sushama Parija

Others

3  

sushama Parija

Others

ଭୋଟ୍ ଦାନ ମହା ପୁଣ୍ୟ

ଭୋଟ୍ ଦାନ ମହା ପୁଣ୍ୟ

5 mins
484


ଗୋଦାବରୀ ମାଆର ଭାରି ରାଗ ଏଇ କଳମପେଟା ଗାଁ ବାଲାଙ୍କ ଉପରେ ।  କେଡେ ସୁନ୍ଦର ନାଆଁ ଟିଏ ଦେଇଥିଲେ ତା’ ଗେରସ୍ତ ଭ୍ରମରବର । ତାଙ୍କ ପହିଲି ଝିଅଟିର ନାମ “ଗୋଦାବରୀ “ ବୋଲି। ହେଲେ ଏଇ ଅପାଠୁଆ , ଅସହଣୀ ଗାଆଁ ବାଲାଏ ଗୋଦାବରୀ ନାଆଁ ଟାକୁ ବିକୃତ କରି “ଗୋବରୀ” “ଗୋବରୀ “ବୋଲି ଡାକିଲେ ଝିଅକୁ ଆଉ ସେଇ ଡାକରେ ସିଏ ବି ଗୋଦାବରୀ ମାଆରୁ ଗୋବରୀ ମାଆ ହୋଇଗଲା ।


ସେତେବେଳେ ସିଏ ଆନ୍ଧ୍ରରେ କୋଉ ଗୋଟାଏ କାନତରାଟି ପାଖରେ କାମ କରୁଥିଲେ । ଛଅ ମାସ କି ବରଷକେ ଥରେ ଘରକୁ ଆସୁଥିଲେ,। “ ମଲ୍ଲୀ “ ବୋଲି ପରଦାରେ ପଦେ ଡାକି ଦେଲେ ବରଫ ତରଳିଲା ପରି ତରଳି ଯାଉଥିଲା ମଲ୍ଲୀ । ଗାଁରେ ରହି ଶାଶୁ ଶଶୁରଙ୍କ ପାଖରେ ଅଧାଭୋକ, ଅଧା ଉପାସରେ କଟେଇଥିବା ଦିନ ଗୁଡାକକୁଆଡେ ପାଶୋରି ହୋଇଯାଉଥିଲା ମଲ୍ଲୀର । ଭ୍ରମରବର ଯେଉଁ ଚାରି ଆଠଦିନ ଗାଆଁରେ ରହୁଥିଲେ । ସେତିକି ଦିନ ମଲ୍ଲୀ ନିଜକୁ ରାଣୀଟିଏ ବୋଲି ମଣୁଥିଲା । ଭ୍ରମର ସିଆଡୁ ଆଣିଥିବା ନୂଆଲୁଗା ପିନ୍ଧି , ସ୍ନୋ ,ପାଉଡର ଲଗାଇ ସବୁବେଳେ ସାଜିସୁଜି ହୋଇରହୁଥିଲା । ଭ୍ରମର ବି ଦଣ୍ଡ ହେଲେ ପାଖରୁ ଅନ୍ତର କରୁ ନଥିଲେ ତା’କୁ। ଖୁବ୍ ସ୍ନେହ ଆଦର କରୁଥିଲେ ହେଲେ ଅଭାବୀ ଘରେ ଭ୍ରମର ତ ଏକୁଟିଆ ରୋଜଗାରିଆ ପୁଅ ଥିଲା । ତେଣୁ ବାଧ୍ୟ ହୋଇ ତା’କୁ ଯିବାକୁ ପଡୁଥିଲା ପୁଣି ସେଇ ଆନ୍ଧ୍ର ମାଲିକ ପାଖରେ କାମ କରିବାକୁ । ଏମିତି କାମ କରିବା ଭିତରେ ଭ୍ରମର ଥରେ ସେଠି ବେମାର ପଡିଲା । ପରଦେଶରେ କିଏ ଅବା ଥିଲା ତା’ର ଦେଖାଶୁଣା କରିବା ଲାଗି । ସେଇଠି ସେମିତି ବେମାର ପଡି ଦିନେ ମରିଗଲା ସିଏ।ଗୋଡରେ ମାଆର ସଂସାର ଉଜୁଡିଗଲା। ପାଞ୍ଚ ବର୍ଷର ଝିଅ ଗୋବରୀ ଆଉ କତରାଲଗା ଶାଶୁ ଶଶୁରଙ୍କ ବୋଝ ଯୁବା ବୟସରେ ବିଧବା ହୋଇଥିବା ମଲ୍ଲୀର କାନ୍ଧରେ ପଡିଲା । ଡାହାଳକୁକୁର ଭଳି ଜିଭ ଲହ ଲହ କରି ଅନେକ ଆଗେଇ ଆସିଲେ ସାହାଯ୍ୟର ହାତ ବଢେଇ, କିନ୍ତୁ ଦାୟିତ୍ଵବୋଧ କେମିତି ଗୋଟାଏ ପାକଳ କରି ଦେଇଥିଲା ମଲ୍ଲୀର ଦୃଷ୍ଟିକୁ। ସାହାଯ୍ୟର ହାତ ବଢେଇଥିବା ଲୋକମାନଙ୍କର ଆଖିରେ ଥିବା ଶିକାରୀ ପ୍ରବୃତ୍ତିକୁ ଠିକ୍ ଚିହ୍ନି ପାରୁଥିଲା ସେ । ଖାସ୍ ସେଇଥିପାଇଁ ନିଜକୁ ରୁକ୍ଷ କରି ଦେଇଥିଲା ଭାଷା ଆଉ ଭାବରେ । ଘର ଦୁଆର ମୁହଁକୁ କେହି ଆସିଲେ ମଲ୍ଲୀ ଚିହିଁକି ଆସୁଥିଲା ଝାଡୁ ଧରି, ପାଟିରୁ ଅନବରତ ବାହାରି ଆସୁଥିଲା “ ଯୋଗିନୀଖିଆ, ବାଡିପଡା, କାହିଁକି ଆସିଛୁ ଏଠିକି, ମୋ’ଠି କି କାମ ଅଛି ତୋ’ର ?”


ପର ଘରେ ବାସନମାଜି, ଗୁହାଳ ଗୋବର କରି ଚାରି ଚାରିଟା ପେଟ ପୋଷିଲା ସିଏ । ଗାଁରେ କାହାର ଯୁ’ ନଥିଲା ଗୋବରୀ ମାଆର ଆଗକୁ ଯାଇ କଥାବାର୍ତ୍ତା କରିବାକୁ । ଶାଶୁ, ଶଶୁର ଗଲେ , ତାଙ୍କ କ୍ରିୟା କର୍ମ କଲା ଏକମାତ୍ର ଝିଅ ଗୋଦାବରୀକୁ ଭଲ ଘର ବର ଦେଖି ଉଠେଇ ଦେଲା । ଏମିତି ସଂସାର ଦାୟିତ୍ଵ ସାରିବା ଭିତରେ ଅକାଳରେ ବାର୍ଦ୍ଧକ୍ୟ ଗ୍ରାସ କରିସାରିଥିଲା ମଲ୍ଲୀକୁ। ନିଜ ନାଆଁ ଟି ମଧ୍ୟ ଅନେକ ଦିନରୁ ଭୁଲି ସାରିଥିଲା ସେ , ଗୋବରୀ ମାଆ ନାମରେ ପ୍ରସିଦ୍ଧ ଥିଲା କେଉଁକାଳରୁ।


