Padmalaya Padhy

Others

4  

Padmalaya Padhy

Others

ଅଭିନୟ :

ଅଭିନୟ :

6 mins
162



ସବୁ ଥର ପୁଅ ବୋହୁ ଆସି ଫେରିଲା ବେଳେ ଶାନ୍ତିଙ୍କର ସେଇ ପୁରୁଣା ବାହାନା ଓ ସ୍ୱାମୀ କ୍ଷୀରୋଦ ବାବୁଙ୍କ ସେଇ ଗୋଟିଏ ଉତ୍ତର ଯେ ତୁମେ କୁହ ମୁଁ କିଛି କହିବି ନାହିଁ l ଏଥର ଶାନ୍ତି କିନ୍ତୁ ଟିକିଏ ଅଲଗା ଷ୍ଟାଇଲ ରେ ସବୁ କରୁଛନ୍ତି l ଦଶ ପ୍ରକାର ରୋଷେଇ କରି ରଖୁଥିବା ଶାନ୍ତି ଏଥର ଡାଲମା ଭାତ ସାଙ୍ଗେ ପାମ୍ପଡ଼ ଭାଜି ପୁଅ ବୋହୁଙ୍କ ଚର୍ଚ୍ଚା ଶେଷ କଲେ l ଏଥର ଭାବୁଛନ୍ତି କଥାଟା ନିଶ୍ଚୟ ପୁଅ ଆଗରେ କହିଦେବେ l ବର୍ଷକୁ ଥରେ ଆସୁଛି ପୁଣି ଗତ ଦୁଇ ବର୍ଷ ହେଲା ସେ ଭାବୁଛନ୍ତି ସିନା ଖୋଲିକି କହି ପାରୁ ନାହାନ୍ତି l ଏଥର ସେଥିଲାଗି ଜମେଇକି ବାହାନା କରିବା ଆରମ୍ଭ କରି ଦେଇଛନ୍ତି l


ପୁଅ ବୋହୁ ପହଞ୍ଚୁ ପହଞ୍ଚୁ ଅଣ୍ଟା ବଥା ସାଙ୍ଗକୁ ଆଣ୍ଠୁ ବି ଦରଜ ଚାଲି ପାରୁନାହାନ୍ତି ତା ସାଙ୍ଗରେ ଘଡି ଘଡି ମୁଣ୍ଡ ବି ବୁଲାଇ ଦେଉଛି ବୋଲି ଲମ୍ବା ଚଉଡା ଡାଏଲଗ ସରିଲା l ଏଠି ତ କାମବାଲୀ ର ଘୋର ଅଭାବ l ସୁତରାଂ ସବୁ କାମ ନିଜେ କରିବାକୁ ପଡୁଛି l ବିଶ୍ୱାସ ଜନ୍ମେଇବା ପାଇଁ ଦି ଦିନ ହେଲା ସାମାନ୍ୟ ଛୋଟେଇ ଛୋଟେଇ ଚାଲୁଛନ୍ତି ମଧ୍ୟ l ପୁଅ ର ତ ଏଡ଼େବଡ଼ ଘର ଯେ ଶହେ ଜଣ ରହିପାରିବେ ପୁଣି ଘର କାମ ପାଇଁ ଏତେ ଲୋକବାକ ଅଛନ୍ତି… ବାପା ମା ଦିଟା କୋଉ କ'ଣ ରେ ପଡି ରହିଲେ ହୁଅନ୍ତା ନାହିଁ କି ? ଏ ବୟସରେ ହାତରେ ଫୁଟାଇ ଖାଇବା କେତେ କଷ୍ଟ ଭୁକ୍ତଭୋଗୀ ହିଁ ଜାଣେ l


କାହିଁକି ଏତେ ଡ୍ରାମା କରୁଛ ଶାନ୍ତି ? ଭାବୁଛ ଏଥିରେ କିଛି ଫାଇଦା ହେବ ? ଯଦି କିଛି ହେବାକୁ ଥାଆନ୍ତା ଆଜି ତୁମକୁ ଆକ୍ଟିଙ୍ଗ କରିବାକୁ ପଡି ନଥାନ୍ତା l ଚୁପ ରୁହ ଏଥର l


