The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

ପ୍ରଶାନ୍ତ କୁମାର ବେହେରା

Others

5.0  

ପ୍ରଶାନ୍ତ କୁମାର ବେହେରା

Others

ଅଷ୍ଟମଙ୍ଗଳା ( ଶେଷ ଭାଗ )

ଅଷ୍ଟମଙ୍ଗଳା ( ଶେଷ ଭାଗ )

5 mins
318



ସେଇ ଗଛ ମୂଳେ ମୋତେ ନିସ୍ତୁକ ମାଡ ହେଉଥିବା ବେଳେ ଆଉ ତିନି ଜଣ ଲୁଟେରା କାର୍ ପାଖରେ ଭୁଜାଲି ବାହାର କରି ସେ ଝିଅ ଜ୍ଵାଇଁଙ୍କୁ ଭୟଭିତ କରୁଥାନ୍ତି l ମାଡର ପ୍ରଭାବରେ ମୋ ପାଟିରୁ ଯେତେ ଯୋର୍ ରେ ଚିତ୍କାର ବାହାରୁଥାଏ ତେଣେ ସେତେ ଅଧିକ ସେ ସଦ୍ୟ ବିବାହିତା ଦମ୍ପତି ଡରୁଥାନ୍ତି l ମାଡ ମୁଁ ଖାଉଥାଏ କିନ୍ତୁ ସେ ମାଡର ପ୍ରଭାବ ସେ ଦୁଇଜଣଙ୍କ ଉପରେ ପଡୁଥାଏ l ଖାସ୍ ସେଇଥି ପାଇଁ ମୋତେ ଯେତେ ଯୋର୍ ରେ ସମ୍ଭବ ସେମାନେ ମାଡ ମାରୁଥାନ୍ତି l ଏ ଭିତରେ ମୋତେ ପୁଣି ଟାଣି ଟାଣି କାର୍ ପାଖକୁ ସେମାନେ ନେଇ ମୋ ମୁହଁକୁ ଶକ୍ତ ବିଧାଟେ ଦେଇ କହିଲେ , " ଶଳା ଚୁପ୍ ଚାପ୍ କାର୍ ଭିତରେ ବସ୍ " 

ମୁଁ ଜୀବନ ବିକଳରେ କାର୍ ଭିତରେ ବସି ପଡିଲି l ଯନ୍ତ୍ରଣାରେ ମୋ ମୁଣ୍ତ କାମ କରୁନଥାଏ l ଏବେ ୬ ଜଣ ଯାକ ପଛ ସିଟରେ ବସିଥିବା ଦୁଇ ଜଣଙ୍କୁ କହିଲେ , " ଯାହା ସବୁ ଅଛି ଶୀଘ୍ର ବାହାର କର l ନଚେତ୍ ପରିଣାମ ଖୁବ୍ ଭୟାବହ ହେବ l " 


ଏମାନଙ୍କ କଥାରେ ଉଭୟେ ସ୍ୱାମୀ ସ୍ତ୍ରୀ ବରଡାପତ୍ର ପରି ଥରୁଥିଲେ କିନ୍ତୁ ଚୁପ୍ ଚାପ୍ ହୋଇ ବସିଥିଲେ l ହଠାତ୍ ଝିଅଟି ବସିଥିବା ପାର୍ଶ୍ୱରୁ କାର୍ ଡୋର୍ ଖୋଲି ତାକୁ ରାସ୍ତା କଡକୁ ଜବରଦସ୍ତ ଭିଡିନେଲେ l ଝିଅଟି ବଡ ପାଟିରେ କାନ୍ଦି ଉଠି ସେମାନଙ୍କୁ ନେହୁରା ହେଉଥାଏ ଛାଡି ଦେବାକୁ l ଏଣେ ସ୍ୱାମୀଟି ତା ବେକରୁ ଚେନ୍, ହାତରୁ ଘଣ୍ଟା ଓ ଆଙ୍ଗୁଠିରୁ ମୁଦି କାଢି ସେମାନଙ୍କୁ ଦେବା ସଙ୍ଗେ ସଙ୍ଗେ କହିଲା, " ସବୁ ଜିନିଷ ପତ୍ର ନେଇଯାଅ କିନ୍ତୁ ତାଙ୍କୁ ଛାଡିଦିଅ l " 


