ପ୍ରଶାନ୍ତ କୁମାର ବେହେରା

Others

5.0  

ପ୍ରଶାନ୍ତ କୁମାର ବେହେରା

Others

ଆଉ ଜଣେ କାଉଲ୍..( ଚତୁର୍ଥ ଭାଗ )

ଆଉ ଜଣେ କାଉଲ୍..( ଚତୁର୍ଥ ଭାଗ )

3 mins
7.4K


ଆଉ ଜଣେ କାଉଲ୍......( ଚତୁର୍ଥ ଭାଗ )

----------------------------------------------------------

( ସମସ୍ତ ଚରିତ୍ର କାଳ୍ପନିକ ବୋଲି ଧରିନେବାକୁ ବିନମ୍ର ଅନୁରୋଧ )

ତା ପରଦିନ ସକାଳୁ ସକାଳୁ ଭାଇଙ୍କୁ ଭୁଜାଲିରେ ହାଣି କ୍ଷତାକ୍ତ କରି ମଟର ସାଇକେଲ୍ ଲୁଟି ନେବା କଥା ସାରା ଜଗତସିଂହପୁରରେ ବିଜୁଳି ବେଗରେ ପ୍ରଚାର ହୋଇଗଲା l ଭାଇଙ୍କୁ କାର୍ ରେ ପ୍ରଥମେ ଜଗତସିଂହପୁର ମେଡିକାଲ୍ ନିଆଗଲା l ଭାଇ ସେଠି ପହଞ୍ଚୁ ପହଞ୍ଚୁ ଚେଲା ଚାମୁଣ୍ଡାଙ୍କ ଭିଡ ମେଡିକାଲ୍ ରେ ଲାଗିଗଲା l ସେ ଚେଲାମାନେ ହେଉଛନ୍ତି ସବୁ ପ୍ରାୟ ନିଶାଖୋର୍ ଯୁବକ ଆଉ ନିଜ ନିଜ ଅଞ୍ଚଳରେ ସେମାନଙ୍କର ଖୁବ୍ ପତିଆରା ବି ଥାଏ l ଭାଇଙ୍କ ଠାରୁ ବିଭିନ୍ନ ସମୟରେ ନିଶାପାଣି ପାଇ ଆପ୍ୟାୟିତ ହୋଇଛନ୍ତି l ଆଜି ଭାଇଙ୍କ ଋଣ ଶୁଝିବା ସମୟ ଆସିଛି l ଏମିତି ସୁଯୋଗ ଚେଲା ଚାମୁଣ୍ଡା ମାନଙ୍କର ଭାଗ୍ୟରେ ଖୁବ୍ କମ୍ ଆସେ l ଭାଇଙ୍କ ଠାରୁ କେବଳ ବୁଝିନେଲେ ଯେ ତରଡାପଡା ପରେ ପରେ ସେ ମଜୁରେଇ ପାଖରେ ଏ ଘଟଣା ଘଟିଛି ବୋଲି l

ଶେଷକୁ ଫାଇନାଲ୍ ହେଲା ଭାଇଙ୍କୁ କଟକର ଗୋଟେ ଭଲ ନର୍ସିଂହୋମ୍ ରେ ରଖି ହାତର ଚିକିତ୍ସା କରାଯିବ l କାରଣ ତାଙ୍କ ଡାହାଣ ହାତର ଦୁଇଟି ଆଙ୍ଗୁଠି ସେ ଭୁଜାଲି ଚୋଟରେ ଅଧାରୁ ଅଧିକ କଟି ଯାଇଥାଏ l ଭାଇଙ୍କ କାର୍ କଟକ ଯିବା ପରେ ପରେ ଉଦ୍ଭ୍ରାନ୍ତ ଚେଲା ଚାମୁଣ୍ଡା ମାନଙ୍କର ବାଇକ୍ ସବୁ ଜଗତସିଂହପୁର ଆଉ ଜଇପୁର ରାସ୍ତା ସହ ଆଖପାଖ ଗାଁଆଁ ଗଣ୍ଡାରେ ଖାଲି ପଇଁତରା ମାରିବାରେ ଲାଗିଲେ l ଯେଉଁ କିଛି ଲୋକ ଏ ରାସ୍ତାରେ ଲୋକ ମାନଙ୍କୁ ଲୁଟ୍ କରନ୍ତି ସେମାନଙ୍କ ମଧ୍ଯରୁ ଅଧିକାଂଶ ଏ ଚେଲା ଚାମୁଣ୍ଡା ମାନଙ୍କର ମଧ୍ଯ ପରିଚିତ l

