Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Narendra Prasad Behera

Children Stories Classics


3  

Narendra Prasad Behera

Children Stories Classics


ଭାଗବତ କଥା

ଭାଗବତ କଥା

5 mins 495 5 mins 495

*ଭାଗବତ କଥା --୩୮*


*ଭଗବାନ ଶ୍ରୀକୃଷ୍ଣଙ୍କର ରାସଲୀଳା ହେଉଛି କାହାର ଏକ ବିଶେଷ ଅଂଶ ?*


 ଭଗବାନ ଶ୍ରୀକୃଷ୍ଣଙ୍କର ରାସଲୀଳା ହେଉଛି ଶ୍ରୀମଦଭାଗବତର ଏକ ଅଂଶ ବିଶେଷ । ଈଶ୍ବରୀୟ ପ୍ରେମର ଅତି ଉଚ୍ଚସ୍ତରର ଏକ ରୂପକ ହେଉଛି ରାସଲୀଳା ଯାହାକି ପାଞ୍ଚଟି ଅଧ୍ଯାୟରେ ବିଭକ୍ତ । ଯମୁନା କୂଳରେ ଗୋପାଙ୍ଗନାମାନଙ୍କ ସହିତ ଶ୍ରୀକୃଷ୍ଣଙ୍କର ନୃତ୍ୟ ଏବଂ କ୍ରୀଡା କୌତୁକ ଏଥିରେ ଅତି ସୁନ୍ଦର ଭାବରେ ବର୍ଣ୍ଣିତ ହୋଇଛି । କୌଣସି ଅପବିତ୍ର ଭାବ ଏହି ଲୀଳା ମଧ୍ଯରେ ସ୍ଥାନ ପାଇ ନ ପାରେ । କାରଣ ଏହା ଥିଲା କାମଗନ୍ଧହୀନ ଅତି ପବିତ୍ର ପ୍ରେମ,ଅତୀନ୍ଦ୍ରିୟ ଗୋପୀ ପ୍ରେମ । ତରୁଣ ତପସ୍ବୀ ଶ୍ରୀଶୁକଦେବ ଈଶ୍ବରୀୟ ପରାପ୍ରେମର ଏହି ଆଖ୍ଯାନ ବର୍ଣ୍ଣନା କରୁଛନ୍ତି ଏବଂ ମୃତ୍ୟୁ-ପଥର ଯିତ୍ରୀ ରାଜା ପରୀକ୍ଷିତ ଏହି ଅମୃତମୟ ବାଣୀ ଶ୍ରବଣ କରୁଛନ୍ତି । ଶ୍ରୀଶୁକଦେବ କହିଲେ-ଶ୍ରୀକୃଷ୍ଣ ଯେ ସ୍ବୟଂ ଭଗବାନ ଏବଂ ତାଙ୍କର ଅଲୌକିକ ଶକ୍ତି ରହିଛି,ତାହା ତାଙ୍କର ବାଲ୍ଯକାଳରୁ ହିଁ ସମସ୍ତେ ଜାଣିପାରିଥିଲେ,କିନ୍ତୁ ମା' ଯଶୋଦା ଏହା ଜାଣି ସୁଦ୍ଧା ଜାଣି ପାରୁ ନ ଥିଲେ । ଶ୍ରୀକୃଷ୍ଣ ବୟସରେ ପିଲା ଥିଲେ ମଧ୍ଯ ଗୋପାଙ୍ଗନାମାନଙ୍କ ଆଖିକୁ ଦେଖାଯାଉଥିଲେ ସମସ୍ତ ସୌନ୍ଦର୍ଯ୍ୟରେ ଭରି ଜଣେ ନବ କିଶୋର । ତାଙ୍କର ଶ୍ଯାମଘନ ମୂର୍ତ୍ତି, ଶିରରେ ମୟୂର ପୁଚ୍ଛ,ଚନ୍ଦନ ଚର୍ଚ୍ଚିତ ମୁଖମଣ୍ଡଳ,କର୍ଣ୍ଣରେ କୁଣ୍ଡଳ,ଗଳାରେ ମଣିମାଳ,ହାତରେ ମୂରଲୀ, ଶରୀରରେ ପୀତ ବସନ,କଟିରେ ମେଖଳା ଏବଂ ସର୍ବୋପରି ତାଙ୍କର ତ୍ରିରଙ୍ଗା ଠାଣି ଏବଂ ପାଦରେ ନୂପୁରର ରୁଣୁଝୁଣୁ ଝଙ୍କାର ଓ ନୟନରେ ବାଙ୍କ ଚାହାଣୀ ସହ ମୃଦୁ ହାସ୍ଯଛଟା ଗୋପାଙ୍ଗନାମାନଙ୍କ ଚିତ୍ତକୁ ହରଣ କରି ନେଇଥିଲା । ସେମାନେ କୃଷ୍ଣଙ୍କୁ ପରମ ପତିରୂପେ ପାଇବା ପାଇଁ ମାସ ସାରା କାତ୍ଯାୟନୀ ବ୍ରତ ପାଳନ କରିଥିଲେ । ଆଜି ସେମାନଙ୍କର ଵାସନା ପୂର୍ଣ୍ଣ ହେବ । ଆଜି ହେଉଛି ରାସ ପୂର୍ଣ୍ଣିମା । ମନମୋହନଙ୍କର ମୋହିନୀ ଶକ୍ତି ସେମାନଙ୍କୁ ଟାଣି ଆଣିଛି ରାସଲୀଳା ପାଇଁ । 