ତୁମେ କ'ଣ ଜାଣିଛ ? ମୋତେ ବି ବିଶ୍ରାମ ଦରକାର ନା l ତା ଛଡା ତାଙ୍କ ଘରେ ଏତେ ଚାକର ବାକର ଅଛନ୍ତି ଆମ ପାଇଁ ବୋହୂକୁ ତ କିଛି କରିବାକୁ ପଡ଼ିବନି l ସବୁ ଆଡୁ ଭାବି ଚିନ୍ତି କହୁଛି ମ l


କ୍ଷୀରୋଦ ଜାଣନ୍ତି ଶାନ୍ତିଙ୍କ ଶେଷ ଇଛା ପୁଅ ପାଖରେ ଆରାମ କରିବା ପାଇଁ l ଏଠି ସଉଦା କରିବାଠୁ ଆରମ୍ଭ କରି ରୋଷେଇ କାମ ପୁଣି ବିଲ ବାନ୍ଧିବା ଠୁ ଆରମ୍ଭ କରି ଘର ଭାଙ୍ଗିରୁଜି ଗଲେ ବି ତିଆରି କରିବା ପର୍ଯ୍ୟନ୍ତ ସବୁ ନିଜକୁ ହିଁ କରିବାକୁ ପଡୁଛି l ଅବଶ୍ୟ ବାହାର କାମ ଗୁଡିକ ସେ ନିଜେ କରୁଛନ୍ତି l ବୟସ ଗଡ଼ିଲାଣି ଏବେ ବସିକି ଖାଇବାକୁ ମନ ହେଉଛି l ତାଙ୍କ ନିଜର କ'ଣ ମନ ନାହିଁ କି ଆରାମ କରିବା ପାଇଁ ?


ସେଇ କଥା କହିବାକୁ ଶାନ୍ତି ମନ ବଳାଇଛନ୍ତି କିନ୍ତୁ ଗତ ବର୍ଷ ବି କହି ପାରି ନଥିଲେ ତା ପୂର୍ବ ବର୍ଷ ବି ନୁହେଁ l ଏବର୍ଷ ଡ୍ରାମା କରି ବୁଝାଇବେ କଣ ନା ଅଣ୍ଟା କାଟୁଛି ମୁଣ୍ଡ ବୁଲାଉଛି l ସିଧା ସିଧା କହିଲେ ୟାକୁ ଲାଜ ଲାଗି ଯାଉଛି l ଯିଏ ଭାବିବା କଥା ସିଏ ମନକୁ ଭାବିବ ଯିଏ ନଭାବିବା ଲୋକ ତା ଆଗରେ କେତେ ଡ୍ରାମା କଲେ ବି ସେ ନିଦା ପଥର l


ଡାଲମା ପାମ୍ପଡ଼ ଯୋଗୁଁ ପୁଅ ବୋହୁଙ୍କ ଉପରେ କିଛି ଫରକ ପଡି ନଥିଲା l ସେମାନେ ଆସୁ ଆସୁ ଅନଲାଇନ ରେ ଅର୍ଡର କରି କାମ ଚଳାଇ ନେଲେ l ଶାଶୁ ଙ୍କ ଅଣ୍ଟା ବିନ୍ଧୁଚି ଶୁଣି ବୋହୁ କହିଥିଲା ସେ ବାଙ୍ଗାଲୋର ଫେରିଲେ ଭଲ ଗୋଟିଏ ଆୟୁର୍ବେଦ ମଲମ ଦେଖି ପଠାଇ ଦେବ l ସୁତରାଂ ଶାନ୍ତିଙ୍କର ଅଭିନୟ ବ୍ୟର୍ଥ ହେଇଥିଲା l ହେଲେ ବି କର ବା ମର ନ୍ୟାୟରେ ସେ ଲାଗି ପଡ଼ିଥିଲେ l


ମୋବାଇଲ କମ୍ପୁଟର ଯୁଗରେ ପିଲା ମାନେ ତ ଜନ୍ମରୁ ବିଚକ୍ଷଣ l ଅଳ୍ପ ବୟସରେ ଚାକିରୀ ପୁଣି ଦୂର ଦୁରାନ୍ତରେ ଅବସ୍ଥାନ l କୋଉ ପିଲା ଆଜିକାଲି ମା ବାପାଙ୍କ ଋଣ ସୁଝି ପାରୁଛି ଏପରିକି ଚାହିଁଲେ ବି ନୁହେଁ l କଥା ଛଳରେ ଏତିକି ଖାଲି କ୍ଷୀରୋଦ ବାବୁ କହି ଦେଇଥିଲେ ସେଦିନ ଯେ ଶୁଣୁ ଶୁଣୁ ବୋହୁ କହି ଉଠିଥିଲା


