Rajalaxmi Mohanty

Others

3.4  

Rajalaxmi Mohanty

Others

ବୋକି ସାବିତ୍ରୀ

ବୋକି ସାବିତ୍ରୀ

3 mins
313



ବନାରସୀ ସିଲ୍କ ଶାଢୀରେ ଆଜି କେତେ ସୁନ୍ଦର ଦିଶୁଛି ସ୍ବାତୀ।ନିଜକୁ ନିଜେ ଆଇନା ସାମ୍ନାରେ ଦେଖିଦେଇ ଲାଜେଇଗଲା ସେ।ହାତରେ ମ୍ଯାଚିଙ୍ଗ ଚୁଡି।ନଖରେ ନେଲପଲିସ।ପାଦରେ ଅଳତା।ଗଭାରେ ରଜନୀଗନ୍ଧାର ହାର।ବାହାଘରର କୋଡିଏ ବର୍ଷ ପରେ ଏବେବି ସୌନ୍ଦର୍ଯ୍ଯର ରାଣୀ ଟିଏ ପରି ସେ ଦିଶୁଛି।ନିଜକୁ ନିଜେ ଚାହିଁ ଖୁସିହେଇଗଲା ସେ।ତା ବେକରେ ସଞ୍ଜୟ କାଲି କିଣିଆଣିଥିବା ନୂଆ ଚେନ୍ ଟି ଚିକିମିକି କରୁଛି।ସାବିତ୍ରୀ ପାଇଁ କେତେ ଖୁସିରେ ଆଣିଦେଇଛନ୍ତି ସଞ୍ଜୟ।ପ୍ରତି ବର୍ଷ କିଛିନା କିଛି ଛୋଟମୋଟ ଏମିତି ନୂଆ ନୂଆ ସୁନା ଗହଣା ସେ ଆଣନ୍ତି।ଦୁଇତିନି ଗ୍ରାମର କାନଫୁଲଟେ ହେଉ କିମ୍ବା ମୁଦିଟେ ହେଉ।ଏବର୍ଷ କିନ୍ତୁ ସିଧା କୋଡିଏ ଗ୍ରାମର ଚେନ୍ ଟିଏ।ବହୁତ ଖୁସି ଅଛି ସ୍ବାତୀ କାଲିଠାରୁ ସେ ଚେନ୍ ଦେଖିକରି।ସଞ୍ଜୟ ସତରେ କେତେ ଭଲ। କିଛି ନମାଗିକି ବି ବହୁତ କିଛି ତାକୁ ଆଣିଦିଅନ୍ତି।ସ୍ବାତୀର ବାପା ସାବିତ୍ରୀ କୁ ପ୍ରତିବର୍ଷ ଦୁଇହଜାର ଟଙ୍କା ନିଜର ସାମର୍ଥ୍ଯ ଅନୁସାରେ ପଠାନ୍ତି।କେବଳ ସ୍ବାତୀ ଏକା ନୁହେଁ।ତାଙ୍କର ପୁଣି ଆହୁରି ଦୁଇଟି ଝିଅ ଅଛନ୍ତି ।ସଞ୍ଜୟ କିନ୍ତୁ ସେହି ଟଙ୍କାରେ ଆହୁରି କିଛି ଟଙ୍କା ମିଶେଇ ସ୍ବାତୀ ପାଇଁ ଅତି କମ୍ ରେ ପାଞ୍ଚ ହଜାର ଟଙ୍କା ଉପରେ ଶାଢୀ ନେଇ ଆସନ୍ତି ପ୍ରତି ବର୍ଷ।ସେଇଟା ବଢିବଢି ଏବର୍ଷ ଦଶ ହଜାର ଟଙ୍କାର ଶାଢୀ ଅଣାହେଇଛି।ସେଇ ଶାଢୀରେ ସ୍ବାତୀ ଖୁବ୍ ସୁନ୍ଦର ଦିଶୁଛି ତା ବୟସର ଅନ୍ଯ ସ୍ତ୍ରୀ ଲୋକ ମାନଙ୍କ ତୁଳନାରେ।ଯାହାହେଉ ସ୍ବାମୀକୁ ନିଜ ପଣତ କାନିରେ ବାନ୍ଧିରଖିବାର ସମ୍ପଦ ଟିକକ ଭଗବାନ ତାକୁ ଦେଇଛନ୍ତି।ଭଗବାନଙ୍କ ନିକଟରେ ମଥାନୁଆଁଏ ସ୍ବାତୀ।ସ୍ବାମୀଙ୍କର ଦୀର୍ଘାୟୁ କାମନା କରେ।ଏଇଭଳି ସୁଖୀ ଦାମ୍ପତ୍ଯ ଜୀବନ ସବୁବେଳେ ଆଶାକରେ।ଅତି ନିଷ୍ଠାର ସହ ସାବିତ୍ରୀ ବ୍ରତ କରେ।