   ଯମୁନା ନଦୀ କୂଳରେ କଦମ୍ବ ବନ ଆଜି ଅପରୂପ ଶୋଭା ଧାରଣ କରିଛି । ମେଘମୁକ୍ତ ନିର୍ମଳ ଆକାଶରେ ଚନ୍ଦ୍ର ଶୋଭା ପାଉଛନ୍ତି । କଦମ୍ବ ଫୁଲର ମହକରେ ଚତୁର୍ଦ୍ଦିଗ ବିଚ୍ଛୁରିମ । ଏହି ସମୟରେ ଭାସି ଆସିଲା ଶ୍ରୀକୃଷ୍ଣଙ୍କର ମନମୁଗ୍ଧକର ବଂଶୀର ଧ୍ବନି । ଏହା କର୍ଣ୍ଣରେ ପ୍ରବେଶ କରିବା ମାତ୍ରେ ଗୋପବାଳାମାନେ କଣ ଆଉ ଘରେ ରହିପାରନ୍ତି ? ସେମାନଙ୍କ ମନରେ ଘୋର ଉନ୍ମାଦନା । ସେମାନେ ଘରଦ୍ବାର,ସଂସାରର ଜଞ୍ଜାଳ, ପତିପୁତ୍ର ସବୁକିଛି ଛାଡିଦେଇ ଧାଇଁଲେ ଯମୁନା କୂଳକୁ,କଦମ୍ବ ବନକୁ,ଯେଉଁଠାରୁ ବଂଶୀର ସ୍ବନ ଭାସି ଆସୁଥିଲା । ସେମାନଙ୍କୁ ଦେଖି ଶ୍ରୀକୃଷ୍ଣ ମନ୍ଦ ମନ୍ଦ ହସି କହିଲେ, ଆଗୋ,ତୁମେ ସବୁ ଏ ଅସମୟରେ ଏଠାକୂ ଧାଇଁ ଆସିଲ କାହିଁକି ? ତୁମେ ସବୁ ଅବଳି । ଏଠାରେ ହିଂସ୍ର ପ୍ରାଣୀ ଥାଇ ପରନ୍ତି । ତୁମେ ସଵୁ ଏଠାରେ ରହିବା ଉଚିତ ନୁହେଁ । ହଉ ଠିକ୍ ଅଛି । ଯଦି ବନର ଶୋଭା ଦେଖିବା ପାଇଁ ଆସିଥାଅ,ତାହା ତ ଦେଖିଲ । ଏଥର ନିଜ ନିଜ ଘରକୂ ଫେରିଯାଅ । ଗୃହ କର୍ମ ହେଉଛି ସ୍ତ୍ରୀଲୋକମାନଙ୍କର ଧର୍ମ । ଆଉ ଏଠାରେ ନ ରହି ତୁମେ ଫେରିଯାଅ । 

