ଅନୁ
ଅନୁ
ଅନୁ
ଷ୍ଟଡିସେଣ୍ଟର ଦୁଆର ମୁହଁରେ ଦେଖା ହୋଇଗଲା ଅନୁପ୍ରୀତା ମୁଁ ପଢ଼ାଉଥିବା ସେକ୍ସନର ଝିଅଟିଏ।
ମର୍ନିଂ ମାମ୍।
ମର୍ନିଂ।
ମୁଁ ମାଷ୍ଟ୍ରିଆ ଭଙ୍ଗିରେ ତାକୁ ଦେଖି ପଚାରିଲି, ଆଜି କ୍ଳାସ କରିନ ତ ?
ନା ମାମ୍ ।
କାହିଁକି ?
ଇଚ୍ଛା ହେଲାନି ମାମ୍।
ଇଚ୍ଛା !
ହଁ ମାମ୍ ! ଘରେ ଟିକେ ପ୍ରୋବ୍ଲେମ ଚାଲିଛି ତ। ମନ ଭଲ ନାହିଁ। ସେଥିପାଇଁ ଏକା କିଛି ସମୟ ବିତେଇବା ପାଇଁ ଷ୍ଟଡି ସେଣ୍ଟର ପଳେଇ ଆସିଥିଲି।
ପ୍ରୋବ୍ଲେମ ?
ହଁ ମାମ୍ ଏଇ ପାପା ମାମା ଙ୍କ ତୁ ତୁ ମେ ମେ।
ତୁମର ଏବେ କ୍ଳାସ ଅଛି ?
ନା ମାମ୍।
ଠିକ୍ ଅଛି ମୋର ବି ଏବେ କ୍ଳାସ ନେବାର ନାହିଁ।ଚାଲ ବଟାନିକାଲ୍ ଗାର୍ଡେନରେ ଟିକେ ବସିବା।
ଓକେ ମାମ୍।
ଷ୍ଟଡି ସେଣ୍ଟର ପରିବର୍ତ୍ତେ ମୁଁ ଅନୁପ୍ରୀତାକୁ ନେଇ ବଟା ନିକାଲ୍ ଗାର୍ଡେନ ଗଲି।କାରଣ ଅନୁପ୍ରୀତା ମୁହଁରୁ ପଢି ପାରୁ ଥିଲି ତା କଅଁଳ ଭଙ୍ଗା ମନ କଥା।ସତର ବର୍ଷର ଛୁଆଟି। କେଉଁଠି ଟିକେ ଆଘାତ ଲାଗିଛି।ଝାଉଁଳି ପଡି ଶୁଖି ଯାଇଛି ତା ସତେଜ ମୁହଁ।ଛୁଆ ଗୁଡା ବି ନିଃସଙ୍ଗତା ଖୋଜିଲେଣି !! କେମିତି ହୋଇଛି ଆମ ଜୀବନ ଶୈଳୀ।କି ଜୀବନ ଜୀଇଁଛୁ ଆମେ ? କି ବାପା ମା ବୁଝି ପାରୁ ନାହାଁନ୍ତି ସେମାନଙ୍କ ବ୍ୟବହାର କି ପ୍ରଭାବ ପକାଉଛି ସେମାନଙ୍କ ପିଲା ଉପରେ ?
