Rajalaxmi Mohanty

Others

3  

Rajalaxmi Mohanty

Others

ବାପାଙ୍କ ବଙ୍କୁଲି ବାଡି

ବାପାଙ୍କ ବଙ୍କୁଲି ବାଡି

6 mins
162


ସକାଳୁ ସକାଳୁ ମୋବାଇଲରେ ଆଲାର୍ମ ବାଜୁ ବାଜୁ ଧଡପଡ ହୋଇ ଉଠିଲା ଅଳକା । ଓଃ...ଶୋଇଲା କେତେବେଳେ ଯେ ରାତି ପାହିଗଲା ଏତେ ଜଲଦି । ଆଖି ଖୋଲିହେଉନଥାଏ ବିଲକୁଲ । ତଥାପି କଷ୍ଟେ ମଷ୍ଟେ ଉଠିପଡି ନିଜ କାମରେ ମନ ଦେଲା । ବାଥ୍ ରୁମ ଯାଇ ମୁହଁରେ ଭଲ କରି ପାଣିଛାଟି ଧୋଇ ହେଇ ସାରି ଆସି ଘର ଝାଡୁକଲା । ସକାଳ ପାଞ୍ଚଟା ବାଜିଛି ଏବେ । ଭଲ କରି ରାତିବି ପାହିନି । କାଁ ଭାଁ ଲୋକ ମାନେ ଉଠିଛନ୍ତି । ଅଳକା ପରି କର୍ମଜୀବୀ ମହିଳାମାନେ ଏତେ ସକାଳୁ ହିଁ ଉଠନ୍ତି । ଏତିକି ସକାଳୁ ନଉଠିଲେ କାମ ଜମା ସରିବନି । ସକାଳ ବେଳାଟାବହୁତ କାମ । ଘର ଝାଡୁ ସାରି ଫୁଲ ତୋଳିବାକୁ ଯିବ । ଫୁଲ ତୋଳି ଆଣି ଥୋଇ ଦେଇ ଗାଧୁଆ ଘରେ ପଶିବ । ସେଠୁ ବାହାରି ସିଧା କିଚେନରେ । ପିଲାଙ୍କ ପାଇଁ ଟିଫିନ ବନେଇବାକୁ ପଡିବ । ସେମାନେ ଖାଇକି ଯିବେ ଗୋଟିଏ ନେଇକି ଯିବେ ଆଉ ଗୋଟିଏ । ସେତିକିବେଳେ ଶାଶୁ ଶ୍ୱଶୁର ଓ ସାଗର ଉଠିସାରିଥିବେ । ସେମାନଙ୍କ ପାଇଁ ଶାଶୁଙ୍କର କ୍ଷୀର ଚା ଶ୍ୱଶୁରଙ୍କର ଗ୍ରୀନ ଚା ଆଉ ସାଗର ଙ୍କର ଲେମ୍ବୁ ମିଶା ଉଷୁମ ପାଣି । ସେ ସବୁ ଚାଲିଥିବାବେଳେ ଗୋଟେ ପଟ ଚୁଲାରେ ଲଞ୍ଚ ପାଇଁ ବି ଭାତ ଡାଲି ବସୁଥିବ । ଏପଟେ ଝିଅର ସୌକ କାହିଁରେ କ'ଣ । ଲମ୍ବା ଚୁଟିରଖିବି । ନିଜେ କୁଣ୍ଡେଇବିନି । ମମ୍ମି ମୁଣ୍ଡ କୁଣ୍ଡେଇଦିଅ ବୋଲି ଝିଅ ଚିଲଉଥିବ । ସେପଟେ ପୁଅ ଜୋତାର ଲେସ୍ ବାନ୍ଧି ଦିଅ ବୋଲି ଚିଲଉଥିବ । ଏପଟେ ବାରମ୍ବାର କାନ୍ଥ ଘଣ୍ଟାକୁ ଚାହୁଁଥିବ ଅଳକା । ଓଃ ,ବସ୍ ଆସିବା ଟାଇମ୍ ଆଉ ପାଞ୍ଚ ମିନିଟ ଅଛି । ବିଚରା ଖାଲି ଦୌଡୁ ଥିବ ଯାହା । ସେମାନଙ୍କ କାମ ସାରି ନିଜେ ତରବର ହେଇ ପାଟିକୁ ଗୁଣ୍ଡେ ନେଇଥିବ କି ନାଇଁ ସେପଟେ ସାଗର ତରବର କରିବେ "ସରିଲା କି ନାହିଁ ତମର । ତମ ପାଇଁ ସବୁବେଳେ ମୋର ଲେଟ୍ ହେଉଛି" । ଆଚ୍ଛା କଥା । ଅଳକାର ଯେଉଁ ଲେଟ୍ ହେଉଛି ସେଇଟା ଆଉ କାହା ପାଇଁ?