  ଗୋବିନ୍ଦ ମୁଖରୁ ଏପରି କଠୋର ବାକ୍ଯ ଶୁଣି ଗୋପାଙ୍ଗନାମାନେ ଘୋର ମର୍ମାହତ ହେଲେ । ସେମାନେ କହିଲେ ,ତୁମେ ଏଡ଼େ ନିଷ୍ଠୁର ? ଆମେ ଏଠାକୁ ଧାଇଁ ଆସିଛୁ କଅଣ ଏହିସବୁ କଟୁକଥା ଶୁଣିବା ପାଇଁ ? ଆମେ ସମସ୍ତେ ଘର ସଂସାର ପତିପୁତ୍ରଙ୍କୁ ତ୍ଯାଗ କରିଦେଇ ଏଠାକୁ ଧାଇଁ ଆସିଛୁ ତୁମ ଶ୍ରୀଚରଣ ତଳେ ଆଶ୍ରୟ ନେବା ପାଇଁ, ତୁମରି ସାନ୍ନିଧ୍ୟ ଲାଭ କରିବା ପାଇଁ,ତୁମକୁ ଆନନ୍ଦ ଦେବା ପାଇଁ । ପ୍ରଭୁ,ତୁମର ଶ୍ରୀଚରଣ ଦର୍ଶନ କରିବାକୁ ସ୍ବୟଂ ଲକ୍ଷ୍ମୀଦେବୀ ମଧ୍ଯ ବ୍ଯାକୁଳ । ଆମେ ତ ସାମାନ୍ଯ ବ୍ରଜନାରୀ । ଆମକୁ ତ୍ଯାଗ କର ନାହିଁ ପ୍ରଭୁ । ହେ ଦୁଃଖୀଜନର ବନ୍ଧୁ,ହେ ନାଥ,ତୁମର କୋମଳ ହସ୍ତ ଆମ ମସ୍ତକରେ ରଖି ସ୍ପର୍ଶଦାନ କର ।ଆମର ଜନ୍ମଜନ୍ମାନ୍ତରର ଆଶା ଆଜି ପୂରଣ କର । ଗୋପାଙ୍ଗନାମାନଙ୍କର ଏ ପ୍ରକାର କରୁଣ -ମଧୁର ପ୍ରାର୍ଥନାରେ ପ୍ରୀତ ହୋଇ ଭଗବାନ ଶ୍ରୀକୃଷ୍ଣ ଯମୁନା ତଟରେ କଦମ୍ବ ବନରେ ସେମାନଙ୍କ ସହିତ ନୃତ୍ୟ କରିବାକୁ ଆରମ୍ଭ କଲେ । ଶ୍ରୀକୃଷ୍ଣ ଏକରୁ ଅନେକ ହୋଇଗଲେ । ଯେତେ ଗୋପୀ ସେତେ କୃଷ୍ଣ । ପ୍ରତ୍ଯେକ ଗୋପୀ ଦେଖୁଛନ୍ତି ତାଙ୍କ ନିକଟରେ ପ୍ରିୟତମ ଥାଇ ନୃତ୍ୟ କରୁଛନ୍ତି । କୃଷ୍ଣଙ୍କ ଠାରୁ ଆଦର ପାଇ ସେମାନେଙ୍କ ମନରେ ଅହଂଭାବ ଜାତ ହେଲା । ସେମାନେ ଭାବିବାକୁ ଲାଗିଲେ,ଆମେ ସାମାନ୍ୟ ନାରୀ ନୋହୁଁ । ପୃଥିବୀର ସ୍ତ୍ରୀଲୋକମାନଙ୍କ ମଧ୍ଯରେ ଆମେ ସର୍ବଶ୍ରେଷ୍ଠ । ସ୍ବୟଂ ଜଗତପତି ଆଜି ଆମ ସହିତ ନୃତ୍ୟ କରୁଛନ୍ତି । ଶ୍ରୀକୃଷ୍ଣ ଜାଣିପାରିଲେ ଗୋପାଙ୍ଗନାମାନଙ୍କର ଅହଂଭାବ । ସେମାନଙ୍କ ମନରେ ଏହି ଅହଂକାର ଜାତ ହୋଇଥିବାରୁ ସେ ତାହା ଦୂର କରିବା ଅଭିପ୍ରାୟରେ ହଠାତ୍ ଅଦୃଶ୍ୟ ହୋଇଗଲେ । 

