'ବାଜି' ଲଗେଇ ଦେଲା ନିଜ ଜୀବନର ବାଜି
'ବାଜି' ଲଗେଇ ଦେଲା ନିଜ ଜୀବନର ବାଜି


ସେ କାହାକୁ ଡରିଲାନି, ସେ କାହା ଆଗେ ହାର ମଧ୍ୟ ମାନିଲାନି, କାହା ଆଗେ ମୁଣ୍ଡ ନୁଆଁଇଲାନି । ସେ କାହାକୁ ନ ଡରି ବନ୍ଧୁକ ଆଗରେ ଛାତି ପାତେଇ ଦେଲା ଏବଂ ସବୁ ଦିନ ପାଇଁ ଆଖି ବୁଜିଦେଲା । କିନ୍ତୁ ସେ ସବୁ କାହା ପାଇଁ କଲା ? ସେ ଏ ସବୁ କ’ଣ ପାଇଁ କଲା ?
ବାର ବର୍ଷର ବାଳକ ଜୀବନର ଅର୍ଥ କ’ଣ ବୁଝିବା ଆଗରୁ ନିଜ ଜୀବନର ବାଜି ଲଗେଇ ଦେଲା । ତା' ସାହସିକତାର ଗାଥା ସେ ଇତିହାସରେ ଲେଖି ଯାଇଛି ଏବଂ ସେଇ ଇତିହାସର ପୃଷ୍ଠା ଲେଉଟାଇଲେ ଲାଗେ ସତେ ଯେପରି 'କେତେ ମହାନ ସେ ବାଳକ' ଆଉ 'କେତେ ମହାନ ତା' ଚିନ୍ତା ଧାରା' ।
ଆଜିକାଲିର ଛୁଆ ଟିକେ ପଡି ଖଣ୍ଡିଆ ଖାବରା ହୋଇଗଲେ ତିନି ଦିନ ଯାକ କାନ୍ଦୁଛନ୍ତି, କିନ୍ତୁ ସେ ବିସ୍ମୟ ବାଳକ ଆମ ଦେଶ ପାଇଁ ଯାହା କରିଗଲା ସେଥି ପାଇଁ ଏଇ ହାତ କୋଟି କୋଟି ପ୍ରଣାମ କରୁଛି ।
ହଁ, ମୁଁ ସାହସୀ ବାଳକ 'ବାଜି ରାଉତ' କଥା କହୁଛି । ଗରିବ ନାଉ
ରିଆର ପୁଅ ହୋଇ ଦେଶର ଭଲ ପାଇଁ ଯାହା କରିଯାଇଛି ତାକୁ ଯେତେ ପ୍ରଶଂସା କଲେ ମଧ୍ୟ ସମୁଦ୍ରକୁ ଶଙ୍ଖେ ରୂପି ମନେ ହେବ । ନିଜେ ଥରେ ଭାବି ଏବଂ ବିଚାରି ଦେଖ, କଅଁଳ ବୟସରେ ନିଜ କଅଁଳ ଛାତିକୁ ବ୍ରିଟିଶଙ୍କ ଆଗରେ ପାତିଦେଇ ଆରପାରିକୁ ଚାଲିଗଲା । କିନ୍ତୁ ଆଜି କାଲିର ମଣିଷ ବିପଦରେ ପଡିଥିବା ମଣିଷଙ୍କୁ ଆଡ ଆଖିରେ ଟିକେ ଚାହୁଁନାହାନ୍ତି,ସାହାଯ୍ୟ କରିବା ତ’ ବହୁତ ଦୂରର କଥା ।
ସେ କାଳ କାଳକୁ ନାଁ କରିଗଲା ସତ, କିନ୍ତୁ ତଥାପି ଆଜି ସବୁ ଇତିହାସ ବହିର ପୃଷ୍ଠାରେ ତା ବୀରତ୍ୱର ଗାଥା କମ୍ପନ ସୃଷ୍ଟି କରୁନାହିଁ କି ଏମିତି ବହୁତ ଲୋକ ଅଛନ୍ତି ଯେ କି ସେ ବିସ୍ମୟ ବାଳକର ବଳିଦାନ ବିଷୟରେ ଜାଣିନାହାନ୍ତି । ଅଥଚ ଓଡ଼ିଶାରେ ଓଡ଼ିଆ ପିଲା ଏହି ବିଷୟରେ ଅଳ୍ପ ବହୁତ ଜାଣିଛନ୍ତି କିନ୍ତୁ ବାହାର ରାଇଜ ପିଲା ପଢ଼ୁଥିବା ବହିରେ ଏ ଗାଥା ପ୍ରକାଶ ପାଇନାହିଁ । କିନ୍ତୁ କାହିଁକି ? ଏ କଥା ଆମେ ସମସ୍ତେ ଜାଣିବା ଉଚିତ ନୁହେଁ କି ? ଏବଂ ଏଇ ବୀରର ଧ୍ୱନିଘରେ ଘରେ ଗୁଞ୍ଜି ଉଠିବା ଉଚିତ ନୁହେଁ କି ?