ଅଧା ପାଗଳର କମାଲ୍ କଥା ...ଅଂଶ - ୨
ଅଧା ପାଗଳର କମାଲ୍ କଥା ...ଅଂଶ - ୨
( ପ୍ରଥମ ଭାଗର ଅବଶିଷ୍ଟାଂଶ ....)
-----------------------------
ଏବେ ମୋ ସାମ୍ନାରେ ବସିଥିବା ଅଧା ପାଗଳର କମାଲ୍ କଥାକୁ ଯିବା l ଅବଶ୍ଯ ପ୍ରଥମରୁ ମୁଁ କହିଛି ତାକୁ ଅଧା ପାଗଳ କାହିଁକି କିଛି ଲୋକ କୁହନ୍ତି ତାର ଯୁକ୍ତିଯୁକ୍ତ କାରଣ ମୁଁ ଏଯାଏ ପାଇନି l ବେଳେ ବେଳେ ଦେଖେ ସେ ଗୋଟେ ଖାତା କଲମ ଧରି ଛକି ଶୂନ ଖେଳୁଥାଏ ବା କିଛି ଗାର କାଟିବାରେ ବ୍ୟସ୍ତଥାଏ l ଆଉ କେତେବେଳେ ଗୁଣୁଗୁଣ୍ ହୋଇ କିଛି ମନକୁ ମନ ବୋଲୁଥାଏ l କିନ୍ତୁ ଯଦି କାହାକୁ ଦେଖିଦେଲା ତାହେଲେ ସେସବୁ କାର୍ଯ୍ୟରୁ ସଙ୍ଗେ ସଙ୍ଗେ ବିରତ ହୋଇଯାଏ l ଅର୍ଥାତ୍ ଏକୁଟିଆ ଥିବାବେଳେ ସେ ଏମିତି ସବୁ କରେ l କିନ୍ତୁ ଏସବୁ ପାଇଁ ତାକୁ ଅଧା ପାଗଳର ଆଖ୍ୟା କାହିଁକି ଦିଆଯିବ ? ଏମିତିରେ ତ ବହୁତ ଲୋକ ବିନା କାରଣରେ ବହୁତ କାମ କରିଥାନ୍ତି l
ମୁଁ ଶୁଣିଛି କୁଆଡେ କ୍ରିକେଟର ଭଗବାନ୍ କୁହାଯାଉଥିବା ସଚିନ୍ ତେନ୍ଦୁଲକର ଯେତେବେଳେ ଖେଳୁଥିଲେ ସେତେବେଳେ ନିଶ୍ଚୟ ନିତି ଦିନ କିଛି ସମୟ ବାହାର କରି ପାର୍କ ବା ଅନ୍ୟ କୌଣସି ନିରୋଳା ଜାଗାରେ ଚୁ୍ପ୍ ଚାପ୍ ବସି ଅଳ୍ପ ଦୂରତାରେ ଥିବା ଗୋଟେ ଗଛର ବା ଅନ୍ୟକିଛି ବସ୍ତୁର ନିଦ୍ଧିଷ୍ଟ ବିନ୍ଦୁପରି ଥିବା ଚିହ୍ନକୁ ଏକଲୟରେ ପାଲକ ନପକାଇ ବହୁତ ସମୟ ଚାହିଁ ରୁହନ୍ତି l ଯେହେତୁ ସେ ଏତେବଡ ଖେଳାଳି ତେଣୁ ତାଙ୍କୁ ଏ ଅବସ୍ଥାରେ ଯିଏ ବି ଦେଖନ୍ତି ଫୁଲ୍ ପାଗଳ କିମ୍ବା ଅଧା ପାଗଳ ବୋଲି ଭାବି ପାରନ୍ତିନି l ବରଂ ନିଜ ନିଜ ଭିତରେ କୁଆଡେ କୁହାକୁହି ହୁଅନ୍ତି - " ହେଇ ଦେଖ, ସେଠି ସଚିନ୍ ବସି କେମିତି ନିଜର ଏକାଗ୍ରତା ( Concentration ) ବଢାଉଛନ୍ତି l"
ତାମାନେ ସଚିନ୍ ଏକ ଲୟରେ ଅନାଇଁ ଥିବା ବିନ୍ଦୁ ବାଟ ଦେଇ ଯେମିତି କ୍ରିକେଟ୍ ବଲ୍ ସବୁ ବାରମ୍ବାର ଆସୁଥାନ୍ତି ଆଉ ଏମିତି ଅନେଇବା ଭିତରେ କ୍ରିକେଟ ବଲ୍ ତାଙ୍କୁ ଫୁଟବଲ୍ ପରି ଦେଖାଯାଏ ଆଉ ତାର ପ୍ରଭାବରେ ଖେଳପଡିଆ ପିଚ୍ ରେ ସେଥିପାଇଁ ବଲ୍ କୁ ସମ୍ମୁଖିନ ହେବା ତାଙ୍କ ପକ୍ଷରେ ଖୁବ୍ ସହଜ ହୋଇଯାଏ ବୋଧେ l ଯଦି ସଚିନ୍ ଏଥିପାଇଁ ଅଧା ପାଗଳ ନହେବେ ତାହେଲେ ଏ ଲୋକଟି କାଇଁ ହେବ ?