  ଶ୍ରୀକୃଷ୍ଣ ଅଦୃଶ୍ୟ ହୋଇଯିବାରୁ ଗୋପାଙ୍ଗନାମାନେ ବ୍ଯାକୁଳ ହୋଇଉଠିଲେ । ସେମାନେ ପରସ୍ପର ମଧ୍ଯରେ କୁହାକୁହି ହେଲେ,ହେ ସଖୀ,ଆମ ପ୍ରିୟତମ କୁଆଡ଼େ ଗଲେ ? ସେମାନେ ଅସ୍ତବ୍ଯସ୍ତ ହୋଇ ଚାରିଆଡେ ଖୋଜିବାକୁ ଲାଗିଲେ । ବୃକ୍ଷଲତାମାନଙ୍କୁ ପଚାରିଲେ,ତୁମେ ଶ୍ରୀହରି ଦେଖିଛ ? ସେ କେଉଁ ପଥ ଦେଇ ଗଲେ ଆମକୁ କହିଦିଅ । ତାଙ୍କ ବିରହରେ ଆମ ହୃଦୟରେ ଅସହ୍ଯ ଯନ୍ତ୍ରଣା । ଆମେ ତାଙ୍କୁ ପାଖରେ ପାଇଥିଲୁ । ସେଥିଲାଗି ଆମ ମନରେ ବୋଧହୁଏ ଗର୍ବ ଓ ଅହଙ୍କାର ଜାତ ହୋଇଥିଲା । ତେଣୁ ଶ୍ରୀ ହରି ଆମକୁ ଶିକ୍ଷା ଦେବା ଲାଗି ଆମଠାରୁ ଅନ୍ତର ହୋଇଗଲା । ହେ ଗୋବିନ୍ଦ, ଆମ ଅପରାଧ ମାର୍ଜନା କର । ଆମକୁ ଦେଖାଦିଅ । ଆମକୁ ଦଖାଦିଅ ପ୍ରଭୁ । ବିରହ ଯନ୍ତ୍ରଣା ଆଉ ସହି ହେଉ ନାହିଁ । ଏହି ବିରହ କାଳରେ ସେମାନେ କୃଷ୍ଣଙ୍କର ଗୁଣ ସୁମରି ବିକଳ ହୋଇ ତାଙ୍କ କଥା କୁହାକୁହି ହେଲେ । ଶ୍ରୀକୃଷ୍ଣଙ୍କର ଅମୃତମୟ ବଚନ ସେମାନଙ୍କ କର୍ଣ୍ଣ କୁହରରେ ପ୍ରତିଧ୍ବନିତ ହେଲା । ସେସବୁ କଥା ମନେ ପକାଇ ସେମାନେ କହିଲେ ହେ ପ୍ରିୟ,ତୁମର ବଚନ କି ମଧୁର,ତାହା ଶ୍ରବଣ କଲେ ଜୀବନର ସବୁ ଦୁଃଖ ଦୂର ହୋଇଯାଏ । ଯେଉଁମାନେ ତୁମର ଅମୃତମୟ କଥା ଶୁଣନ୍ତି ଓ ଜଗତରେ ସମସ୍ତଙ୍କୁ ବିତରଣ କରନ୍ତି,ସେମାନେ ଏ ଜଗତର ଦାତାମାନଙ୍କ ମଧ୍ଯରେ ଶ୍ରେଷ୍ଠ ଦାତା । 