ମୋ କର୍ତ୍ତବ୍ୟ ମୁଁ କରିସାରିଛି ବାପା l ବାହା ହେଇ ଆସିଲା ବେଳେ ଆପଣଙ୍କ ଘରେ ଆଠ ଦିନ ରହିଥିଲି ଉଁ….ହୁଁ…. ଏଗାର ଦିନ l ସେତେବେଳେ ଆପଣଙ୍କ ଘରେ ଇନଭର୍ଟର ନଥିଲା କି

ଏସି l ମୁଁ ସେତିକି ଦିନ ପ୍ରବଳ ଗରମ ରେ ରୋଷେଇ କରି ଆପଣ ମାନଙ୍କୁ ଖାଇବାକୁ ଦେଇଛି l


 କ୍ଷୀରୋଦ ବାବୁଙ୍କୁ ହସ ଲାଗିଥିଲା l ଏଇଟା ତ ସେମିତି କଥା ହେଲା ନା l କ୍ଷୀରୋଦ ବାବୁଙ୍କ ପିଲା ଦିନ ଗାଁ ରେ କଟିଥିଲା l ତାଙ୍କ ଗାଁ କୁ ବିଜୁଳି ଯାଇ ନଥିଲା l ତେଣୁ ପିଲା ଦିନେ ପାଠ ପଢା କାମ ଦିନ ଥାଉ ଥାଉ ସାରି ଦେଉଥିଲେ l କାରଣ ରାତିରେ ପଢିଲେ ଲଣ୍ଠନ ଜାଳି ପଢିବାକୁ ହେବ ଓ କିରାସିନି ଖର୍ଚ୍ଚ ଅଧିକା l ବୋହୁ ସେମିତି କହୁଛି ଯେ ବେଳାବେଳି ସେ ଶାଶୁ ଶଶୁରଙ୍କ କର୍ତ୍ତବ୍ୟ ସାରି ଦେଇଛି l ସୁତରାଂ ଏବେ ଶାଶୁ ଶଶୁରଙ୍କ ଗୋଡ଼ ହାତ ଶିଥିଳ ହେଲା ବେଳକୁ ତା ପାଖରେ ଆଉ କର୍ତ୍ତବ୍ୟର ଷ୍ଟକ ନାହିଁ l ଶାନ୍ତିଙ୍କୁ ଖରାପ ଲାଗିଥିବ ଭାବି ସେ ଚା କରିବା ପାଇଁ ଭିତରକୁ ପଠାଇ ଦେଇଥିଲେ l ପୁଣି ରହି ରହି କି ବୋହୁ ଚେଁ ଚେଁ ହୋଇ ଆରମ୍ଭ କଲା l


--ଆଉରି ବାପା ଆପଣଙ୍କ ମନେ ଥିବ ମୋ ମା ବାପା ଯେତେବେଳେ କାଶ୍ମୀର ଟୁର ରେ ଯାଇଥିଲେ ସେତେବେଳେ ସେମାନେ ନିଜ ପାଇଁ ଗୋଟିଏ ଦାମିକା ଶାଲ ଆଣି ଥିଲେ ଯାହା ମୁଁ ତାଙ୍କଠୁଁ ଆଣି ମା ଙ୍କୁ ଗିଫ୍ଟ ଦେଇଥିଲି l ମୋ ଶାଶୁ ମୋର ମା ଠୁ ବି ବଡ଼ ! କ୍ଷୀରୋଦ ଭାବୁଥିଲେ ଏମିତି ପୁଅ ବୋହୁଙ୍କ ଆଗରେ ଶାନ୍ତିଙ୍କ ଡ୍ରାମାର ପ୍ରଭାବ ତିଳେ ମାତ୍ର ପଡ଼ିବାର ସମ୍ଭାବନା ନାହିଁ l ହଉ ଦେଖାଯାଉ କ'ଣ ହେଉଛି l


