STORYMIRROR

ABADHOOT PANDA

Children Stories

3  

ABADHOOT PANDA

Children Stories

ଅତୃପ୍ତ ଆତ୍ମାର ଇଛାପୂର୍ଣ୍ଣ

ଅତୃପ୍ତ ଆତ୍ମାର ଇଛାପୂର୍ଣ୍ଣ

4 mins
252

     

ପ୍ରାୟ ଷାଠିଏ ବର୍ଷ ତଳେ ଏକଦା କଟକ ଜିଲ୍ଲାର ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଗୋଟିଏ ଗାଆଁରେ ଜଣେ ଭଦ୍ରଲୋକ ନିଜ ପରିବାର ସହ ଭଡ଼ାରେ ରହୁଥିଲେ l ମାଘ ମାସ l ରାତିରେ ଭଦ୍ରଲୋକ ପରିସ୍ରା କରିବାକୁ ବାଡ଼ି ପଟକୁ ଗଲେ l ରାତି ପ୍ରାୟ ଗୋଟାଏ l ରାସ୍ତାଘାଟ ଶୂନଶାନ l କେବଳ ମଝିରେ ମଝିରେ ବୁଲା କୁକୁରଙ୍କ ସ୍ୱର ଶୁଭୁଥାଏ l ଭଦ୍ରଲୋକ ପରିସ୍ରା ବସି ଥାନ୍ତି l ହଠାତ ପଛରୁ ତାଙ୍କ ପୋଷା କୁକୁରର ଭୋ ଭୋ ଶବ୍ଦରେ ସେ ଚମକି ପଡ଼ିଲେ l କୁକୁରଙ୍କ ଏକ ସ୍ୱତନ୍ତ୍ର ଗୁଣ, ଯେବେ କୌଣସି ଅଶରୀରୀ ଅର୍ଥାତ ପ୍ରେତାତ୍ମାର ଛାୟା ଦେଖନ୍ତି ସେବେ ସେମାନେ ଭୁକନ୍ତି l ସେଦିନ ସେଇଆ ହେଲା l ଭଦ୍ରଲୋକ ବାଡ଼ିରେ ଥିବା ଏକ ସାହାଡ଼ା ଗଛକୁ ଡେରି ହୋଇ ଜଣେ କେହି ଧଳା ଧୋତି ପିନ୍ଧି ଠିଆ ହୋଇ ଥିବାର ଲକ୍ଷ୍ୟ କଲେ l ସାହସ ନହାରି ସେଇ ଛାୟା ମୂର୍ତ୍ତି ସାମ୍ନାକୁ ଗଲେ ଓ ପ୍ରାୟ ଦୁଇ ମିଟର ଦୂରରେ ଠିଆ ହୋଇ ରହିଲେ l କାରଣ ତାଙ୍କର ପ୍ରେତତତ୍ତ୍ୱ ବିଷୟରେ ଜ୍ଞାନ ଥିଲା l ସେ ଜାଣିଥିଲେ ଯଦି ପ୍ରେତକୁ ଦେଖି ଡରିଯିବ ବା ପଛକୁ ଚାହିଁ ଫେରିଯିବି ତେବେ ନିଜ ରକ୍ତ ପାଣି ଫାଟି ହାର୍ଟ ଫେଲ ହୋଇଯିବ କିମ୍ବା ପ୍ରେତ ବେକ ମୋଡ଼ିଦେବ କିମ୍ବା ପେଲି ତଳେ ପକାଇ ଦେବ l କିଛି ସମୟ ପରେ ପ୍ରେତାତ୍ମାଟିକୁ ପଚାରିଲେ, " ଆପଣ କିଏ କାହିଁକି ଏଠି ଠିଆ ହୋଇଛନ୍ତି ଆଉ ଆପଣଙ୍କ ଉଦ୍ଦେଶ୍ୟ କଣ? କୁହନ୍ତୁ ମୋର ସାମର୍ଥ୍ୟ ଅନୁସାରେ ସାହାଯ୍ୟ କରିବି l " ଏ କଥା ଶୁଣିଲା ପରେ ପ୍ରେତଟି ଟିକେ ହଲଚଲ ହେଲା l ଗଛ ମୂଳକୁ ଛୁଇଁ ପୁଣି ଠିଆ ହେଇ ପଡ଼ିଲା l


