Aravinda Das

Others

3  

Aravinda Das

Others

ଭୋଟର ହିସାବ କିତାଵ

ଭୋଟର ହିସାବ କିତାଵ

3 mins
600



କାମବାଲୀ ମିନା କୁ ଡେରିରେ ଆସିବାର ଦେଖି ସୁରଭି ବିରକ୍ତ ହୋଇ କହିଲେ,ଭୋଟ ତ ସରିଲା,ରାଲି ଫାଲି ତ ନାହିଁ,ପୁଣି ଡେରି କାହିଁକି କରୁଛୁ ?


- ଆଜି ଆମ ବସ୍ତିରେ ମିଟିଙ୍ଗ ଥିଲା ମା।ଯେଉଁ ଦଳ ଜିତିବ, କଣ କଣ କାମ କରିବାକୁ କହିଥିଲେ ସେସବୁ କେବେ କରିବ ସେଥିପାଇଁ ଏକାଠି କଥାବାର୍ତ୍ତା ଚାଲିଥିଲା।

- ହଉ ଯା, ଅଦା ପକେଇ ଟିକେ ଚା ବନାଇ ଆଣିଲୁ।ମୋ ମୁଣ୍ଡ ବିନ୍ଧୁଛି।

ପାଖରେ ବସିଥିବା ଅବନୀ ବାବୁ ସ୍ତ୍ରୀଙ୍କୁ କହିଲେ,ସେଇ ପୁରୁଣା ଟିଭିଟା ମିନାକୁ ଦେଇ ଦେଉନ ?

- ଦୁଇତିନି ଥର ମୋତେ ଟିଭି କଥା କହିଛି।ଏଗୁଡାଙ୍କ ଲୋଭ ତ ସବୁଥିରେ।ଦେଖୁନ ଏଇ ଖରାରେ ବି ଟଙ୍କା ପାଇଵ ବୋଲି ସବୁଦିନ ରାଲିରେ ପଳାଉଥିଲା।


ମିନା ଚା ନେଇ ଆସିଲା ବେଳେ, ସୁରଭି ମୋବାଇଲରେ କିଛି ଫଟ ଦେଖୁ ଦେଖୁ ହସି ହସି ସ୍ବାମୀଙ୍କୁ କହିଲେ,ଦେଖ ଆମ ଗ୍ରୁପର ପ୍ରାୟ ସମସ୍ତେ ନିଜ ଭୋଟ ଦେଇଥିବା ଫଟକୁ ସୋସିଆଲ ମିଡିଆରେ ଅପଲୋଡ଼ କରିଛନ୍ତି।

ମିନା ଫଟ ଗୁଡାକ ଦେଖି କହିଲା, ମା, ଏମାନଙ୍କୁ କଣ ନୂଆ ଭୋଟର କାର୍ଡ ମିଳିଛି ନା ଏମାନେ ପ୍ରଥମ ଥର ଭୋଟ ଦେଇଛନ୍ତି ବୋଲି ଆଙ୍ଗୁଠି ଦେଖାଇ ଏମିତି ଖୁସିରେ ଫଟ ଉଠେଇଛନ୍ତି ?କିନ୍ତୁ ସମସ୍ତଙ୍କ ବୟସ ତ ଅଧିକ ପରି ଦିଶୁଛି।


- ପାଟି ଚୁପ୍ କର।ଭାରି ଜାଣିଲା ବାଲା ତୁ ?ନିଜ ଅଧିକାର ସାବ୍ୟସ୍ତ କରି ସମସ୍ତଙ୍କୁ ଜଣାଉଛନ୍ତି କି ଆମେ ବି ଭୋଟ ଦେଇଛୁ।ଗଣତନ୍ତ୍ର ରେ ଆମ ବିଶ୍ବାସ ।

ସୁରଭିଙ୍କ କଥା ଶୁଣି ମିନା ହସିଦେଇ ପୁଣି କହିଲା,ମା,ତମେ ବି ଇଲେକ୍ସନରେ ଭାଷଣ ଶୁଣି ଶୁଣି ନେତା ଭଳି କଥା କହୁଛ। ଅବନୀ ବି ଆମୋଦିତ ହୋଇ ଦେଖୁଥିଲେ। ନିଜକୁ ସଜାଡି ନେଇ ସୁରଭି ପଚାରିଲେ-

ତୋର ଏଇ ଇଲେକ୍ସନରେ ଭଲ କମେଇ ହୋଇଥିବ। ଏଥର ଘର ପିଛା ତମ ବସ୍ତିରେ କେତେ ଟଙ୍କା ମିଳିଲା ?