ଅନୁପ୍ରୀତା ଭିତରେ ମୁଁ ମୋ ନିଜ ଛାଇ ଦେଖିଲି।ଏଣୁ ତା ମନରେ ସକାରତ୍ମକ ଉର୍ଜା ସୃଷ୍ଟି ପାଇଁ ତା ସହ କିଛି କଥା ହେବା ଆବଶ୍ୟକ।
ବିଭିନ୍ନ ଫୁଲ ଫଳ ଓ ଔଷଧୀୟ ଗଛରେ ଭରପୁର ଆମ କଲେଜର ବଟାନିକାଲ୍ ଗାର୍ଡେନ। ନିଜକୁ କିଛି କ୍ଷଣ ହଜେଇ ହୁଏ ଏ ପରିବେଶରେ । କମନ ରୁମ୍ ରେ ବସି ଇଆଡୁ ସିଆଡୁ ଗପିବା ,କିମ୍ବା ଗପ ଶୁଣିବା ଅପେକ୍ଷା, ଲାଇବ୍ରେରୀ, ଷ୍ଟଡି କି ଏ ବଟାନିକାଲ ଗାର୍ଡେନ ମୋତେ ଅଧିକ ଖୁସି ଦିଅନ୍ତି।ଆଞ୍ଚଳ ଓ ମୁଁ ପ୍ରାୟତଃ ଏସବୁ ଜାଗାକୁ ଆସୁ।
ଅନୁପ୍ରୀତାକୁ ଟିକେ ରିଲାକ୍ସ କରିବାକୁ ହେବ।ନଚେତ ଏଇ ବୟସର ଛୁଆ ଘରୁ ନିଜକୁ ଦୁରେଇ ରଖିବା ପାଇଁ ଯେ କୌଣସି ଅସାଧୁ ପନ୍ଥା ଆପଣେଇ ନିଜ ଜୀବନ ନଷ୍ଟ କରି ଦିଅନ୍ତି।ଅବସାଦ ଗ୍ରସ୍ତ ଜୀବନ ଆଡକୁ ଠେଲି ହୋଇ ଯାଆନ୍ତି।ସେମାନଙ୍କୁ ଉପଯୁକ୍ତ ପରିବେଶ, ବନ୍ଧୁ ଓ ଗାଇଡ୍ ଦରକାର।
ପିଲାମାନଙ୍କ ସହ ପିଲା ହେବାରେ ମୋର ରେକର୍ଡ ଅଛି। ଖୁବ୍ ସହଜରେ ମିଶିଯାଏ ପିଲାଙ୍କ ସହ।ଅଣ ଲେଉଟା ପିଲାଦିନ କିନ୍ତୁ ଖୁବ୍ ଚମତ୍କାର ଅପାସୋରା ଦିନ।
ଅନୁ ! ସେଦିନ କ୍ଳାସରେ ତୁମେ ଚମତ୍କାର ଗୀତଟିଏ ବୋଲିଥିଲ। ତୁମେ ଗୀତ ଶିଖ କି ?
ନା ମାମ୍ ମୋ ପାପାଙ୍କ ଠାରୁ ଶିଖିଛି।
ଆରେ ବାଃ ତୁମ ପାପା କ'ଣ ଗୀତ ଗାଆନ୍ତି ?
ହଁ ପାପାଙ୍କର ଗୀତ ଗାଇବା ଏକ ସଉକ।ଟିକେ ଅଫିସ୍ କାମରୁ ଫୁରୁସତ ପାଇଲେ ହାର ମୋନିୟମ ଧରି ବସି ଯାଆନ୍ତି।ଏବେ ସେ ଦୁଇଟି ପିକ୍ଚର ପାଇଁ ଗୀତ ଲେଖି ନିଜେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।
ଚମତ୍କାର କବି ପୁଣି ନିର୍ଦ୍ଦେଶକ ! ମଲ୍ଟି ଟ୍ୟାଲେଣ୍ଟେଡ୍ ତୁମ ପାପା ।
ହଁ ମାମ୍ ମୋ ପାପା ଜଣେ ନାଁ କରା ଗୀତିକାର,କଣ୍ଠ ଶିଳ୍ପୀ ଓ ସଙ୍ଗୀତ ନିର୍ଦ୍ଦେଶକ।ଆପଣ ଜାଣିଥିବେ ସୁନୀଲ ଦାଶ।
ହଁ ହଁ ଜାଣିଛି ଓ ଦେଖିଛି ମଧ୍ୟ।ଖୁବ୍ ହ୍ୟାଣ୍ଡସମ୍ ଏବଂ ସୁନ୍ଦର କଣ୍ଠଶିଳ୍ପୀ ଭାବେ।
ସେଇ ହ୍ୟାଣ୍ଡସମ୍ ତ ଏବେ ମାମା ପାଇଁ କାଳ ହୋଇଛି।ପାପା ବ୍ୟାଙ୍କରେ ଜବ୍ କରନ୍ତି। ଛୁଟି ଦିନ ମାନଙ୍କରେ ସୁଟିଂ ସେଟ୍ କୁ ଯାଆନ୍ତି।ଏ ଫିଲ୍ମ ଲାଇନ୍ ର ଝିଅ ଗୁଡା ଖୁବ୍ କାଙ୍ଗାଳ।ସୁନ୍ଦର ପୁରୁଷ ଟିଏ ଦେଖିଲେ ପଡିଯିବେ ତାଙ୍କ ପଛରେ।
ମାମ୍ ଗୋଟେ କଥା ପଚାରିବି ?