ଝିଅଟି ଏବେ ଜୀବନ ବିକଳରେ ତା' ଦେହରେ ଥିବା ସବୁ ସୁନା ଜିନିଷ କାଢୁଥାଏ ଆଉ ତା' ସହିତ କଇଁ କଇଁ ହୋଇ କାନ୍ଦୁଥାଏ l ସେମାନେ ସବୁ ଜିନିଷ ପତ୍ର ନେବା ସହିତ ଝିଅର ଭ୍ୟାନିଟ୍ ବ୍ୟାଗ୍, ପୁଅର ମନିପର୍ସ ସହିତ ଉଭୟଙ୍କ ମୋବାଇଲ୍ ସେଟ୍ ନେଇଯିବା ସହିତ ମୋତେ ମୋ ମୋବାଇଲ୍ ମାଗିଲେ l ମୋ ମୋବାଇଲ୍ କୁ ମୁଁ କାର୍ ର ଗିଅର୍ ପାଖରେ ଥିବା ଖୋପରେ ରଖିଥିଲି l ମୁଁ କହିଲି ଦେଖନ୍ତୁ ମୋର ମୋବାଇଲ୍ ନାହିଁ ଆଉ ଠିକ୍ ସେଇ ସମୟରେ ଦୂରରୁ କଣ ଗୋଟେ ଗାଡିର ଲାଇଟ୍ ପଡିବାରୁ ସେମାନେ କହଲେ , " ଶଳା ଯା' ଏଠୁ ଶୀଘ୍ର ପଳା " ।


ଆଉ ତାଙ୍କ କଥା ମୁତାବକ ମୁଁ ଗାଡିରେ ଧଡାଧଡ୍ ଗିଅର୍ ପରେ ଗିଅର୍ ଚେଞ୍ଜ୍ କରି ଦୃତ ଗତିରେ ସୋମପୁର ଆଡକୁ ଗାଡି ଚଳାଇ ପଳାଇ ଆସିଲି l ଏମିତି ମାଡ ବସିଥାଏ ମୋ ଗୋଡ ହାତ ଠିକ୍ ସେ କାମ କରୁନଥାଏ l ତଳିପେଟରୁ ରହି ରହି ହୁବ୍କା ମାରିଲା ପରି ଯନ୍ତ୍ରଣା ବାହାରୁଥାଏ l କିଛି ବାଟ ଆସିଛି ହଠାତ୍ ପଛ ଆଡୁ ସେ ଝିଅଟି ଯୋର୍ ରେ କାନ୍ଦି ଉଠି କହିଲା , " ଭାଇ ତମକୁ ବହୁତ ମାରିଲେ ଆଉ ଆମର ସବୁ ସୁନା ଜିନିଷ ନେଇଗଲେ l" 


ମୋର ତ ସେତେବେଳକୁ ମାଡଖାଇ ଘାଇଲା ଅବସ୍ଥା l ତେଣୁ ଯେତେ ରାଗ ମନରେ ଥିଲା ସବୁ ଗୋଟେ ମୁହୂର୍ତ୍ତରେ ବାହାରି ଆସିଲା l ତାକୁ କହିଲି , " ଚୁପ୍ କର୍ , କହିଲା କଣ ନା ଭାଇ ? କାଇଁ ଯେତେବେଳେ କହୁଥିଲି କଟକ ବାଟ ଦେଇ ବୁଲି ଆସିବାକୁ ସେତେବେଳେ ଏଇ ଭାଇ କଥା ଖୁବ୍ ଗନ୍ଧେଇଲା l " 


ମୋ କଥାରେ ସେ ଚୁପ୍ ହୋଇ ଆଉ କିଛି ନକହିଲେ ବି ଗୁମୁରି ଗୁମୁରି କାନ୍ଦୁଥାଏ l କାନ୍ଦିବନି କେମିତି ଯେ, କେତେଭରି ସୁନା ଯାଇଛି ଆକଳନ କରିବା କାଠିକର ପାଠ l ବାପ ଘର, ଶାଶୁ ଘର, ବନ୍ଧୁ ବାନ୍ଧବ ଦେଇଥିବା ସବୁ ଜିନିଷ ସେଇ ପାଞ୍ଚ ମିନିଟ୍ ଭିତରେ ମାଲିକାନା ସତ୍ତ୍ବ ପରିବର୍ତ୍ତନ କରି ତା' ପାଖରୁ ଚାଲିଗଲେ l 


ମୁଣ୍ତ ଖର୍ଚକରି ଗାଡିକୁ ସିଧା ନେଇ ରଘୁନାଥପୁର ଥାନାରେ ପୁରାଇଲି l ସେ ପୁଅକୁ କହିଲି ଏତଲା ଦେବାକୁ l ସେତବେଳକୁ ରାତି ୧୨ ହେଲାଣି l ଥାନା ବାଲା ସେ ପୁଅ ଆଉ ଝିଅଠୁ ସବୁ ଶୁଣିବା ପରେ ଜଣେ ହଠାତ୍ କହିଲା ," ସବୁ ନାଟ ଏଇ ଡ୍ରାଇଭର୍ ର l ତାକୁ ଆଗ ହାଜତରେ ପୁରାଇ କିଛି ଉତ୍ତମ ମଧ୍ୟମ ଦେଇଦେଲେ ସବୁ ସତ ଉଗାଳି ପକାଇବ l" 


