ଅହିରାଣୀର ବଦଲା
ଅହିରାଣୀର ବଦଲା
ଗୋଟିଏ ଘଞ୍ଚ ଜଙ୍ଗଲରେ ଗୋଟିଏ ମାଈ ଅହିରାଜ ସାପ ରହିଥାଏ l ସେ ପାହାଡ଼ ଖୋଲ ଭିତରେ ପିଲାଛୁଆ ସାଙ୍ଗରେ ଆନନ୍ଦରେ ଜୀବନ ବିତାଉ ଥାଏ l ଭୋକ ଲାଗିଲେ ଶୀକାର କରିବାକୁ ଜଙ୍ଗଲ ଭିତରକୁ ଦୂର ବାଟ ଯାଏ l ଶିକାର କରି ଟିକେ ଶୋଇ ପେଟକୁ ହାଲୁକା କରି ଝରଣାରୁ ପାଣି ପିଇ ପାହାଡ଼କୁ ଫେରିଆସେ l ତାର ମନ ଭିତରେ ସବୁବେଳେ ଦୁଃଖ ରହିଥାଏ l କାରଣ ଶିକାରୀ ଗୁଳି ମାଡ଼ରେ ତାର ସ୍ୱାମୀ ମରି ଯାଇଥିଲା ବର୍ଷେ ପୂର୍ବରୁ l ତେଣୁ ସେ ସବୁବେଳେ ପ୍ରତିଶୋଧ ନବାକୁ ସୁଯୋଗ ଉଣ୍ଡୁ ଥାଏ l ତାର ସ୍ୱାମୀ ମଲା ଦିନ ଠାରୁ ମଣିଷ ଜାତି ଉପରେ ତାର ଭୀଷଣ ରାଗ l ଯେହେତୁ ସେମାନେ ତାଙ୍କ ରାଇଜରେ ପଶି ତାଙ୍କ ଜଙ୍ଗଲ ନଷ୍ଟ କରି ଜୀବ ଜନ୍ତୁ ମାରି ନେଇ ଯାଉଛନ୍ତି ଓ ତାଙ୍କ ପାଇଁ ଖାଦ୍ୟ ଅଭାବ କରୁଛନ୍ତି l ସେ ଝରଣାରୁ ପାଣି ପିଇଲା ବେଳେ ଏଣେ ତେଣେ ଭାବିଚିନ୍ତି ଚାହେଁ କାଳେ ଗୋଟାଏ ମଣିଷ ଦେଖା ମିଳିଯିବ l ଆଉ ସେ ତାକୁ ଗିଳି ସ୍ୱାମୀ ହତ୍ୟାର ବଦଲା ନବ l କିନ୍ତୁ କେବେ ବି ଦେଖା ମିଳେନି l
ଏମିତି ଆହୁରି ବର୍ଷେ ବିତିଗଲା l ଦିନେ ପାହାଡ଼ ପାଖ ଝରଣାରୁ ପାଣି ପିଇଲା ବେଳେ ଗୋଟାଏ ଘଡ଼ ଘଡ଼ ଶବ୍ଦ ଶୁଭିଲା l ପାଣି ପିଆ ଛାଡ଼ି ଝରଣା କୂଳରେ ଥିବା ଗୋଟାଏ ଗହଳିଆ ବୁଦା ଭିତରକୁ ପଶି ତିନି ଫୁଟିଆ ଫଣା ଟେକି ଆଖି ତରାଟି ଜିଭ ହଲ ହଲ କରି ଶବ୍ଦ ଆସୁଥିବା ଆଡ଼କୁ ଲକ୍ଷ୍ୟ କଲା l ଘଞ୍ଚ ଗଛ ଲତା ସେପାଖରେ ଏକ ଜିପ ଗାଡ଼ି ଆସି ଗୋଟାଏ ପିଆଶାଳ ଗଛ ବଣ ପାଖରେ ଅଟକିଲା l ଗାଡ଼ିରୁ ଚାରି ଜଣ ଲୋକ ଓହ୍ଲାଇ ମେସିନ ଦ୍ଵାରା ଗଛ କାଟିବାକୁ ଆରମ୍ଭ କଲେ l ଗଛର ଗଣ୍ଡିକୁ ଛୋଟ ଛୋଟ ଖଣ୍ତ କରି ମେସିନରେ କାଟି ଜିପ ଡାଲାରେ ଭର୍ତ୍ତି କଲେ l ସାପ ଏସବୁ ଦେଖୁଥାଏ ଓ ଧୈର୍ଯ୍ୟ ରଖି ଅପେକ୍ଷା କରିଥାଏ l କିଛି ସମୟ ପରେ ଲୋକମାନେ ଘରୁ ଆଣିଥିବା ଜଳଖିଆ ଖାଇ ପାଣି ପିଇଲେ l ଗ୍ରୀଷ୍ମଋତୁର ଖରାଛାଇ ଲେଉଟିଲା ଆଉ ସାପ ଆସ୍ତେ ଆସ୍ତେ କଟା ଗଛ ପାଖକୁ ଆଗେଇଲା l ଗଛ କଟାଳିମାନେ ଗୋଟାଏ ଶାଳ ଗଛ ତଳେ ଦରି ବିଛେଇ ଶୋଇଥାନ୍ତି l ସାପଟି ଗଛକୁ ଗଛ ଉପରେ ଉପରେ ଯାଇ ତାର ବଡ଼ ପାଟିଟାକୁ ମେଲା କରି ଗଛ ଡାଳରେ ତା ଲାଞ୍ଜ ଗୁଡ଼ାଇ ତଳକୁ ଝୁଲି ରହିଲା l ଚାରିଜଣଙ୍କ ମଧ୍ୟରୁ ଜଣେ ସେଇ ଗଛ ମୂଳେ ଡେରି ହେଇ ବସି ଘୁମେଇ ପଡ଼ି ଥାଏ l ତାର ମୁଣ୍ଡଟି ସାପ ମୁହଁ ପାଖରୁ ପ୍ରାୟ ଗୋଟେ ମିଟର ଦୂରରେ l ସାପକୁ ସୁବର୍ଣ୍ଣ ସୁଯୋଗ ମିଳିଗଲା l ବିରାଡ଼ି କପାଳକୁ ଶିକା ଛିଣ୍ଡିଗଲା ପରି ସାପ ମନ ଏତେ ଦିନ ପରେ ଭାରି ଖୁସି l ତାର ଆଖି ଡୋଳାରେ ଶିକାରୀ ଛବି ଓ ମନ ଭିତରେ ସ୍ୱାମୀର ମଲା ଦେହର ସୁକୁ ସୁକୁ ଚେହେରା ତାକୁ ବ୍ୟସ୍ତ କରି ପକଉ ଥାଏ l ବଦଲା ନବାକୁ ତା ମନ ଲକ ପକ ହଉଥାଏ l ଆଉ ଡେରି ନକରି ଠପାକ କରି ସେଇ ଗଛ ମୂଳିଆ ମଣିଷର ମୁଣ୍ଡକୁ ପାଟିରେ ପୁରେଇ ଗଛ ଉପରକୁ ଟେକି ଆଣିଲା l ବାକି ତିନିଜଣ ଦରିଉପରେ ଶୋଇ ଘୁଙ୍ଗୁଡ଼ି ମାରୁଥାନ୍ତି l ସାପ ଖୁବ ଚୁପ ଚାପ କିଛି ଶବ୍ଦ ନକରି ଲଗାଲଗି ହେଇ ଠିଆ ହୋଇଥିବା ଝଙ୍କାଳିଆ ଶାଳ ଗଛ ଉପରେ ଉପରେ ଆଣି ଝରଣା କୂଳେ ଗିଳିବାଳୁ ଲାଗିଲା l ଏଣେ ବାକି ତିନି ଜଣ ଆଖି ମଳି ନିଦରୁ ଉଠି ଜଣେ ସାଥୀକୁ ନପାଇ ଏଣେ ତେଣେ ଖୋଜି ନପାଇ ବିକଳରେ ବଡ଼ ପାଟିରେ ଡାକି ବାକୁ ଲାଗିଲେ l କିନ୍ତୁ କିଛି ଲାଭ ହେଲାନି l କେବଳ ସାଥୀର ବୁଟ୍ ହଳେ ଆଉ ତାର କୁର୍ତ୍ତା ଗଞ୍ଜି ଗାଡ଼ିରେ ନଦି ଘରକୁ ଫେରି ଗଲେ l ତେଣେ ଅହିରାଣୀ ମଣିଷଟିକୁ ପୁରା ଗିଳି ସାରି ଝରଣା ପାଣି ପିଇ ପାହାଡ଼ ଉପରକୁ ଆସ୍ତେ ଆସ୍ତେ ବଙ୍କେଇ ଟଙ୍କେଇ ଉଠିବାକୁ ଚେଷ୍ଟା କଲା କାରଣ ତା ପେଟ ଭାରି ହେଇ ଯାଇଥାଏ l
