ବିଶ୍ଵ ପ୍ରେମିକ
ବିଶ୍ଵ ପ୍ରେମିକ
ଅସୀମା.. ଅସୀମା ଡାକି ରୁମ୍ ଭିତରକୁ ପଶି ଆସିଲେ ଅଜୟ । ଦୁଇଟା ପ୍ଲେନ୍ ଟିକେଟ ବଢେଇ ଦେଇ କହିଲେ ଏଇଟା ଠିକ୍ ସେ ରଖ । କାଲି ସକାଳେ ଫ୍ଲାଇଟ୍ ଆଛି । ଆଜି ହିଁ ପ୍ୟାକିଂ କାମ ସାରିଦିଅ । ବେଶୀ କିଛି ଧରିବା ଦରକାର ନାହିଁ । ଦୁଇ ଦିନର କଥା । ହଁ ତମର ଆଉ ମୋର ସାଲ୍ ଆଉ ସ୍ୱେଟର ଧରିବ । ବନାରସରେ ବେଶ୍ ଥଣ୍ଡା ପଡିଲାଣି ବୋଲି ଅମର କହୁଥିଲା, ଭୁବନେଶ୍ୱର ଭଳି ମାମୁଲି ଥଣ୍ଡା ବୋଲି ଭାବିବନି । ଭଲକରି ଶୀତବସ୍ତ୍ର ଆଣିଥିବ ସାଙ୍ଗରେ । ଆଉ ଗେଷ୍ଟହାଉସ୍ ଗାଡ଼ି ସବୁ ମୁଁ ଠିକ୍ କରିଦେଇଛି । ଖାଲି ତମେ ଦୁହେଁ ପହଞ୍ଚିଲେ ହେଲା ।
ଅସୀମା ଟିକେ ଆଶ୍ଚର୍ଯ୍ୟ ହୋଇ ପଚାରିଲା ଅମର କ'ଣ ବନାରସ ପଳେଇଲାଣି କି ? ସେ ପା ହାଇଦ୍ରାବାଦରେ ଥିଲା ??
ହଁ ଏଇ ତିନି ମାସ ହେବ ବନାରସକୁ ଟ୍ରାନ୍ସଫର ହେଇ ଯାଇଛି । ଅଜୟ କ'ଣ ଗୋଟେ ଖୋଜୁ ଖୋଜୁ କହିଲେ ।
ଆରେ ତମେ ପୁଣି ସେଠି କ'ଣ ଖୋଜୁଚ ??
ମୋର କ୍ରେଡିଟ କାର୍ଡଟା ...
ଅସୀମା ମୁଣ୍ଡରେ ହାତ ବାଡ଼େଇ କହିଲା । ହେ ! ଭଗବାନ ତମେ କେତେ ଭୁଲକଡ୍ ହେଇଗଲଣି ..... ତମେ ପା ସକାଳେ ମିତାକୁ ଦେଇଥିଲ ସେ ଅନ୍ ଲାଇନରେ କ'ଣ ଗୋଟେ ମଗଉଥିଲା ବେଳେ ।
ଓହୋ ! ହଁ... ହଁ କହି ଅଜୟ ଅଫିସ୍ ପାଇଁ ବାହାରି ଗଲେ ।
ଅସୀମା ଥକ୍କା ମାରି ଖଟ ଉପରେ ବସି ପଡ଼ିଲା । ଆଜିକାଲି ସେ ବହୁତ ଥକି ଯାଉଛି । ଏହା ସ୍ୱଭାବିକ । ବୟସ ଆସି ପଞ୍ଚାବନ ହେଲାଣି । ତା'ର ମନେ ଅଛି କୋଡ଼ିଏ ବର୍ଷ ତଳେ ଶାଶୁ ଶଶୁରଙ୍କୁ ଧରି ବନାରସ ଯାଇଥିଲେ । ଟିକେ ତୀର୍ଥସ୍ଥଳୀ ବୁଲି ଆସିବେ ବୋଲି ସେ ଦୁହେଁ ଇଚ୍ଛା ପ୍ରକାଶ କରିଥିଲେ । ଶାଶୁ ତ କେବେଠୁ ଆର ପାରିକି ଚାଲିଗଲେଣି, ଶଶୁରଙ୍କର ବର୍ଷିକିଆ ପରେ ସମସ୍ତେ କହିଲେ ଦୁହିଁଙ୍କ ଅସ୍ତି ଗୟାରେ ବିସର୍ଜନ କରି ଆସ । ବଡ଼ ପୁଅ ହିସାବରେ ଏଇଟା ଆମର ଦାୟିତ୍ବ । ୟା ଭିତରେ କେତେ ବଦଳି ଯିବଣି ସେ ସହର । ୟାଙ୍କ ସାଙ୍ଗ ଦିଗନ୍ତ ଅଛି ଜାଣି କହିଲେ, ଖାଲି କାଇଁ ଗୟା ଯାଇ ଫେରିବା ଟିକେ କାଶୀ ବିଶ୍ଵନାଥ ବି ଦର୍ଶନ କରି ଆସିବା । ବଢିଲା ଝିଅକୁ ଘରେ ଏକୁଟିଆ ଛାଡି ଯାଇ ହୁଏନି କି ସେ ବି କୁଆଡେ ଯିବାକୁ ମଙ୍ଗେନି । ଘରେ ସାନ ଯାଆ ଆଉ ଦିଅର ଆସି ରହିବାକୁ ରାଜି ହେବାରୁ ଆମେ ଦୁହେଁ ବାହାରିଛୁ । ପୁଅ ତ ଚାକିରୀ କରି ବାହାରେ ରହିଲାଣି । ଅନେକ ବର୍ଷ ପରେ ବୁଢ଼ାବୁଢ଼ୀ ଦୁଇଜଣ ଟିକେ ବାହାରକୁ ଯିବାର ସୁଯୋଗ ପାଇଛୁ । ସେ ବି ପୁଣି ଦୁଇ ଦିନ । ଅସୀମା ପ୍ୟାକିଂରେ ମନ ଦେଲା । ଗୋଟି ଗୋଟି ସବୁ ମନେ ପକେଇ ପୁରଉଥାଏ । କାଳେ କୋଉଟା ଭୁଲିଯିବ । ରାତିରେ ଆସି ଦିଅର ଯାଆ ପହଞ୍ଚିଗଲେ । ସେ ଟିକେ ଶାନ୍ତିରେ ନିଃଶ୍ୱାସ ମାରିଲା । ସମସ୍ତେ ଶିଘ୍ର ଖିଆପିଆ କାମ ସାରିଦେଲେ । ରାତିରେ ଫୋନ୍ ଆସିଲା ଅମର ର ।
ସେ କହିଲା ହଠାତ୍ ତାକୁ କାଲି ଟୁରରେ ବାହାରକୁ ଯିବାକୁ ପଡ଼ିବ ତେଣୁ ସେ ରହିପାରିବନି । ହେଲେ ଚିନ୍ତା କରିବାର କିଛି ନାହିଁ । ସେ ତା'ର ଗାଡ଼ି ଆଉ ଡ଼୍ରାଇଭର ସେମାନଙ୍କ ପାଇଁ ଛାଡି ଯାଉଛି । ଆଉ ଡ୍ରାଇଭରକୁ ସବୁ ବତେଇ ଯାଇଛି । ଏୟାରପୋର୍ଟରୁ ଆଣିବା ଠାରୁ ଗୟା ନେବା ଆଉ ଏୟାରପୋର୍ଟରେ ଛାଡିବା ସବୁ ଦାୟିତ୍ଵ ତା'ର । ତମେ ଜମ୍ମା ବ୍ୟସ୍ତ ହେବନି । ତା'ର ନମ୍ବର ରଖ, ତା ନାଁ ହେଉଛି ଦିନାରାମ । ବହୁତ ବିଶ୍ୱସ୍ତ ଆଉ ଭଲ ଲୋକ ସେ । ମନ ଖରାପ କରିବୁନି ୟେଥର ଦଶହରାରେ ଘରକୁ ଗଲେ ତୋ ଘରେ ଦୁଇ ଦିନ ରହିବି । ବହୁତ ସାରା କଥା ହେବା । ହଉ ରଖୁଛି ।