କହି କିଛି ଲାଭ ନାହିଁ । ହାତ ତରବର କଲା ଅଳକା । ଓହୋ, କ'ଣ ଗୋଟେ ଝୁଣ୍ଟିଲା ସେ । ଅନ୍ଧାର ଆହୁରି ଟିକେ ଟିକେ ଅଛି । ଲାଇଟ୍ ଲଗେଇଲେ ସମସ୍ତେ ବିରକ୍ତ ହୁଅନ୍ତି ବୋଲି ସେ ସେଇ ମାଛି ଅନ୍ଧାରରେ କାମ କରେ ପଛେ ଲାଇଟ୍ ଲଗେଇବ ନାହିଁ । ଝୁଣ୍ଟି ପଡିବାରୁ ବାଧ୍ୟ ହେଇ ଲାଇଟ୍ ଲଗେଇଲା । ବାପାଙ୍କ ବାଡି!!ଏଇଠି?ପୁଣି? ଯେତେ କହିଲେ ବି ସେ ଶୁଣିବେନି । ବୁଲିବାଲି ଆସି ବାଡିଟିକୁ ଯେଉଁଠି ନାଇଁ ସେଇଠି ପକେଇଦେବା ତାଙ୍କର ଗୋଟେ ଖରାପ ଅଭ୍ୟାସ । ଯିଏ ଯେତେ କହିକହି ଥକି ଗଲେବି ଶୁଣିବେନି । ଓହୋ, ଗୋଡ ନଖରୁ ଖଣ୍ଡେ ଯାଇଛି । ରକ୍ତରେ ଚଟାଣ ଭିଜିଗଲାଣି । ଶାଢୀ କାନିରେ ନଖକୁ ଚାପିଧରି ଆଃ ବୋଲି ଧିରେ ଚିତ୍କାରଟିଏ କଲା ଅଳକା । ପାଟି ଶୁଣି ଶାଶୁମା ଉଠିଆସିଲେ । ଅଳକାକୁ ତଳେ ଏମିତି ପାଦକୁ ଧରି ବସିଥିବାର ଦେଖି ଆଶ୍ଚର୍ଯ୍ଯ ହେଇଗଲେ । ସକାଳୁ ସକାଳୁ ବୋହୁର କ'ଣ ହେଲା । ତା ପାଖରେ ବସିପଡି ତା ହାତକୁ ଆଡେଇ ଦେଖି ପଚାରିଲେ "କେମିତି ହେଲା"? ଅଳକା କିଛି ନକହି କେବଳ ସେ ବାଡି ଆଡକୁ ଚାହିଁଲା । ସେଉଠୁ ଆରମ୍ଭ ହେଲା ଶାଶୁଙ୍କର ଗାଳି । ମୁଁ ଜାଣିଛି ପରା ଏମିତି କେବେ ଦିନେ ହେବ ବୋଲି । ଯେତେ କହିଲେ କ'ଣ ୟାଙ୍କ ମୁଣ୍ଡର କିଛି ପଶୁଛି । ଆହାଃ, ବୋହୁଟା ମୋର ସକାଳୁ ସକାଳୁ କି ଦଣ୍ଡ ପାଉଛି । ବୋଉର ପାଟି ଶୁଣି ସାଗର ବି ଉଠିବସିଲେ । ବାହାରକୁ ଆସି ଅଳକାର ଅବସ୍ଥା ଦେଖି ବିଚଳିତ ହେଇପଡିଲେ । ସେ ଗୋଟିଏ ହିଁ ତ ଲୋକ, ଯାହା ଉପରେ ଆମେ ଚାରିଜଣ ନିର୍ଭରଶୀଳ । ତା'ର ଯଦି ଏ ଅବସ୍ଥା ଏବେ କ'ଣ ହେବ । ଏଇନା ପିଲାମାନେ ଉଠିପଡିବେ । ଗୋଟିଏ ପରେ ଗୋଟିଏ କାମ ବରାଦ କରିବେ । ଆଉ କିଛି ଉପାୟ ନାହିଁ । ସକାଳୁଆ ନିଦ କୁଆଡେ ଗାଏବ ହେଇଗଲା ସାଗରଙ୍କର । ଅଳକାର ହାତକୁ ଧରି ନେଇ ଖଟ ଉପରେ ବସେଇଦେଇ ଟିକେ ମଲମ ଲଗେଇଦେଲେ । ତା ପରେ ଲାଗିପଡିଲେ ଅଳକାର ଦୈନନ୍ଦିନ କାମରେ । କେଉଁ ଗୋଟେ କାମ ଆସିବ ଯେ । ଝାଡୁ ତ ଦିନେ ଧରି ନାହାଁନ୍ତି । ଅଟା ଚକଟା ଫ୍ରିଜରେ ଅଛି ଯେ ରୁଟି କେମିତି ବେଲାଯାଏ ତାଙ୍କୁ ଜଣାନାହିଁ । ବୋଉକୁ ଆସି ସତୁରୀ ବର୍ଷ ହେଲାଣି । ସେ ଆଉ ରୋଷେଇ ଘରେ ପଶିବ ? ତଥାପି ବୋହୁର ଅବସ୍ଥା ଦେଖି ସିଏ କେବଳ ଫୁଲତୋଳା କାମଟିକୁ ଆଦେରେଇ ନେଇ ଫୁଲ ଡାଲାଟିକୁ ଧରି ବାଡିପଟକୁ ଚାଲିଗଲେ । ବାଡି କବାଟ ଖୋଲୁଖୋଲୁ କବାଟକୁ ଆଉଜା ହେଇଥିବା ବାଡି ଧଡାସ କରି ପଡିଲା ତାଙ୍କ ଗୋଡ ଉପରେ । ବାପାଲୋ ବୋଉଲୋ ବୋଲି ସ୍ୱାମୀଙ୍କ ଉପରେ ଗାଳି ବର୍ଷି ବର୍ଷି ସେଉଠୁ ଫେରି ଆସିଲେ । ଫୁଲ ତୋଳା ବାତିଲ । ବିନା ଫୁଲରେ ଠାକୁର ପୂଜା କରିବାକୁ ସାଗର ତାଗିଦ୍ କଲେ । ଆଡେ ସାଗରଙ୍କ ଅବସ୍ଥା ଦେଖି ଅଳକା ଖଟରୁ ଓହ୍ଲେଇ ଛୋଟେଇ ଛୋଟେଇ ନିଜ କାମ ଆରମ୍ଭ କଲା । ସାଗର ତାକୁ ସାହାଯ୍ୟ କଲେ । ଶାଶୁମା ସେଇଠି ବସି ନିଜର ରାଗ ସୁଝେଇଲେ ସବୁ ବାଡି ଉପରେ । ଏ ବୁଢା ଯୁଆଡେ ଗଲେ ସିଆଡୁ ଗୋଟେ ବାଡି କାଟିକି ଆଣିଲେ । ଲୋକ ଜଣେ , ବାଡି ଚାରିଟା । ଯେଉଁଠି ସିଧାସଳଖ ଡାଳଟେ ଦେଖିଲେ ତାକୁ କାଟିକି ଆଣି ଘରେ ଥୋଇଲେ । ଏମିତି ସବୁ ବଜର ବଜର ହେଇ ଗପୁଥାନ୍ତି ଶାଶୁମା । ତାଙ୍କର କଥାକୁ ଶୁଣିଲେ କାମ ଏପଟେ ବିଳମ୍ବ ହେବ । ତେଣୁ ଅଳକା ଓ ସାଗର ନିଜ ନିଜ କାମରେ ଲାଗିଥାନ୍ତି । ପିଲାମାନେ ଉଠିପଡିଲେଣି । ଶ୍ୱଶୁର ବି ଉଠିପଡିଲେଣି । ସମସ୍ତଙ୍କ କାମ ସାରି ପୁଣି ସେଇ ତରବର ହେଇ ଅଫିସ ବାହାରିଲା ଅଳକା । ସାଗର ସେଇ ଘଣ୍ଟାଏ ଦିଘଣ୍ଟା ସମବେଦନା ଦେଖେଇଦେଲେ ସିନା ପୁଣି ଆଉଥରେ ନିଜର ଗୁଣ ବାହାର କରି ଅଳକା ଉପରେ ବିରକ୍ତ ହେବା ଆରମ୍ଭ କରିଦେଲେ । ଅଳକା ତରବର ହେଇ ଅଧା ଖାଇବା ପାଖରୁ ଉଠି ହାତ ଧୋଇହେଇପଡି ଶାଢୀ ବଦଳି ଦୌଡିଯାଇ ଗାଡିରେ ବସିପଡିଲା । ଗାଡି ସେତେବେଳକୁ ଷ୍ଟାର୍ଟ ଉପରେ ଥାଏ । ଅଳକା ବସିଲା ମାନେ ଛୁଟିଲା । 