ଦିନ ଆସି ବାରଟା ହେଲାଣି।ଅସହ୍ଯ ଗ୍ରୀଷ୍ମ ପ୍ରବାହ ପାଇଁ ଓଠ ପାଟି ଶୁଖିଗଲାଣି ସ୍ବାତୀର ।ମନ୍ଦିରରେ ଭିଡ ହେବ ବୋଲି କେଉଁ ସକାଳୁ ସେ ଯାଇ ପୂଜାସାରି ଆସିଛି।କେବଳ ଅପେକ୍ଷା ସଞ୍ଜୟଙ୍କୁ।ସେ ଆସିଲେ ତାଙ୍କ ପାଦତଳେ ସାଷ୍ଟାଙ୍ଗ ପ୍ରଣାମ କରି ସେ ପ୍ରସାଦ ପାଇବ।ସେ ମନ୍ଦିର ଯିବାପରଠାରୁ ସଞ୍ଜୟ କୁଆଡେ ବାହାରକୁ ଯାଇଛନ୍ତି ଯେ ଯାଇଛନ୍ତି।ଆଜିତ ଛୁଟି ଅଛି।ବାବୁ କୁଆଡେ ଗଲେ କେଜାଣି।ଅପେକ୍ଷା କରି ବସିଛି ସ୍ବାତୀ।


ଏତିକିବେଳେ ଘରର କଲିଂ ବେଲ୍ ବାଜିଲା।ସ୍ବାତୀ ଖୁସିହେଇ ସଞ୍ଜୟ ଆସିଲେ ଭାବି କବାଟ ଖୋଲିଲା।ସଞ୍ଜୟ ବଦଳରେ ଝିଅ ରେଶ୍ମା ଛିଡାହେଇଥିଲା।ଝିଅକୁ ଦେଖି ବିରକ୍ତ ହେଲା ସ୍ବାତୀ ଏତେବେଳ ଯାଏ କୁଆଡେ ଯାଇଥିଲୁ ଏବେ ଫେରୁଛୁ ବୋଲି।ରେଶ୍ମା ଉତ୍ତର ଦେଲା ମାମା, ମୋର କ୍ଳାସ କେତେବେଳୁ ସରିଲାଣି।ତମେ ବାପାଙ୍କ ସହ ମନ୍ଦିର ଯାଉଥିବାର ଦେଖିଲି ତ ଘର ଲକ୍ ଥିବ ଭାବି ସାଙ୍ଗ ଘରକୁ ପଳେଇଲି।ସେଇଠୁ ଏବେ ଫେରିଲି।ଯାହାକୁହ ମାମା, ତମେ ଆଜି ପୂରା ମଡର୍ଣ୍ଣ ଝିଅଙ୍କ ଭଳି ଲାଗୁଥିଲ ମୁହଁରେ କପଡା ବାନ୍ଧିକି ।ମୁଁ ତ ବିଶ୍ବାସ କରିପାରିଲିନି ମୋ ମାମା ପୁଣି ମୁହଁରେ କପଡା!! ଓଃ, ତମେ ଆଜି ଏତେ ଦୂର ସେଇ ମନ୍ଦିରକୁ ଯାଇଥିଲ ଏତେ ଖରାରେ ତ ସେଥିପାଇଁ ବାନ୍ଧିଦେଇ ଥିଲକି?ସେ ଯାହା ହେଉ।ଷ୍ଟୋଲଟା ବହୁତ ସୁନ୍ଦର ଥିଲା।ସେ ରେଡ୍ କଲର ଷ୍ଟୋଲ୍ ଟା କେବେ ଆଣିଲ ମାମା?ତମେ ତ କେବେ ସେସବୁ ବାନ୍ଧନି ।ମୋତେ ଦେଇଦେବ ପ୍ଳିଜ୍।ଝିଅର କଥା ଶୁଣି ଛାତି ଭିତରେ କ'ଣ ସବୁ ଯେମିତି ଭାଙ୍ଗିରୁଜି ଗୁଣ୍ଡ ହେଇଗଲା ଭଳି ଲାଗୁଥିଲା ସ୍ବାତୀକୁ।ଇଏ କ'ଣ ସେ ଶୁଣୁଛି!!ସଞ୍ଜୟ ପୁଣି ଆଉ କାହାକୁ??ନାଁ ନାଁ ସେ ସବୁ ରେଶ୍ମାର ଭ୍ରମ ହେଇଥାଉ।ଦୌଡିଯାଇ ଦାଣ୍ଡଘର ଜୋତା ଷ୍ଟାଣ୍ଡକୁ ଦେଖିଲା ସ୍ବାତୀ।ଏଇଠି ଥୁଆ ହେଇଛି ସଞ୍ଜୟଙ୍କ ହେଲେମେଟ୍।ତାହେଲେ ବିନା ହେଲେମେଟ୍ ରେ ସଞ୍ଜୟ ବାହାରକୁ ଯାଇଛନ୍ତି ମାନେ ରେଶ୍ମା ତାଙ୍କୁ ଚିହ୍ନିବାରେ କେବେ ବି ଭୁଲ କରିବନି। ଶୋଇବାଘର ଖଟ ଉପରେ ଲଥ୍ କରି ବସିପଡି ଅନେକ କଥା ମନେମନେ ଚିନ୍ତା କରୁଥିଲା ସ୍ବାତୀ।ଯେତିକି ଭଲ ଚିନ୍ତା ସେତିକି ଦୁଶ୍ଚିନ୍ତା।