ତାପର ଦିନ ଖରାବେଳେ ଯାଇ ଆମେ ବନାରସରେ ପହଞ୍ଚିଲୁ । ଦିନାରାମ ଆସିଥିଲା ନେବାକୁ । ପ୍ରକୃତରେ ବହୁତ ସରଳ ଆଉ ଭଦ୍ରଲୋକ । ଆମକୁ ନେଇ ଗେଷ୍ଟହାଉସରେ ପହଞ୍ଚେଇ ଦେଲା । ଆଉ ସେଇଠାରେ ହିଁ ଖାଇବାର ବ୍ୟବସ୍ଥା ହେଇଥିଲା । ସେ ସବୁ ବୁଝାବୁଝି କରି ଯିବାକୁ ବାହାରିଲା । କହିଲା ସଂଧ୍ୟାରେ ଆସି ଆମକୁ ମନ୍ଦିର ଆଉ ଗଙ୍ଗାଘାଟକୁ ନେଇଯିବ । ଆମେ ଯାଇ ରେଷ୍ଟ ନେଲୁ ।
ଅସୀମା କହିଲା ଦେଖିଲ କେତେ ବଦଳି ଯାଇଛି ସହର । ଚାରିଆଡ଼େ ବଡ଼ ବଡ଼ ଦୋକାନ ଆଉ କୋଠା ଭର୍ତ୍ତି । ସେତେବେଳେ ଛୋଟ ଛୋଟ ସବୁ ଦୋକାନ ଥିଲା । ମୋର ମନ ପୁରା ସଂଧ୍ୟାଟା ଗଙ୍ଗାଘଟରେ ବସିବି । ଗଙ୍ଗା ଆରତୀ ଦେଖିବି । ଅଜୟ କହିଲେ ଏବେ ତ ରେଷ୍ଟ ନିଅ । ଦୁହିଁଙ୍କର ଆଖି କେତେବେଳେ ଲାଗି ଯାଇଛି ଜଣା ନାହିଁ । ୪ଟାରେ ରୁମ୍ ବେଲ୍ ବାଜିଲା । ଅଜୟ କବାଟ ଖୋଲି ଦେଖିଲେ ବୟ ଚା ନେଇ ଆସିଛି । ଯେହେତୁ ଅସୀମା ଶୋଇଥିଲା ବୟ ହାତରୁ ଟ୍ରେଟି ନେଇ ଗଲେ । ବୟ କହିଲା ଆପଣ ଚା ପିଇ ଶିଘ୍ର ବାହାରି ପଡନ୍ତୁ ଦିନାରାମ ଆସିଯିବ । ଜଲଦି ଗଲେ ଭଲରେ ବାବାଙ୍କ ଦର୍ଶନ କରିପାରିବେ । ନହେଲେ ଭିଡ଼ ହେଇଯିବ । ଅଜୟ ହଁ ଭରିଲେ । ଅସୀମାଙ୍କୁ ଉଠେଇ ଚା ପିଇଲେ । ଆଉ ଫଟାଫଟ୍ ଦୁହେଁ ବାହାରି ପଡିଲେ । ଦିନାରାମ ସେମାନଙ୍କୁ ନେଇ ମନ୍ଦିର ଅଭିମୁଖେ ଚାଲିଲା ।
ମନ୍ଦିର ପାଖରେ ପହଞ୍ଚି ସେଇ ସରୁ ଗଳି ଦେଇ ଦର୍ଶନ ପାଇଁ ଚାଲିଲେ । ଦୁଇପଟେ ସେମିତି ଦୋକାନ ଧାଡ଼ି ଧାଡ଼ି ଲମ୍ବି ଥାଏ । ବେଶୀ ଗହଳିନଥାଏ । କିଛି ଭୋଗ ସାମଗ୍ରୀ ନେଇ ଦୁହେଁ ଆଗକୁ ବଢ଼ିଲେ । ମନ୍ଦିର ଭିତରେ ପଶି ଭୋଗ ସାମଗ୍ରୀ ନନାଙ୍କୁ ବଢେଇ ଦୁହେଁ ହାତ ଯୋଡ଼ି ଠିଆ ହେଲେ । ହଠାତ୍ ଅସୀମାର ଆଖି ପଡ଼ିଲା ସାମ୍ନାରେ ଗେରୁଆ ବସ୍ତ୍ର ପିନ୍ଧି ଠିଆ ହେଇଥିବା ସନ୍ନ୍ୟାସୀଙ୍କ ଉପରେ । ଅଳ୍ପ ଅଳ୍ପ ଦାଢି ଆଉ ଅଳ୍ପ ଲମ୍ବା ବାଳ । ମୁଖମଣ୍ଡଳ ଗୌରବର୍ଣ୍ଣ ଆଉ ବେଶ୍ ଉଜ୍ଜ୍ୱଳ । ଚେହେରାଟି ମନେ ହେଲା ବେଶ୍ ଚିହ୍ନା ଚିହ୍ନା । ହେଲେ ମନେ ପକେଇ ପାରୁନଥାଏ । ମନରେ ଦ୍ୱନ୍ଦ ବି ଏଇଟା ତା'ର ଭ୍ରମ ହେଇଥାଏ ପାରେ । ନ ହେଲେ ଏଠି ! ପୁଣି ଜଣେ ସନ୍ନ୍ୟାସୀ ତା'ର ଚିହ୍ନା କେମିତି ହେଇ ପାରିବେ ? ହଠାତ୍ ସନ୍ନ୍ୟାସୀଙ୍କ ଆଖି ତା ଉପରେ ପଡ଼ିଲା । ସେ ବି ଟିକେ ପ୍ରକୃତିସ୍ଥ ହେଲା ପରି ଅସୀମାକୁ ଲାଗିଲା । ଭିଡ଼ ଧୀରେଧୀରେ ବଢ଼ିବାରେ ଲାଗିଥାଏ । ଅଜୟ ଅସୀମାର ହାତଧରି ବାହାରକୁ ଚାଲି ଆସିଲେ ।
କିଛି ସମୟ ପରେ ସେମାନେ ଗଙ୍ଗାଘାଟରେ ପହଞ୍ଚିଲେ । କେତୋଟି ପାହାଚ ଓହ୍ଲେଇ ସେମାନେ ଗୋଟିଏ ପାହାଚରେ ବସିଲେ । ଅସ୍ତାଚଳ ସୂର୍ଯ୍ୟଙ୍କର ବର୍ଣ୍ଣ ଖୁବ୍ ସୁନ୍ଦର । ଗଙ୍ଗାର କୁନି କୁନି ଢେ଼ଉରେ ସେଇ ଲାଲ୍ କିରଣ ପଡି ଚକ୍ ଚକ୍ କରୁଥାଏ ପାଣି । ପାଣି ପ୍ରତି ତା'ର ଆକର୍ଷଣ ପିଲା ଦିନୁ । ଆକାଶ ଲାଲ, ପାଣି ଲାଲ ସାରା ଜଗତ ଯେମିତି ଲାଲ ଚଦରରେ ଢାଙ୍କି ହେଇଯାଇଛି । ଗହଳି ଭିତରେ ପ୍ରତିଟି ଚରିତ୍ର ତାକୁ ଜଳଛବି ପରି ଲାଗୁଥାଆନ୍ତି । କିଛି ଲୋକ ନୌକା ବିହାର ବି କରୁଥାଆନ୍ତି । ସମସ୍ତଙ୍କ ନେପଥ୍ୟରେ ଏକ ଏକ ଅନାଲୋଚିତ କାହାଣୀ । କିଏ ସେଇ କାହାଣୀକାର ?? ନିଜ ନିଜ ସ୍ୱାତନ୍ତ୍ର୍ୟ ନେଇ ସମସ୍ତେ ଗତିଶୀଳ । ହେଲେ ସମସ୍ତେ ଯେପରି ଏକ ମାଳ ପରି ଗୋଟାଏ ବିରାଟ ଅଦୃଶ୍ୟ ସୂତାରେ ଗୁନ୍ଥା । ସମସ୍ତେ ତା'ର ବେଶ୍ ପରିଚିତ ମନେ ହେଉଥାନ୍ତି । ଆଉ କୋଉଠି ନା କୋଉଠି ସମସ୍ତଙ୍କୁ ଦେଖିଛି । ସବୁ ଚେହେରା ଚିହ୍ନା ଚିହ୍ନା । ଜାଣିପାରୁ ନ ଥାଏ ଏମିତି ତାକୁ କାହିଁକି ଲାଗୁଛି ??
ଅଜୟ ତାକୁ ହଲେଇ ଦେଇ କହିଲେ, ମୁଁ ଟିକେ ପାଣି ପାଖକୁ ଯାଉଛି । ତୁମେ ଯିବ କି ??