ଶାନ୍ତି ତେଣେ ମନେ ମନେ ପ୍ରସ୍ତୁତ ହେଉଥିଲେ l ପୁଅ ବୋହୁ କାଲି ସକାଳୁ ଚାଲିଯିବେ l ତେଣୁ ଡ୍ରାମା ପାଇଁ ଆଜି ରାତିରେ ଭଲ ଭାବେ ଅଭ୍ୟାସ କରିବାକୁ ହେବ l ପୁଅ ଆସି ଚାରିଦିନ ଘରେ ରହିବ ଯେ ମା ତେଣେ ଡ୍ରାମା ପାଇଁ ଅଭ୍ୟାସ କଲାଣି l କ୍ଷୀରୋଦ ବାବୁଙ୍କୁ ଶାନ୍ତି ଙ୍କ ପାଇଁ ବିରକ୍ତ ଲାଗୁଥିଲା l କେତେ ବୁଝାଇଲେ ବି ଏ ସ୍ତ୍ରୀ ଲୋକ ଗୁଡାକ ଯାହା ବୁଝିଥିବେ ସେୟା l ବୋହୁ ସିନା ପର ଘର ଝିଅ ପୁଅ ପରା ନିଜର ରକ୍ତ l ନକହିଲେ ବି ମୁହଁ ଦେଖି ସନ୍ତାନ ର କଷ୍ଟ ମା ଜାଣିପାରେ ହେଲେ ଗୋଟିଏ ମା କୁ ନିଜର ଦୁଃଖ ଦୁର୍ଦ୍ଦଶା ଜଣାଇବା ପାଇଁ ଅଭିନୟ କରିବାକୁ ପଡୁଛି l


ସେଦିନ ଦଶଟା ରେ ସେମାନଙ୍କ ଫ୍ଲାଇଟ ଅଛି l ତେଣୁ ସକାଳୁ କ୍ଷୀରୋଦ ବାବୁ ମର୍ଣ୍ଣିଙ୍ଗ ୱାକ ରେ ଯାଇ ନାହାନ୍ତି l ସେମାନଙ୍କ ପ୍ୟାକିଙ୍ଗ ସରି ଯାଇଛି ହେଲେ ଶାନ୍ତି କାହାନ୍ତି ? ଡ୍ରାମା ରେ କିଛି ନୂଆ ସିନ ଆଉ ଯୋଡୁ ନାହାନ୍ତି ତ ? ବୋକୀ ସ୍ତ୍ରୀ ଲୋକଟା ବୁଝୁନି କାହିଁକି ନା l ନିଜର ଆତ୍ମ ମର୍ଯ୍ୟାଦା କୁ ଶେଷରେ ବଳି ପକାଇବ ତା ସାଙ୍ଗରେ ସ୍ୱାମୀ କୁ ବି ନେଇ ଡୁବିବ l ପୁଅ ବୋହୁ ଭାବିବେ ବାପା ହିଁ ଏହାର ସୂତ୍ରଧାର l


ଚାରିଆଡେ ଖୋଜି ଆସି ଦେଖିଲା ବେଳକୁ ଶାନ୍ତିଙ୍କର ଏପର୍ଯ୍ୟନ୍ତ ନିଦ୍ରାଭଙ୍ଗ ହୋଇନାହିଁ l ଦିଥର ଡାକିଲା ପରେ ଯାଇ ଉଠିଲେ l

--ଶାନ୍ତି ଏତେ ସମୟ ଯାଏ କ'ଣ ଶୋଇଛ ? ସେମାନେ ବାହାରିଲେଣି ପରା l

--ହଁ ଚାଲ l ସଂକ୍ଷିପ୍ତ ଉତ୍ତରଟିଏ ଦେଇ ଶାନ୍ତି ଉଠିଗଲେ l ବ୍ରସ କରି ଚା ତିଆରି କଲେ ଗୋଟିଏ କପରେ କ୍ଷୀରୋଦ ବାବୁଙ୍କ ପାଇଁ ଓ ଅନ୍ୟଟିରେ ନିଜ ପାଇଁ ଆଣି ବେଡ଼ରୁମ କୁ ଆସିଲେ l ଶାନ୍ତି ଙ୍କୁ ଏତେ ଶାନ୍ତିରେ ରହିବା କେବେ ବି ଦେଖି ନଥିଲେ କ୍ଷୀରୋଦ ବାବୁ l ବୋଧେ ଏହା ଡ୍ରାମା ର ଗୋଟିଏ ଅଂଶ ହୋଇଥିବ କି କଣ ! ଉଭୟେ ଚା ପିଇଲେ l ପୁଅ ବୋହୁ ସିଏ ତାଙ୍କର ଅଲଗା ରେ ଗ୍ରୀନ ଟି ପିଅନ୍ତି l ଏଥର କ୍ଷୀରୋଦ ବାବୁ କହିଲେ l