ଏପରି ଦ୍ୱିବିଧା ମଧ୍ୟରେ ପ୍ରାୟ ଦଶ ମିନିଟ ବିତିଗଲା l ତାପରେ ଛାୟା ମୂର୍ତ୍ତିଟି କଥା କହିଲା, " ଆପଣ ଯେଉଁ ଘରେ ରହୁଛନ୍ତି ସେଇ ଘରର ମୁଁ ଘର ମାଲିକ l ମୋର ଚାରିଟା ଟ୍ରକ ଏବଂ ବିରାଟ ହୋଲସେଲ ଗୋଦାମ ଥିଲା l ଟ୍ରକ ପଥର ବୁହା କାମରେ ଲାଗୁଥିଲା ଆଉ ମୋ ଗୋଦାମରେ ଭଲ ବେପାର କାରବାର ଚାଲିଥିଲା l ମାସକୁ ମୋର ଏକ ଲକ୍ଷ ଟଙ୍କା ପାଖାପାଖି ଲାଭ ବାହାରୁ ଥିଲା l ସେଇ ଟଙ୍କାରେ ଘରଟିକୁ ବାଗେଇଲି ଓ ମୋର ଦୁଇ ପୁଅ ଆଉ ଗୋଟିଏ ଝିଅକୁ ପାଠ ପଢ଼ାଇ ମଣିଷ କଲି l ବିବାହ ବୟସ ଆସିବାରୁ ସମସ୍ତଙ୍କୁ ବାହା କରାଇ ଦେଲି l ଦୁଇଜଣ ପୁଅ ପୋଷ୍ଟ ଗ୍ରାଜୁଏଟ l ବଡ଼ ପୁଅ ମୋର ବ୍ୟବସାୟ ସମ୍ଭାଳିଲା ସାନ ପୁଅ ଭିଜିଲାନସ ଅଫିସର ହେଲା l କିନ୍ତୁ ଦଇବ ବିଡ଼ମ୍ବନା ମୋର ପୁଅ ଦୁଇ ଜଣ କୁସଙ୍ଗରେ ପଡ଼ି ମଦୁଆ ଆଉ ଯୁଆଡ଼ି ପାଲଟି ଗଲେ l ପାନ ବିଡ଼ି ଗଂଜେଇ ସିଗାରେଟ ଆଦି ମାଦକ ଦ୍ରବ୍ୟର ଦାସ ବନି ଗଲେ ll ଚାକିରୀ କ୍ଷେତ୍ରରେ ବିଶୃଙ୍ଖଳା ସୃଷ୍ଟି କଲେ l ହିତାକାଂକ୍ଷୀଙ୍କ ଉପଦେଶକୁ ଅମାନ୍ୟ କଲେ l ମୋର ଦୂର ଦୃଷ୍ଟି ଥିଲା l ଦୁଇ ବୋହୁଙ୍କ ନାଁ ରେ ସବୁ ଢିଅ ଓ ଚାଷ ଜମି କରିଦେଇଥିଲି l ତେଣୁ ମୋର ହୂରମତ ରହିଗଲା l ପୁଅମାନଙ୍କ ଏପରି ଚାଲି ଚଳନ ସକାଶେ କ୍ରମେ କ୍ରମେ ସେମାନଙ୍କ ଆୟ ତୁଳନାରେ ବ୍ୟୟ ବଢ଼ିଗଲା l ପଇସାର ମୂଲ୍ୟ ଜାଣି ପାରିଲେନି l ଅନେକ ବାର ବୁଝାଇବା ସତ୍ତ୍ୱେ ବଦଭ୍ୟାସ ଓ କୁସଙ୍ଗ ଛାଡ଼ି ପାରିଲେ ନାହିଁ l ମୋର ଇଛା ବିରୁଦ୍ଧରେ କାମକରି ଧନ ବିନର୍ବୟ କରିବାକୁ ଲାଗିଲେ l ଧାନ ଜମି ଦୁଇ ଏକର ବିକି ଦେଲେ l ବଞ୍ଚିଥିଲା ବେଳେ ମୋର ଏଇ ବାଡ଼ିର ହତା ଭିତରେ ଗୋଟିଏ ଛୋଟ ହନୁମାନଜୀଙ୍କ ମନ୍ଦିର ନିର୍ମାଣ କରିବାକୁ ଭାରି ଇଛା ଥିଲା l ସେଥିପାଇଁ ପୁଅ ମାନଙ୍କୁ ଲୁଚେଇ ପ୍ରାୟ କୋଡିଏ ଭରି ର ସୁନା ଅଳଙ୍କାର ଗୋଟିଏ ଲୁହା ବାକ୍ସ ଭିତରେ ଭର୍ତ୍ତି କରି ଏଇ ଗଛ ମୂଳେ ପୋତି ଦେଇଥିଲି ଯାହାକୁ ମୁଁ ଜଗି ରହିଛି l ଆପଣ ଯଦି ମୋର ଏତିକି ମନୋବାଞ୍ଛା ପୂର୍ଣ୍ଣ କରି ପାରିବେ ତେବେ ମୁଁ ଏହି ଅତୃପ୍ତ ପ୍ରେତ ଯୋନିରୁ ମୁକ୍ତି ପାଇ ପାରିବି l " ପ୍ରେତ ମୁହଁରୁ କଥା ନ ସରୁଣୁ ରୟତ ଭଦ୍ରବ୍ୟକ୍ତି ପଚାରିଲେ, " ଆଜ୍ଞା ଆପଣ କେମିତି ମଲେ ଟିକେ କୁହନ୍ତୁ l " ପ୍ରେତାତ୍ମା ଉତ୍ତର ଦେଲା, " ପୁଅମାନଙ୍କ ବ୍ୟଭିଚାର ମୋ ମନରେ ଭୀଷଣ ଆଘାତ ଦେଲା l ଫଳରେ ଉଚ୍ଚ ରକ୍ତଚାପ ବଢ଼ିଗଲା l ଔଷଧ ଖାଇଲି l ପୌଢ଼ ବୟସରେ ବଡ଼ ଝିଅ ଓ ସାନ ଝିଅ ଘରେ ରହି ଜୀବନ ବିତାଇଲି l ଶେଷରେ ଅଶୀ ବର୍ଷ ବୟସରେ ଉଚ୍ଚ ରକ୍ତ ଚାପରେ ମରିଗଲି l "