ସେ ମୁଣ୍ଡ ହଲେଇ ମନା କଲା । କହିଲା ମୁଁ ଏଇଠି ବସିଛି । ତୁମେ ଯାଅ । ସମୟ ଯେମିତି ସ୍ଥିର ହେଇଯାଇଛି ତା ପାଇଁ । ଧୀରେଧୀରେ ପାହାଚରେ ଓହ୍ଲେଉଥିବା ଅଜୟଙ୍କୁ ଅନେଇ ରହିଲା । କିଛି ସମୟ ପରେ ଅଜୟ ଆଉ ଦେଖାଗଲେ ନାହିଁ । ଚାରିଆଡକୁ ଆଖି ବୁଲେଇ ଦେଖିଲା । ହଠାତ୍ ଚମକି ପଡ଼ିଲା । ସେଇ ସନ୍ନ୍ୟାସୀ ଆସି କିଛି ଦୂରରେ ବସିଛନ୍ତି । ଗଙ୍ଗା ଆଡେ ଦୃଷ୍ଟି ନିବଦ୍ଧ । ମନେ ମନେ ଭାବିଲା ସେ ଆଉ ତାର ପିଛା କରୁ ନାହାନ୍ତି ତ ?? ଜୋରରେ ହସ ମାଡିଲା, ସେ ଆଉ ସେଇ ବୟସରେ ନାହିଁ କି ତାକୁ କେହି ପିଛା କରିବେ । ବହୁତ ଇଚ୍ଛା ହେଲା ସେ ଯାଇ ସେଇ ସନ୍ନ୍ୟାସୀଙ୍କ ସହ କଥା ହେବ । ହେଲେ ସାହସ କରି ପାରୁନଥାଏ । ଠିକ୍ ସେଇ ସମୟରେ କେହି ଗୋଟେ ପିଲା ହର ହର ଗଙ୍ଗେ ବହୁତ ବଡ଼ ପାଟିରେ କହି କହି ତା ପାଖ ଦେଇ ଦଉଡ଼ି ଗଲା । ସନ୍ନ୍ୟାସୀ ମୁହଁ ବୁଲେଇ ଏଇଆଡେ ଅନେଇଲେ । ତାଙ୍କ ଦୃଷ୍ଟି ଅସୀମା ଉପରେ ପଡ଼ିଲା । ସେ ପୁଣି ଥରେ ପ୍ରକୃତିସ୍ଥ ହେଲା ପରି ଲାଗିଲେ ଯେମିତି ମନ୍ଦିରରେ ହେଇଥିଲେ । ଏଥର କିନ୍ତୁ ତାଙ୍କ ଦୃଷ୍ଟି ସ୍ଥିର ଥିଲା ଅସୀମା ଉପରେ । ସାମାନ୍ୟ ସଙ୍କୁଚିତ ହେଲା ଅସୀମା । ଚାହାଣୀ ବେଶ୍ ପରିଚିତ, ହେଲେ ମନେ ପକେଇ ପାରୁନଥାଏ । ସନ୍ନ୍ୟାସୀ ଏଥର ଉଠି ଧୀରେଧୀରେ ତା ଆଡକୁ ଆଗେଇଲେ । ତା ମାନେ କ'ଣ ସେ ବି ମୋତେ ଚିହ୍ନିଛନ୍ତି ????
କିଛି ଦୂରରେ ବସି ବହୁତ ଧୀରେ ପଚାରିଲେ ତୁମେ ଅସୀମା ନା ???
ଓଃ ଦିଗନ୍ତ ! ଏଥର ସ୍ୱରରୁ ଠିକ୍ ବାରି ପାରିଲା ଅସୀମା । ଆଶ୍ଚର୍ଯ୍ୟ ତୁମର ୟେ କି ବେଶ ??? ସେଇଥି ପାଇଁ ମୁଁ ଦୋ ଦୋ ଚିହ୍ନା ହେଉଥିଲି । ହଠାତ୍ ସଂସାର ପ୍ରତି ୟେତେ ବିତୃଷ୍ଣା କାହିଁକି ???
ଭୂଲ କହିଲ । ସଂସାରକୁ ଭଲ ପାଇବାର ଏକ ସ୍ୱତନ୍ତ୍ର ମାର୍ଗ ।
ସଂସାରକୁ ପରିତ୍ୟାଗ କରି ତାକୁ ଭଲ ବି ପାଆଯାଇ ପାରେ ?? ନିଶ୍ଚିତ ଭାବରେ ସ୍ୱତନ୍ତ୍ର । ହେଲେ କେବେଠାରୁ ୟେ ମାର୍ଗରେ ଚାଲିବାର ନିର୍ଣ୍ଣୟ ନେଲ ??? ମଉସା ମାଉସୀ ଅନୁମତି ଦେଲେ ବା କେମିତି ???