  ହେ କାନ୍ତ,ହେ ନାଥ,ତୁମେ ଖାଲି ପାଦରେ କଙ୍କର ଭୂମି ଉପରେ ଚାଲୁଥିବା ବେଳେ ତୁମର କୋମଳ ପାଦପଦ୍ମ ବେଦନା ଅନୁଭବ କରୁଥିବା ଜାଣି ଆମେ ତଦୃପ ବେଦନା ଅନୁଭବ କରୁଛୁ । ତୁମେ ଯେ ଆମର ପ୍ରାଣର ପ୍ରାଣ । ତୁମେ କୋମଳ ପାଦରେ କେଉଁଠି ବୁଲୁଛ ? ଶୀଘ୍ର ଆସି ଆମର ବିରହ ଜ୍ବାଳା ପ୍ରଶମିତ କର । ହେ ପ୍ରିୟ,ଏ ଜ୍ବାଳା ଆଉ ସହି ହେଉ ନାହିଁ । ତୁମର ମଧୁର ବଂଶୀ ଧ୍ବନି ଶୁଣି ଆମେ ଆମର ପତି ପୁତ୍ର,ଘର ଜଞ୍ଜାଳ, ଜ୍ଞାତି କୁଟୁମ୍ବ, ପରିବାର ସବୁକିଛି ଛାଡି ଦେଇ ଏଠାକୁ ଚାଲିଆସିଛୁ । ତୁମେ ଆଉ ନିର୍ଦ୍ଦୟ ହୁଅ ନାହିଁ । ଦେଖାଦିଅ, ପ୍ରଭୁ ଦେଖାଦିଅ । ଏହା କହି ଗୋପରମଣୀମାନେ ଉଚ୍ଚସ୍ବରରେ କ୍ରନ୍ଦନ କରିବାକୁ ଲାଗିଲେ । ଚତୁର୍ଦ୍ଦିଗରେ କ୍ରନ୍ଦନର ରୋଳ । ହେ କୃଷ୍ଣ ଦେଖାଦିଅ, ହେ ପ୍ରିୟତମ ଦେଖାଦିଅ । ପ୍ରଭୁ ଭକ୍ତର ହୃଦୟର ବେଦନା ସହିପାରନ୍ତି ନାହିଁ । ଗୋପୀମାନଙ୍କର କରୁଣ କ୍ରନ୍ଦନ ଶୁଣି ସେ ଆଉ ସହିପାରିଲେ ନାହିଁ । ହଠାତ୍ ପୀତବସନ ପରିହିତ ମୁରଲୀଧାରୀ ଘନଶ୍ଯାମ ସେମାନଙ୍କ ସମ୍ମୁଖରେ ଆବିର୍ଭୂତ ହେଲେ । ଶ୍ରୀକୃଷ୍ଣଙ୍କୁ ଦର୍ଶନ କରି ଗୋପୀମାନେ ଆନନ୍ଦରେ ଆତ୍ମହରା ହୋଇଯାଇଥିଲେ । ଏହାପରେ ମଦନମୋହନ ସେମାନଙ୍କୁ ନେଇ ଯମୁନା ତୀରରେ ନେତ୍ଯ କରିବାକୁ ଲାଗିଲେ । ଶରତର ଜ୍ଯୋତ୍ସ୍ନା ଚାରିଆଡେ ବିଛାଡି ହୋଇ ପଡିଛି । ନାନା ଜାତିର ଫୁଲର ମହକରେ ବାତାବରଣ ସୁବାସିତ । ସତେ ଯେପରି ତିନି ଭୂବନର ସକଳ ଶୋଭାର ଭଣ୍ଡାର ମଧ୍ଯରେ ନିଜେ ଶ୍ଯାମସୁନ୍ଦର ବିରାଜିତ ହୋଇଛନ୍ତି ଗୋପୀମଣ୍ଡଳ ମଧ୍ଯରେ । ଗୋପୀମାନେ ଆନନ୍ଦରେ ପୁଲକିତ ହୋଇ ନୃତ୍ୟ ଆରମ୍ଭ କଲେ । ରାସମଣ୍ଡଳରେ ରସରାଜଙ୍କର ରାସଲୀଳା ଚାଲିଲା ଶରତ ପୂର୍ଣ୍ଣିମା ରାତିସାରା । 