ଟିପୟ ଓ ଟେବୁଲ ପୋଛୁ ପୋଛୁ ମିନା କହିଲା,ତମକୁ ଆଉ ଲୁଚେଇବି କଣ ମା ?ସବୁ ଦଳ ପକ୍ଷରୁ ସର୍ବମୋଟ ମୁଣ୍ଡ ପିଛା ତିନି ହଜାର ହିସାବରେ ଆମ ଚାରି ଜଣଙ୍କ ପାଇଁ ବାର ହଜାର ମିଳିଲା।


- କେମିତି ଖର୍ଚ୍ଚ କରିବୁ ଏତେ ଟଙ୍କା ?

ଦୁଇ ନଣନ୍ଦଙ୍କ ପାଇଁ ସାବିତ୍ରୀ ପାଇଁ ହଜାରେ ଲେଖାଏଁ କରି ଦୁଇ ହଜାର ପଠେଇ ଦେଲି।ମୋ ବର ଦୁଇହଜାର ଟଙ୍କାରେ ଗୋଟେ ସେକେଣ୍ଡ ହ୍ୟାଣ୍ଡ ବଡ଼ ମୋବାଇଲ ଆଣିଛି।

-ଆଉ ବାକି ଆଠ ହଜାର  ?

-ତମେ ତ ନୂଆ ଟିଭି ଆଣି ପୁରୁଣା ଟିଭି ଦଵ ଦବ କହି ଦେଲନି।କାଲି ପରା, ରାଲି ଟଙ୍କା କିଛି ମିଶେଇ ଦଶ ହଜାର ଟଙ୍କା ଦେଇ କିସ୍ତିରେ ଗୋଟେ ୩୨ ଇଞ୍ଚ ବଡ଼ ରଙ୍ଗୀନ ଟିଭି ଆଣିଲି।ଡିସ ଆଣ୍ଟିନା ବି ପୁଅ ଲଗେଇଛି।ଭାରି ଖୁସି ଦିଶୁଥିଲା ମିନା ମୁହଁ।

-ଆରେ ବାଃ ? ଇଲେକ୍ସନ ରେ ତୁ ପୁରା ମାଲାମାଲ ହୋଇ ସବୁ ସପିଙ୍ଗ କରିଦେଲୁ ? ମୋତେ ଟିକେ ପଚାରିଲୁନି ?କାଲି ଆମର ବଡ଼ ଟିଭିଟା ଅଣା ହୋଇ ବେଡ଼ ରୁମରେ ଲଗା ହୋଇଛି।ତୋତେ ପୁରୁଣା ଟିଭିଟା ଦେଇଥାନ୍ତି ବୋଲି ଭାବୁଥିଲି।

ମିନା ବେଡ଼ ରୁମକୁଯାଇ ଟିଭି ଦେଖି ଆସି କହିଲା,ଏତେ ବଡ଼ ଟିଭି ?କେତେ ପଡ଼ିଲା ମା ?

ଯଦିଓ ଟିଭି ର ଦାମ ଚାଳିଶ ହଜାର ପଡ଼ିଥିଲା,ଟିକେ ଫୁଟାଣି ମାରିବାକୁ ଯାଇ ସୁରଭି କହିଲେ ଷାଠିଏ ହଜାର ପଡ଼ିଲା।


- ତମର ଏଇଟା ଭି.ଆ.ପି ଏରିଆ ବୋଲି ମୁଣ୍ଡ ପିଛା ସବୁ ଦଳ ପକ୍ଷରୁ ଦଶ ହଜାର ହିସାଵରେ ଚାଳିଶ ହଜାରେ ନିଶ୍ଚୟ ମିଳିଥିବ।ବାକି ହାତରୁ ଦେଇ,ଯାହାହେଉ ତମେ ବି ଟିଭି ନେଇଗଲ।