ନିଶ୍ଚୟ।
ଝିଅ କି ପୁଅ ଏତେ ଶସ୍ତା ହୁଅନ୍ତି କାହିଁକି? କାହିଁକି ଅନ୍ୟ ମାନଙ୍କ ହସ ଖୁସିର ପରିବାର ଭାଙ୍ଗନ୍ତି ?
ଅନୁ ପ୍ରଶ୍ନ ଭିତରେ ମୋ ପ୍ରଶ୍ନ ବି ଥିଲା।ଏ ପ୍ରଶ୍ନ ଉତ୍ତର ମୁଁ ବି ପାଇ ନାହିଁ।କୋମକ କଅଁଳ ବୟସରେ ପ୍ରଶ୍ନ ନୁହେଁ ତ ଗୋଟେ ବମ୍ ଫିଙ୍ଗୁଛି ଅନୁ।ଅତି ପାଖରୁ କଅଁଳ ସକାଳ ଖରାରେ ତା ମନରେ ମଧ୍ୟାହ୍ନ ତାତି !
ଅନୁ ପିଲା ଲୋକ ବେଶୀ ଦୁନିଆଁକୁ ଚିହ୍ନିନି । କିନ୍ତୁ ମୁଁ ତ ଅଣତିରିଶି ବର୍ଷର ତରୁଣୀ। ମୁଁ କ'ଣ ସତରେ ଦୁନିଆଁକୁ ଚିହ୍ନି ପାରିଲି ! ସାଙ୍ଘାତିକ ଭାବେ ଠକି ଗଲି।
ଅନୁ ! ସବୁ ଝିଅ କି ସବୁ ପୁଅ ଏମିତି ନୁହଁନ୍ତି।ଆଦୌ ଭାଙ୍ଗନ୍ତିନି କାହା ଘର। ହଁ କିଛି ଅଛନ୍ତି ଏପରି କରିବାରେ। ତୁମେ ଏବେ ସେତେ ବଡ଼ ହୋଇନ ଏସବୁ ବୁଝିବାକୁ। ଏଇ ବୟସ ତୁମର ଏଣୁ ତେଣୁ କଥା ମୁଣ୍ଡରେ ଭରି ବାର ନୁହେଁ। ଏ ବୟସ କିଛି ହେବାର ପ୍ରସ୍ତୁତି ଶାଳ।ତୁମେ କେବଳ ମନ ଦେଇ ପଢ଼ ଓ ତୁମ ଭିତର ପ୍ରତିଭାକୁ ବିକଶିତ ହେବାକୁ ଦିଅ।ଲକ୍ଷ୍ୟ ସ୍ଥଳେ ପହଂଚିବା ପାଇଁ ଏକାଗ୍ରତା ସୃଷ୍ଟି କର।
ତୁମେ ବି ଭଲ ମଡ଼ର୍ଣ୍ଣ ଆର୍ଟ କରିପାର ତ ଅନୁ?