ସେମାନେ ଏବେ ବାହାରି ଯିବେ l ଭଲ ଆମ୍ବ କେତୋଟି ଆଣିଥିଲି କାଲି ଧୁଆଧୋଇ କରି ଫ୍ରିଜ ରେ ରଖିଛି l ଯାଅ ବାହାର କରି ବୋହୂକୁ ଦେଇଦିଅ l ଏଥର ଲକଡାଉନ ପାଇଁ ଭଲ ଜିନିଷ କିଛି ମିଳିଲା ନାହିଁ l

ସେମାନଙ୍କର ସେଠି ୟାଠୁ ଆହୁରି ଭଲ ଆମ୍ବ ମିଳୁଥିବ l ତୁମେ ତାଙ୍କ ଚିନ୍ତା ଛାଡିଦିଅ l ଏଥର ତ କ୍ଷୀରୋଦ ବାବୁଙ୍କର ଚମକିବା

ପାଳି l ଏଇ ସିନଟା ଡ୍ରାମାରେ ନୂଆ ମିଶିଲା କି l ରିହର୍ସଲରେ କାଇଁ ଏଇ ସିନଟା ନଥିଲା ତ l ଶାନ୍ତି ତ ଏବେ ଠିକଠାକ ଚାଲୁଛନ୍ତି ଆଉ ଛୋଟେଇବା ନାହିଁ l ସିନ ବୋଧେ ଟିକେ ବଦଳି ଯାଇଛି l


ପୁଅ ବୋହୁଙ୍କ ଯିବା ସମୟ ପାଖେଇ ଆସିଲା l ବୋହୁ ଆସି ଆଗ ମୁଣ୍ଡିଆ ମାରିଲା ଶାନ୍ତିଙ୍କୁ ତାପରେ କ୍ଷୀରୋଦ ବାବୁଙ୍କୁ l ଆଶୀର୍ବାଦ ଦେଲା ପରେ ଶାନ୍ତି ସ୍ପଷ୍ଟ ସ୍ୱର ରେ ଆରମ୍ଭ କଲେ l


ତୋତେ ଗୋଟିଏ କଥା କହିବାକୁ ଥିଲା ରେ ବାପା l କେବେଠୁ ଭାବୁଛି ଯେ l କ୍ଷୀରୋଦ ବାବୁ ଭାବୁଥାନ୍ତି ସିଧା ସିଧା ତ କହିଥାନ୍ତା ଏ ବୁଢ଼ୀ ଚାରିଦିନ ହେଲା ଏତେ ଡ୍ରାମା କାହିଁକି କରୁଥିଲା l ଲାଜ ଲାଗୁଥିଲା କି ? ସେ କିଛି କହିବା ଆଗରୁ ପୁଅ କୁ ବହୁ ପୂର୍ବରୁ ଘୋଷାଇ ଥିବା ପାଠ ଗୁଡିକୁ ବୋହୁ ଆଖି ଠାରରେ ମନେ ପକାଇ ଦେଉଥିଲା l ଟଙ୍କା ପଇସା ମାଗିଲେ କଣ କହିବ, ଯଦି ପୁଅ ପାଖରେ ଯାଇ ରହିବାକୁ କହିବେ କ'ଣ କୁହା ହେବ ଇତ୍ୟାଦି ଇତ୍ୟାଦି l


