ଅଭି
ଅଭି
ସେ ମୋତେ ପାଖରୁ ଦେଖୁ ଦେଖୁ ଗାମୁଛାରେ ତା ମୁହଁ ଲୁଚାଇ ଦେଲା । ତାର କନ କନ ଭାବ ମୋ ଭିତରେ କୌତୁହଳ ସୃଷ୍ଟି କଲା। କିଏ ଇଏ ? ମୋତେ ଦେଖି ଏମିତି ଆଚରଣରେ କରୁଛି କାହିଁକି? ନିଶ୍ଚୟ ଆମ ସ୍କୁଲ ପିଲା ହୋଇଥିବ। ନିଜ ସ୍କୁଲ ପିଲା ହିଁ ସେଇ ସ୍କୁଲର ଶିକ୍ଷକଙ୍କୁ ଦେଖିଲେ ଏମିତି ହୁଅନ୍ତି। କେଉଁଠି ଲୁଚିଯାଅନ୍ତି ବା ମୁହଁ ଲୁଚାଇ ବସି ପଡନ୍ତି।
ଆଜି ମୋ ଭାଇ ମୋତେ ସ୍କୁଲରେ ଛାଡିବା ପାଇଁ ନେଉଥିଲେ। ପଛରେ ବସିଥିବାରୁ ଦୂରରୁ ପିଲାଟି ମୋତେ ଜାଣି ପାରିଲା ନାହିଁ। ପାଖ ହେବାରୁ ଜାଣି ଦେଇ କୁଆଡେ ଯାଇ ନ ପାରି ବସିବା ସ୍ଥାନରେ ମୁହଁ ଲୁଚେଇବାକୁ ଆପ୍ରାଣ ଚେଷ୍ଟା କଲା। ମୁଁ ଭାଇଙ୍କୁ କହି ଗାଡି ଅଟକାଇଲି।
ପିଲାଟି ଜାଣି ପାରିଲାଣି ବୋଧେ ମୁଁ ତା ପାଖକୁ ଯାଉଛି।ସେ ଯଥାସାଧ୍ୟ ଗାମୁଛା ଭିତରେ ନିଜକୁ ଲୁଚାଇବା ଚେଷ୍ଟାରେ ଥାଏ।
ରାସ୍ତା ଦାଢ଼ରେ ଝାମ୍ପୁଲା ବରଗଛଟିଏ।ନିତି ସେଇ ବାଟେ ଯିବା ଆସିବା ମୋର। ପାଖା ପାଖି ଦେଢ଼ ବର୍ଷ ହେଲାଣି ସ୍କୁଲ ବନ୍ଦ।ହାଇସ୍କୁଲ ଏବେ ଖୋଲିଲାଣି। ଆମେ ଏବେ ପ୍ରତିଦିନ ସ୍କୁଲ ଯାଉଛୁ। ଆମର ନୋଡାଲ ହାଇସ୍କୁଲ।
ଯେଉଁ ପିଲା ପଞ୍ଚମରେ ପଢୁଥିଲେ ଏବେ ସେମାନଙ୍କ ନାଁ ସପ୍ତମରେ । ଆଜି ଗୋଟେ ଘଟଣା ମୋତେ ଚକିତ କଲା। ପିଲାଟିଏ ଗଛ ତଳେ ବସିଥିବାର ଦୂରରୁ ଦେଖି ପାରୁ ଥିଲି। ସବୁଦିନେ ଦୂରରୁ ପିଲା ଦିଶନ୍ତି। ମାତ୍ର ସେଇ ଗଛ ପାଖ ହେଲା ବେଳକୁ କିଏ କୁଆଡେ ଲୁଚି ଯାଆନ୍ତି।
ପ୍ରତିଦିନ ମୁଁ ନିଜେ ଆକ୍ଟିଭା ଚଳେଇ ସ୍କୁଲ ଯାଏ।ଆଜି ଭାଇ ସଂଗେ ପଛରେ ବସି ଯାଉଥିବାରୁ ପିଲାଟି ବୋଧେ ମୋତେ ଜାଣି ପାରି ନଥିଲା। ଦ୍ଵିତୀୟ କାରଣ ଆଜି ବଗିଚା ସଫା କାମ ପାଇଁ ସହଳ ସ୍କୁଲ ଯାଉଛି । ପିଲାମାନେ ଗାଡି ଓ ସମୟ ଦେଖି ବୁଝି ଯାଆନ୍ତି କି ତାଙ୍କ ମାମ୍ ଆସିଲେ। ଯେହେତୁ ଆଜି ଦୁଇଟି ଯାକ ବ୍ୟତିକ୍ରମ ହୋଇଛି ପିଲାଟି ଜାଣି ପାରିଲା ନାହିଁ ।
ପାଖକୁ ଯାଇ ଡାକିଲି, କିଏ ତୁ ? କାହିଁକି ଗାମୁଛାରେ ମୁହଁ ଲୁଚାଉଛୁ ?
