ବାସ୍ନା : ସଂସାରର
ବାସ୍ନା : ସଂସାରର
ବାସ୍ନା : ସଂସାରର
------------------
ସୁକନ୍ୟାର ସାଂସାରିକ ଜୀବନକୁ ଏଇ ମାତ୍ର ବର୍ଷେ ପୂରିଥିଲା।
ହଠାତ୍ ତା'ର ସ୍ବାମୀ ମରିଗଲେ।
ଶାଶୁ କହିଲେ - ' ତୋର ବୟସ ଅଛି।ତୁ ସୁନ୍ଦର ଦିଶୁଛୁ।ବାପଘରକୁ ଚାଲିଯା' ।ଆଉ ଥରେ ସଂସାର କର। '
ସୁକନ୍ୟା କହିଲା - ' ଯେଉଁ ସଂସାର ମତେ ପର କରିଦେଲା, ତା' ପ୍ରତି ମୋର ଆଉ ଲୋଭ ନାହିଁ।ତା'ର ପୋଡା ବାସ୍ନା ସବୁବେଳେ ମୋ ନାକରେ ବାଜୁଛି।ଅସହ୍ୟ, ଉତ୍କଟ। '
ଆଖି ବୁଜିଲେ ତାକୁ ଦିଶୁଥିଲା ସ୍ବାମୀଙ୍କର ମୁହଁ। ସେ ସିଦ୍ଧାନ୍ତ ନେଇଥିଲା, ସ୍ବାମୀଙ୍କ ସ୍ମୃତିକୁ ସାଥିରେ ଧରି ବଞ୍ଚିବ। ସେଇଠି ରହିବ।
କିଛି ଦିନ ପରେ........
ଦିନେ ତା'ର ଶ୍ବଶୁର ତା' ପାଖକୁ ଆସି କହିଲେ - ' ଆମେ ଆଲାହାବାଦ ଯିବା।ତ୍ରିବେଣୀରେ ଅସ୍ଥି ବିସର୍ଜନ କରିବା। '
ଏପରି ହେବା କଥା।ସେ ଆଗ୍ରହ ପ୍ରକାଶ କଲା।
ପରଦିନ ଶାଶୁ, ଶ୍ବଶୁର, ନଣନ୍ଦ, ଦିଅରଙ୍କ ସହିତ ସେ ଖୁସିରେ
ଆଲାହାବାଦ ବାହାରିଗଲା।
ତ୍ରିବେଣୀରେ ଅସ୍ଥି ବିସର୍ଜନ ହେଲା।
ପୁରୋହିତ କହିଲେ - ' ତୁମେ ଆଖି ବୁଜି ତୁମ ସ୍ବାମୀଙ୍କୁ ସ୍ମରଣ କର।ଯାହା କହି ପାରି ନ ଥିଲ କହିଦିଅ।ଗୋଟେ ସମର୍ପଣ ଭାବ ମନ ଭିତରେ ରଖିଥିବ। '
ସେ ଆଖି ବୁଜିଲା ଖୁବ୍ ଆଗ୍ରହରେ।ଶ୍ରଦ୍ଧାର ସହିତ ସ୍ବାମୀଙ୍କୁ ସ୍ମରଣ କଲା।ତାଙ୍କ ଛୋଟ ଛୋଟ ଦୁଷ୍ଟାମି ଓ ଭଲ ପାଇବାକୁ ମନେ ପକାଇଲା।
ସମୟ ବିତୁଥିଲା।ସ୍ବାମୀଙ୍କ ମଧୁର ସ୍ମୃତିରେ ହଜୁଥିଲା ସେ।
ହଠାତ୍ ଆଖି ଖୋଲି ଦେଖେ ତ ତା' ପାଖରେ କେହି ନାହାନ୍ତି।ସେ ଏକା ଏକା ବସିଛି।
କନ୍ଦୁଥିଲା ସେ।କେବଳ ଅଚିହ୍ନା ଲୋକଙ୍କର ଭିଡ ଦିଶୁଥିଲା ତା' ଆଖି ସାମ୍ନାରେ।
ଏତିକିବେଳେ ଜଣେ ମଧ୍ୟବୟସ୍କ ବାବାଜୀ ତା'ପାଖରେ ଆସି ପହଞ୍ଚିଲେ।ତା' ଲୁହ ପୋଛିଦେଲେ।ତାକୁ ଆଶ୍ବାସନା ଦେଇ ସାଙ୍ଗରେ ନେଇ ଆସିଲେ। ' ବାଙ୍କବିହାରୀ ' ମଠରେ ଆସି ରହିଲା ସେ।
ମଠରେ ଥାଇ ଶାଶୂଘରକୁ ଚିଠିପତ୍ର ଦେଲା, ହେଲେ କେହି ତାକୁ ନେବାକୁ ଆସିଲେ ନାହିଁ।
ତାକୁ ଭଲ ଲାଗୁଥିଲା ମଠର ପରିବେଶ।ଧୀରେ ଧୀରେ ସେ ତା' ଭିତରେ ନିଜକୁ ହଜାଇ ଦେଲା।ସେଠାକାର ସୁଖଦୁଃଖ ସବୁ ତା'ର ଦେହସୁହା ହେବାକୁ ଲାଗିଲା।
ଦିନେ ରାତିରେ ବାବାଜୀ ତା' ପାଖରେ ପହଞ୍ଚି ତାକୁ କହିଲେ - ' ସଂସାର ପ୍ରତି ବିମୁଖ ଥିଲି।ଏବେ ତୁମକୁ ଦେଖିବା ପରେ ସଂସାର ବାସ୍ନା ମୋତେ ପାଗଳ କଲାଣି।ମୁଁ ତୁମ ସହିତ ମିଶି ସଂସାର କରିବାକୁ ଚାହେଁ। '
ସଂସାର ବାସ୍ନା !
ସେ ବିସ୍ମିତ ହୋଇ ସେହି ବାସ୍ନାଟିକୁ ଖୋଜିବାକୁ ଲାଗିଲା।
ହଠାତ୍ ତା'ର ମନେହେଲା ଯେମିତି ଅସ୍ଥି ବିସର୍ଜନ ନୁହେଁ, ସ୍ବାମୀ ବିସର୍ଜନ କରିଦେଇ ଚାଲି ଆସିଛି ସେ।
କାମାତୁର ନୟନରେ ତାକୁ ଚାହିଁ ରହିଥିଲେ ବାବାଜୀ।
ଗୋଟିଏ ଦେହ ଆଉ ଗୋଟିଏ ଦେହ ଅପେକ୍ଷାରେ ଥିଲା।
କିଛି ସମୟ ପରେ ବାସ୍ନା ବାରି ପାରିଲା କି କ'ଣ , ଖୋଲା କବାଟ ବନ୍ଦ କରି ଦେବାକୁ ବାବାଜୀଙ୍କୁ ଇଶାରା ଦେଲା ସେ।
ବାବାଜୀ ଉଠି ଯାଇ କବାଟ ବନ୍ଦ କଲେ।
ଏହା ପରେ କୋଠରୀଟି ବାସ୍ନାମୟ।
ବାସ୍ନା : ସଂସାରର ।