ଆଞ୍ଜୁଳାଏ ସ୍ବପ୍ନ
ଆଞ୍ଜୁଳାଏ ସ୍ବପ୍ନ
ମୁଠାମୁଠା ବାଲିଧରି ଖେଳୁଥାଏ କୁନିଝିଅ ପୁନି (ପୂର୍ଣ୍ଣିମା)।ସେଇଠି କାମ କରୁଥାଆନ୍ତି ତା ବାପା ଶଙ୍କର ଓ ବୋଉ ଅଞ୍ଜନା।ବିରାଟ ବଡ ଘର ତିଆରି ଚାଲିଛି। କଲେକ୍ଟର ତ୍ରିଲୋଚନ ମିଶ୍ର ଙ୍କ ଘର ତିଆରି ହେଉଛି।ପୁନିର ଆଖି ପାଏନି ଏତେବଡ ଘର ଦେଖିକରି।ପଚାରେ ବାପା ଏ ଘର କାହାର ?
ତା ବାପା ଉତ୍ତର ଦିଏ ବାବୁଙ୍କର।
ଏତେ ବଡ ଘରେ କେତେଜଣ ରହିବେ?
ବାବୁ ,ମାଆ ଆଉ ତାଙ୍କ ପୁଅ।
ଏଥିରେ ତ ବହୁତ ଗୁଡାଏ ବଖରା ଅଛି।ଆଉ କିଏ ରହିବ?
ଶଙ୍କର ବିରକ୍ତ ହେଇ ଉତ୍ତର ଦିଏ "ତୁ ରହିବୁ"।
ସତରେ?ତାହେଲେ ମୋର ଏଥିରୁ କେଉଁ ବଖରା?
ଏଥର ଶଙ୍କର ହସିଦିଏ ଝିଅର କଥାରେ।ଅବୁଝା ଝିଅର ବାରମ୍ବାର ପ୍ରଶ୍ନ ଶୁଣି ବାଧ୍ଯ ହେଇ ଶଙ୍କର କହିଲା ଏଇ ସବୁଠୁ ବଡ ବଖରା ଟି ତୋର।ଖୁସିରେ ତାଳିମାରି ନାଚିଲା ପୁନି।ମୋର ସବୁଠୁ ବଡ ବଖରା ଏଏଏ ମୋର ସବୁଠୁ ବଡ ବଖରା ଏଏଏ।
ପ୍ରାୟ ଗୋଟେ ବର୍ଷ ଲାଗିଗଲା ଘର କାମ ସରିବାକୁ।ଏତେବଡ ଘର ଯେଉଁ ହେଇଛି ଯେ।ଭିତର ବାହାର ସବୁ କାମ ସରୁସରୁ ସମୟତ ଲାଗିବନା।ଏତିକି ଦିନର କାର୍ଯ୍ଯ ଅବଧି ରେ ତ୍ରିଲୋଚନ ବାବୁ କଳି ସାରିଛନ୍ତି ଶଙ୍କର ଓ ତା ସ୍ତ୍ରୀ ଅଞ୍ଜନା ର ବିଶ୍ବସ୍ତତାକୁ।ସବୁ ମିସ୍ତ୍ରୀ ମଜୁରିଆ ମାନେ କାମ ସାରି ଗଲାପରେ ବି ସେମାନଙ୍କୁ ଛାଡିନଥିଲେ ତ୍ରିଲୋଚନ ବାବୁ।ସବୁଦିନ ପାଇଁ ସେମାନଙ୍କୁ ପାଖରେ ରଖିଦେଇଥିଲେ।ଏତେ ବଡ ଘରର ଦାୟିତ୍ବ ନେବା ପାଇଁ ସବୁଦିନିଆ ବିଶ୍ବସ୍ତ ଲୋକଟିଏ ହିସାବରେ।କୁନି ଝିଅ ପୁନି ବହୁତ କାନ୍ଦିଥିଲା ଗୃହ ପ୍ରବେଶ ଦିନ।ସେ ବି ତା ବଡ ବଖରାକୁ ଯିବା ପାଇଁ ଜିଦିଧରି ବସିଥିଲା।ଅବଶ୍ଯ ତା ଇଚ୍ଛା ପୂରଣ କରିଥିଲେ ତ୍ରିଲୋଚନ ବାବୁ ଓ ତାଙ୍କ ସ୍ତ୍ରୀ ସୁପ୍ରଭା ଦେବୀ ଅନ୍ଯ ପ୍ରକାରରେ।