ବିଚରା କୌଣସି ଉପାୟ ନ ପାଇ ଗାମୁଛାରୁ ମୁହଁ ବାହାର କରି ମୋତେ ପ୍ରଣାମଟିଏ ହେଲା।
ଅଭିମନ୍ୟୁ ! ତୁ ? ତୁ ଏଠି କଣ କରୁଛୁ ? ତୁମ ଗାଁ ତ ମହାନ୍ତି ପଡା। କେତେ ଦୂର ଏଠୁ ?
ହଁ ଏ ଅର୍ଜୁନ ପୁଅ ଅଭିମନ୍ୟୁ। ମହାଭାରତର ନୁହେଁ ମହାନ୍ତି ପଡ଼ାର। ଡାକ ନାଁ ଅଭି। ଅଭି ଜଣେ ମେଧାବୀ ଛାତ୍ର। ତୃତୀୟରେ ଓ ପଞ୍ଚମରେ ବୃତ୍ତି ପରୀକ୍ଷାରେ ଜିଲ୍ଲାରେ ପ୍ରଥମ ହୋଇଥିଲା । ଶାନ୍ତ ଶିଷ୍ଟ ,ନିରୀହ, ଡ଼ଉଲଡାଉଲ ଛୁଆଟିଏ । ପ୍ରତ୍ୟେକ ଶିକ୍ଷକ ଏ କୁଲୁବୁଲିଆ ଛୁଆଟିକୁ ଖୁବ୍ ଆଦର କରନ୍ତି।ହାଇ ସ୍କୁଲ ପିଲାଙ୍କୁ ପଢେଇଲେ ବି ମୁଁ ପ୍ରାୟ ପିଲାଙ୍କୁ ଜାଣେ।
ଅଭି ଘର ଚଳଣି ପକ୍ଷ ଆଦୌ ଭଲ ନୁହେଁ।
ଅଭି ବାପା ଅର୍ଜୁନ ଜଣେ ଅଟୋ ଡ୍ରାଇଭରଟିଏ । ଘରେ ବାପା ମା ,ବାଡୁଅ ଭାଇ ଭଉଣୀ ଦୁଇଟି ତଥା ଦୁଇ ପିଲା ତାଙ୍କର। ଏହିପରି ଆଠ ପ୍ରାଣୀ କୁଟୁମ୍ବ ସେଇ ଅଟୋ ରୋଜଗାର ଉପରେ ନିର୍ଭର କରି ଚଳନ୍ତି। ଘରେ ଗାଈ ଓ ଛେଳି ଅଛନ୍ତି। ଅଭି ଜେଜେ ଓ ଜେଜିମା ସେମାନଙ୍କ ହେପାଜତ କରନ୍ତି । ଅଭାବୀ ପରିବାର କହିଲେ ଚଳେ। ଏଣୁ ସ୍କୁଲ ଛୁଟି ହେବା ମାନେ ଅଭି ମା ଛୁଆ ଦୁହିଁଙ୍କୁ ତାଙ୍କ ବାପଘରକୁ ପଠେଇ ଦିଅନ୍ତି।
ଅଭି ମାମୁଁଘର ଚଳିବା ପକ୍ଷ ଭଲ । ଗୋଶାଳା ସାଙ୍ଗକୁ ପରିବା ଗୋଦାମ । ପିଲାମାନେ ଭଲ ଦିଟା ଖାଇବେ ଓ ପିନ୍ଧିବେ ବୋଲି ଅଭି ଓ ତା ଭଉଣୀ ଛୁଟିରେ ମାମୁଁ ଘର ପଳାନ୍ତି। ଏତେ ବଡ଼ ଘର ଝିଅ କେମିତି ଜଣେ ଅଭାବୀ ମଣିଷକୁ ଜ୍ବାଇଁ କଲେ ଏ ପ୍ରଶ୍ନ ଦିନେ ଅଭି ମା ଙ୍କୁ ମୁଁ କରିଥିଲି ।