ଏମିତି ଅବସ୍ଥା ଦେଖି ଯେଉଁ ତିନିଜଣ ଗାଡି ଲୁଟ୍ କରିଥିଲେ ସେମାନେ ପ୍ରମାଦ ଗଣିବା ଆରମ୍ଭ କରିଦେଲେ l ଜାଣିଗଲେ ଯେ ନିହାତି ଭୁଲ୍ ଜାଗାରେ ହାତ ମରିଦେଇଛନ୍ତି l ସେମାନଙ୍କର ଲୁଟ୍ କରିବା ବେଳର କଥା ମନେ ପଡିଗଲା l ଲୋକଟା ନିର୍ଭୟ ଭାବରେ ଠିକ୍ କହିଥିଲା, " ଗାଡି ନେଇ ସମ୍ଭାଳି ପାରିବତ ? "

ସତରେ ଏବେ ଅସମ୍ଭାଳ ଅବସ୍ଥା ହେଲାଣି l ଏଣେ ଏ ନିଶାଖୋର୍ ଯୁବକ ମାନେ ଖୋଜିବାକୁ ତେଣେ ପୁଲିସ୍ ବି ପୁରା ଦମ୍ ଲଗାଇ ଖୋଜୁଛି ସେ ଲୁଟେରା ମାନଙ୍କ ସହ ବାଇକ୍ କୁ l ଧରା ପଡିବା ମାନେ ଗୋଟେ ବି ମାଡ ତଳେ ପଡିବନି l ସୁନା ଚେନ୍ କିମ୍ବା ଟଙ୍କା ଲୁଟ୍ କରିଥିଲେ କଥା ଅଲଗା l କିନ୍ତୁ ବାଇକ୍ ଟାକୁ କେମିତି ଲୁଚାଇ ରଖିବେ ଅଧିକ ଦିନ ? ଯେମିତି ହେଲେ ସେ ଉଦ୍ଭ୍ରାନ୍ତ ଯୁବକ ଗୁଡାକ ତାଙ୍କୁ ଧରିଦେବେ l ଜୀବନରେ ବହୁ ଲୁଟ୍ କରିଥିବେ କିନ୍ତୁ ଏମିତି ଅବସ୍ଥାରେ କେବେ ବି ପଡିନଥିଲେ l ରଡ ନିଆଁରେ ହାତ ମରିଛନ୍ତି ମାନେ ଜଳିପୋଡି ଯିବା ଫାଇନାଲ୍ l

ଏଣେ ଭାଇଙ୍କ ଚେଲା ଚାମୁଣ୍ଡା ସବୁ ଏ ଘଟଣାକୁ ନିଜର ସମ୍ମାନର ପ୍ରଶ୍ନ ବୋଲି ଧରିନେଇଥାନ୍ତି l ନିଶାଡି ମାନଙ୍କର ଏକ ବିଶେଷ ଗୁଣ ହେଉଛି କି ଯଦି ସେମାନେ କୌଣସି କଥାକୁ ନିଜ ସମ୍ମାନ ସହ ଯୋଡିଦେଲେ ତାହେଲେ କଥା ସରିଗଲା l ନିଜର ସମସ୍ତ ଶକ୍ତି ସାମର୍ଥ୍ଯ ଲଗେଇ ସେ ସମ୍ମାନକୁ ଯେମିତି ହେଲେ ପୁରା କରିବେ l ଦରକାର ପଡିଲେ ସାରା ଦୁନିଆକୁ ଏକ କରିଦେବେ l ଭାଇଙ୍କ ଭଳି ଲୋକଙ୍କୁ ଭୁଜାଲିରେ ହାଣି ଗାଡି ଲୁଟ୍ କରିଛନ୍ତି - ଏ କଣ କମ୍ କଥା l ଯେଉଁମାନେ ଏ କାମ କରିଛନ୍ତି ସେମାନଙ୍କୁ ପାନେ ନଦେଲେ ନ ହୁଏ l

