Bismita Sahoo

Others

4.9  

Bismita Sahoo

Others

ବାଟ ହୁଡ଼ା ବାଟୋଇ

ବାଟ ହୁଡ଼ା ବାଟୋଇ

3 mins
829


ଏତେଦିନ ମାଗିବା ପରେ ଯାଇ ତା ଇଚ୍ଛା ପୂରଣ ହେଇଛି। ଏଥିପାଇଁ ତାକୁ ଘରେ କଣ କମ୍ ଝାମେଲା କରିବାକୁ ପଡ଼ିଛି? ପେଟ ଭୋକରେ ଜଳୁଥିଲା ବେଳେ ବି ନ ଖାଇ ନ ପିଇ ତାକୁ ଶୋଇବାକୁ ପଡ଼ିଛି। ଚିଲ୍ଲେଇ ଚିଲ୍ଲେଇ କାନ୍ଦିଛି। ଘର ଛାଡ଼ି ପଳେଇବ ବୋଲି ଧମକ ବି ଦେଇଛି। ତା ପରେ ଯାଇ ସରଗର ଚାନ୍ଦ ତା ହାତରେ ଧରା ଦେଇଛି। ନୂଆଁ ଧଳା ଗାମୁଛାଟିରେ ମଟର ସାଇକେଲ ପୋଛୁ ପୋଛୁ ବବଲୁ ଭାବୁଛି। 


      ଏଇଟା ଖାଲି ମଟର ସାଇକେଲ ନୁହେଁ ତ ତାର ଦିଟା ଡେଣା। ଯେଉଁଠିକି ଇଚ୍ଛା ହେଉଛି ସେଇଠିକି ଉଡ଼ି ଯାଉଛି। ମଟର ସାଇକେଲରେ ଟିକିଏ ଦାଗ ଲାଗିଲେ ତା ଛାତି ଭିତରଟା କୋରି ହେଇ ଯାଉଛି। 


     ଆଜି କଲେଜ ସରିବା ପରେ ସାଙ୍ଗମାନଙ୍କ ସହିତ ଟିକେ ବେଶୀ ଖଟି କରିଦେଲା। ଡେରି ହେଇଗଲାଣି। ମମି ପୂରା ବ୍ୟସ୍ତ ହେଇ ଯିବଣି। ପାପାଙ୍କୁ ଯଦି ତା ନାଁରେ କିଛି ଅଭିଯୋଗ କରିଦିଏ ତେବେ ତା ପକ୍ଷୀରାଜ ଘୋଡ଼ା ତା'ଠାରୁ ଦୂରେଇ ଯିବ। ନା ସିଏ ସେମିତି ହେବାକୁ ଦେବନି। ଗାଡ଼ି ଷ୍ଟାର୍ଟ କଲା ବବଲୁ। ଜଲଦି ପହଞ୍ଚିବ ବୋଲି ସିଧା ରାସ୍ତାରେ ନ ଯାଇ ଜଙ୍ଗଲ ରାସ୍ତା ବାଛିନେଲା। 


     ଇଏ କଣ ? କାହାର କୁଁ କୁଁ ଶବ୍ଦ ଶୁଭୁଛି? ଡାହାଣୀ କି ଚିରିଗୁଣୀ ନୁହେଁ ତ? ହେ ଭଗବାନ ! କଣପାଇଁ ସେ ଜଙ୍ଗଲ ରାସ୍ତାରେ ଆସିଲା? ଏବେ କଣ ଯେ କରିବ ତାକୁ କିଛି ବୁଦ୍ଧି ଦିଶୁନଥିଲା। ସୂର୍ଯ୍ୟ ପାହାଡରେ ଲୁଚିବାକୁ ବ୍ୟସ୍ତ ହେଲେଣି। ସଞ୍ଜ ନଇଁ ଆସିଲାଣି। ରାସ୍ତା ବି କିଛି ଠିକ୍ ରେ ଦିଶୁନି। କଣ ଯେ ସେ କରିବ? କୁଁ କୁଁ ଶବ୍ଦ ଟି ଅତି ଜୋରରେ ଶୁଭିଲା। ସେ ଅତି ସନ୍ତର୍ପଣରେ ଗାଡ଼ିର ଗତି ବଢ଼େଇଲା।


