ଅଦିନ ମେଘ
ଅଦିନ ମେଘ
ଅଦିନ ମେଘ । କୁଆଡେ ଥିଲା କେଜାଣି , ଆସି ଅସରାକୁ ଅସରା ବର୍ଷିଲା।
ନିଜର ସ୍କୁଟିରେ ଅଫିସରୁ ବାହାରି ଆସିଥିଲା ଶର୍ମିଷ୍ଠା।ନା ହେଲମେଟ୍ ନା ରେନକୋଟ୍ - କିଛି ବି ତା' ପାଖରେ ନ ଥିଲା।
ଅଟକିଯିବ.......।ଗଛ ମୂଳରେ ଆଶ୍ରୟ ନେବ......। - ଏପରି ପ୍ରଥମେ ଭାବିଲା ସେ।
ନଇଁ ଆସୁଥିଲା ସଂଧ୍ୟା।ସଂଧ୍ୟା ଆଗରୁ ଘରେ ପହଞ୍ଚି ଠାକୁରଙ୍କ ପାଖରେ ତାକୁ ଧୂପ ଜଳାଇବାକୁ ଥିଲା।ଏକଲା ଝିଅ।ରାସ୍ତାପାର୍ଶ୍ବରେ ଠିଆ ହେବା ବିପଦ।ମନରେ କକବାୟା , କୋକୁଆର ଭୟ ସୃଷ୍ଟି ହେଲା।ଯିଏ ଯାହା ଘର ଫେରନ୍ତା ରାସ୍ତାରେ ଚାଲିଥିଲେ।ନିରୁପାୟ ସେ ବର୍ଷାରେ ତିନ୍ତି ତିନ୍ତି ଚାଲିଲା। ଓ ! ଭାରି ବର୍ଷା !
ଧୀରେଧୀରେ ଭୟ ଅପସରି ଗଲା।
ବର୍ଷାଟା ତାକୁ ପ୍ରେମିକର ଦୁଷ୍ଟାମୀ ପରିକା ଲାଗିଲା। ତାଳୁରୁ ତଳିପା ଯାଏ ଖୁବ୍ ଶୀତଳ ସ୍ପର୍ଶ।ସଂପୂର୍ଣ୍ଣ ଓଦା ହୋଇଗଲା ସେ।ଏକଦମ ନୂଆ ଅନୁଭବଟିଏ ତା' ଭିତରେ ଖେଳିଗଲା।କାହାର ଶୀତଳ ନିବିଡ଼ ସାନିଧ୍ୟ ପାଇବା ଭଳି ତାକୁ ଲାଗୁଥିଲା।
ବିତିଲାଣି କେତେ ବର୍ଷା।କେତେ ଓଦା ହେଲାଣି ସେ।ବିତିଲାଣି କେତେ ବସନ୍ତ।କେତେ ଫୁଲର ସୁରଭିରେ ଗାଧୋଇଲାଣି ସେ।ହେଲେ ଆଜି ପରି ଭିଜିବାଟି ଯେଉଁ ନିଆରା ମାଦକତା ତାକୁ ଆଣି ଦେଇଥିଲା ତାହା ଥିଲା ତା' ପାଇଁ ବେଶ୍ ଅନନ୍ୟ।ନିର୍ବାକ୍ ହେଇ ପଡିଥିଲା ସେ।ଖୁସିରେ ପହଁରୁଥିଲା।
ଘର ପାଖରେ ପହଞ୍ଚିଲା ସେ।ସ୍କୁଟିରୁ ଓହ୍ଲାଇଲା।ସଂଧ୍ୟା ଆଗରୁ ବିପଦମୁକ୍ତ ଭାବରେ ଘରେ ପହଞ୍ଚି ଥିବାରୁ ସମୟକୁ ଧନ୍ୟବାଦ ଦେଲା।ବର୍ଷା ଥମି ଯାଇଥିଲା ସେତେବେଳକୁ।ସ୍କୁଟି ଗ୍ୟାରେଜରେ ରଖି ଘର ଭିତରକୁ ଆସିଲା ସେ।
ଟପ୍ ଟପ୍ ପାଣି ପଡୁଥିଲା ତା'ର ବେଣୀରୁ। ଓଦା ଓଦା ଡ୍ରେସ୍ ଲାଖି ରହିଥିଲା ଦେହରେ। ଫିକା ଫିକା ଦିଶୁଥିଲା ଅଳତାବୋଳା ପାଦ।
ଓଦା ମୁହଁ........ ଓଦା ଚିବୁକ।କାନତଳ,ବେକମୂଳ - ସବୁକିଛି ଓଦା।
ଆହା ! ସୁଖମୟ ଥାଆନ୍ତା କି ଏ ସମୟରେ !
