ଅଜା ଖେଳିଲେ ଚାଇନିଜ ଚେକର
ଅଜା ଖେଳିଲେ ଚାଇନିଜ ଚେକର


ଗୁପଲୁ ମୁଁହ ଶୁଖେଇକି ବସିଛି ଗୋଟିଏ କୋଣରେ I ଆଜି ଟି. ଭି. ଖରାପ ହୋଇ ଯାଇଛି ତେଣୁ ତାହାର ପସନ୍ଦର କାର୍ଟୁନ ଶୋ ଦେଖି ପାରିବନି I ଲକଡାଉନ ଥିବାରୁ ବାହାରକୁ କୁଆଡେ ଯିବାକୁ ମଧ୍ୟ ସମ୍ଭବ ହଉ ନାହିଁ I କେବଳ ସେତିକି ନୁହେଁ, ଆଜି ଘରେ ଅନ୍ୟ ସବୁ ପିଲା ମିଶିକି ଗୁପଲୁକୁ ବହୁତ ଚିଡେଇଛନ୍ତି ଆଉ କେରୋମ ଖେଳରୁ ବାହାର କରି ଦେଇଛନ୍ତି ଯେହେତୁ ସେମାନେ ଆଗରୁ ଚାରି ଜଣ ହୋଇଗଲେ I ଗୁପଲୁ ଆଉ ତାହାର ଭଉଣୀ କିଛି ଦିନ ପାଇଁ ମାମୁଁ ଘରକୁ ଆସିଥିଲେ, ଲକଡାଉନ ହେବାରୁ ଗାଆଁରେ ରହି ଯାଇଛନ୍ତି I ମାମୁଁ ଘର ଗାଆଁରେ ଆଉ ତାହାର ତିନି ଜଣ ମାମୁଁ ଏବେ ମଧ୍ୟ ଏକାଠି ରହୁଛନ୍ତି I ତେଣୁ ବହୁତ ଜଣ ସାଙ୍ଗ ସାଥି ମିଳିଗଲେ ଗୁପଲୁକୁ । କିନ୍ତୁ ଆଜି ଗୁପଲୁର ଦୁଃଖ ଶୁଣିବାକୁ କେହି ନାହିଁ ।ମାଆ, ଆଈ, ମାମୁଁ, ମାଈଁ ସମସ୍ତେ କାମରେ ବ୍ୟସ୍ତ ।
କିଛି ଭାବି ପାରୁ ନଥାଏ ଗୁପଲୁ I ଏତିକି ବେଳେ ଅଜା ତାକୁ ଏକୁଟିଆ ଦେଖିକି ବସିଗଲେ ତାହା ପାଖରେ I ଅଜା ବହୁତ କିଛି ବୁଝି ଯାଆନ୍ତି କିଛି ନ କହିଲେ ମଧ୍ୟ I ନିଜର ପଲଙ୍କ ତଳୁ ଗୋଟିଏ ବକ୍ସ ବାହର କରି ଅଜା ଥୋଇ ଦେଲେ ଗୁପଲୁ ଆଗରେ I ଗୁପଲୁ ଦେଖିଲା ତାରା ଆକାରରେ ଗୋଟିଏ ବୋର୍ଡ ଉପରେ ବହୁତ ସବୁ ଛୋଟ ଛୋଟ ଛେଦ ହୋଇଛି ଏବଂ ମଣିଷ ଭଳି ଦେଖା ଯାଉଥିବା ଛୋଟ ଆକାରର ଅନେକ ଗୁଡିଏ ଗୋଟି ଅଛି I
"ଏହି ଖେଳ ତ ତୁ ଖେଳି ନ ଥିବୁ କେବେ?" ଅଜା ପଚାରିଲେ ।
ମୁଣ୍ଡ ହଲେଇ ମନା କଲା ଗୁପଲୁ ।