ଆଜ୍ଞା ମାମ୍। ମୋ ମାମା ଜଣେ ବେଷ୍ଟ୍ ଆର୍ଟିଷ୍ଟ।ନେସନାଲ୍ ଲେଭେଲରେ ଆୱାର୍ଡ ପାଇଛନ୍ତି।ଅରୁଣିତା ରାୟ ନାଁ ଶୁଣି ଥିବେ।
ବାଃ ତୁମେ ଦୁଇ ଦୁଇ ଜଣ ବିଶିଷ୍ଟ ପ୍ରତିଭା ଧାରୀଙ୍କ ଝିଅ।ଭାଗ୍ୟବାନ ତୁମେ ଅନୁ।
ହଁ ମାମ୍ ! ଭାଗ୍ୟବାନ ତ ନିଶ୍ଚୟ। କିନ୍ତୁ
ଅନୁ କଅଁଳ ଏଇ ଏଇ କଳିରୁ ପାଖୁଡା ମେଲି ଫୁଲ ହେବା ଅବସ୍ଥା ରାସ୍ତାରେ ଖୁସି ଖୋଜୁଛି। ଅଣନିଃଶ୍ଵାସୀ ହୋଇ ଯାଉଛି କୋମଳ ଜିଜ୍ଞାସା ତାର। ଅନେକ କିନ୍ତୁ ଘେରରେ ଚିତ୍କାର ଛାଡୁଛନ୍ତି ତା ମନ ହୃଦୟ ବିଦ୍ରୋହ କରି।ତାରା ଭର୍ତ୍ତୀ ଆକାଶେ ପ୍ରଶ୍ନ ଆକ୍ତା ମାକ୍ତା କରୁଛନ୍ତି ତାର ସମ୍ବେଦନଶୀଳ ଶିଉଳି ପୂର୍ଣ୍ଣ ବୟସ।
କିନ୍ତୁ କ'ଣ ଅନୁ ?
ଏବେ ଘରେ ଘରେ ପ୍ରତିଦିନ ମାମା ପାପାଙ୍କର ଝଗଡା। ସେମାନେ ପରସ୍ପରକୁ କାଦୁଅ ଫିଙ୍ଗା ଫିଙ୍ଗି ହୁଅନ୍ତି।ଦୋଷାରୋପ କରନ୍ତି ଉଭୟେ ଉଭୟଙ୍କୁ।ସନ୍ଦେହ ସେମାନଙ୍କ ମନ ଓ ଜୀବନକୁ କୋରୋନା ଭୁତାଣୁ ପରି ସଂକ୍ରମିତ ହୋଇ ଗଲାଣି।ଏ ମହାମାରୀ ରୁ ତାଙ୍କୁ କିଏ ରକ୍ଷା କରି ପାରିବ ମାମ୍ !
ଜାଣନ୍ତି ମାମ୍ !ମୋ ପାପା ମାମା ଲଭ୍ ମ୍ୟାରେଜ୍ କରିଥିଲେ। ଏଇ ଲଭ୍ ରୁ ଆସ୍ଥା, ବିଶ୍ୱାସ ଓ ଭରସା ସମୟ କ୍ରମେ ଲୋପ ପାଏ କାହିଁକି ?