ଏବେ ଭୋଟ ବେଳ ଆସିବାରୁ ଯେଉଁ ଦିନ ଇସ୍କୁଲ ର ଦିଦି ଆସି ଗାଆଁ ଯାକ ବୁଲି ବୁଲି ଭୋଟର ଲିଷ୍ଟ ଦେଖି ଲୋକମାନଙ୍କୁ ଚିହ୍ନଟ କଲା ବେଳକୁ “ ମଲ୍ଲୀ ସ୍ୱାଇଁ “ କିଏ ବୋଲି ଖୋଜି ଖୋଜି ନୟାନ୍ତ ହେଲେ  । ସେଇଦିନ ଅଶୀତିପର ବୟସର ଭଗି ତିଆଡିଏ ବସିଥିଲେ ଗାଆଁର ଭାଗବତ ଘର ପିଣ୍ଢାରେ । ସବୁଠାରୁ ବୟସ୍କ ଲୋକ ଦେଖି ଇସ୍କୁଲ ଦିଦି ତାଙ୍କୁ ପଚାରିଲେ “ ଆଜ୍ଞା! ଆପଣ ତ ଏଇ ଗାଁର ସବୁଠୁ ପୁରୁଣା ଲୋକ ଆପଣ କହି ପାରିବେ କି ମଲ୍ଲୀ ସ୍ୱାଇଁ ସ୍ୱାମୀ- ଭ୍ରମର ସ୍ୱାଇଁ କିଏ ବୋଲି?


ବହୁତ ସମୟ କାନ ମୁଣ୍ଡ କୁଣ୍ଡାଇ କୁଣ୍ଡାଇ ମନେ ପକେଇ କହିଲେ ତିଆଡି ମହାଶୟ “ ଆରେ ହେ ପଦନା ! ଆରେ ଆମ ଗାଁ ଏକେଣା ମୁଣ୍ଡରେ ଯେଉଁ ରାହାବାଳୀ ଟା ଅଛି ମ “ଗୋବରୀ ମାଆ” ।  ତା’ରି ନାଆଁ ପରା ମଲ୍ଲୀରେ  !  ମୁଁ ପରା ତା’ର ବାହାଘର କରେଇଥିଲି ଭମରା ସାଥିରେ । ଦିଦିଙ୍କ ପଛରେ ବୁଲୁଥିବା କୁଜିନେତା ଆଉ ତାଙ୍କ ଚାମଚାମାନେ ସେଇ ଦିନୁ ପଡିଗଲେ ଗୋବରୀମାଆ ପଛରେ। ଚିରକୁଟି ଖଣ୍ଡେ ଖଣ୍ଡେ ଧରି ଯିଏ ଯାହା ବେଳ ଉଣ୍ଡି ଗୋବରୀ ମାଆର ଦୁଆରମୁହଁକୁ ଧାଇଁଲେ ନିଜ ନିଜ ଦଳର ନେତାଙ୍କ ପାଇଁ ଭୋଟ ମାଗିବାକୁ । ଜୀବନରେ ଏତେଦିନ ଯାଏଁ ଗୋବରୀ ମାଆ କେବେ ବି ଭୋଟ୍ ଦେଇ ନଥିଲା । ସେଇଟା ଗୋଟାଏ ମହତ୍ କାମ ଏବଂ ତା’ରି ଭୋଟ୍ ବଳରେ ସରକାର ଗଢାହେବ । ରାଜ୍ୟର ସବୁ ଉନ୍ନତି ହେବ, ଦୁଃଖୀରଙ୍କି ଙ୍କ ଦୁଃଖ ଦୂର ହେବ ଇତ୍ୟାଦି ଇତ୍ୟାଦି ବିଭିନ୍ନ ମନଲୋଭା କଥା ସବୁ କହି କହି ଟୋକା ଟାକଳିଆ ନାତି ମାନେ ସବୁ ଗୋବରୀ ମାଆକୁ ଭୋଟର ମହିମା ବୁଝାଇବା ପରେ ଗୋବରୀ ମାଆର ମଧ୍ୟ ଖୁବ୍ ଇଚ୍ଛା ହେଉଥିଲା ଜୀବନର ଥରଟିଏ ହେଲେ ବି ଭୋଟ୍ ଦେଇ ନିଜର ମହତ୍ବପୂର୍ଣ୍ଣ ଦାୟିତ୍ଵଟି ପୂରଣ କରିବା ପାଇଁ । ସବୁ ଦଳର ନେତା ମାନେ ନିଜ ନିଜର ଦଳବଳ ଧରି ଆସି ତା’ ଘରେ ପହଞ୍ଚି ତା’କୁ ମୁଣ୍ଡିଆ ମାରି ପାଦ ଧୂଳି ନେଇ ତାଙ୍କୁ ଭୋଟ୍ ଦେବା ଲାଗି ଅନୁରୋଧ କରି ଯାଉଥାଆନ୍ତି । ଗୋବରୀମାଆର ମନ କୁଣ୍ଢେମୋଟ ହୋଇ ଯାଉଥାଏ । କେତେ ବଡ ବଡ ଲୋକ , ତା’ ଭଳିଆ ଜଣେ ଦରିଦ୍ର ବିଧବା ଘରେ ଆସି ତା’କୁ ଏତେ ସମ୍ମାନ ଦେଉଛନ୍ତି ପାଦ ଛୁଇଁ ପ୍ରଣାମ କରୁଛନ୍ତି ୟା ଠାରୁ ବଡ କଥା ଆଉ କ’ଣ ହୋଇପାରେ ତା’ ପାଇଁ ? ଗୋବରୀମାଆ କୃତ୍ୟକୃତ୍ୟ ହୋଇ ଯାଉଥାଏ । ଭୋଟ୍ ପୂର୍ବ ଦିନର ରାତି ।