ଅଭି ମା ଲାଜ ମିଶା ହସରେ କହିଲା ଆମର ଲବ୍ ମ୍ୟାରେଜ ମାମ୍ । ଘରେ କେହି ରାଜି ନଥିଲେ । ସାଙ୍ଗ ହୋଇ ପଢୁଥିଲୁ। ପ୍ଲସ ଟୁ ପାସ୍ ପରେ ପରେ କାହାକୁ ନ କହି ଘରୁ ପଳେଇ ଆସିବି ବହାରିଲାରୁ ମା କେମିତି ଜାଣିଦେଲା । ମୁଁ ତିନି ଭାଇରେ ଗୋଟିଏ ଝିଅ,ପୁଣି ବଡ଼ ସନ୍ତାନ । ମୋ ବାବା ଜଣେ ଶିକ୍ଷିତ ଓ ଉଦାର ଭାବର ମଣିଷ । ଯେତେବେଳେ ଜାଣିଲେ ଝିଅ ତାଙ୍କର ଅର୍ଜ୍ଜୁନଙ୍କୁ ପସନ୍ଦ କରିଛି କୌଣସି ପ୍ରତି ବନ୍ଧକ ସୃଷ୍ଟି ନ କରି ଅଠର ବର୍ଷ ପୁରୁ ପୁରୁ ମୋତେ ବାହା କରିଦେଲେ।
ମାମ୍ ଗରିବ ଘର ହେଲେ ବି ଅର୍ଜୁନଟି ଦେଖିବାକୁ ଯେମିତି ସୁନ୍ଦର ,ସେମିତି ପରିଶ୍ରମୀ ଓ ସଂସ୍କାରୀ । ଶାଶୁ ଶଶୁର ଦିଅର ନଣନ୍ଦ ଖୁବ୍ ଆପଣାର ଓ ସ୍ନେହୀ । ଏ ଘରେ ଧନ ନ ଥାଇ ପାରେ କିନ୍ତୁ ମନରେ ଧନୀ ସମସ୍ତେ । ମୁଁ କେବେ ଭାବେ ନାହିଁ ବଡ଼ ଘର ଝିଅ ଗରିବ ଘର ବୋହୁ ହୋଇଛି ବୋଲି । ଭଲ ଖାଇବା ପିଇବା ଏ ଘରେ ସବୁଦିନେ ମିଳେନାହିଁ। ସ୍କୁଲ ଛୁଟି ଦିନ ମାନଙ୍କରେ ଖାଇବା ପିଇବା ପାଇଁ ପିଲା ଦୁହିଁଙ୍କୁ ମୋ ଭାଇ ଆସି ନେଇ ଯାଏ।
ଇଏ ସେଇ ଅଭିମନ୍ୟୁ ,ଡାକ ନାଁ ଅଭି।
କରୋନା ଯୋଗୁଁ ସ୍କୁଲ ବନ୍ଦ ହେବା ଦିନୁ ଅଭି ମାମୁଁ ଘରେ ଯାଇ ଥିଲା । ତା ସହ ଦେଖା ହୋଇ ନଥିଲା । ଶିକ୍ଷକ ମାନେ ଯେତେବେଳେ ତାଙ୍କ ଘରକୁ ଯାଇ ବୁଝନ୍ତି ତ ଅଭି ଓ ତା ଭଉଣୀ ଅନି ମାମୁଁ ଘରେ ଥାଆନ୍ତି।।
ପଢାପଢି କରୁଛନ୍ତି ତ ? ପଚାରିଲେ କୁହନ୍ତି ହଁ ବାବା ତାଙ୍କୁ ଟିୟୁସନ ଦେଉଛନ୍ତି।
ଆଜି ଏ ଗଛ ମୂଳରେ ଅଭି କରୁଛି କଣ ?