ଜଣେ ଆଦିବାସୀ ଜଙ୍ଗଲୀ ଲୋକ ଜାଳେଣି କାଠ ନବାକୁ ସକାଳୁ ଆସି ଥିଲା l ସେହି ଲୋକ ଏଇ ଘଟଣାକୁ ସବୁ ଦେଖୁଥିଲା ଲୋକଙ୍କର ଗଛ ହଣା, ଖାଇବା ପିଇବା ଓ ସାପ ଟେକି ନବା ଦୃଶ୍ୟ ବୁଦା ଉହାଡ଼ରେ ଲୁଚି କି ବସି l ସେହି ସହରୀ କାଠୁରିଆ ବାବୁମାନେ ଗଲା ପରେ ସେ ତାଙ୍କ ଜଙ୍ଗଲ ଦେବୀଙ୍କୁ ନିଜ ଭାଷାରେ ପ୍ରାର୍ଥନା କରି କହିଲା, " ହେ ମାଆ ମୋତିଆଲମା ତୋତେ କୋଟି କୋଟି ଦଣ୍ଡବତ l ସେହି ସହରିଆ ବାବୁଗୁଡ଼ାଙ୍କୁ ତୁ ଆଜି ଉଚିତ ଶିକ୍ଷା ଦେଲୁ l ଆଉ ଆମ ଆଦିବାସୀମାନଙ୍କ ଇଜ୍ଜତ ରଖିଲୁ l ସେହି ସହରୀ ଲୋକଗୁଡ଼ାକ ଆମ ଜଙ୍ଗଲ ଭିତରେ ଜବରଦସ୍ତି ପଶି ଗଛ ଲତା କାଟି ନିରୀହ ପଶୁ ପକ୍ଷୀ ଗୁଡ଼ାକୁ ଜୀବନରୁ ମାରି ନେଇ ଯାଉଛନ୍ତି l ତୁ ମାଆ ମୋର l ତୋର ଚମତ୍କାର କାମ ଦେଖି ମୁଁ ଆଜି ଭାରି ଖୁସି l ଘରକୁ ଗଲେ କାଲି ସକାଳେ ତୋ ପଥର ମୁଣ୍ଡି ପାଖରେ ପାଣି କଖାରୁ ବଳି ଦେବି l ପାକେଲା ଆମ୍ବ ଭୋଗ ଲଗାଇବି l ଏଣିକି ଏଇମିତି ମାଆ ଆମ ଉପରେ ଆଉ ଜଙ୍ଗଲ ଉପରେ ଟିକେ ତୋର ଦୟା ଦୃଷ୍ଟି ପକଉ ଥା l ଏମିତି ଆମକୁ ଆମ ଜଙ୍ଗଲ ମାଆ କୋଳରେ ହରମିସି ଖାଇ ପିଇ ଆମ କୁଡ଼ିଆରେ ଟିକେ ଶାନ୍ତିରେ ବଞ୍ଚି ରହିବାକୁ ଏଣିକି କଲ୍ୟାଣ କରିଚାଲ ମା l ମୁଁ ଆଉ ତୋତେ ଆ ଛଡ଼ା କିଛି ମାଗୁନି l ଏଇ ଧୋବ ଫର ଫର ସହରୀ ଲୋକ ଗୁଡ଼ାକ ଆମକୁ ମନ ଇଚ୍ଛା ହଇରାଣ କରି ଚାଲିଛନ୍ତି ଆଜିକୁ ବର୍ଷ ବର୍ଷ ଧରି l ଆମର ଅରଣା ଧନ ସବୁ କିଛି ଲୁଟି ନଉଛନ୍ତି l ଯିଏ କହୁଛି ସିଏ ମରୁଛି l ରକ୍ଷା କର ହେ ମାଆ ମୋତିଆଲମା l " ଏତିକି କହି ଦେଶିଆ ଲୋକଟି ବୁଦା କଡ଼ରେ ଲମ୍ବ ହୋଇ ପଡ଼ି ଗଲା l ପାଞ୍ଚ ମିନିଟ ପରେ ଉଠି ମୁଣ୍ଡ ଠେକା ଉପରେ କାଠ ଗୋଚ୍ଛା ଲଦି ବାଁ ହାତରେ ବେକ ପଛରେ କୁରାଢ଼ୀ ରଖି ଶାଳ ପତ୍ର ପିକା ଟାଣି ଟାଣି ତା ଗାଆଁ ଆଡ଼କୁ ଆଗେଇ ଚାଲିଲା ବୁଡ଼ି ଯାଉଥିବା ସୂର୍ଯ୍ୟ ଦେବତାଙ୍କୁ ଅନେଇ ଅନେଇ l
∞
