବାପା କହିଲେ ସେବେଠାରୁ ଗୌରୀ ଖୋଲାଖୋଲି ଭାବେ ସାବତ ବୋଉଟେ ପାଲଟି ଗଲା। "ମୋର ନିଜର ସନ୍ତାନ ମୁଁ ଚାହେଁ "କହି ତିନିଦିନ ରୋଷେଇ ବାସ ନକରି ଶୋଇ ରହିଲା। ତଥାପି ବାପାଙ୍କ ଉପରେ ତା'ର କୌଣସି ପ୍ରଭାବ ନ ପଡିବାରୁ ତା ବୋଉ ବି ଆସି ତା ସହିତ ଯୋଗ ଦେଲା। ମା' ଝିଅଙ୍କର ଝଟାପଟା କଳିରେ ଶେଷରେ ମୁଣ୍ଡ ନୋଇଁଲେ ବାପା।ଗୌରୀର ପୁଅ ଜନ୍ମ ପରେ ଝିଅ ଦୁଇଟିଙ୍କ ପ୍ରତି କଥାବାର୍ତ୍ତା ବ୍ୟବହାର ସବୁ ବଦଳି ଗଲା।କଥା କଥାକେ ଗୋଟିଏ ଅଭିଯୋଗ ,"ମାଆ ତ ଥିଲା ସବୁ ଟଙ୍କା ପଇସା ଖାଇକି ମଲା। ଝିଅ ଦୁଇଟା ଯେ ମାଆକୁ ଖାଇଲେ। ମୋ ପୁଅ ଆଉ ମୁଁ ଅଛୁ ଏମାନଙ୍କର ସେବା କରିବାକୁ"। କଥା ଯେଉଁଠାରୁ ବି ଆରମ୍ଭ ହେଉ ଏଇ ଡାଇଲଗରେ ହିଁ ଶେଷ ହେବ। ସବୁଦିନ ଅଶାନ୍ତିରେ ରହି,ରହି ବାପାଙ୍କର ହାଇ ବ୍ଳଡପ୍ରେସର ଯୋଗୁ ଦିନେ ମୁଣ୍ଡ ବୁଲେଇ ପଡିଲେ ଯେ ଆଉ ଉଠି ପାରିଲେନି। ପକ୍ଷାଘାତ ରୋଗ ସଂପୂର୍ଣ୍ଣ ଶରୀରକୁ ଆବୋରି ବସିଲା। ବୋଉର ଚିକିତ୍ସାରେ ଯାହା ଖର୍ଚ୍ଚ ହୋଇଥିଲା, ଏଥର ବାପାଙ୍କର ଚାକିରି ଯିବା ସହ ସମସ୍ତ ପେନସନ ଟଙ୍କା ମଧ୍ୟ ସେଇପଟେ ଯାଉଛି। ଗୌରୀର ଆହୁରି ଗୋଟେ ଅଭିଯୋଗ ଫର୍ଦ୍ଦ ଯୋଡି ହେଇଗଲା ଏଥର। ସବୁ ତ ଗଲା, ଯାହା ବିଲ ବାଡି ଦି' ମାଣ ଅଛି ସେତକ ବି ଯିବ ଝିଅ ଦୁଇଟାଙ୍କ ପାଇଁ। ମୁଁ ଖାଲି ଅଛି ୟାଙ୍କ ଘର ଚଳେଇବାକୁ। ସିଲେଇ ମେସିନଟେ ଆଣି ଘର ଚଳଉଛି ସେବେଠାରୁ। ସୋନାଲିକୁ ମଧ୍ୟ ବାଧ୍ୟ କରି କିଛି ପିଲାଙ୍କୁ ଟିଉସନ କରଉଛି।ଆଖିରୁ ଲୁହ ଗଡିଆସିଲା ସୋନାଲିର। ସତେ ତ,ଯେଉଁ ଅନାଗତ ଭବିଷ୍ୟତକୁ ନେଇ ସେ ଏତେ ଭୟ ଓ ଆଶଙ୍କାରେ ଅଛି ଗୌରୀ ଏବେ ସେହି ବର୍ତ୍ତମାନକୁ ଭୋଗୁଛି। ବିଚାରୀ ପାଇଛି କ'ଣ ଜୀବନ ରେ?ଧନ ସମ୍ପଦ ତ ଯାହା ଗଲା ,ତା ସଙ୍ଗେ ସଙ୍ଗେ ନିଜ ସୁଖ, ସ୍ୱପ୍ନ, ଦେହ ,ମନ, ହୃଦୟ ସବୁ ଭାଙ୍ଗି ଚୂନା ହୋଇ ଯାଇଛି। ମାତ୍ର ସତର ବର୍ଷ ବୟସରେ ବାହା ହେଇ ଆସିଥିଲା। ସ୍ୱପ୍ନ ଦେଖିବା ଆରମ୍ଭ କରୁକରୁ ରାତି ପାହିଗଲା। ବାହାଘରର ମାତ୍ର ଆଠ ବର୍ଷ ପରେ ବାପା ବିଛଣାରେ ପଡିଲେ। ସୋନାଲିର ହେଲେ ଏତେ ବୁଦ୍ଧି ହେଇଥାନ୍ତା କି ସେତେବେଳେ, ଗୌରୀ ଭିତରୁ ସେ ତା ବୋଉକୁ ଖୋଜି ପାଇଥାନ୍ତା।ତା ମାନସିକତାରେ ପରିପକ୍ୱତା ଆସିଲା ବେଳକୁ ଘରକୁ ଧସେଇ ପଶିଆସିଥିଲା ଗୌରୀର ବୋଉ ମନ୍ଥରା ସାଜି। ନିଜ ପୁଅ ବୋହୂଙ୍କ ଠାରୁ ତଡା ଖାଇବା ପରେ ଏଇଠି ଆସି ଆଶ୍ରୟ ନେଇ ଏଇ ଘର ଭାଙ୍ଗିବା ଆରମ୍ଭ କରିଦେଇଛି। ନାଁ-ଆଉ ଡେରି କରିବା ଉଚିତ ହେବନି। ଖୁବ୍ ଶୀଘ୍ର ତାକୁ ଗୌରୀ ଭିତରୁ ବୋଉକୁ ବାହାର କରି ଆଣିବାକୁ ପଡିବ। ନିଦ ଟିକେ ଟିକେ ଆଖିକୁ ଛୁଇଁଲାଣି। ଆଖି ବନ୍ଦ କରି ଶୋଇଗଲା ସୋନାଲି। 