 


କେବଳ ସେଇ ଗୋଟିଏ ଦିନ ନୁହେଁ । ଏମିତି ଅନେକଥର ଏଇ ଘଟଣାର ପୁନରାବୃତ୍ତି ହେଇଛି । ସେଦିନ ନୂଆ ଟ୍ୟୁସନ ସାର୍ ଗୋଟେ ସାଗର ବହୁତ କଷ୍ଟରେ ଠିକ୍ କରି ଆସିଲେ । କଥା ହେଲା ପାଞ୍ଚଟା ବେଳକୁ ସାର୍ ଘରକୁ ଆସି ପୁଅଝିଅ ଦୁଇଜଣଙ୍କୁ ପଢେଇବେ । ପ୍ରଥମଦିନ ସାର୍ ଯେତେବେଳେ ଆସି ଡୋର ବେଲ୍ ମାରିଲେ ଝିଅ ଯାଇକି କବାଟ ଖୋଲିଲା । ସାରଙ୍କୁ ଡାକି ସୋଫା ଉପରେ ବସିବାକୁ କହିଲା ବେଳକୁ ସୋଫା ଉପରେ ଥୁଆ ହେଇଛି ସେଇ ଚିଜ । ବଙ୍କୁଲିବାଡି । ରାଗ ଆଉ ଲାଜରେ ଝିଅର ମୁହଁ ଜଳିଗଲା ଭଳିଆ ଲାଗିଲା । ସାର୍ ପଢେଇସାରି ଗଲାପରେ ଜେଜେଙ୍କ ଉପରେ ବହେ ବର୍ଷିଗଲା ନାତୁଣୀ । ଜେଜେ ନିଦାବିଷ୍ଣୁ । ତାଙ୍କର ହୋଲ ଅଛି ନା ଟୋଲ ଅଛି । କାହାରି କଥାକୁ ଖାତିର ନାଇଁ । 


ସେଦିନ ଘଟଣା ପରେ ପୁଣିଥରେ ଏକ ଦୁଃର୍ଘଟଣା ଘଟିଲା । ପୁଅ ସହିତ । ବାଲକୋନିରେ ଖେଳିବା ସମୟରେ ସେଇ ବାଡିକୁ ଝୁଣ୍ଟି ପଡିଲା ଯେ ଗୋଡ ମୋଡିହେଇ ଘରେ ପଡିରହିଲା ଆଠଦିନ । ସ୍କୁଲ ବନ୍ଦ । ସେଦିନ ସମସ୍ତେ ରାଗିଯାଇଥିଲେ । ଶାଶୁମା ବାଡିତକ ସବୁ ଏକାଠିକରି ନେଇ ଗ୍ୟାରେଜ ଘରେ ଥୋଇଦେଇ ଆସିଲେ । କେବଳ ଗୋଟିଏ ବାଡିକୁ ରଖି । ରାତିରେ ମୂଷାଚଢି ବାଡି ବିଡାକ ପଡିଲାସାଗର ନୂଆ କିଣିଥିବା କାର୍ ଉପରେ । ଏକାବେଳକେ ଏତେ ଗୁଡିଏ ବାଡି ପଡିବାରୁ ଗାଡି ଟିକେ ଚେପା ବି ହେଲା । ପୁଣି ଥରେ ସମସ୍ତେ ଗରଗର ହେଲେ । ବାଡିଗୁଡିକୁ ଫିଙ୍ଗି ବି ହେଉନି । ବାପାଙ୍କ ଭାବପ୍ରବଣତା ସବୁ ସେଥିରେ ଲାଖି ହେଇକି ଅଛି । ବହୁତ ସୌକ ତାଙ୍କର ସେଇ ବାଡିରେ । 