       କିନ୍ତୁ କିନ୍ତୁ ଏ କଣ? ଗୋଟିଏ ଝିଅ ଉପରେ କୁଦି ପଡିଛନ୍ତି ଚାରି ଚାରି ଜଣ କାମୁକ। ସେ ଝିଅଟି ମୋତେ ଛାଡ଼, ଛାଡ଼ ବୋଲି ପାଟି କରୁଛି। ବବଲୁ କଣ କରିବ? ଥରେ ସେ ନିଜ ଶରୀରକୁ ଓ ଥରେ କାମୁକ ମାନଙ୍କ ପ୍ରତି ଦୃଷ୍ଟି ନିକ୍ଷେପ କଲା। ବଳିଷ୍ଠ ବପୁଧାରୀ ମଣିଷ ଗୁଡ଼ାକ ଆଗରେ ସେ ନରକଙ୍କାଳ ପ୍ରତୀୟମାନ ହେଲା। ଭାବିଲା- ଆପେ ବଞ୍ଚିଲେ ବାପାର ନାଁ। ଏହା କହି ଗାଡ଼ିର ଆକ୍ସିଲେଟରକୁ ଜୋରରେ ମୋଡ଼ିଲା। 


    ଝିଅଟି ଅତି ବିକଳରେ କାନ୍ଦୁଥାଏ। ତା କାନ୍ଦରେ ସାରା ଜଙ୍ଗଲ ଅସ୍ତବ୍ୟସ୍ତ ହେଇ ପଡ଼ୁଥିଲା ଝିଙ୍କାରୀ ଗୁଡ଼ିକ ଅତି ଜୋରରେ ଝିଁ ଝିଁ କରିବା ଆରମ୍ଭ କରି ଦେଇଥିଲେ। କୋଉଠି ଥିଲା ପେଚାଟିଏ ତା ମୁଣ୍ଡ ଉପର ଦେଇ ଉଡ଼ିଗଲା। ବାଦୁଡି ଦଳ ଚେଁ ଚେଁ କରି ସେ ନାରୀ ମାଂସଲୋଭୀ ମାନଙ୍କ ମୁହଁ ଉପରକୁ ଉଡ଼ି ଯାଉଥିଲେ ପୁଣି ପରାସ୍ତ ସୈନିକ ପରି ହତାଶବୋଧରେ ଲୁଚି ଯାଉଥିଲେ କେଉଁ ଗଛର ଡାଳରେ। ବବଲୁର ହାତ ସ୍ୱତଃସ୍ଫୁର୍ତ୍ତ ଭାବେ ଆକ୍ସିଲେଟର ଉପରୁ ଢିଲା ହେଇ ଯାଇଥିଲା। ସେ କିଛି ନ ଭାବିଚିନ୍ତି ଗୋଟିଏ ବଡ଼ ଶଗୁଆନ ଗଛ ତଳେ ତା ମଟର ସାଇକେଲଟିକୁ ରଖି ମୋବାଇଲରୁ ପୋଲିସର ସାଇରନ୍ ବଜେଇବାକୁ ଲାଗିଲା। ନିଛାଟିଆ ଅନ୍ଧାରରେ ସାଇରନ୍ ଶବ୍ଦ ଶୁଣି ନରରୂପୀ ଦାନବଗୁଡ଼ିକ ଡରରେ ଝିଅଟିକୁ ଛାଡ଼ି ଚାଲିଗଲେ। 

      ବବଲୁ ଅନେଇଲା ଝିଅଟିକୁ। ନିସ୍ତେଜ ଶରୀରଟି ତାର ଭୁଇଁରେ ଲୋଟୁଥିଲା। ଗୋରା ତକ୍ ତକ୍ ଚେହେରା। ବୟସ ଅତି ବେଶୀରେ ସତର ବର୍ଷରୁ ଉର୍ଦ୍ଧ୍ବ ହେଇନଥିବ। ଉନ୍ମୁକ୍ତ କେଶରାଜି। ଝିଅଟିକୁ ସେ ଭୂଇଁରୁ ଉଠେଇବାକୁ ଚେଷ୍ଟା କଲା। ହଠାତ କଳା ହାଣ୍ଡିଆ ମେଘ ଘୋଟି ଆସିଲା। ବିଜୁଳି ଚମକି ଉଠିଲା।ବିଜୁଳି ଆଲୁଅରେ ଝିଅଟିର ରକ୍ତିମ ଆଭା ଅତି ଉଜ୍ଜ୍ୱଳ ଦିଶୁଥିଲା। ତା ମୁହଁରେ ଶାନ୍ତି ଓ ଆଶ୍ୱସ୍ତିର ଛାପ ବାରି ହେଇ ଯାଉଥିଲା।