ବଡି ଭୋରରୁ ଉଠି ଠାକୁରଙ୍କ ପୂଜା ପାଇଁ ଫୁଲ ତୋଳିବା ରୁପାଲିର ଗୋଟେ ଭଲ ଅଭ୍ୟାସ। ରାତିରେ ଯେତେ ଡେରିରେ ଶୋଇଲେ ମଧ୍ୟ ସକାଳୁ ସକାଳୁ ଫୁଲ ନିଶାରେ ନିଦ ଭାଙ୍ଗିଯାଏ ତା'ର। ଗେଟ୍ ଖଟ୍ ଖଟ୍ ଶବ୍ଦରେ ଚାହିଁଲା ବାହାରକୁ। ଏ ଟେରା ବୁଢାକୁ ରାତିରେ ନିଦ ହଉନି ବୋଧହୁଏ । ସକାଳୁ ସକାଳୁ ପଡି ଉଠି ଆସିଛି। ରାଗରେ ଦାନ୍ତ କଡମଡ କରି ରକ୍ତ ଚାଉଳ ଚୋବଉ ଥିଲା ସେ। ଏତିକିବେଳେ ଗୌରୀ ଆସି ଗେଟ୍ ଖୋଲିଲା। ବୁଢା କ'ଣ କ'ଣ କହୁଥାଏ ତାକୁ। ଆଉ କ'ଣ ନୂଆ କଥା ଅଛିଯେ ସେମାନଙ୍କ କଥାକୁ କାନେଇବ ଭାବି ଫୁଲ ତୋଳାରେ ମନ ଦେଲା ସେ। ସବୁ ତ ଅପା ସାରିଦେଲା। ନହେଲେ ଏତେବେଳକୁ......ଛାଡ।


  ହଠାତ ଗୌରୀର ଉଚ୍ଚ ସ୍ୱର ଶୁଣି ପଛକୁ ବୁଲି ଚାହିଁଲା ରୁପାଲି। ଗୌରୀ ପାଟି କରି କହୁଥାଏ ବାରମ୍ବାର ମନା କରିବା ପରେ ମୋତେ ପୁଣି କ'ଣ ପାଇଁ ଏତେ ଲୋଭ ଦେଖେଉଛ? ମୁଁ ଥରେ ମନା କଲି ପରା।କ'ଣ ସେତିକି ଯଥେଷ୍ଟ ନୁହେଁ ଆଉ ଅଧିକ ଆଶା କରୁଛ ମୋ ଠାରୁ। ସେ ମୋ ରକ୍ତର ଝିଅ ନହେଇ ପାରେ, କିନ୍ତୁ ମୋରି ଭଳି ଝିଅଟେ। ଯେଉଁ କଷ୍ଟ ଯନ୍ତ୍ରଣା ମୁଁ ପାଉଛି ସେହି କଷ୍ଟ ଯନ୍ତ୍ରଣା ଆଉ କେହି ପାଉ ବୋଲି କୌଣସି ଶତ୍ରୁ ମଧ୍ୟ ଚାହିଁବନି। ତମେ ଯାଅ ଏବେ। କିଛି ଭଲ ପ୍ରସ୍ତାବ ଥିଲେ ଆଣିବ। ନହେଲେ ନାହିଁ। 


 କାଲି ଯାଏ ସେ ବୁଢାର ସବୁ କଥାକୁ ଆଁ କରି ପିଇଯାଉଥିବା ଗୌରୀର ଆଜି ଏଭଳି ଅବତାର ଦେଖି ଏକା ରୁପାଲି ନୁହେଁ, ସେ ବୁଢା ବି ଆଶ୍ଚର୍ଯ୍ୟ ହେଇଗଲା। ପଦୁଟେ ବି ଉତ୍ତର ନଦେଇ ସେଠୁ ଚାଲିଗଲା ସିଧା। 

"ବୋଉ",କହି ରୁପାଲି ଦୌଡିଆସି କୁଣ୍ଢେଇ ପକେଇଲା ଗୌରୀକୁ। ବାରଣ୍ଡା ଉପରେ ଥାଇ ସବୁ ଦେଖୁଥିବା ସୋନାଲି ବି ଆସି କୁଣ୍ଢେଇ ଧରିଲା ଗୌରୀକୁ। ଦୁଇ ହାତରେ ଦୁଇ ଝିଅଙ୍କୁ କୁଣ୍ଢେଇ ଧରିଲା ଗୌରୀ। ରୁପାଲି ହାତରେ ଥିବା ଫୁଲ ଡାଲାରୁ ଫୁଲ ସବୁ ଗୋଟି ଗୋଟି ହେଇ ଖସି ପଡୁଥିଲେ ଗୌରୀର ପାଦତଳେ। ବୋଧହୁଏ ଦେବୀଟିଏ ସେମାନେ ପାଇଗଲେ। 

    ସମାପ୍ତ



Rate this content
Log in