   ଗୋପୀମାନଙ୍କର ପରସ୍ପର ବାହୁ ବନ୍ଧନ ମଧ୍ଯରେ ଥାଇ ଯୋଗେଶ୍ବର ଶ୍ରୀକୃଷ୍ଣ ସେମାନଙ୍କ ନୃତ୍ୟର ତାଳେ ତାଳେ ଛନ୍ଦ ମିଳାଇ ନୃତ୍ୟ କରିବାକୁ ଲାଗିଲେ । ଏକ ଅନେକ ହୋଇଯାଇ ପ୍ରତ୍ଯେକ ଦୁଇଜଣ ଗୋପାଙ୍ଗନାଙ୍କ ମଧ୍ଯରେ ଜଣେ କୃଷ୍ଣ । ପ୍ରତ୍ୟେକ ଗୋପୀ ଦେଖୁଛନ୍ତି ସେମାନଙ୍କ ମଧ୍ଯରେ ରହିଛନ୍ତି ସେମାନଙ୍କ ପ୍ରିୟତମ,ରାସମଣ୍ଡଳର ନାୟକ ଶ୍ରୀକୃଷ୍ଣ । ପ୍ରତ୍ୟେକ ଗୋପୀ ଭାବୁଛନ୍ତି ଯେଉଁ ପରମପୁରୁଷ ଜଗତର ପତି ଓ ଜଗତର ଆଶ୍ରୟ, ସେ ଆଜି ମୋର ପତି ଓ ମୋର ଆଶ୍ରୟ । ସେମାନେ କୃଷ୍ଣମୟ ହୋଇଗଲେ । ଅନ୍ତର ମଧ୍ଯରେ କୃଷ୍ଣ, ବାହାରେ ମଧ୍ଯ କୃଷ୍ଣ, ଜଗତମୟ ଶ୍ରୀକୃଷ୍ଣ । ଗୋପୀମାନେ ଉତଫୁଲ୍ଲ ହୋଇ ନାଚୁଛନ୍ତି ଆଉ ଜଗତପତି ମଧ୍ଯ ପ୍ରତି ଦୁଇଜଣ ଗୋପୀଙ୍କର ବାହୁ ବନ୍ଧନ ମଧ୍ଯରେ ରହି ନାଚୁଛନ୍ତି । ଆହା,କି ଅପୂର୍ବ ଶୋଭା ! ଗୋପୀମାନେ ଦେଖୁଛନ୍ତି ଶ୍ରୀକୃଷ୍ଣଙ୍କ ଛଡା ଜଗତରେ ଆଉ କିଛି ନାହିଁ । ସର୍ବଭୂତରେ ରସମୟ ଶ୍ରୀକୃଷ୍ଣ । ସର୍ବତ୍ର ସମଭାବରେ ରସମୟଙ୍କର ରସ । ଏହା ହିଁ ରାସଲୀଳା ।



*ସଂଗ୍ରହକାରୀ--ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ବର,*


Rate this content
Log in