ଅନଶନ
ଅନଶନ
ବ୍ରହ୍ମାସ୍ତ୍ର ପ୍ରୟୋଗ କରିଥିଲେ ମୁଖ୍ୟମନ୍ତ୍ରୀ।
ଘଟଣାଚକ୍ରର କ୍ରମାଗତ ପରିବର୍ତ୍ତନ ଯୋଗୁଁ ସାଧାରଣ ଜନତା ଉତ୍ସୁକ ହୋଇ ଅନେଇଥିଲେ ଫଳାଫଳକୁ।
କୃଷିୠଣ ଛାଡ଼ ଦାବି ରେ କୃଷକ ସଂଘ ଓ ବିରୋଧୀ ଦଳ ଙ୍କ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା ଓ ପୋଲିସ ଗୁଳିରେ ଦୁଇଜଣ ପ୍ରଦର୍ଶନକାରୀ ପ୍ରାଣ ହରାଇ ଥିଲେ ।ସାରା ରାଜ୍ୟରେ ବ୍ୟାପିବାକୁ ଆରମ୍ଭ କରୁଥିଲା କୃଷକ ଆନ୍ଦୋଳନ।
ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଆମରଣ ଅନଶନ କଥା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ।
"ରାଜ୍ୟରେ ଯେ ପର୍ଯ୍ୟନ୍ତ ଶାନ୍ତି ନଫେରିଛି ଓ ଦୋଷୀଙ୍କୁ ଦଣ୍ଡ ନମିଳିଛି ଆମରଣ ଅନଶନ ଚାଲିବ।"ପାର୍ଟି କାର୍ଯ୍ୟାଳୟ ରେ ରୁଦ୍ଧ ଦ୍ବାର କୋଠରୀ ଭିତରେ ଏକ ଗୁରୁତ୍ୱ ପୂର୍ଣ ନିଷ୍ପତ୍ତି ନିଆ ଯାଇଥିଲା ଆନ୍ଦୋଳନକାରୀ ଓ ବିରୋଧୀଙ୍କୁ ହତ ବାକ କରିବା ପାଇଁ। ମୁଖ୍ୟମନ୍ତ୍ରୀ ନିଶ୍ଚିତ ଥିଲେ ନିଜ ବ୍ରହ୍ମାସ୍ତ୍ର ବିଷୟରେ , ବିରୋଧୀଙ୍କୁ ଭୁଆଁ ବୁଲାଇବା ପାଇଁ।
ଲୋକମାନେ ଫୁସୁର ଫାସର ହେଉଥିଲେ, " ଲୋକଦେଖାଣିଆ ଦୁଇ ,ଚାରି ଘଣ୍ଟା ଅନଶନ ହେବ, ତାପରେ ସମସ୍ତେ ନିଜ ବାଟରେ। ଇୟେ କଣ ଆନା ହଜାରେ ହୋଇଛନ୍ତି ଯେ, ସତରେ ଅଧିକ ସମୟ ଆମରଣ ଅନଶନ କରି ପାରିବେ ? ସହରର ମଧ୍ୟ ଭାଗରେ ଥିବା ପଡ଼ିଆରେ ସାମିଆନା ଟଣା ହୋଇଥିଲା।
ମିଡିଆଵାଲା ଜମା ହୋଇଥିଲେ,ଫଟ ଉଠୁଥିଲା ଓ ଅନଶନର ସିଧା ପ୍ରସାରଣ ଆରମ୍ଭ ହୋଇଯାଇଥିଲା।
ତେବେ ମୁଖ୍ୟ ଅନଶନକାରୀ ଙ୍କୁ ଦେଖି ସମସ୍ତେ ଆଶ୍ଚର୍ୟ ହୋଇଗଲେ। ମୁଖ୍ୟମନ୍ତ୍ରୀଙ୍କ ଗାଁ ର ଜଣେ ସାଧାରଣ ଯୁବକ, ସୁବାଷ ନାୟକ ଫୁଲମାଳ ପକାଇ ବସିଥିଲେ ଆମରଣ ଅନଶନ ରେ। ଦୁଇଦିନ ତଳେ ସୁବାସଙ୍କ ବାପା ଙ୍କୁ ହସ୍ପିଟାଲ ଆଣିଲାବେଳେ ,ଆନ୍ଦୋଳନକାରୀ ମାନେ ରାସ୍ତା ରୋକ କରିଥିବାରୁ ବିଳମ୍ଭ ହୋଇଥିବାର ଅଭିଯୋଗ ହୋଇଥିଲା ଓ ହସ୍ପିଟାଲରେ ସୁବାଷଙ୍କ ବାପାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଅବଶ୍ୟ ଘର ଲୋକ କେବଳ ଜାଣିଥିଲେ, ଘରେ ହିଁ ବୁଢ଼ା ମରିଥିଲେ ।