ଘରର ଆଉଟ୍ ହାଉସରେ ସେମାନଙ୍କ ପାଇଁ ରହିବା ବ୍ଯବସ୍ଥା କରିଦେଇଥିଲେ।ସେଇ ଘରଟି ବି ସେମାନଙ୍କ ପାଇଁ କୌଣସି ରାଜ ଉଆସଠାରୁ କମ୍ ନଥିଲା।ଏହା ଆଗରୁ ଯେଉଁଭଳି ଝୁମ୍ପୁଡି ଘରେ ସେମାନେ ରହୁଥିଲେ ସେକଥା ନକହିଲେ ଭଲ।ତଥାପି ସେଇ ଘରକୁ ଭଡା ଗଣି ଗଣି ସେମାନେ କେତେ ଅସୁବିଧାରେ ଚଳୁଥିଲେ।ଏବେ ଆଉ ସେକଥା ନାହିଁ।ଅଞ୍ଜନା କୁ ଆଉ ବାହାରକୁ ଯାଇ କାମ କରିବାକୁ ପଡୁନି।ବାବୁଘରେ ଯେତିକି କାମ ସେତିକିକୁ ଦିନ ନିଅଣ୍ଟ।ସେ ପୁଣି ଛାଇରେ ରହି ରହି।ଅଞ୍ଜନା କାମକୁ ନଯିବାରୁ ପୁନିକୁ ବି ବାହାରକୁ ଯିବାକୁ ପଡୁନି।ଏବେ ଘରେ ରହୁଛି ଦିନ ସାରା ତା ପଛେପଛେ।ଏଇ ମୌକାରେ ବାବୁଘର ସବୁ ବୁଲିକି ଦେଖୁଛି।ସୁପ୍ରଭା ପିଲାଟିକୁ ବହୁତ ଭଲ ପାଆନ୍ତି।କେବେ ଆକଟ କଟକଣା କରନ୍ତିନି କି ନାଲି ଆଖି ଦେଖାନ୍ତିନି।କାମ ବାଲିର ଝିଅ ବୋଲି ହୀନ ଦୃଷ୍ଟିରେ ବି ଦେଖନ୍ତିନି।ସେଇଘରେ ଅତି ଆନନ୍ଦରେ ନିଜ ଘର ଭଳି ଖେଳିବୁଲେ ପୁନି।ସୋଫାରେ ବସେ ।ଟିଭି ଦେଖେ।ସବୁକିଛି ମନ ଆନନ୍ଦରେ କରେ।ଧିରେ ଧିରେ ଶଙ୍କରକୁ ବି ବାହାରକୁ କାମ କରିବାକୁ ମନାକଲେ ତ୍ରିଲୋଚନ ବାବୁ।ବଗିଚା କାମ ଠାରୁ ଘରର ଅନ୍ଯାନ୍ଯ କାମରେ ଅଞ୍ଜନାକୁ ସେ ସାହାଯ୍ଯ କଲା।ଅଞ୍ଜନା ରୋଷେଇବାସ ଦାୟିତ୍ବ ନେଲା।ଅଞ୍ଜନାର ହାତ ରନ୍ଧାକୁ ଭୁରିଭୁରି ପ୍ରଶଂସା କରନ୍ତି ତ୍ରିଲୋଚନ ବାବୁ ଓ ସୁପ୍ରଭା ଦେବୀ।ପିଲାଦିନ ସ୍ମୃତି ମନେପଡିଯାଏ।ମା ହାତ ରନ୍ଧା ଭଳି ଅନୁଭବ ହୁଏ।ଅଫିସ ର ରୋଷେଇଆ ଥାଇ ମଧ୍ଯ ନିଜ ଦରମାରୁ ସେ ଅଞ୍ଜନାକୁ ରୋଷେଇଆ ଭାବେ ଓ ଶଙ୍କରକୁ କେଆରଟେକର ଭାବେ ରଖିଦେଲେ।ଶଙ୍କର ଓ ଅଞ୍ଜନା ହିସାବ କରି ଦେଖିଲେ ଏଥିରେ ତାଙ୍କର କିଛି କ୍ଷତି ହେଉନି।ବରଂ ଅଧିକ ଭଲରେ ଅଛନ୍ତି।ଭଲ ଘରେ ରହୁଛନ୍ତି।ଭଲ ଖାଇବା ଖାଉଛନ୍ତି।ଭଲ ପିନ୍ଧିବା ପିନ୍ଧୁଛନ୍ତି।ଏହାଠାରୁ ଆଉ କେଉଁଠି ଏତେ ଭଲ ରୋଜଗାର କରିଥାନ୍ତେ ଯେ।ସବୁଠୁ ବଡ କଥା ହେଲା ତାଙ୍କ ଝିଅ ବାପା ବୋଉଙ୍କ ସାଙ୍ଗରେ କାମ ହେଉଥିବା ଜାଗାକୁ ଆଉ ନଯାଇ ଘରେ ରହୁଛି ଓ ସ୍କୁଲ ଯାଉଛି।ତ୍ରିଲୋଚନ ବାବୁ ତାକୁ ଗୋଟିଏ ସ୍କୁଲରେ ନାଁ ଲେଖେଇ ଦେଇଛନ୍ତି।
ତ୍ରିଲୋଚନ ବାବୁ ଓ ସୁପ୍ରଭା ମାଡାମଙ୍କର ଗୋଟିଏ ବୋଲି ପୁଅ।ବିଦେଶରେ ରହି ପାଠ ପଢୁଛି।କେଉଁ ବର୍ଷକୁ ଥରେ ଆସିଲେ ଆସେ ନହେଲେ ନାହିଁ।ତା ଭାଗର ସ୍ନେହ ଶ୍ରଦ୍ଧା ବେଳେବେଳ ପୁନି ଆଡେ ପଳାଏ।ସେ ବି ହେଇଛି ସେମିତିକା ଗୁଲୁଗୁଲିଆ।
ଧିରେ ଧିରେ ପୁନି ବଡ ହେଉଛି।ଜାଣି ସାରିଛି ସେମାନେ ଏଘରର ସଦସ୍ଯ ନୁହଁନ୍ତି ବରଂ ବେତନପ୍ରାପ୍ତ କର୍ମଚାରୀ।ଆଉ ଆଗ ଭଳି ସେ ଘରକୁ ବେଶି ଯାଏନି ସେ କିଛି କାମ ନଥିଲେ।ତଥାପି ସେଇ ଘରଟିକୁ ନିଜର ଭାବିଦେଇଥିଲା ତ ସେଥିପାଇଁ ବେଳେବେଳେ ଆଉଟ ହାଉସର ଝରକା ପଟୁ ସେଇ ବଡ ବଖରା ଟିକୁ ଚାହିଁ ରହିଥାଏ।ଯେଉଁଟା ବାବୁ ଆଉ ମାଡାମଙ୍କର ବେଡ୍ ରୁମ୍ ହେଇଛି।
ତ୍ରିଲୋଚନ ବାବୁଙ୍କର ପୁଅ ବାହାଘର।ସେଇ ବିଦେଶରେ ଝିଅର ଘର। ପୁଅ ସାଙ୍ଗରେ ଚାକିରି କରୁଛି ସେଇଠି।ବାହାଘର ବି ସେଇଠିହେଲା।ବାବୁ ଆଉ ମାଆ ସେଠିକୁ ଯାଇ ବାହାଘର କରି ଫେରି ଆସିଲେ। ମଝିରେ ମଝିରେ ପୁଅ ବୋହୂଙ୍କ ପାଖକୁ ବୁଲିବାକୁ ଯାଆନ୍ତି।ପୁଅ ବୋହୂ ବି ଏଠିକୁ ବୁଲିବାକୁ ଆସନ୍ତି।ସମସ୍ତେ ମିଶି କେତେ କୁଆଡେ ବୁଲିବାକୁ ଯାଆନ୍ତି।ଘରର ଦାୟିତ୍ବ ଶଙ୍କର ହାତରେ ଥାଏ ସେତିକିଦିନ।ଶଙ୍କର ବି ଅତି ବିଶ୍ବାସରେ ଘରକୁ ଜଗି ବସିଥାଏ।