ସେଦିନ ଅମାବାସ୍ୟା ରାତି l ପ୍ରେତାତ୍ମା ଧୀର ସ୍ଥିର ଭାବେ ଠିଆ ହୋଇଥାଏ l ଭଦ୍ରବ୍ୟକ୍ତି ପୁଣି ପ୍ରଶ୍ନ କଲେ, " ଆଚ୍ଛା କୁହନ୍ତୁ ବର୍ତ୍ତମାନ କଣ କରିବି l " ଘର ମାଲିକ ଆତ୍ମା ପୁଣି କହିଲା, " ଆଜି ଠିକ ମୌକା ଅଛି l ଆମର ଅମାର ଘର ପାଖରେ ଷ୍ଟୋର ରୁମ ରେ ଗଇଁତି ଅଛି ଆଣନ୍ତୁ l ଟର୍ଚ୍ଚ ବି ଆଣିବେ l ମୋର ପାଦ ଯେଉଁଠି ଅଛି ସେଇ ଜାଗା ଖୋଳନ୍ତୁ l" ଆତ୍ମାର ଇଶାରା ଅନୁଯାୟୀ ଭଦ୍ରବ୍ୟକ୍ତି ସେଇଆ କଲେ l ସତକୁ ସତ ଗୋଟାଏ ଲୁହା ବାକ୍ସ ମିଳିଲା l ତାଲା ପଡ଼ିଥିଲା l ପ୍ରେତାତ୍ମା ଲହରୀତ ସ୍ୱରରେ କହିଲା , " ମୁଁ ମୋ କୋରଡ଼ ଭିତରକୁ ଯାଉଛି ଶୋଇବି l ବାକ୍ସକୁ ଘରକୁ ନେଇଯାଅ l ଭୁଲରେ ବି କାହାକୁ କହିବେନି l ଆମ ସାହି ଛକ ଉପରେ ଜଣେ ଭଲ ବଣିଆ ଅଛି l ତା ବାପ ମୋ ସାଙ୍ଗ ସେ ମଲାଣି l ତା ପାଖକୁ ନେଇଯାଇ ବିକିବା ବ୍ୟବସ୍ଥା କରନ୍ତୁ l ମନ୍ଦିର ଖର୍ଚ୍ଚ ବାଦ ଯାହା ବଳିବ ସବୁ ଆପଣ ରଖିବେ l " ଏତିକି ପରାମର୍ଶ ଦେଇ ଆତ୍ମା ସୁଉ..ଉ..... ଉ.... ଶବ୍ଦ କରି କୋରଡ଼ ଭିତରେ ପଶିଗଲା l "