ସେ ଦିନ ଆଉ ସଞ୍ଜ ବେଳ ଠାରୁ ଶୋଇ ପାରୁନଥାଏ ଗୋବରୀମାଆ । ଦଳକୁ ଦଳ ନେତାଙ୍କର ପାଖ ଲୋକମାନେ ଆସି ନିଜ ଦଳର ଚିହ୍ନ ଥିବା ଚିରକୁଟି ସବୁ ଦେଇ ବାରମ୍ବାର ଆସି ବୁଝେଇ କହି ଯାଉଥାଆନ୍ତି ତା’କୁ ନିଜ ଦଳକୁ ଭୋଟ୍ ଦେବାଲାଗି । କିଏ ଟର୍ଚ୍ଚ ଟିଏ ଦେଇ ଯାଉଥାଏ , ତ କିଏ ଛତାଟିଏ, କିଏ ଅବା ଲଣ୍ଠନ ଟିଏ, କି ଚା କେଟଲୀ ଟିଏ  ଦେଇ ଯାଉଥାଏ। ସମସ୍ତେ କହୁଥାନ୍ତି ଗୋବରୀମାଆ ! ମନେରଖିଥିବୁ, ଏଇ ଆମର ଚିହ୍ନ, ଏଇଥିରେ ଭୋଟ୍ ଦେବୁ ଟି ଭଲକରି ମନେରଖିଥିବୁ । ରାତି ଅଧ ପରେ ଆସିଲେ ଆହୁରି ଦଳେ , ଚଟପଟ କରି ଗୋବରୀ ମାଆର ହାତରେ ଖଡଖଡିଆ ନାଲି ନେଳି ନୋଟ୍ ମାନ ଗୁଞ୍ଜି ଦେଇ ମାଉସୀ ତୋ ଜ୍ୱାଇଁ ରାଣ, ଆମ ଚିହ୍ନରେ ଭୋଟ୍ ଦେବୁ କହି , ତରବର ହୋଇ ବାହାରି ଗଲେ । କ’ଣ କରିବ , କ’ଣ କରିବ ବୋଲି ଗୋବରୀମାଆକୁ ଆଉ ରାତିରେ ନିଦ ହେଲାନି ।