ଥରେ ସେ ବସିଥିବା ରୁମ୍ ଭିତରକୁ ହଠାତ୍ ପଶିଯାଇ ଦେଖିଲି କଣ ଗୁଣୁଗୁଣ୍ ହୋଇ ବୋଲୁଛି l ମୋତେ ଦେଖି ସେ ପୁରା ଚୁପ୍ ହୋଇଗଲା l ମୁଁ ତାକୁ ପଚାରିଲି, " ଆଛା ଏବେ ଗୁଣୁଗୁଣ୍ ହୋଇ କଣ ସବୁ କହି ଯାଉଥିଲ ? "
ଉତ୍ତରରେ ସେ କହିଲା, " ନାଇଁ ସାର୍ କିଛି ନାଇଁ l"
ମୁଁ କିନ୍ତୁ ମୋ ଜିଜ୍ଞାସାକୁ ଖତମ୍ କରିବା ଚକ୍କରରେ ତାକୁ ପୁଣି ପଚାରିଲି , " କଣ ନାଇଁ ? ମୁଁ ପରା ଏ ରୁମ୍ ରେ ପଶିବା ବେଳେ ଆପଣ କଣ ଗୁଣୁଗୁଣ୍ ହୋଇ ଗାଉଥିଲେ l"
ସେ ଟିକେ ହସିଦେଇ କହିଲା, " ସାର୍ ମୁ୍ଁ ଟିକେ ହନୁମାନ୍ ଚାଳିଶା ବୋଲୁଥିଲି l"
ତା' କଥାରେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି l ମନେ ମନେ ଭାବିଲି ଏ ଲୋକ ତାହେଲେ ଅହରହ ଗୁଣୁଗୁଣ୍ ହୋଇ ମନ୍ତ୍ର ସବୁ ଉଚ୍ଚାରଣ କରେ l ତଥାପି ମନରେ ପ୍ରଶ୍ନ ଆସିଲା - ଏମିତି କାହିଁକି ସେ କରେ ?"
ତାକୁ ପୁଣି ପଚାରିଲି, " ଆଛା ଠାକୁରଙ୍କୁ ପୂଜା ଅର୍ଚ୍ଚନା କଲାବେଳେ ତ ମନ୍ତ୍ର ଉଚ୍ଚାରଣ କରୁଥିବେ l ଏଠି ସେଠି ବସି ଏମିତି ଗୁଣୁଗୁଣ୍ ହୋଇ ମନ୍ତ୍ର ବୋଲିବାର କାରଣ କଣ ?"
ସେ ପୁଣି ହସିଦେଇ କହିଲା, " ଆଜିକାଲି ସମୟ ଖୁବ୍ ଖରାପ l ବିଭିନ୍ନ ଲୋକ ବିଭିନ୍ନ ପ୍ରକାରର ମତଲବ୍ ମନରେ ରଖି ବୁଲୁଛନ୍ତି l ହନୁମାନ୍ ଚାଳିଶା କିମ୍ବା ଗାୟତ୍ରୀ ମନ୍ତ୍ରରୁ କିଛି ପଦ ବୋଲି ଦେଲେ ଏଇ ଏରିଆରେ ତାର ଗୋଟେ ଫୋକସ୍ ପଡେ l ଗୋଟେ ଖୁବ୍ ଶକ୍ତିଶାଳୀ ଚକ୍ର ମୋ ଚାରିପଟେ ବୁଲେ ଫଳରେ ଏଠି ବୁଲୁଥିବା ଭୟଙ୍କର ଲୋକମାନେ ମୋର କୌଣସି କ୍ଷତି କରିପାରିବେନି ବରଂ ଏଇ ମନ୍ତ୍ରର ପ୍ରଭାବରେ ସେମାନଙ୍କର କୁ -ସ୍ୱଭାବରେ ପରିବର୍ତ୍ତନ ଆସିପାରିବ l ଦୁନିଆର ସବୁଆଡେ ଯେହେତୁ ସଇ ଖଳ ପକୃତିର ଲୋକ ଖୁନ୍ଦି ହୋଇ ରହିଛନ୍ତି ତେଣୁ ମୁଁ ଯେଉଠିକୁ ବି ଯାଏ ସେଠି ସୁବିଧା ପାଇବା ମାତ୍ରେ ମନ୍ତ୍ର ବୋଲେ l"