  ବର୍ଷାର ଗତି ତୀବ୍ର ହେବାକୁ ଲାଗିଲା। ଯେମିତି ହେଲେ ଝିଅଟିକୁ ଡାକ୍ତରଖାନା ନେବାକୁ ପଡ଼ିବ ତେଣୁ ତରତର ହେଇ ଝିଅଟିକୁ ଗାଡ଼ିରେ ଉଠାଇ ବସେଇଲାବେଳେ କାଦୁଅରେ ଗୋଡ଼ ଖସିଯିବାରୁ ତଳେ ଝିଅଟି ପଡ଼ିଗଲା ଓ ତା ଉପରେ ସେ। ଉଭୟେ ଓଦା ସଡ଼ ସଡ଼। ବବଲୁର ହୃତସ୍ପନ୍ଦନ ବଢ଼ିବାକୁ ଲାଗିଲା। ତା ହାତ ଆପଣାଛାଏଁ ଝିଅଟିର ଚିବୁକ ଉପରକୁ ଚାଲିଗଲା। ସେ ଆଉ ନିଜ ଆୟତ୍ତରେ ନଥିଲା ପୁଣି ଥରେ ବିଜୁଳି ଓ ତା ସାଙ୍ଗକୁ ଘଡଘଡି। ସେ ଝିଅଟିର ମୁହଁକୁ ଅନେଇଲା। ଝିଅଟି କିଛି କହିବା ପରିସ୍ଥିତିରେ ନଥିଲା। କିଛି ସମୟ ପୂର୍ବରୁ ଯୋଉ ଝିଅ ମୁହଁରେ ସେ ଆଶ୍ୱସ୍ତି ଦେଖିଥିଲା ଏବେ ସେ ମୁହଁଟି ଭୀତତ୍ରସ୍ତ ହରିଣୀ ପରି ଦେଖାଯାଉଥିଲା। ଆଉ ତା ନିଜ ହାତ ଦୁଇଟି ମହାବଳ ବାଘର ପଞ୍ଝା ପରି ଦୃଶ୍ୟମାନ ହେଉଥିଲା। 


     ବବଲୁ ଚମକି ଉଠିଲା। କଣ ସେ କରିବାକୁ ଯାଉଥିଲା? ସେ ନିଜକୁ ନିଜେ ଧିକ୍କାର କରିବାକୁ ଲାଗିଲା। ବର୍ଷାର ମନମୁଖୀ କାର୍ଯ୍ୟ ଆରମ୍ଭ ହେଇଯାଇଥିଲା। ଗୋଟେ କ୍ଷଣ ବନ୍ଦ ହେଇ ପର କ୍ଷଣରେ ଗର୍ଜୁଥିଲା। ତାକୁ ଲାଗିଲା ବର୍ଷା ବୋଧେ ତାର ଦୋ ମୁହାଁ ନୀତି ଦେଖି ସତେ ଯେମିତି ତା ଉପରେ ପ୍ରତିଶୋଧ ନେଉଥିଲା। ସେ ପୁଣିଥରେ ନିଜକୁ ସଂଯତ କରିଲା। ଧୀରେ ଧୀରେ ଝିଅଟିକୁ ଟେକି ଗାଡ଼ିରେ ବସେଇ ଗାଡ଼ି ଷ୍ଟାର୍ଟ କଲା। ଏତିକିବେଳେ ତା ଫୋନର ଘଣ୍ଟି ବାଜି ଉଠିଲା। ମମି ବ୍ୟସ୍ତଭରା କଣ୍ଠରେ କହୁଥିଲା- ବାବୁରେ ଏତେ ବର୍ଷାରାତିରେ ରାସ୍ତା ଦେଖି ଦେଖି ଆସିବୁ। ବାଟ ହୁଡ଼ିବୁନି। 


  ବବଲୁ କହିଲା- ନା ମମି ବାଟ ହୁଡ଼ିବା ପୂର୍ବରୁ ତୋ ପୁଅ ଠିକ୍ ରାସ୍ତା ଧରି ଦେଇଛି। ତୁ ବ୍ୟସ୍ତ ହୁଅନା। ମୁଁ ଖୁବ୍ ଶୀଘ୍ର ଘରେ ପହଞ୍ଚୁଛି।



Rate this content
Log in