ରାଗିଯାଇ ସୁରଭି କହିଲେ, ତୋର ତ ଭାରି ମୁହଁ ହୋଇଗଲାଣି ?ନିଜ ସହ ଆମକୁ ତୁଳନା କରୁଛୁ ?ତମ ଭଳି ଆମେ ପତକା ଧରି ଟଙ୍କା ପାଇଁ ରାଲି କୁ ଯାଉନା କି ଦଳ ବାଲା ତମ ବସ୍ତି ଭଳି ଆମ ଏରିଆରେ ଟଙ୍କା ବାଣ୍ଟିବାକୁ ସାହାସ କରିବେନି।


ମିନାର ମୁହଁଟା ଶକ୍ତ ଓ ନିର୍ଭୀକ ଦିଶୁଥିଲା।ଚା କପ ଉଠାଇ ନେଉ ନେଉ କହିଲା,ଛୋଟ ମୁହଁ ବଡ଼ କଥା ମା; ଗରିବ ଲୋକ ବୋଲି ଆମେ ଖରା ବର୍ଷାରେ ଯେଉଁଠି କାମ କଲେ ଦୁଇପଇସା ମିଳିବ ସେଠିକି ଯାଉ।ନିର୍ବାଚନରେ କଣ ଖାଲି ଆମକୁ ପଇସା ମିଳୁଛି ?ତମ ଘର ମିଶାଇ ଚାରି ଘରେ ମୁଁ କାମ କରୁଛି।ମହାପାତ୍ର ବାବୁ କଣ୍ଟ୍ରାକ୍ଟର ବୋଲି ଏଥର ଇଲେକ୍ସନ ପୂର୍ବରୁ ସରକାରଙ୍କ ତରଫରୁ ଗୁଡ଼ାଏ କାମ ପାଇଥିଲେ ; ଦୁଇ ଦିନ ତଳେ ନୂଆ କାର କିଣିଛନ୍ତି।ସାହୁ ବାବୁ ସବୁ ଦଳକୁ  ପୋଷ୍ଟର,ପତକା ସପ୍ଲାଇ କରି,ରାଲି ବ୍ୟବସ୍ଥା କରି ମାଲେମାଲ।ପରିଜା ବାବୁ ସବୁ ଦଳ ପାଇଁ ଗୀତ ରେକର୍ଡିଂଗ ଓ ଫିଲ୍ମ ସୁଟିଙ୍ଗ କରି ଥୋଡାଏ କମାଇଛନ୍ତି ବୋଲି ଶୁଣିଲି।ଆଉ ଆମ ବାବୁଙ୍କ ଖବରକାଗଜରେ ତ ସବୁଦିନ ପ୍ରଧାନମନ୍ତ୍ରୀ,ମୁଖ୍ୟମନ୍ତ୍ରୀ, ବିରୋଧୀ ନେତାଙ୍କ ଫଟ ସହ କେତେ ବିଜ୍ଞାପନ ;ସେଇ ଦଳ ମାନେ ତ ଦେଉଛନ୍ତି ବୋଲି ଲକ୍ଷ ଲକ୍ଷ ଟଙ୍କା  ଆମ ବାବୁଙ୍କୁ ମିଳୁଛି ବୋଲି ସମସ୍ତେ କହୁଛନ୍ତି।


ଅବନୀ ଓ ସୁରଭି ଉଭୟେ ବୋକାଙ୍କ ଭଳି ନିଜ ଆଙ୍ଗୁଠିରେ ଲାଗିଥିବା ଭୋଟ କାଳିକୁ ଅନେଇ ରହି ବିଶ୍ବାସ କରିପାରୁନଥିଲେ ଯେ ମିନା ଏଭଳି ନିର୍ବାଚନୀ ହିସାବକିତାଵ କରିବ ବୋଲି ।

ବାହାର ଓଳାଇଲା ବେଳେ ଡ୍ରାଇଭର ଶଙ୍କର ପଚାରିଲା-କିଲୋ ,କଣ ହେଲା ? ମୁରୁକି ହସି ମିନା କହିଲା,ଡାହାଣୀ ଆଖିକୁ ନିଜ ଛୁଆ ଦିଶେନା ।



Rate this content
Log in