ସତ କହୁଛି ସାର୍ ସେ ପୋଲିସ୍ କଥା ଶୁଣି ମୋ ମୁଣ୍ତ ପୁରା ଘୁରିଗଲା l ବିନା କାରଣରେ ସେ ଲୁଟେରା ମାନଙ୍କ ଠାରୁ ବହେ ଛେଚା ଖାଇଲି ଆଉ ଏବେ ହାଜତରେ ପୁରାଇ ଏ ପୁଲିସ୍ ବାଲା ନିର୍ଧୁମ୍ ପିଟିବେ l କହିଲେଣି ମାନେ ନିଶ୍ଚୟ କାର୍ଯ୍ୟକାରୀ କରିବେ l ସେ ପୁଲିସ୍ ର କଥା ମୁତାବକ ଜଣେ ହାଜତ ଚାବି ଖୋଲିବା ଆରମ୍ଭ କଲା l ମୁଁ ପୁରା ଭୟରେ ଥରୁଥାଏ l ପୁଲିସ୍ ବାଲାଙ୍କ ନିୟମ ବୋଧେ ଆଗ ଗାଡି ଡ୍ରଇଭରକୁ ହିଁ ସନ୍ଦେହ କରିବା l ସେମାନେ ଭାବିଥିବେ ଏ ଡ୍ରାଇଭର୍ ଏତେ ସୁନା ଜିନିଷ ଦେଖି ନିଶ୍ଚିତ ତା' ସାଙ୍ଗ ସାଥୀଙ୍କୁ ଫୋନ୍ କରି କେତେବେଳେ କେଉଁବାଟ ଦେଇ ଫେରିବେ କହିଥିବ ଆଉ ସେଇ ହିସାବରେ ଏ ଲୁଟ୍ ହୋଇଛି l 


ଭୟରେ ମୋ ଗୋଡ ହାତ ସବୁ ଥରୁଥାଏ l ସେ ଲୁଟେରା ଗୁଡାକ ଅନ୍ଧାରରେ ମାଡ ମାରିଲେ ଏବେ ଏ ବର୍ଦ୍ଦିବାଲା ଆଲୁଅରେ ପିଟିବେ l କି ବେଳାରେ ଆଜି ଘରୁ ବାହାରିଥିଲି କେଜାଣି ? ଯେମିତି ଭଲ ଖାଇବାକୁ ମିଳିଲା ସେମିତି ମାଡ ବି ମିଳୁଛି l ଯେଉଁ ପୁଲିସ୍ ବାଲା ହାଜତ୍ ଚାବି ଖୋଲିଥିଲା ସେ ଏବେ ପାଟିକରି ମୋତେ କହିଲା, " ସେଠି କଣ ଜଡଟା ଭଳି ଠିଆ ହୋଇଛୁ ବେ l ହାଜତ ଭିତରକୁ ଆସୁଛୁ ନା ଦେଖିବୁ ଏବେ ? ପୁଲିସିଆ ପାହାର ବସିଗଲେ ସବୁ ମାନିବୁ ବୋଲି ବାଟ ପାଇବୁନି l " 


ବୁଝିଲେ ସାର୍ ମୁଁ ପିଲାବେଳୁ ଶୁଣିଥିଲି ଥାନା , ଭୁତଖାନା ଆଉ ଏବେ ଦେଖିଲି ସେ କଥା ଏକବାରେ ସତ l ହାତ ଯୋଡି ବଡ ବିକଳ ହୋଇ କହୁଥାଏ , " ସତ କହୁଛି ଆଜ୍ଞା , ମୁଁ କିଛି ଜାଣିନି l "


ମୋ ଅବସ୍ଥା ଦେଖି ସେ ଝିଅଟି ହଠାତ୍ କାନ୍ଦିଉଠି କହିଲା, " ନାଇଁ ସାର୍ , ଏ ଭାଇଙ୍କର କିଛି ଦୋଷ ନାହିଁ l ସେ ବରଂ କହୁଥିଲେ ଏତେ ଲେଟ୍ ହେଲାଣି ଆମେ ଏ ନିଛାଟିଆ ବାଟରେ ଯିବା ଠିକ୍ ହେବନି , କଟକ ବାଟେ ବୁଲିଗଲେ ଭଲ ହେବ l କିନ୍ତୁ ମୁଁ ତାଙ୍କୁ ବାଧ୍ୟକଲି ସେଇ କିଶୋରନଗର ବାଟେ ଆସିବା ପାଇଁ l" 