ଟାଓ୍ବେଲଟିଏ ବଢାଇ ଦେଇ ପୋଛି ହେବାକୁ ତ କହିଥାନ୍ତା ଅନ୍ତତଃ ! ଓଦା ବେଣୀ ଖୋଲିଦେଇ ଚୁଟି ଶୁଖାଇବାକୁ କହିଥାନ୍ତା ତ !
ବ୍ୟସ୍ତ ହୋଇଥାନ୍ତା। ମଧୁର ଗାଳି ବି ଦେଇଥାନ୍ତା।ପୁଣି କହିଥାନ୍ତା - ' ବର୍ଷାରେ ଭିଜିଭିଜି ଆସିବା କ'ଣ ଦରକାର ଥିଲା !ଅଦିନ ବର୍ଷା।ଦେହ ଖରାପ ହେଲେ କିଏ ପିଠିରେ ପଡିବ ! '
ହାୟ ! ଏମିତି ସମୟ ଏବେ ନ ଥିଲା ତା' ହାତମୁଠାରେ।
ଏକରୁ ଦୁଇ ହୋଇଯିବାକୁ ସେ ବହୁବାର କହିଥିଲେ ବି ସମୟ ଗଡାଇ ଗଡାଇ ଚାଲିଥିଲା ସୁଖମୟ।
ଏବେ କେବଳ ଗୋଟିଏ ଏକଲାପଣର ଅନୁଭବ ନିଜ ଭିତରକୁ ଆସିଲା।ବର୍ଷା ନୁହେଁ, ଇଏ ଯେମିତି ସୁଖମୟର ପହିଲି ଛୁଆଁ - ସେମିତି ଅନୁଭବ କଲା ସେ। ନିଜକୁ ସଜାଡିନେଲା।ପରେ ଏକ ଅଣନିଃଶ୍ବାସୀ ଆବେଗରେ ସବୁକଥା ସୁଖମୟକୁ ଜଣେଇଲା ସେ।
- ' ଅଦିନ ବର୍ଷାରେ ଭିଜିବାକୁ ଭାରି ମଜା ଲାଗେ।ଭଲ ହେଲା ତୁମେ ଭିଜିଗଲ । ' ଏମିତି ଉତ୍ତର ରଖିଲା ସୁଖମୟ।
ସୁଖମୟର ଏହି ମପାଚୁପା ଉତ୍ତର ଶର୍ମିଷ୍ଠାକୁ ଆଦୌ ଖୁସି କରି ପାରିନଥିଲା।
- ' ଆଜି କାହିଁକି ଏକା ଏକା ଭଲ ଲାଗୁନି।ମୋ ପାଖକୁ ଥରେ ଆସିଯାଅନା.......! ' ସୁଖମୟକୁ ଏତିକି କହିଦେବାକୁ ତା'ର ଇଚ୍ଛା ହେଲା।ହେଲେ ସେ କହି ପାରିଲାନି ସେମିତି କିଛି। ସବୁକଥା ସବୁବେଳେ ଖୋଲି କହିହୁଏ କି ! ଏବେ ଏକ ଅବର୍ଣ୍ଣନୀୟ ନୂଆ ଯନ୍ତ୍ରଣା ଭୋଗୁଥିଲା ସେ। ଗାଳି ଦେଉଥିଲା ଅଦିନ ମେଘକୁ। ନିରପରାଧ ଅଦିନ ମେଘଟା ତା'ଠାରୁ ଗାଳି ଶୁଣିଲା। ଏଠି ନିର୍ଦ୍ଦୋଷ କେହି ଦଣ୍ଡ ପାଇବା ନୂଆ କଥା କ'ଣ !!!