ସମୟର ଚକ ଗଡି ଚାଲିଥିଲା। ତ୍ରିଲୋଚନ ବାବୁ ଚାକିରୀରୁ ଅବସର ନେଲେ। ଧିରେ ଧିରେ ପୁଅ ବୋହୂ ଙ୍କର କାମ ଚାପ ସକାଶେ ଓଡିଶା ଆସିବା କମିଗଲା।ସେମାନେ ସେଠିକାର ନାଗରିକତ୍ବ ଗ୍ରହଣ କରିନେଲେ।ତ୍ରିଲୋଚନ ବାବୁ ଓ ସୁପ୍ରଭା ମାଡାମଙ୍କର ମଧ୍ଯ ବାର୍ଧ୍ଯକ୍ଯଗତ ଓ ସ୍ବାସ୍ଥ୍ଯଗତ କାରଣରୁ ବିଦେଶ ଯିବା କମିଗଲା।
ଏଇଠି ରହିଲେ ଡାକ୍ତର ମାନଙ୍କ ଚିକିତ୍ସା ଠାରୁ ପୁନିର ସେବାଯତ୍ନ ବେଶି କାମରେ ଲାଗେ ।ସଞ୍ଜେ ସକାଳେ ସେ ଲାଗିଥାଏ ବାବୁ ଆଉ ମାଆଙ୍କ କାମରେ ।ପୁନି କଲେଜରୁ ଫେରି ଆସି ଘେରାଏ ସେମାନଙ୍କ ପାଖରେ ବୁଲି ଆସେ। ମଜାମଜା କଥା କହେ ।ଯେମିତି ପୂର୍ବତନ କଲେକ୍ଟର ନୁହେଁ ତା ଜେଜେଙ୍କ ସହ ସେ କଥା ହେଉଛି।ସେଇ ହସଖୁସି ଟିକକ ଆଉ କେଉଁଠି ବି ମିଳେନି ସେମାନଙ୍କୁ।ଯେତେ କ୍ଳବ୍ ଡିସ୍କୋ ଗଲେବି ପୁନିର ସ୍ଥାନ କେହି ପୂରଣ କରିପାରନ୍ତିନି।ସତେ ଯେମିତି ସେ ଗୋଟିଏ ମନୋରଞ୍ଜନର ମାଧ୍ଯମ।ଯିଏ ଯେମିତି ବି ମୁଡ୍ ରେ ଥାଉ ନା କାହିଁକି ,ପୁନି କୁ ଅତି ବେଶିରେ ପାଞ୍ଚ ମିନିଟ୍ ସମୟ ଲାଗିବ ସ୍ବାଭାବିକ ଅବସ୍ଥାକୁ ଆଣିବାକୁ।ତ୍ରିଲୋଚନ ବାବୁଙ୍କ ପୁଅ ସିଦ୍ଧାର୍ଥ ବାବୁ ବି ଅଚିନ୍ତାରେ ସେଠି ରହିଛନ୍ତି କେବଳ ଶଙ୍କର ଓ ତା ପରିବାର ପାଇଁ।ସମସ୍ତେ ନିଜ ନିଜ ଯାଗାରେ ଠିକ୍ ଠାକ୍ ଥିଲେ।
ହଠାତ୍ ଅଦିନିଆ ଝଡଟେ ଆସି ସବୁ କିଛି ଦୋହଲେଇ ଦେଲା।ସୁପ୍ରଭା ମାଡାମଙ୍କର କ୍ଯାନସର୍ ଲାଷ୍ଟ ଷ୍ଟେଜ୍ ରେ ଡିଟେକ୍ଟ ହେଲା।ବହୁ ଚେଷ୍ଟା ସତ୍ତ୍ବେ ଗୋଟେ ବର୍ଷ ଭିତରେ ତ୍ରିଲୋଚନ ବାବୁଙ୍କୁ ଛାଡି ସେ ଆରପାରିକୁ ଚାଲିଗଲେ।ଗଲାବେଳେ ବାରମ୍ବାର କରି ଶଙ୍କର ,ଅଞ୍ଜନା ଓ ପୁନିକୁ କହିଯାଇଥିଲେ ବାବୁଙ୍କ ଖିଆଲ ରଖିବାକୁ।ଖାସ୍ କରି ପୁନିକୁ।ସବୁବେଳେ ବାବୁଙ୍କ ସହ ଗପସପ ହେଇ ସମୟ ବିତେଇବାକୁ ଅନୁରୋଧ କରି ଯାଇଥିଲେ।