ତା କଥାରେ ସେ ପୁଲିସ୍ ର ମନ ତଥାପି ବୁଝିଲାନି l ମୋ ମୋବାଇଲ୍ ନେଇ ଚେକ୍ କଲା l ଦେଖିଲା କେବଳ ଗୋଟେ କଲ୍ ହୋଇଛି l ମୁଁ କହିଲି ସେଇ ସଂଧାରେ ଡେରିହେବ ବୋଲି ସ୍ତ୍ରୀକୁ ଫୋନ୍ କରି କହିଥିଲି l ସେ ନମ୍ୱରକୁ ଏବେ ଲାଉଡ୍ ସ୍ପିକର୍ ଦେଇ କଥା ହେବାକୁ କହିଲେ l ତାଙ୍କ କଥା ମୁତାବକ୍ ମୁଁ କଥାହେଲି ସ୍ତ୍ରୀ ସହିତ l ସେମାନେ ସବୁ ଶୁଣିବା ପରେ ନିଶ୍ଚିତ ହେଲେ ମୁଁ ସେ ଲୁଟ୍ ରେ ସମ୍ପୃକ୍ତ ନାହିଁ ବୋଲି l ସେଠୁ ଥାନାରୁ ଫେରି ରାତି ୨ଟା ରେ ଘରେ ପହଞ୍ଚିଲି l ଆଜିକି ସାର୍ ଦୁଇ ଦିନ ହେଲାଣି କିନ୍ତୁ ସେ ମାଡର ଦରଜ ଏଯାଏ ଯାଇନି l ସେଦିନ ସେ ଝିଅଟି ଯଦି ମୋ ପାଇଁ ସେତିକି କହିନଥାନ୍ତା ଆଜି ଗାଡି ଚଲାଇ ଆପଣଙ୍କ ସହିତ ଯାଇପାରିଵା ପ୍ରଶ୍ନ ଉଠୁନି ସାର୍ l


ମୁଁ ତା' କଥା ଶୁଣି ଭାବୁଥାଏ ଏ ଦେଶ ସ୍ୱାଧୀନତା ପାଇବାର ୭୨ ବର୍ଷ ପରେ ବି ଲୋକମାନେ ରାସ୍ତାରେ ନିରାପଦରେ ଯାଇ ପାରୁନାହାନ୍ତି l ସେଦିନ ସେ ଲୁଟେରା ମାନେ କେବଳ ଜିନିଷ ପତ୍ର ଲୁଟିନେଇ ଛାଡିଦେଲେ l ଆଉ କେଉଁଠି ତ ରାତି କଥା ଛାଡ ସ୍ପଷ୍ଟ ଦିବାଲୋକରେ ନାରୀକୁ ଉଠାଇ ନେଇ କୁକର୍ମ କରିବା ସହିତ ଜୀବନ ନେବାକୁ ମଧ୍ଯ ପଛାଉ ନାହାନ୍ତି l ଶିକ୍ଷିତ ବେକାରି ସଂଖ୍ଯା ଯେମିତି ଭାବରେ ବଢି ଚାଲିଛି ଆଗକୁ ଆଗକୁ ଏମିତି ଲୁଟ୍ , କୁକର୍ମ ଅଦି ବଢି ବଢି ଚାଲିବ ପଛେ କମିବାର ନାହିଁ l ଖବରକାଗଜରେ ପ୍ରାୟ ଏମିତି ନିଉଜ୍ ସବୁଦିନେ ବାହାରୁଛି l କେଜାଣି କେବେ ସେଦିନ ଆସିବ ଯେବେ ଗୋଟେ ନାରୀ ରାତି ୧୨ ଟାରେ ଏକୁଟିଆ ନିର୍ଭୟରେ ଯେକୌଣସି ସ୍ଥାନରେ ବୁଲି ପାରିବ ? ସତରେ ଯଦି ଏମିତି ସମ୍ଭବ ହୁଅନ୍ତା ଆମ ଭାରତ ରାମରାଜ୍ୟରେ ପରିଣତ ହୋଇଯାଆନ୍ତା l କେବଳ ସମୟକୁ ଅପେକ୍ଷା କରିବା ଛଡା ଅନ୍ୟକିଛି ଉପାୟ ନାହିଁ l



Rate this content
Log in