ସଞ୍ଜୟ କେବେ ସେମିତି ହେଇପାରିବେନି।


ତାହେଲେ ସଞ୍ଜୟ ଏତେବେଳେ ଖରାରେ କାହାକୁ ଗାଡିରେ ବସେଇ ମନ୍ଦିର ନେଲେ।


ସଞ୍ଜୟ ତାକୁ ବହୁତ ଭଲ ପାଆନ୍ତି।


ଉପରେ ମିଠାକଥା କହି ଭିତରେ ଚେର କାଟିବା ଭଳି ବହୁତ ଲୋକ ଅଛନ୍ତି।ଏଇ ଭଲ ପାଇବାଟା ସେମାନଙ୍କ ଅସ୍ତ୍ର।


ସଞ୍ଜୟ ଅଫିସରେ ଥାଇ ଦିନକୁ ତିନିଥର ଫୋନ କରନ୍ତି।


ସଞ୍ଜୟଙ୍କ ଫୋନ ପାସ୍ୱାର୍ଡ ପଡି କାହିଁକି ଥାଏ ତାହେଲେ?

ଏମିତି ଅନେକ ଗୁଡିଏ ଭାବନାରେ ବୁଡିରହିଥାଏ ସ୍ବାତୀ।


ତମକୁ କହୁଛି ଟିକେ ଜଲଦି ବାହାର।ତମେ ଶୋଇବ ନଅଟା ଯାଏ।ଫ୍ରେସ ହେବ ଘଣ୍ଟାଏ।ମେକ୍ଅପ ନେବ ଘଣ୍ଟାଏ।ପୁଣି ତମେ ନଖାଇବା ଯାଏ କୁଆଡେ ମୁଁ ଖାଇବିନି।ଏମିତି କିଏ ସାବିତ୍ରୀ କରେ?ଏତେବେଳେ ମନ୍ଦିର ଗଲେ ଫେରିବ କେତେବେଳେ?ମୋତେ ଭୋକରେ ପେଟ ଗୁଡୁଗୁଡୁ ହେଲାଣି।ସଞ୍ଜୟ ଅଭିମାନ କରି କହୁଥିଲେ ତାଙ୍କ ଲେଡି ଆସିଷ୍ଟାଣ୍ଟ ସୁଚିତ୍ରା କୁ।


ଓହୋ , ସ୍ବିଟ୍ ହାର୍ଟ।ସ୍ବାମୀ କ'ଣ ସ୍ତ୍ରୀ କ'ଣ?ଆମେ ଉଭୟେ ଉଭୟଙ୍କ ପାଇଁ ବ୍ରତ ରଖିବା।କେବଳ ଫ୍ରୁଟ୍ସ ଖାଇବା।ବୁଲିଯିବା ।ମଜାକରିବା।ତମେ ଆଣିଥିବା ଚାରିଭରିର ରାଣୀହାରଟି ବହୁତ ବଢିଆ ହେଇଛି।ପାଟ ଶାଢୀ ବି ବହୁତ ସୁନ୍ଦର ଦିଶୁଛି। ତା ବଦଳରେ ତମର ସବୁ ଅଭିଳାଷ ଏଇ ସାବିତ୍ରୀ ରେ ପୂରଣ କରିବାକୁ ପ୍ରସ୍ତୁତ ଅଛି ମୁଁ । ଏବେ ତୁମ ପାଇଁ ରାସ୍ତା କ୍ଳିୟର ଅଛି।ଶାନ୍ତନୁ ଚାରିଦିନ ପାଇଁ ଓଡିଶା ବାହାରକୁ ଯାଇଛନ୍ତି କହି ସୁଚିତ୍ରା ବି ସଞ୍ଜୟଙ୍କ ଓଠକୁ ଚିମୁଟି ଦେଇ ଆଖି ନଚେଇ ସଞ୍ଜୟଙ୍କ ଅଭିମାନ ଭାଙ୍ଗିଦେଲା ଗୋଟେ ସେକେଣ୍ଡ ରେ।