ଅଭି ! ଏ ଗଛ ମୂଳେ କଣ କରୁଛୁ ? ତୋର ସପ୍ତମ ହେଲା ଟି ? ବୃତ୍ତି ସହ ପଠାଣି ସାମନ୍ତ ମେଧା ପରୀକ୍ଷା ବି ଦେବୁ ନା ନାଇଁ ? ପଢା ପଢି କଲେ ସିନା ହେବ । ଅନ୍ ଲାଇନ୍ କ୍ଳାସ୍ କରୁଛୁ ନା ନାହିଁ ? ଶୁଣୁଥିଲି ତୋ ଜେଜେ ଓ ଜେଜିମା କରୋନାରେ ମରିଯାଇଛନ୍ତି? ତୁ ତ ମାମୁଁ ଘରେ ଥିଲୁ କାଇଁ ଆସିଲୁ ?
ସେ ମୋ କଥା ଶୁଣି କାନ୍ଦି ପକାଇଲା । ମୋ ବଡ଼ ଦୁଇ ମାମୁଁ ଓ ଅଜା ବି କରୋନା ମରି ଯାଇଛନ୍ତି ମାମ୍ । ସାନ ମାମୁଁର ଏ ବର୍ଷ ଦଶମ ହେଲା । ମାମୁଁ ଘର ଅବସ୍ଥା ଭଲ ନାହିଁ । ଆମ ଘରେ ବି ଅଟୋ ନ ଚାଲିବାରୁ ଚଳିବାରେ ଭାରି ହଇରାଣ। ଜେଜେ ଓ ଜେଜିମା ଛେଳି ରଖିଥିଲେ। ଦୁଇଟିରୁ ଷୋଳଟି ଛେଳି କରିଥିଲେ । ମୋ ଜେଜେ ଓ ଜେଜିମା ସିନା ମରିଗଲେ ତାଙ୍କରି ଯୋଗୁଁ ଆମେ ବଂଚିଛୁ ଜାଣ। ନଲେ ଖାଇବା ବିନା ଆମେ ମରି ସାରନ୍ତୁଣୁ। ବାବା ଗୋଟେ ଗୋଟେ ଛେଳି ବିକି ଆମ ପାଇଁ ଦୋକାନ ସଉଦା ପତ୍ର କରୁଛନ୍ତି । ବାବା ଓ ଦାଦା ଯିଏ ଡାକୁଛନ୍ତି ତାଙ୍କ ମୂଲ ଲାଗିବାକୁ ଯାଉଛନ୍ତି।
ମୁଁ ଛେଳି ଓ ଗାଈ ଜଗୁଛି। ଆମ ଗାଁ ଦଣ୍ଡାରେ ଘାସ ସରି ଯିବାରୁ ଏଠିକି ଛେଳି ଓ ଗାଈ ଚରେଇବାକୁ ଆଣିଛି।
ଆଉ ତୋ ପାଠ ପଢା ?
ରାତିରେ ପଢେ । ଯାହା ବୁଝି ନ ପାରେ ଆମ ଛୋଟ ଫୋନ୍ ରେ ସାରଙ୍କୁ ପଚାରି ବୁଝେ। ଆମର ସ୍ମାର୍ଟ ଫୋନ୍ ନାହିଁ। ଏଣୁ ଅନ୍ ଲାଇନ କ୍ଳାସ କରିବା ମୋ ଦେଇ ସମ୍ଭବ ହେଉ ନାହିଁ। ମରିଥିବା ମାମୁଁଙ୍କ ଫୋନ୍ ଅଛି କିନ୍ତୁ ନେଟ୍ ପ୍ୟାକ୍ ପକେଇବାକୁ ଆମର ପଇସା ନାହିଁ ।
ମୁଁ ତା ମୁଣ୍ଡ ସାଉଁଳେଇ ଦେଲି । ଅଭି ତୁ ଗୋଟେ କଥା କର ଆମେ ତ ସବୁଦିନ ସ୍କୁଲ ଆସୁଛୁ ।ତୁ ମଝିରେ ମଝିରେ ଯାହା ବୁଝି ନ ପାରୁଛୁ ସ୍କୁଲ ଆସିବୁ କିମ୍ବା ତୁ କେଉଁ ଦିନ ଘରେ ରହୁଛୁ କହିଲେ ଆମ ଭିତରୁ କେହି ଯାଇ ତୋତେ ପଢେଇ ଦେଇ ଆସିବେ । ତୁମ ଘରେ ସମସ୍ତେ କରୋନା ପଜିଟିଭ୍ ଥିଲେ ଓ ତୋ ଜେଜେ ଜେଜିମା ମରି ଯିବାରୁ ତୁମ ଘରକୁ କେହି ଯାଉ ନଥିଲେ। ଏବେ ତ ସବୁ ଠିକ୍ ଠାକ୍ ହୋଇ ଗଲାଣି।