"ସାର୍, ଆମରଣ ଅନଶନ କେତେଦିନ ଚାଲିବ?" ରିପୋର୍ଟର ମାନେ ପ୍ରଶ୍ନ କରୁଥିଲେ। ସୁବାଷଙ୍କ ସହିତ ମଞ୍ଚ ଉପରେ ଉପସ୍ଥିତ ଥିବା ମୁଖ୍ୟମନ୍ତ୍ରୀ ମୌନ ବ୍ରତ ଧାରଣ କରିଥିବାରୁ, ଆଇନ ମନ୍ତ୍ରୀ କହିଲେ,"ଯେତେଦିନ ଯାଏଁ ବେଆଇନ ଆନ୍ଦୋଳନ ବନ୍ଦ ନହୋଇଛି,ସୁବାଷ ବାପାଙ୍କ ହତ୍ୟାକାରୀକୁ ଦଣ୍ଡ ନମିଳିଛି,ତଥା ଆନ୍ଦୋଳକାରୀ ଓ ବିରୋଧୀ ଦଳଙ୍କ ତରଫରୁ ଉପଯୁକ୍ତ କ୍ଷତିପୂରଣ ନମିଳିଛି ସୁବାଷ ଆମରଣ ଅନଶନ ଚାଲୁରଖିବ। ସୁବାଷକୁ ବି କ୍ୟାମେରା ଆଗରେ ମୁହଁ ନଖୋଲିବାକୁ ତାଗିଦ କରାଯାଇଥିଲା । ସେ ମଧ୍ୟ ମୌନ ବ୍ରତ କରିଛି ବୋଲି ମନ୍ତ୍ରୀ ସଫେଇ ଦେଉଥିଲେ। ସମସ୍ତେ ଆଶ୍ଚର୍ଯ୍ୟ ହେଲେ ଯେ ସରକାରଙ୍କ ବଦଳରେ ବିରୋଧୀ ଓ ଆନ୍ଦୋଳନାରୀ କେମିତି ଦେବେ କ୍ଷତିପୂରଣ ?
ସୁବାଷ କୁ କୁହାଯାଇଥିଲା ଦୁଇଦିନ ଓପାସରେ ବସିଲେ ପଚାଶ ଲକ୍ଷ କ୍ଷତିପୂରଣ ସହ ପଞ୍ଚାୟତ ନିର୍ବାଚନ ଟିକେଟ ତାକୁ ମିଳିବ। ରାଜି ହୋଇଥିଲା ସୁବାଷ। ସପ୍ତାହ ରେ ଓଳିଏ, ଦୁଇ ଓଳି ତ ସେ ଏମିତି ଓପାସରେ ରହେ, ଅନ୍ୟ ଗରିବଙ୍କ ଭଳି। ସୁବାଷ ବାପାଙ୍କ ମୃତ୍ୟୁ ପାଇଁ ଆନ୍ଦୋଳନକାରୀ ଓ ବିରୋଧୀ ଦଳ ଦାୟୀ ନୁହନ୍ତି, ବରଂ ସରକାର ମିଛରେ ଅପପ୍ରଚାର କରୁଛନ୍ତି ବୋଲି ସ୍ପଷ୍ଟୀକରଣ ଦେଉଥିଲେ ବିରୋଧୀ।
ଦୁଇଦିନ ବିତିଯାଇଥିଲା। ଭୋକ, ଶୋଷ ରେ ହଂସା ଉଡିଯାଉଥିଲା ସୁବାଷ ର। ସଂଧ୍ୟା ପରେ ମଞ୍ଚ ତଳେ ବସିଥିବା କର୍ମୀମାନେ ସୁସ୍ବାଦୁ ଖାଦ୍ୟ ପ୍ୟାକେଟ ଖାଉଥିବା ବେଳେ ପାଟିରୁ ଲାଳ ଗଡୁଥିଲା ତାର। କର୍ମକୁ ଆଦରି ଶୋଇଥିଲା ସୁବାଷ। ସ୍ବପ୍ନ ଦେଖୁଥିଲା ସୁବାଷ। ଗାଁ ସରପଞ୍ଚ ହୋଇଛି ସେ ଓ କୋଠା ତିଆରି କରିଛି।
ଅନଶନ ର ତୃତୀୟଦିନ। ସୁବାଷ ଶୋଇଯାଇଥିଲା ସବୁଦିନ ପାଇଁ। ଆନ୍ଦୋଳନ ଅବଶ୍ୟ ବନ୍ଦ ହୋଇଯାଇଥିଲା।ସମସ୍ତେ ସମବେଦନା ଜଣାଇ ଆହା, ଚୁ ଚା ହେଉଥିଲେ। ସରକାର ଏକ ଯାଞ୍ଚ କମିଶନ ତଥା ନିଜ ଗାଁ ରେ ସୁବାଷ ର ଏକ ପ୍ରତିମୂର୍ତ୍ତି ନିର୍ମାଣ ର ଘୋଷଣା କରିଥିଲେ।