ବାପା ଯିବାର ଗୋଟେ ବର୍ଷ ହେଲାଣି । ତାଙ୍କ ସାଙ୍ଗରେ ତାଙ୍କ ବାଡି ସବୁ ଚିତାରେ ଜଳେଇ ଦିଆଗଲା । କେବଳ ଗୋଟିଏ ରଖିକି ବାପାଙ୍କ ସ୍ମୃତି ରୂପେ । ସେଦିନ ସାଗର ଓ ଅଳକାର ଅଫିସର ଜଣେ ଷ୍ଟାଙ୍କର ଝିଅ ବାହାଘର ଥିଲା । ସେମାନେ ସେଠିକୁ ଯିବାକୁ ନିହାତି ପଡିବ । ହେଲେ ଝିଅର ପରୀକ୍ଷା ମୁଣ୍ଡ ଉପରେ । ସେ ଯିବାକୁ ରାଜିହେଲାନି । ଏପଟେ ପୁଅର ଭୋଜି ଖାଇଯିବାକୁ ଜିଦି । ବାଧ୍ୟ ହେଇ ଝିଅକୁ ଘରେ ଏକୁଟିଆ ଛାଡିକି ଯିବାକୁ ପଡିଲା । ଶାଶୁମା ଗାଁକୁ ଯାଇଛନ୍ତି ଆଠଦିନ ହେଲାଣି । ଏପଟେ ଏକୁଟିଆ ନୂଆ ଘରଟି ଯେ ପାଖକୁ ପାଖ କେହି ପଡୋଶୀ ନାହାଁନ୍ତି । ଅଳକାର ମନ ଭାରି ବ୍ୟସ୍ତ ହେଉଛି । ଯିଏ ଯାହା ଭାବୁ ପଛେ ସେ ନ ଆସିବାର ଥିଲା ଏତେ ରାତିରେ ଝିଅଟାକୁ ଘରେ ଏକା ଛାଡିକି । ସେ ଖାଲି ତରବର କରୁଥାଏ ସାଗରଙ୍କୁ । ସେପଟେ ସାଗର ଅନ୍ଯ ଷ୍ଟାଫ୍ ମାନଙ୍କ ସହ ଗପ ଯୋଡି ଦେଇଥାନ୍ତି ତ ପୁଅ ଗୋଟେ ପରେ ଗୋଟେ ଆଇସକ୍ରିମ ଆଣି ଚାଟି ଚାଲୁଥାଏ । ଘରକୁ ଫେରୁଫେରୁ ରାତି ନଅଟା ହେଇଗଲା । ଡୋର୍ ବେଲ୍ ମାରୁମାରୁ ଝିଅ କବାଟ ଖୋଲି ଧଡାସ୍ କରି ତଳେ ପଡି କାନ୍ଦିଲା । "କ'ଣ ହେଇଛି"? ଝିଅକୁ ତଳୁ ଉଠେଇନେଇ ପଚାରିଲେ ଅଳକା । ସେତେବେଳକୁ ମନ ଭିତରେ ଅନେକ ଆଶଙ୍କା ଘର କରିଗଲାଣି । କୋହ ବନ୍ଦ କରି କହିଲା ଝିଅ "କିଏ ଜଣେ ଛାତ ଉପରୁ ଘରେ ପଶିଆସିଲା । ତା ମୁହଁ ଢଙ୍କା ହେଇଥିଲା । ତାକୁ ଅଟକେଇବାକୁ ପାଖରେ କିଛି ଅସ୍ତ୍ର ନଥିଲା । ଲୋକଟି ଆହୁରି ନିକଟତର ହେଉଥିଲା । ଝିଅ କିଛି ଉପାୟ ନପାଇ ଏ ରୁମରୁ ସେ ରୁମକୁ ଧାଉଁଥାଏ । ତା ପଛେ ପଛେ ସେ ଲୋକଟି । ବିକଳ ହେଇ ପାଟିକରୁଥାଏ ଝିଅ । ତା ପାଟିକୁ ବି ବନ୍ଦ କରିଦେଲା ସେ ପିଶାଚ । ଏତିକିବେଳେ କବାଟ କୋଣରେ ଥିବା ବଙ୍କୁଲି ବାଡିଟି ଧଡ୍ କରି ପଡିଲା । ଚଟ୍ କରି ଉଠେଇନେଇ ସେଇଥିରେ ପାହାରେ ଦେଲା ଝିଅ ସେ ଲୋକର ମୁଣ୍ଡକୁ । ନାକ ମୁଣ୍ଡ ଫାଟି ରକ୍ତ ଫସ୍ ଫସ୍ ହେଇ ବାହାରିଲା ଲୋକଟିର । ବିକଳରେ ଦୌଡି ପଳେଇଲା ସେଠୁ । ଝିଅର କଥା ଶୁଣି ଅବାକ୍ ହେଇ ଚାହିଁଥାନ୍ତି ସାଗର ଓ ଅଳକା । ଏଇ ବାଡିଟି ଯିଏ ଅନେକ ଥର ସମସ୍ତଙ୍କୁ ବିପଦରେ ପକେଇଛି ଶେଷରେ ତା କରାମତି ଦେଖେଇ ଏତେବଡ ବିପଦରୁ ରକ୍ଷା କରିବ କେହି କେବେ ଆଶା କରିନଥିଲେ । ଲାଗୁଥିଲା ବାପାଙ୍କ ଆତ୍ମା ଯେମିତି ଏବେବି ସେ ବାଡିକି ଜଗି ବସିଛନ୍ତି । 



Rate this content
Log in