--ମୁଁ କହୁଥିଲି କ'ଣ ନା ଆଜି କାଲି ତ ବିଜ୍ଞାନ କେତେ ଅଗ୍ରଗତି କଲାଣି l ଚାରିଆଡେ ଇଣ୍ଟରନେଟ ମୋବାଇଲ କମ୍ପୁଟର ସାଲୁବାଲୁ ହେଉଛି l ଆମ ଭଳି ବୁଢା ବୁଢ଼ୀ ମାନେ ବି ସେଥିରୁ ବାଦ ଯାଉ ନାହାନ୍ତି l ଆମେ କେବେକାର ଲୋକ ହେଇକି ବି ସବୁ ଶିଖିଛୁ ଜାଣିଛୁ l ସେଥିପାଇଁ….l କିଛି କହିବା ଆଗରୁ ବୋହୁ ମଝିରେ ଅଟକାଇ ଦେଲା l

--ସରି ମା ! ଆପଣ ଆମକୁ ନୂଆ ମୋବାଇଲ କିମ୍ବା କମ୍ପୁଟର ମାଗିଲେ ଆମେ ଦେଇ ପାରିବୁନି l ଏବେ ତ ଘର ର ଲୋନ ସୁଝା ଯାଉଛି l ଆଉରି କେତେ ବର୍ଷ ଲାଗିଯିବ l


--ସେଥିପାଇଁ ତ କହୁଥିଲି ରେ ମା l ତୁମେ ମାନେ ଏତେ ଖର୍ଚ୍ଚାନ୍ତ ହୋଇ ଆମ ପାଖକୁ ପ୍ରତି ବର୍ଷ ଆସିବା ଦରକାର ନାହିଁ l ଆମ ପାଖେ ନୂଆ ବ୍ରାଣ୍ଡ ର ମୋବାଇଲ ଅଛି ଓ ଆମେ ଦୁହେଁ ଭିଡିଓ କଲ କରି ପାରୁଛୁ l ତୁମେ ମାନେ ଯେତେବେଳେ ଚାହିଁଲେ ଆମ ସହ କଥା ବାର୍ତ୍ତା ହୋଇ ପାରିବ l କ୍ଷୀରୋଦ ହତବାକ ହୋଇ ଶାନ୍ତିଙ୍କୁ ଦେଖୁଥିଲେ l ଇଏ ଅଭିନୟ ନା ବାସ୍ତବ ? 

--କ'ଣ କରିବି ବୋଉ କହ l ଛୁଟି ତ ମିଳୁନାହିଁ ତେଣୁ ତୁମ ମାନଙ୍କୁ ସମୟ ଦେଇ ପାରୁନି l ବର୍ଷକୁ ଥରେ ମାତ୍ର ଯାହା ସୁବିଧା ମିଳୁଛି l

--ସେଇ ଛୁଟିରେ ତୁମେ ଦୁହେଁ ଅନ୍ୟ କିଛି କାମ କର ରେ ବାପା l ଏଠିକି ଆସିଲେ ମୋର ତ ରୋଷେଇବାସ ବଢୁଛି ପୁଣି ଘର ଦ୍ୱାର ସଫା ସୁତରା କରିବା ପାଇଁ ପରିଶ୍ରମ l ବୟସ ଆଉ ନାହିଁ କି ଏଠି କାମବାଲୀ ମିଳନ୍ତି ନାହିଁ ତୁ ତ ଜାଣିଥିବୁ l ହଉ ତୁମର ଫ୍ଲାଇଟ ଲେଟ ହେବ l ଭଗବାନ ତୁମକୁ ଭଲରେ ରଖନ୍ତୁ ଭଲରେ ଥାଅ l


ପୁଅ ବୋହୁ ଚାଲିଗଲା ପରେ କ୍ଷୀରୋଦ ପଚାରିଲେ କିହୋ ଏ କଣ ଡ୍ରାମା ର କ୍ଲାଈମାକ୍ସ ରେ ତ ପୁରା ଟ୍ଵିଷ୍ଟ lବହୁତ ଆଗରୁ ଯାହା କରିବାର ଥିଲା ଏବେ ହେଲା l ନିଜ ପିଲାଙ୍କ ଆଗରେ ଏତେ ହୀନ ହେବାକୁ ମୁଁ ପସନ୍ଦ କଲିନାହିଁ l ତୁମେ ଠିକ କହୁଥିଲ l ଆତ୍ମ ସମ୍ମାନ ହିଁ ସବୁଠୁ ବଡ଼ ଜିନିଷ l ଚାଲ ଡାଇନିଂ ଟେବୁଲ ରେ ବସ ଆମ୍ବ ଦିଟା କାଟି ଆଣୁଛି l


Rate this content
Log in