ତହିଁ ଆର ଦିନ ସକାଳୁ ବଣିଆ ସାଙ୍ଗରେ କଟକ ଆସି ଭଦ୍ରବ୍ୟକ୍ତି ସବୁ ତକ ସୁନା ବିକିଦେଲେ l ସେଇ ଟଙ୍କାରେ ମନ୍ଦିର ତିଆରି କରାଇଲେ ଏବଂ ଦଶ ଜଣ ଦୁଃଖୀ ରଙ୍କିଙ୍କୁ ପେଟ ଭରା ଖାଇବାକୁ ଦେଲେ l ମନ୍ଦିର ପ୍ରତିଷ୍ଠା ଦିବସ ଖୁବ ଧୁମ ଧଡ଼ାକରେ ପାଳିଲେ l ରାତି ବାରଟା ପରେ ଅନ୍ନ ପ୍ରସାଦ ଓ ମାଟି ପାତ୍ର ରେ ଜଳ ଆଣି ପ୍ରେତାତ୍ମାକୁ ଗଛମୂଳେ ଅର୍ପଣ କଲେ l ହଠାତ ଏକ ସନ୍ତୁଷ୍ଟି ସୂଚକ ଶବ୍ଦ-- ଓଃ ଓ ଓଃ ଓ..... ଓ... ଓ... ଓଁ ଶାନ୍ତି.... ରୟତ ଭଦ୍ର ବ୍ୟକ୍ତିଙ୍କ କାନରେ ବାଜିଲା l ପୁଣି ସୁ.. ଉ.. ଉ... ଶବ୍ଦ କରି ଗଛ ଉପର ଦେଇ ଆକାଶ ଆଡ଼କୁ ଉଡ଼ିଗଲା ଏକ ଆଲୋକ ପିଣ୍ଡ l ଅର୍ଥାତ ଅତୃପ୍ତ ଆତ୍ମା ମୋକ୍ଷ ଲାଭ କରିପାରିଥିଲା l ଆଉ ମଧ୍ୟ ଉକ୍ତ ଭଦ୍ର ବ୍ୟକ୍ତି ଏକ ପୁଣ୍ୟ କର୍ମ ସମ୍ପାଦନ କରିଥିବାରୁ ଆତ୍ମିକ ଶାନ୍ତି ପାଇ ପାଇ ପାରିଲେ l ତାପରେ ପ୍ରେତଆତ୍ମାର ଶୁଭ ଦୃଷ୍ଟିରେ ସେ ସପରିବାରେ ଧନ ଜନ ଗୋପ ଲକ୍ଷ୍ମୀ ଲାଭ କରି ମହା ଆନନ୍ଦରେ କାଳାତିପାତ କଲେ l

( ସତ୍ୟ ତୁଣ୍ଡ ବାଇଦ ଉପରେ ସମ୍ପୂର୍ଣ୍ଣ ଆଧାରିତ ଯାହାକୁ ମୋ ବାପାଙ୍କ ପିଉସୀ ନାନୀଙ୍କ ମୁହଁରୁ ଶୁଣି ଥିଲି )

             ***************


Rate this content
Log in