ଅଜା ବୁଝେଇ ଦେଲେ ସେହି ଖେଳର ନାଆଁ 'ଚାଇନିଜ ଚେକର' ଆଉ ବୁଝେଇ ଦେଲେ କେମିତି ଖେଳ ଯାଏ କେମିତି ଖେଳ ଯାଏ I ତା ପରେ ଗୁପଲୁ ସହିତ ବସି ଖେଳିବାକୁ ଲାଗିଲେ I ଗୁପଲୁ ଦେଖିଲା ସେଥିରେ ଏକା ଥରକରେ ଦୁଇରୁ ଛଅ ଜଣ ପର୍ଯ୍ୟନ୍ତ ଖେଳି ପାରିବେ ଯେତେବେଳ କି କେରୋମରେ ମାତ୍ର ଚାରି ଜଣ ବସିକି ଖେଳି ପାରୁଥିଲେ I ଯେତେବେଳେ ଜଣେ ଖେଲାଳିର ଗୋଟି ସବୁ ସମ୍ମୁଖରେ ବସିଥିବା ଖେଳାଳୀର ପାଖରେ ପହଞ୍ଚି ଯାଇଥାଆନ୍ତି ସେତେ ବେଳେ ଖେଳାଳି ଜିତିଯାଏ ।ଅଜା ପୂର୍ବରୁ ସୈନିକ ଥିଲେ, ତେଣୁ ଖେଳ ସହ ବହୁତ ପୁରୁଣା କାହାଣୀ ମଧ୍ୟ ଶୁଣେଇଲେ ଗୁପଲୁକୁ ।ବହୁତ ମଜା ଲାଗୁଥିଲା ଗୁପଲୁକୁ ସବୁ କାହାଣୀ ଗୁଡାକ I କହୁ କହୁ ଅଜା ଶୁଣେଇ ଦେଲେ ଜଣେ ବୀର ସୈନିକର କଥା ଯିଏ ଏକା ବହୁତ ଜଣ ଶତ୍ରୁକୁ ଅଟକେଇ ଦେଇଥିଲା ଆଉ ଭାରତକୁ ପ୍ରବେଶ କରିବାକୁ ଦେଇ ନଥିଲା ।
"କିନ୍ତୁ ଜଣେ ସୈନିକ ଏତେ ଜଣକୁ କିପରି ଅଟକେଇଲା?" ପଚାରିଲା ଗୁପଲୁ ।
"ଗୋଠକୁ ସାମ୍ନା କରିବାର ସାହସ ଥିଲେ, ମଣିଷ ଯେ କୌଣସି ଯୁଦ୍ଧରେ ଜିତି ପାରିବ I ସଂଖ୍ୟା ବଡ ନୁହଁ, ସାହସ ଆଉ ଦୂରଦୃଷ୍ଟି ଦରକାର ଯୁଦ୍ଧରେ ଜିତିବା ଲାଗି, " ଜେଜେ କହିଲେ I
ଗୁପଲୁ ସହମତିରେ ମୁଣ୍ଡ ହଲେଇଲା ।
"ଏହା ବ୍ୟତୀତ, ସୈନିକ ଜଣକ ଜାଣିଥିଲା ସିଏ ସିନା ଏକୁଟିଆ ଥିଲା, କିନ୍ତୁ ତାହା ପଛରେ ଥିଲା ସମଗ୍ର ଦେଶର ସବୁ ଦେଶବାସୀଙ୍କର ଶୁଭେଚ୍ଛା I ତେଣୁ ଦେଶକୁ ବିପଦ ଆସିଲେ ସମସ୍ତେ ମିଳି ମିଶି ଲଢ଼ିବାକୁ ହୁଏ I ମିଳି ମିଶି ଚଳିଲେ ଦେଶ ମଜବୁତ ହୁଏ," ଅଜା କହିଲେ ।
ନିଜର ଗୋଟିଏ ଗୋଟିକୁ ନେଇ ଗୁପୂଲୁ ପହଁଚେଇଦେଲା ବିପରୀତ ଦିଗରେ, ଅଜାଙ୍କର ବହୁତ ଗୋଟି ଉପରେ ପାର କରି ।ଖୁସି ହୋଇ ଅଜା ଥାପୁଡ଼େଇ ଦେଲେ ତାହାର ପିଠିକୁ ଆଉ କହିଲେ, " ଦେଖିଲୁ କେମିତି ତୋର ସୈନିକ ପାର ହେଇଗଲା ସବୁକୁ ସୈନିକଙ୍କୁ ଡ଼େଇଁକି !”
"ହଁ ଏଥର ଏ ଖେଳ ବସିକି ଆମେ ସବୁ ପାଞ୍ଚ ଜଣ ଖେଳିବୁ ଆଉ ଆପଣ ମଧ୍ୟ! ଏବେ ତ କହିଲ ସମସ୍ତେ ମିଳି ମିଶି ରହିଲେ ଦେଶ ମଜ଼ବୁତ ହେବ !" ଅଜା ଥାପୁଡ଼େଇ ଦେଲେ ଗୁପଲୁର ପିଠିକୁ ।