ଲଭ୍ ମ୍ୟାରେଜ୍ ! ବାଃ ହଳେ ପ୍ରେମ ପକ୍ଷୀ ହୋଇଥିବେ।
ପ୍ରେମ କାହିଁ ସେମାନଙ୍କ ଭିତରେ ମାମ୍ ! ସବୁ ଶେଷ ହୋଇ ଯାଇଛି।ଅବଶିଷ୍ଟ ବଞ୍ଚିଛି କେବଳ ଅଶାନ୍ତି ,ଦୋଷାରୋପ।
ଅନୁପ୍ରୀତା ଅତି ମଞ୍ଜି ମଞ୍ଜି ପ୍ରଶ୍ନ ପଚାରୁଥିଲା। ଯାହାର ଉତ୍ତର ମୋ ପାଖେ ଆଦୌ ନଥିଲା। କେମିତି କହିବିରେ ଅନୁ ତୁମ ମାମ୍ ବି ସେଇ ସଙ୍କଟ ଦେଇ ଗତି କରୁଛି। ପ୍ରେମ, ବିଶ୍ୱାସ ଭରସା ଓ ଆସ୍ଥା ନାମକ ଚାରିଟି ଶବ୍ଦ ମୋ ପାଇଁ ଅଭିଧାନିକ ହୋଇ ରହି ଯାଉଛନ୍ତି।କେମିତି କହିବି ଆଜି ତୁମକୁ ରିଲାକ୍ସ ନୁହେଁ ମୁଁ ତୁମଦ୍ୱାର ନିଜକୁ ରିଲାକ୍ସ କରିବାକୁ ଚାହୁଁଛି।
ଅନୁ ! ଭଲ ପାଇବା ଯେଉଁଠି ପ୍ରବଳ ସେଠି ଅଭିମାନ ବି ସେତିକି ଅଧିକ। ଅଭିମାନ ଭିତରେ ସେମାନେ ଜାହିର କରନ୍ତି ପ୍ରେମ। ଜୀବନ ରେ ଏସବୁ ଅଛି ବୋଲି ତ ଜୀବନ ଆମକୁ ଖୁବ୍ ଲୋଭନୀୟ ଲାଗେ।
ପାପା ମାମା ବଡ଼ ବୋଲି ଯାହା ଇଚ୍ଛା ଚାହିଁବେ କରିବେ ? ଷ୍ଟାଣ୍ଡାର୍ଡ଼ ଦଶମ ପଢ଼ୁଥିବା ମୋ ଛୋଟ ଭାଇ ଅଭିମାନ ଏବେ ନଷ୍ଟ ପଥର ପଥିକ।ସେ କାଳେ ଖରାପ ପିଲାଙ୍କ ସହ ମିଶି ଡ୍ରିଙ୍କ କରିବା ଆରମ୍ଭ କଲାଣି।ଘର ଛାଡ଼ି ହଷ୍ଟେଲ ରେ ରହୁଛି। ମୋ ଅଭି ଭାରି ସେଣ୍ଟିମେଣ୍ଟାଲ। ପାପା ମାମା ଅନ୍ୟ ମାନଙ୍କ ସହ ଯେପରି ସମ୍ପର୍କ ଯୋଡୁଛନ୍ତି ତାହା ସେ ସହି ପାରୁନି।ପାପା ସୁଟିଂ ସେଟ୍ ରେ ମାମା ଆର୍ଟ ଗ୍ୟାଲେରିରେ ନିଜ ନିଜର ବନ୍ଧୁ ମାନଙ୍କ ସହ ଖୁଁ ମଜା ମସ୍ତି କରିବା ପେପର୍ ର୍ ବ୍ରେକିଙ୍ଗ ନିୟୁଜ ହୋଇ ଯାଉଛି।ଆମ ସାଙ୍ଗ ମାନେ ତୋ ପାପା ମାମା ଏମିତି କହି ହସୁଛନ୍ତି।ଯେଉଁଟା ଆମେ ସହି ପାରୁନୁ।
ଏମିତି ହୁଅନ୍ତା ନି ସେମାନେ ଆମକୁ ତେଜ୍ୟ ପୁତ୍ର କି କନ୍ୟା କରି ଦିଅନ୍ତେ।ଲକ୍ଷ ଲକ୍ଷ ଅନାଥ ପିଲାଙ୍କ ସଂଖ୍ୟାରେ ଆଉ ଦିଟା ଅଙ୍କ ବେଶୀ ହୋଇଯାଅନ୍ତା।
ଅନୁ ! ଲୋକଙ୍କ ମାନସିକତା ଖୁବ୍ ରୁଗ୍ଣ।ସେମାନେ ସତ୍ୟ କି ସିଦ୍ଧାନ୍ତ ଉପରେ ପର୍ଯ୍ୟବେକ୍ଷଣ କରନ୍ତି ନାହିଁ।ସେମାନଙ୍କର ଲକ୍ଷ୍ୟ ଅନ୍ୟକୁ ସମାଲୋଚନା କରିବା ଓ ଆଘାତ ଦେବା।ସୁଟିଂ ସେଟ୍ ହେଉ କି ଆର୍ଟ ଗ୍ୟାଲେରୀ ସେଠି ସାଥୀ ହୋଇ କାମ କରୁଥିବା ଦୁଇ ବିପରୀତ ଲିଙ୍ଗି ସହକର୍ମୀଙ୍କ ମଧ୍ୟରେ ଏକ କୁତ୍ସିତ ସମ୍ପର୍କ ନିହାତି ଥିବ ଏହାର କେତେ ସତ୍ୟତା ଅଛି? ବନ୍ଧୁତା କି ସହଭାଗିତା ବୋଲି ଦୁଇଟି ଶବ୍ଦ ବି ଅଭିଧାନରେ ଅଛି କି ନାଇଁ ?