ତଥାପି ଆମ ଘରକୁ କେହି ଆସୁ ନାହାଁନ୍ତି କି ଆମ ସଂଗେ କେହି ମିଶୁ ନାହାନ୍ତି ମାମ୍ । ଏକଘରକିଆ କରି ରଖିଛନ୍ତି ଦୁଇ ମାସେ ହେବ।
ତୁ ବ୍ୟସ୍ତ ହ ନା। ରୋଗଟି ସେମିତି ବାବୁ । ଯେ କେହି ଡରୁଛନ୍ତି । ତୁ କିନ୍ତୁ ତୋ ପଢାରେ ଢିଲା କରିବୁ ନାହିଁ । ଯାହା ବୁଝି ନ ପାରିବୁ ତୋ ସବଜେକ୍ଟ ଟିଚରଙ୍କୁ ପଚାରିବୁ। ମୋ ନମ୍ବର ରଖ ଓ ତୋ ମାମୁଁଙ୍କ ଫୋନ୍ ନମ୍ବର ଦେ ନେଟ୍ ପ୍ୟାକ୍ ପକେଇଦେବି। ଯଦି କିଛି ଦରକାର ହୁଏ ମୋତେ ଫୋନ୍ କରିବୁ।
ଆସିବା ପୂର୍ବରୁ ପଚାରିଲି ଆଜି କଣ ଖାଇଛୁ?
ନାଲି ଚା ଓ ମୁଢି।
ହେଉ ଏ ଟିଫିନ ରଖ । ଉପମା ଅଛି ଖାଇବୁ। ପାଣି ବୋତଲ ବି ରଖ। ଏତେ ଖରା ହେଉଛି ସାଙ୍ଗରେ ଛତା ଓ ପାଣି ବୋତଲ ଆଣିବୁ ସବୁ ଦିନ।
ନାଇଁ ନାଇଁ ଆପଣ କଣ ଖାଇବେ ?
ମୁଁ ଆଜି ସହଳ ଘରକୁ ଫେରିବି। ଗଲେ ଭାତ ଖାଇବି।
ଭାଇ ବି ଅଭି କଥା ଶୁଣି ମନଦୁଃଖ କଲେ। ଖାତା ବହି କିଣିବା ପାଇଁ ତା ହାତରେ ପାଞ୍ଚ ଶହ ଟଙ୍କା ଗୁଂଜି ଦେଲେ। ନେଉ ନଥିଲା । ମୁଁ କହିଲି ତୋତେ କଣ ଦିଆ ହେଉଛି ? ତୁ ଭଲ ପଢିବୁ ବୋଲି ଦିଆହେଉଛି। କାଗଜ କାଳି ନହେଲେ ତୁ ପଢିବୁ କେମିତି ? ତୁ ନ ପଢିଲେ ଆମ ସ୍କୁଲ ନାଁ ହେବ କେମିତି ? ଆମ ସ୍କୁଲ ପାଇଁ ତୋତେ ଏ ଟଙ୍କା ଦିଆ ହେଲା। କାଗଜ କଲମ କିଣିବୁ।
ଅଭିକୁ ସେଇ ବରଗଛ ମୂଳେ ଛାଡି ସିନା ଆସିଲି ମନଟି ଡହଳ ବିକଳ ହେଲା । କେତେ ଅଭି ଏ କରୋନାରେ ଅନାଥ ହେଲେ, ଅଘରୀ ହେଲେ ତାର କଣ ହିସାବ ଅଛି !
ଅଭି ପାଇଁ ମୋ ମନ ଦୁଃଖରେ ଓଦା ହୋଇଗଲା । କିଛି ନହେଲା ନାଇଁ ଗୋଟିଏ ମେଧା ପିଲାର ଭବିଷ୍ୟତ ନଷ୍ଟ ହେବାକୁ ଦେବି ନାହିଁ ଏ ପ୍ରତିଜ୍ଞାଟି କଲି। ଆଜିଠାରୁ ଅଭି ପଢା ଦାୟିତ୍ୱ ମୋର।