ତୁମର ମନେଅଛି ??? ଫାଇନାଲ ପରୀକ୍ଷା ସମୟରେ ତୁମେ ମୋତେ ଫିଜିକ୍ସ ନୋଟ ମାଗିଥିଲ । ପର ଦିନ ଆଣି ଦେବି କହିଥିଲି । ହେଲେ ତାପର ଦିନ ତୁମେ କହିଲ ସଂଯୁକ୍ତା ତା ନୋଟଟା ଦେଇ ଦେଇଛି ଆଉ ଦରକାର ନାହିଁ । ତୁମେ ଯଦି ସେଇ ଦିନ ମୋ ନୋଟଟି ନେଇ ଥାଆନ୍ତ ତେବେ ହୁଏତ କାହାଣୀର ଗତିପଥ କିଛି ଅଲଗା ହେଇଥାନ୍ତା । ଶେଷ ପର୍ଯ୍ୟନ୍ତ ସୁଯୋଗ ବି ଆସିଲାନି । ସବୁ କିଛି ହରେଇବା ଦୁଃଖରେ ବହୁତ ଦିନ ହତାଶାରେ ଏଣେତେଣେ ବୁଲିଲି । ତା'ପରେ ପଣ୍ଡିଚେରୀ ଚାଲିଗଲି । ଅନେକ ବହି ପଢିଲି । ଅନେକ ବିଜ୍ଞଲୋକଙ୍କ ସଂସ୍ପର୍ଶରେ ଆସିଲି । ସେଇଠାରେ ହିଁ ମୁଁ ପାଲଟିଗଲି ବିଶ୍ଵ ପ୍ରେମିକ । କ୍ଷୁଦ୍ର ଖୋଳପା ଟି ଭାଙ୍ଗି ଚୁରମାର୍ ହେଇଗଲା । ପାଇଲି ଏକ ଦିବ୍ୟ ଜୀବନ । ଆଉ ରହିଲା ବାପା ମା'ଙ୍କ କଥା ସେମାନେ ଦୁଃଖ କରି ନାହାନ୍ତି କହିବି ନାହିଁ । ହେଲେ ମୋ ଇଚ୍ଛାକୁ ସେମାନେ ସ୍ୱୀକାର କରି ନେଇଛନ୍ତି । ଏଇ ଶେଷ ସାକ୍ଷାତକାରଟା ନିହାତି ଜରୁରୀ ଥିଲା । ତୁମକୁ ମୋର ଅଶେଷ କୃତଜ୍ଞତା ଜଣାଇବା ପାଇଁ । ତୁମେ ହିଁ ତ ଏକମାତ୍ର କାରଣ ଥିଲ ମୋର ବିଶ୍ୱ ପ୍ରେମିକ ବନିବାର.......ଆଉ ରୂପାନ୍ତରଣର ଦିଗନ୍ତରୁ ଦିବ୍ୟାନନ୍ଦ ସ୍ୱାମୀକୁ । ଓଠରେ ଫୁଟି ଉଠିଲା ଏକ ଦିବ୍ୟ ହସ ।
ଅସୀମା ବଡ଼ ବଡ଼ ଆଖିରେ କେବଳ ଚାହିଁ ରହିଥାଏ ଅନର୍ଗଳ କହି ଚାଲିଥିବା ଦିଗନ୍ତକୁ । ଯେତେବେଳେ ତା'ର ଦୃଷ୍ଟି ପଡ଼ିଲା ନିରବିଚ୍ଛିନ୍ନ ଭାବେ ବହି ଚାଲିଥିବା ଗଙ୍ଗା ନଦୀ ଆଡେ ଦେଖିଲା ଅଜୟ ଓଦା ସଡସଡ ହୋଇ ହସି ହସି ପାହାଚ ପରେ ପାହାଚ ଚଢ଼ି ଆଗେଇ ଆସୁଛନ୍ତି ତାରି ଆଡ଼କୁ । ପୂଣ୍ୟତୋୟାରେ ସଦ୍ୟ ଅବଗାହନ ପରେ । ଅସୀମାକୁ ଲାଗୁଥାଏ ସେ ନିଜେ ଯେମିତି ଗୋଟିଏ ପାହାଚ କାହାର ନା କାହାର ଜୀବନର ଗତିପଥ ନିର୍ଦ୍ଧାରଣର.......... ।