ସେ ତିନି ଜଣ ଲୁଟେରାଙ୍କ ଅବସ୍ଥା ଭୟରେ ଏମିତି ହେଲା , ସେମାନେ ଯେଉଁଠି ବାଇକ୍ ଲୁଚାଇ ରଖିଥିଲେ ସେଠିକି ବି ଯିବାକୁ ଡରିଲେ l ଧରାପଡି ଯିବାର ଭୟ ସେମାନଙ୍କୁ ପ୍ରତି ମୂହୁର୍ତ୍ତରେ ଘାଇଲା କରୁଥାଏ l ଦିନରେ କୁଆଡେ ଯାଇପାରୁ ନଥାନ୍ତି କି ରାତିରେ ଠିକ୍ ରେ ଶୋଇ ପାରୁ ନଥାନ୍ତି l ବଡ ହରଡଘଣାରେ ପଡିଯାଇଥାନ୍ତି ସେମାନେ l କଣ କରି ଏ କେସ୍ ରୁ ମୁକୁଳିବେ କିଛି ବି ବୁଦ୍ଧି ବାଟ ଦିଶୁ ନଥାଏ l

ଏମିତିରେ ଦୁଇ ଦିନ କଟିଗଲା l ଭାଇ କଟକରୁ ଚିକିତ୍ସିତ ହୋଇ ଘରେ ଅବସ୍ଥାନ କଲେ l ଚେଲା ମାନେ ଘରେ ଦେଖା କରିବା ସହ ଲୁଟେରା ମାନଙ୍କୁ ଯେମିତି ହେଲେ ଧରିବେ ସେଇ ଗୋଟେ ନାରା ଦେଇ ଚାଲିଥାନ୍ତି l ଏଣେ ଆଗକୁ କାଳେ ଅବସ୍ଥା ବେଶି ଅସମ୍ଭାଳ ହେବ ସେ ଡରରେ ଲୁଟେରା ତିନି ଜଣ ଶେଷକୁ ଗୋଟେ ବଢିଆ ବୁଦ୍ଧି ପାଞ୍ଚିଲେ l ସେତେବେଳେ ମାନେ ୨୦୦୧ ରେ ଏମିତି ସବୁ ମୋବାଇଲ୍ ଯୁଗ ନଥିଲା l ଭାଇଙ୍କ ଘରର ଟେଲିଫୋନ୍ ଲ୍ୟାଣ୍ଡ ନମ୍ୱର ସେମାନେ ଯୋଗାଡ କଲେ l ରାତି ଅଧରେ ସେ ବାଇକ୍ କୁ ଧରି ନିକଟରେ ଥିବା କନକଦୁର୍ଗା ପୁଲିସ୍ ଫାଣ୍ଡି ପାଖରେ ରଖିଦେଇ ଚୁପ୍ କରି ଖସିଆସିଲେ l ଗୋଟେ ଟେଲିଫୋନ ବୁଥ୍ ରୁ ଫୋନ କରି ଭାଇଙ୍କ ଘରକୁ ଜଣାଇଦେଲେ ଯେ ବାଇକ୍ ଫାଣ୍ଡି ପାଖରେ ମିଳିଲା l ଆସିକି ନେଇ ଯାଆନ୍ତୁ l

ଏ ଫୋନ ଆସିବାର କିଛି ସମୟପରେ କନକଦୁର୍ଗା ଫାଣ୍ଡିରୁ ବି ଫୋନ୍ ଗଲା l ବାଇକ୍ ମିଳି ଯାଇଛି, କାଗଜପତ୍ର ସହ ସକାଳୁ ଆସି ଗାଡି ନେଇ ଯିବାକୁ କୁହାଗଲା l ତା ପରଦିନ ସକାଳୁ ଭାଇ ଗାଡି କାଗଜପତ୍ର ସହ ଜଣେ ଚେଲାକୁ ସାଙ୍ଗରେ ଧରି ଫାଣ୍ଡିରେ ପହଞ୍ଚିଲେ l ଫାଣ୍ଡିରେ ଆଇନ୍ ଅନୁଯାଇ ସମସ୍ତ ଆନୁସାଙ୍ଗିକ କାମ ସରି ଗୋଟେ କିକ୍ ରେ ବାଇକ୍ ଷ୍ଟାର୍ଟ କରି ଘରକୁ ଫେରିଲେ l ( କ୍ରମଶଃ ........)

********************************************

ପ୍ରଶାନ୍ତ କୁମାର ବେହେରା

ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର l

ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in