ଶୁଦ୍ଧିକ୍ରିୟା ପରେପରେ ପୁଅ ବୋହୂ ବିଦେଶ ଚାଲିଯାଇଥିଲେ।ଘରେ ଏଥର ଏକା ଏକା ତ୍ରିଲୋଚନ ବାବୁ।କ'ଣ ଆଉ କରିବେ ଏତେ ବଡ ଲମ୍ବା ସମୟ।ଯେଉଁ ସମୟରେ ଚାହୁଁଥିଲେ ସମୟର ସ୍ରୋତ ଟିକେ ଅଟକି ଯାଆନ୍ତା କି ,ସେତେବେଳେ ଖରସ୍ରୋତା ନଦୀର ଧାର ଭଳି ଧାଉଁଥିଲା ଏଇ ସମୟ ।ଏବେ ସମୟର ସ୍ରୋତ ଟିକେ ଜଲଦି ବହି ଯାଆନ୍ତା କି ଭାବିଲା ବେଳକୁ ଏତେ ଧିମା ଚାଲୁଛି ଯେ ଚାଲୁଛିକି ନାହିଁ ଜଣାପଡୁନି।ଆଗ ଅପେକ୍ଷା ପୁନି ଟିକେ ଅଧିକ ସମୟ ତାଙ୍କୁ ଦେଉଛି।ତଥାପି ତା'ର ତ ପୁଣି ପାଠ ପଢା ଅଛି।ଅତି ବେଶିରେ ଘଣ୍ଟାଏ ଦୁଇଘଣ୍ଟା ରହିସାରି ପୁଣି ପଳାଏ ଆଉଟ୍ ହାଉସ କୁ।ତ୍ରିଲୋଚନ ବାବୁ ପୁନିକୁ ତାଙ୍କରି ଘରେ ବସି ପଢିବାକୁ କୁହନ୍ତି।ପୁନି ଟିକେ ଥଙ୍ଗେଇ ଥଙ୍ଗେଇ ହୁଏ।ତା ପରେ ସେଠୁ ପଳାଏ।ଶଙ୍କର ଓ ଅଞ୍ଜନା ସବୁବେଳେ ଘର କାମରେ ଲାଗିଥାନ୍ତି।ଏତେବଡ ଘର ବଗିଚା ଯେଉଁ ହେଇଛି।ତାକୁ ତ ସଫାସଫି କରିବାରେ ସବୁ ସମୟ ତାଙ୍କର ପଳାଏ।ସେ ଆଉ କ'ଣ ବା କରି ପାରିବେ।ପୁଣି ଘରଟା ଭିତରେ ଶୂନ୍ଯତା ବିଚରଣ କରେ।ତ୍ରିଲୋଚନ ବାବୁଙ୍କୁ ଆକ୍ତାମାକ୍ତା କରିଦିଏ।ସୁପ୍ରଭା ମାଡାମ୍ ,ପୁଅ ସିଦ୍ଧାର୍ଥ, ବୋହୂ ଏଲିନା ଓ ନାତୁଣୀ ଭଦ୍ରା ସମସ୍ତେ ପଶିଆସି ହୃଦୟ ଭିତରଟାକୁ କୋରି ପକାନ୍ତି ଯେମିତି । ଏଇ କିଛିଦିନ ହେଲା ତ୍ରିଲୋଚନ ବାବୁ ବାହାରକୁ କୁଆଡେ ବୁଲି ଯାଉଛନ୍ତି।ପଚାରିଲେ କିଛି କହୁନାହାଁନ୍ତି।ଡ୍ରାଇଭର ସାଙ୍ଗରେ ଯାଉଛନ୍ତି ଆସୁଛନ୍ତି।ଶଙ୍କର କୁ କିଛି ବି ଜଣଉ ନାହାଁନ୍ତି।ଶଙ୍କର ମନରେ ଭୟ।ବାବୁଙ୍କ ବିଶ୍ବାସ ହଜେଇ ବସିଲା ଭଳି କିଛି କାମ ଆଉ କଲା କି ସେ?ତା ଦାନାପାଣି ବୁଡି ଯିବନି ତ ଆଉ?ସେଦିନ ସଂଧ୍ଯାରେ ପୁନିକୁ ପାଖକୁ ଡାକିଲେ ବାବୁ।