ଲୋକଙ୍କ କଥାକୁ ଗୁରୁତ୍ୱ ଦିଅ ନାହିଁ ଅନୁ।ସାଧାରଣ ସ୍ତରରୁ ଉପରକୁ ଯେ କେହି ଉଠିଲେ ଲୋକେ ଏପରି କୁହନ୍ତି।
ଆଉ ରହିଲା ଗଣ ମାଧ୍ୟମ ପେପର୍ ,ଟିଭି କି ଭିନ୍ନ ଚ୍ୟାନେଲ କଥା।ସେମାନେ ବିଜିନେସ୍ କରନ୍ତି ଲୋକଙ୍କ ମାନସିକତା ସହ। ଚଟ୍ ପଟି ଖବର ନ ଦେଲେ ତାଙ୍କ ବେପାର ଚାଲିବ କେମିତି।ଅତି ଛୋଟ ଛୋଟ କଥାକୁ ସେ ଏପରି ବଡ଼ ଆକାରରେ ପରିବେଷଣ କରନ୍ତି
ଯେ ତାହା ବିସ୍ମୟ, ବିଭେଦ,ବିକାର ଓ ବିନାଶ ଆଡକୁ ନେଇ ଯାଏ ।
ଅନୁ ! ଗୋଟେ କଥା ମନେ ରଖିବ ବାହାର ଲୋକ କଣ କହୁଛନ୍ତି ବଡ଼ କଥା ନୁହେଁ।ନିଜ ଘର ଲୋକେ ବା ପିଲା ଛୁଆ କ'ଣ ଭାବୁଛନ୍ତି ସେଇଟା ବଡ଼ କଥା।ତୁମେ ତ ଟିକେ ବଡ଼ ହେଲଣି।ତୁମ ଭାଇ ଓ ତୁମେ ପାପା ମାମାଙ୍କୁ ବୁଝିବାକୁ ଚେଷ୍ଟା କର।ନିଜ କ୍ୟାରିଅର ଉପରେ ଧ୍ୟାନ କେନ୍ଦ୍ରୀଭୂତ କର।ଆଜେ ବାଜେ କଥା ମୁଣ୍ଡରୁ ବାହାର କରିଦିଅ।ବିରାଟ ଭବିଷ୍ୟତ ତୁମ ଆଗରେ।
ଆଛା ଏଥର ଯିବା ଚାଲ ଅନୁ। ମୋର କ୍ଲାସ୍ ନେବା ସମୟ ହୋଇଗଲାଣି।
ସ୍ନେହ ମମତା କାଙ୍ଗାଳ ଅନୁ ମୋତେ ଜାବୁଡି ଧରିଲା ଲବ୍ ୟୁ ମାମ୍ କହି।
ଲବ୍ ୟୁ ଠୁ ଡିଅର୍ କହି ଅନୁ ମଥାରେ ଚୁମା ଟିଏ ଦେଲି।
ଅନୁ ଆହୁରି ଜୋରେ ମୋତେ ଜାବୁଡି ଧରିଲା ଜାଵ ପକେଇ।