ମୁଁ ତା କଥାରେ ସେଦିନ ବହୁତ ଭାବିଲି l ସେ ତା ମନ ଭିତରେ ଗୋଟେ ପଜେଟିଭ୍ ଭାବନା ଧରି ଯୁଆଡେ ଯାଉଛି ସେଠି ମନ୍ତ୍ର ବୋଲୁଛି l ଖଳ ଲୋକଙ୍କୁ ସେ ମନ୍ତ୍ରର ଫୋକସ୍ ପକାଇ ଭଲ ବାଟକୁ ଆଣିବାକୁ ଚେଷ୍ଟା କରୁଛି l ଖଳ ଲୋକ ତା' ମନ୍ତ୍ର ପ୍ରଭାବରେ ଭଲ ମଣିଷ ହେଉଥିବେ କି ନା ସେକଥା ମୋ ମନ ଭିତରର ପ୍ରଶ୍ନ ହୋଇଥିଲେ ବି ଯଦି ସେ ସେମିତି ଭାବୁଛି ତାହେଲେ ସେଥିରେ କିଛି ଅସୁବିଧା ନାହିଁ l ଏମିତିରେ ଯଦି ସଚିନ୍ ଏକାଗ୍ରତାର ସହିତ ଆଖିରେ ପଲକ ନପକାଇ ଗୋଟେ ବିନ୍ଦୁକୁ ବହୁତ ସମୟ ଧରି ଚାହିଁ ରହି ତାର ପ୍ରଭାବରେ ଖେଳ ପଡିଆରେ କ୍ରିକେଟ୍ ବଲ୍ ତାଙ୍କୁ ଫୁଟବଲ୍ ପରି ଦେଖା ଯାଉଛି ତାହେଲେ ଏ ଲୋକ ବି ଗୋଟେ ମହତ୍ ଉଦ୍ଦେଶ୍ଯ ରଖି ଯଦି ଏଠି ସେଠି ହନୁମାନ୍ ଚାଳିଶା ବା ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କଲା ତାହେଲେ ତାକୁ ଅଧା ପାଗଳ କାହିଁକି କୁହାଯିବ ?
ସେ ଆମ ଘରେ ମୋ ସମ୍ମୁଖରେ ବସିଛି l ମୁଁ ଠିକ୍ ଜାଣିଛି ଯଦି ତାକୁ ଏକୁଟିଆ କିଛି ସମୟ ଛାଡି ଦିଆଯିବ ତାହେଲେ ସେ ମୋ ଘରେ ମଧ୍ଯ ସେଇ ମନ୍ତ୍ର ସବୁକୁ ଗୁଣୁଗୁଣ୍ କରି ବୋଲିବା ଆରମ୍ଭ କରିଦେବ l ଅର୍ଥାତ୍ ଆମ ଘରେ ଆମ ପରିବାର ସଦସ୍ୟ ମନଙ୍କ ଭିତରେ ଯାହା କିଛି ଖଳ ଭାବନା ଥିବ ତାକୁ ସେ ନିଜର ମନ୍ତ୍ରର ଫୋକସ୍ ରେ ଭଲ ଗୁଣରେ ରୂପାନ୍ତରିତ କରିଦେଇ ପାରିବ l ଅବଶ୍ୟ ମୁଁ କିଛି ସମୟ ପାଇଁ ଉଠିଯାଇ ପାରେ କିନ୍ତୁ ମୋ ବୋଉ ସେଇ ପାଖରେ ଗୋଟେ ଚେଆର୍ ରେ ବସିଥାନ୍ତି l ତେଣୁ ତାକୁ ଏକୁଟିଆ ସେଠି ବସିବାକୁ ଛାଡି ହେବନି ଚିନ୍ତାକଲି l
ସଂଧା ଦୁଇ କପ୍ ଚାଆ ଆଣି ସାମ୍ନାରେ ଥିବା ଟିପୟ ଉପରେ ରଖିଲା l ଆମେ ଦୁହେଁ ଚାଆ ପିଇବାରେ ଲାଗିଲୁ l ଏମିତି ଭିତରେ ହଠାତ୍ ମୋ ବୋଉ ତାକୁ ପଚାରିଲେ , " ପୁଅ ତମର ପିଲାପିଲି କଣ ? "
( କ୍ରମଶଃ ........)
********************************************
ପ୍ରଶାନ୍ତ କୁମାର ବେହେରା
ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,
ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,
ଜଗତସିଂହପୁର l
ଦୂରଭାଷ - ୯୪୩୭୧୩୫୯୧୬