ତାଙ୍କ ପାଖରେ ଆଉ ଜଣେ ବାବୁ ବି କଳା କୋଟ୍ ପିନ୍ଧି ବସିଥିଲେ।ଶଙ୍କର ମନରେ ଶଙ୍କା ଘାରିଲାଣି ସେତେବେଳକୁ।ପୁନି ଆସିଲା ବାବୁଙ୍କ ପାଖକୁ। ତାକୁ ପାଖରେ ବସେଇ ତା ହାତକୁ କିଛି କାଗଜ ପତ୍ର ଦେଲେ ଓ ଦସ୍ତଖତ କରିବାକୁ କହିଲେ।ଆଶ୍ଚର୍ଯ୍ଯ ହେଇ ଚାହିଁ ରହିଥାଏ ପୁନି।ତା ବାପା ବୋଉ ସିନା ମୂର୍ଖ କିଛି ବୁଝି ପାରୁନାହାଁନ୍ତି, ସେ ତ ପାଠ ପଢିଛି।ସବୁ ବୁଝି ପାରୁଛି।ଆଶ୍ଚର୍ଯ୍ଯ କେମିତି ହେବନି ଯେ।ଏତେ ବଡ ସ୍ବପ୍ନ ସେ କେବେ ବି ଦେଖିନି।ଦେଖିଥିଲା କେଉଁପିଲାବେଳେ ଆଞ୍ଜୁଳାଏ ସ୍ବପ୍ନ ।ସେଇ "ଆଞ୍ଜୁଳାଏ ସ୍ବପ୍ନ" ଯେ ଆଜି ପାହାଡ ପରି ବାସ୍ତବତାର ରୂପ ନେବ ସେ ବିଶ୍ବାସ କରିବ କେମିତି। ତା'ର ନୀରବତା ଭାଙ୍ଗି କହିଲେ ତ୍ରିଲୋଚନ ବାବୁ"କ'ଣ ଏତେ ଭାବୁଛୁ?ଏ ସବୁ ସତ।ସିଦ୍ଧାର୍ଥ ଠାରୁ ଅନୁମତି ବି ଆଣିଛି।ସେମାନେ ସ୍ବାମୀ ସ୍ତ୍ରୀଙ୍କର ମାସ କୁ ରୋଜଗାର ଦୁଇକୋଟି।ସିଏ ଏକୁ କାହିଁକି ଲୋଭ କରିବ। ଏହା ବଦଳରେ ତା ବାପା ଭଲରେ ରହିବା ସେ ଚାହୁଁଛି।ତେଣୁ କିଛି ଅନ୍ଯାୟ କାହା ପ୍ରତି କରିନି।ପ୍ରତି ବଦଳରେ ତୋର ଏଇ ପୁଅକୁ କେମିତି ରଖିବୁ ତୁ ବିଚାର କରିବୁ।ଆଜିଠାରୁ ସବୁଠୁ ବଡ ଏଇ ବଖରାଟି ତୋର।ଯାହାକୁ ଦିନେ ନେବାପାଇଁ ତୁ ଜିଦି କରୁଥିଲୁ। ତୁ ଏଇଠି ରହି ଏଇ ଝରକା ପଟୁ ଆଉଟ୍ ହାଉସ କୁ ଚାହିଁ ପାରିବୁ,ଯେମିତି ଆଉଟ୍ ହାଉସରୁ ଚାହୁଁଥିଲୁ ଏଇ ବଖରାଟିକୁ"।ଶଙ୍କର ଓ ଅଞ୍ଜନା ଚାହିଁଥିଲେ ବୋକାଙ୍କ ଭଳି ସେ ଦୁଇଜଣଙ୍କ ମୁହଁକୁ।ପୁନି ହାତରେ ଘରର ଦଲିଲ।ସେପଟୁ ଫୋନ୍ ରେ ସିଦ୍ଧାର୍ଥ ବାବୁ।ତ୍ରିଲୋଚନ ବାବୁ କହୁଥିଲେ ହଁ ସବୁ କାମ ଆଜି ସରିଗଲା।ବହୁତ ହାଲକା ଲାଗୁଛି ଆଜି। ତା ପରେ ଗୋଟେ ମନଖୋଲା ହସ। ହାହାହା ।