ପାହାନ୍ତା ପହରୁ ଆଖି ଲାଗିଗଲା ଯେ ଉଠିଲା ବେଳକୁ ଦିନ ଆଠ ଟା । ତରତର ହୋଇ ନିତ୍ୟକର୍ମ ସାରି ଚାହା ଟୋପାଏ ପିଇ ଦେଇ ସଫା ଲୁଗାଟିଏ ପିନ୍ଧି ଗୋବରୀମାଆ ବାହାରିଲା ଭୋଟ୍ କେନ୍ଦ୍ରକୁ। ଗାଁ ପ୍ରାଇମେରି ସ୍କୁଲରେ ଭୋଟ୍ କେନ୍ଦ୍ର । ଲମ୍ବା ଲାଇନ୍ ଲାଗିଛି ଭୋଟ ଦେବାକୁ ଥିବା ଲୋକମାନଙ୍କର। ଗୋବରୀମାଆ ଲାଇନରେ ଠିଆ ହେଲା। ତା’ର ପାଳି ଆସିଲା ବେଳକୁ ସେଠାରେ ଥିବା ଦିଦି ଜଣକ ତା’କୁ କ’ଣ କେମିତି କରିବାକୁ ହେବ ବୁଝାଇ ଦେଲେ । ଜଣେ ବାବୁ ବାମହାତ ବିଶି ଆଙ୍ଗୁଠିରେ କାଳି ଲଗାଇ ଦେଲେ।ଆଉ ଜଣେ କାଗଜରେ ତା’ର ଟିପ ଚିହ୍ନ ନେଇ ତା’କୁ ଆଉ ଗୋଟିଏ ବଖରାରେ ଛାଡିଦେଲେ। ସେଠାରେ ଗୋଟାଏ କଣରେ କପଡା ଘେର ଦିଆ ଯାଇ ଆଢୁଆଳ କରା ଯାଇଥିଲା । ସେଇଠି ଯାଇ ଭୋଟ୍ ଦିଅ ବୋଲି ସେଠାରେ ଥିବା ବାବୁ ଜଣକ କହିଲେ । ଗୋବରୀମାଆକୁ ସବୁ ନୂଆ ନୂଆ ଲାଗୁଥାଏ। ସେ ଦେଖିଲା ଦୁଇଟି ମେସିନ୍ ଥୁଆହୋଇଛି ସେଇ ଆଢୁଆଳ ହୋଇଥିବା ଜାଗାରେ । ମେସିନର ଗୋଟିଏ ପଟରେ ଗତକାଲି ଟୋକାଦଳ ଦେଇଥିବା ଚିହ୍ନ ସବୁ ଅଛି । ମନ ଖୁସି ହୋଇଗଲା ଗୋବରୀମାଆର। ଯାହାହେଉ ଭଲ ହୋଇଛି ସମସ୍ତଙ୍କ ଚିହ୍ନର ଛବି ଅଙ୍କା ହୋଇରହିଛି ମେସିନରେ , ନହେଲେ ସେ ବୁଢୀମଣିଷଟା କେତେ କ’ଣ ମନେରଖିଥାଆନ୍ତା? ସମସ୍ତେ ପୁଣି ତା’ ଜ୍ୱାଇଁ ରାଣ ପକାଇଛନ୍ତି । ଗୋଟିଏ ବୋଲି ଝିଅ ତା’ର ଅକସ୍ମାତ୍ ଯଦି କାହାର ଚିହ୍ନ ଭୁଲି ଯାଇ ଥାଆନ୍ତା ତେବେ କ’ଣ ହୋଇଥାଆନ୍ତାଟି ! ପ୍ରଭୁ ତା’କୁ ଧର୍ମଦ୍ରୋହୀ ହେବାରୁ ବଞ୍ଚାଇ ଦେଲେ। ସେ ଦୁଇ ହାତ ଯୋଡି ମୁଣ୍ଡରେ ମାରି ଗୋଟିଏ ଗୋଟିଏ କରି ସବୁଯାକ ଚିହ୍ନରେ ଆଙ୍ଗୁଠି ଦବେଇ ଦେଇ ବାହାରି ଆସିଲା ଝାଳନାଳ ହୋଇ। ବାହାରେ ଆସି ପ୍ରଭୁ ଙ୍କୁ ଆଉଥରେ ଦୁଇ ହାତ ଯୋଡି ମୁଣ୍ଡରେ ଲଗାଇ ପ୍ରଣାମ ଜଣାଇ ସନ୍ତୋଷ ମନରେ ଭୋଟ୍ କେନ୍ଦ୍ର ରୁ ବାହାରି ଘର ଆଡକୁ ମୁହାଁଇଲା ।।

 

 

 



Rate this content
Log in