ଦିନ ଦୁଇଟାରେ ଘରକୁ ଫେରିଲେ ସଞ୍ଜୟ।ହାତରେ ଦୁଇଟା ଅମୂଲ ଲସି।କଲିଂ ବେଲ୍ ବଜଉ ବଜଉ କବାଟ ଖୋଲିଲା ସ୍ବାତୀ।ସଞ୍ଜୟଙ୍କୁ ଦେଖି ଅଭିମାନ ଭରା ସ୍ବରରେ କହିଲା କୁଆଡେ ଯାଇଥିଲ ଏତେବେଳ ଯାଏ।ତମକୁ ଅପେକ୍ଷା କରି ମୁଁ କେତେବେଳୁ ବସିଛି।


ମୁଁ ଜାଣିଛି ତମେ ଅପେକ୍ଷା କରିଥିବ।ସେଥିପାଇଁ ସରି ।ପ୍ରକୃତରେ ଗୋଟେ ସାଙ୍ଗ ର ଆକ୍ସିଡେଣ୍ଟ ହେଇଯାଇଥିଲା।ତାକୁ ନେଇ ତା ଘରେ ଛାଡିକି ଆସିଲି।ବେଶି କିଛି ହେଇନି।ଟିକେ ଖାଲି ହାତ ଗୋଡ ମାଡ ହେଇଯାଇଛି ତ ଗାଡି ଚଲେଇପାରୁନଥିଲା।ସେଠୁ ଫେରୁ ଫେରୁ ଟିକେ ଲେଟ୍ ହେଇଗଲା।ପ୍ଳିଜ୍ ରାଗନି।ଆଜି ତମର ସାବିତ୍ରୀ ବ୍ରତକୁ କୋଡିଏ ବର୍ଷ ହେଲା।ତମେ କୋଡିଏ ବର୍ଷ ମୋ ପାଇଁ କେତେ ନିଷ୍ଠାରେ ବ୍ରତ ରଖିଛ। ଏଇ ବର୍ଷରୁ  ଆଜିଠାରୁ ମୁଁ ବି ତମର ଦୀର୍ଘ ଆୟୁଷ କାମନା କରି ତମପାଇଁ ବ୍ରତ ରଖିବି।ଯାଅ କ'ଣ ରଖିଛ ଖାଇବା ପାଇଁ ନେଇଆସ।ସାଙ୍ଗ ହେଇ ଖାଇବା।ତା ଆଗରୁ ଆସ ସାଙ୍ଗ ହେଇ ଏଇ ଗୋଟିଏ ଲସି କୁ ଆମେ ପିଇବା।ଆଉ ଗୋଟେ ଝିଅକୁ ଦେଇଦିଅ।ସ୍ବାତୀକୁ ଅତି ଆଦରେ ଗେହ୍ଲେଇ ଧରି କହୁଥିଲେ ସଞ୍ଜୟ।ସଞ୍ଜୟଙ୍କ ମିଠାମିଠା କଥାରେ ସବୁ ପଛକଥା ଭୁଲିଯାଇଥିଲା ସ୍ବାତୀ। ତରବର ହେଇ ସଞ୍ଜୟଙ୍କ ପାଇଁ ଖାଇବାକୁ ଆଣିବାକୁ ଚାଲିଗଲା ସେ।ସ୍ବାତୀର ଯିବା ବାଟକୁ ଚାହିଁ ଏକ କୂଟିଳ ହସ ହସି କହୁଥିଲେ ସଞ୍ଜୟ ମୋ "ବୋକି ସାବିତ୍ରୀ"।ଏମିତି ସବୁବେଳେ ବୋକି ହେଇ ରହିଥାଅ।




Rate this content
Log in