ବାତ୍ସଲ୍ୟ ମମତା
ବାତ୍ସଲ୍ୟ ମମତା


ମାଆର ବାତ୍ସଲ୍ୟ ମମତା ଆଗରେ ସବୁକିଛି ତୁଛ ଲାଗେ। ସିଏ ପରା ନିଜେ ମମତାମୟୀ ଆଉ କରୁଣାମୟୀ। ନିଜେ ଅନ୍ତଫାଡି ଛୁଆକୁ ଜନ୍ମ ଦେଇଥାଏ।ଛୁଆ ପ୍ରତି ମାଆର ମମତା ଆପେ ଆପେ ଚାଲିଆସେ। ଖାଲି ମାନବସମାଜ ନୁହଁ ଏହି ଜୀବ ମଣ୍ଡଳରେ ପଶୁ ପକ୍ଷୀଠାରୁ ଆରମ୍ଭ କରି କୀଟ ପର୍ଯ୍ୟନ୍ତ ସମସ୍ତ ମା ଜଣେ ଜଣେ ମମତା ମୟୀ। ସବୁଠି ତାର ଜୟଜୟ ଗୁଣ ଗାନ। ନିଜର ସନ୍ତାନକୁ ସେ ସର୍ବଦା ସୁରକ୍ଷିତ ରଖେ। ତାର ମମତା ତ୍ୟାଗ ,ପ୍ରେମ, ତପସ୍ୟା ଅବଦାନ ଏବଂ ବଳିଦାନର କୌଣସି ତୁଳନା ନାହିଁ।
ମୁଁ ସହିଦ ନଗର ଓ୍ବିନର ଆସୋସିଏସନର ଗଣେଷ ପୂଜା ଦେଖିବାକୁ ଯାଇ କିଛି ସମୟ ଅଟକି ଯାଇଥିଲି ଗୋ ସେବା କେନ୍ଦ୍ରଦ୍ବାରା ଖୋଲା ଯାଇଥିବା ଏକ ଷ୍ଟଲରେ। ।ଗୋ ସେବା କରିବା ଆମର ପରମ ଧର୍ମ।ତାର ମଳ,ମୂତ୍ର ବହୁତ ଦରକାରୀ।
ମାଆ ପାଖରେ ତା କୁନି ବାଛୁରି ଛୁଆଟି ଭାରି ସୁନ୍ଦର ଲାଗୁଥାଏ।ସବୁପ୍ରକାର ବିପତ୍ତି ଆପତ୍ତିରୁ ନିଜ ମାଆ ହିଁ ଛୁଆକୁ ରକ୍ଷା କରେ। କୁନି ବାଛୁରୀଟି ପାଖକୁ ଯାଇଥିଲି ତାକୁ ଟିକେ ଗେଲ କରିବାକୁ କିନ୍ତୁ ସେ ଡରିଯାଇ ମା ପାଖରେ ଲାଗିକରି ଛିଡା ହୋଇଗଲା।ମାଆ ଗାଇଟି ନିଜ ଡୋଳାକୁ ବୁଲାଇ ବୁଲାଇ ଦେଖୁଥାଏ କାଳେ ମୁଁ ତା ଛୁଆକୁ ଆଘାତ ଦେବିନି ତ? କାହିଁକି ତା ପାଖକୁ ଆସିଛି। ଛୁଆଟିକୁ ଛୁଇଁଲା କ୍ଷଣି ନାକପଟୁ ସେ ସୁଁ ସୁଁ କରୁଥାଏ।କାଳେ ତା ଛୁଆଟି ତାଠୁ ଦୂରେଇ ଯିବନି ତ? ମାଆ ଗାଇଟି ପରେ ଜାଣିଦେଲା ତା ଛୁଆକୁ ମୁଁ ଆଘାତ ଦେଉନି ବରଂ ପାଖକୁ ଆସିଛି ଟିକେ ଗେଲ କରିବାକୁ।
ଛୁଆଟି ଦେଖିବାକୁ ଡଉଲ ଡାଉଲ ମାତ୍ର ସାତ କିମ୍ବା ଆଠ ଦିନ ହୋଇଥାଏ ତାକୁ। କିଛି ସମୟ ମାଆ ପାଖରେ ଛିଡା ହୋଇ ଥକା ଅନୁଭବ କରି ତା ମାଆକୁ ଲାଗି ତଳେ ଶୋଇଗଲା। ନିଜ ମା କୋଳ ହିଁ ତ ସନ୍ତାନ ପାଇଁ ସୁରକ୍ଷିତ ସ୍ଥାନଟିଏ।ମତେ ଭାରି ଭଲ ଲାଗୁଥିଲା କୁନି ବାଛୁରିଟିକୁ। କିନ୍ତୁ ସେ ମୋ ଠାରୁ ଅଧିକ ଜାଣିଥିଲା ତା ମାଆକୁ। ସିଏ ପରା ତାର ମାଆ। ମାଆର ସ୍ଥାନ କେହି ନେଇ ପାରେ ନାହିଁ।
କୁନି ବାଛୁରୀଟି ଲୋକମାନଙ୍କୁ ଦେଖି ଡରିଯାଇ ଏପଟେ ସେପଟେ ଟିକେ ଦୌଡୁଥାଏ।ମାଆ ତାର ଗତିବିଧି ସବୁ ଲକ୍ଷ୍ୟ କରୁଥାଏ।ଛୁଆଟା ତାର କେଉଁଆଡେ ଗଲା।ଛୁଆକୁ ପାଖରେ ପାଇ ତାକୁ ଟିକେ ଚାଟିଦିଏ।ଏଇଟା ପରା ମାଆର ମମତା।
ବହୁତ ଯାଗାରେ ଦେଖିଛି ଗାଇ ଏବଂ ବାଛୁରୀ ସାଥିରେ ଥିବା ସମୟରେ ବାଛୁରୀଟି ଯଦି କୁଆଡେ ଚାଲିଗଲା ତା ମାଆ ପ୍ରତି ଗଳି ସାହି ହମ୍ବା ହମ୍ବା ଡାକ ଛାଡି ଖୋଜେ।ସେହି ହମ୍ବା ହମ୍ବା ରଡିରେ ଯାଣିଦିଏ ତା କୁନିବାଛୁରୀଟି କେଉଁଠାରେ ଅଛି।ତା ଡାକ ଶୁଣି କୁନିବାଛୁରୀଟି ଯେଉଁଠି ଥାଏ ହାମ୍ବେ କହି ବୋବାଏ।ଦୁହେଁ ପୁଣି ଦେଖା ସାକ୍ଷାତ ହେଲେ ମାଆର ନିଜ ସନ୍ତାନ ପ୍ରତି ବାତ୍ସଲ୍ୟ ମମତା ଝରିପଡେ।