STORYMIRROR

Rajalaxmi Mohanty

Others

3  

Rajalaxmi Mohanty

Others

ଆନନ୍ଦାଶ୍ରୁ

ଆନନ୍ଦାଶ୍ରୁ

10 mins
161


ଆଉ ତିନିଦିନ ରହିଲା ଝିଅର ନିର୍ବନ୍ଧ। କୈଳାସ ବାବୁ ବହୁତ ବ୍ଯସ୍ତ ସେଥିପାଇଁ। ଆକ୍ଟିଭା ଟିକୁ ଧରି କେତେବେଳେ ଏ ଦୋକାନରୁ ସେ ଦୋକାନ ତ ପୁଣି କେବେ ଏ ଗାଁ ରୁ ସେ ଗାଁ କୁ ଧାଁ ଧପଡରେ ସମୟ ଯାଉଛି। ବନ୍ଧୁ ବାନ୍ଧବ ମାନଙ୍କୁ ଯେତେ ଫୋନ ରେ କହିଲେ ମଧ୍ଯ ଆଉ କିଛି ବନ୍ଧୁ ଘର ଅଛନ୍ତି ତାଙ୍କ ଘରେ ନିଜେ ଯାଇ କହିବାକୁ ପଡିବ। ସେଥିରେ ପୁଣି ଝିଅର ଶାଢୀ ଓ କିଛି ଗହଣା କିଣିବାକୁ ପଡିବ। ଆଜି କାଲିର ଗୋଟେ ନିର୍ବନ୍ଧ ଦଶ ପନ୍ଦର ବର୍ଷ ତଳେ ଗୋଟେ ବାହାଘର ସଙ୍ଗେ ସମାନ ଥିଲା। ଆଉ ଗୋଟେ ବାହାଘର ସେତେବେଳର ଦୁଇ ତିନିଟା ବାହାଘର ସଙ୍ଗେ ସମାନ। ଆଗରୁ ସେସବୁ ବିଷୟରେ କିଛି ନଜାଣି ବି ସବୁ ଏଠୁ ସେଠୁ ବୁଝିକି ବିଭିନ୍ନ ନିର୍ବନ୍ଧ ଓ ବାହାଘର ରେ ଯୋଗ ଦେଇ ସେ ସବୁ କିଛି ବୁଝିଗଲେଣି। ତାଙ୍କର ଗୋଟେ ବୋଲି ଝିଅ। ସେ ବି ଚାହାଁନ୍ତି ଧୂମଧାମରେ ତାଙ୍କ ଝିଅର ନିର୍ବନ୍ଧ ଓ ବାହାଘର କାର୍ଯ୍ୟ କରିବାକୁ। ମାଆ ନାହିଁ ବୋଲି କୌଣସିଥିରେ ଊଣା ହେଇଛି ବୋଲି କେହି ଯେମିତି ନକହୁ ସେଥିପାଇଁ ଶାଢୀ ସାଙ୍ଗରେ ଚୁଡି ମଧ୍ଯ ମ୍ଯାଚିଙ୍ଗ କରି ଆଣିଛନ୍ତି ସେ। ଏତେ କାମରେ ବ୍ଯସ୍ତ ରହୁଛନ୍ତି ଯେ ସନ୍ଧ୍ଯା ରେ ଘରକୁ ଆସି ଖାଇଦେଇ ଜଲଦିରେ ଶୋଇ ଯାଉଛନ୍ତି। ଝିଅଟା ସାଙ୍ଗରେ ତିନିଦିନ ଧରି କଥା ହେବାକୁ ସମୟ ପାଇନାହାଁନ୍ତି। ଆଜି ଶାଢୀ ଓ ଗହଣା ଆଣି ଝିଅ ହାତକୁ ଦେଲାପରେ ଟିକେ ଚାହିଁଲେ ଝିଅ ମୁହଁକୁ। 

କାଇଁ, ବାପାଙ୍କ ହାତରୁ ସେ ସବୁ ନେଲା ବେଳେ ଟିକେ ତ ଆନନ୍ଦର ଛାପ ମୁହଁରେ ଦିଶିଲାନି? ସେମିତି ନେଇ ତାକୁ ଖଟ ଉପରେ ରଖିଦେଇ "ବାପା ଚାଲ ଖାଇବ" କହି ରୋଷେଇ ଘରକୁ ପଶିଗଲା ଝିଅ ନୀତୁ। ଆଶ୍ଚର୍ଯ୍ୟ ହେଲେ କୈଳାସ ବାବୁ। ସେ ଜାଣନ୍ତି ଭଲକରି ତାଙ୍କ ଝିଅକୁ। ସେ ଏତେ ଲୋଭୀ କି ତରବରୀ ନୁହେଁ। ତଥାପି ଆଉ ତିନିଦିନ ପରେ ତା'ର ନିର୍ବନ୍ଧ। ତା ବାପା ଜଣେ ପୁରୁଷ ହେଇ ତା ପାଇଁ କିଭଳି ଶାଢୀ ଆଣିଛନ୍ତି ଦେଖିବାକୁ ଟିକେ ବି ଆଗ୍ରହ ନାହିଁ? ଏତେ ବିଶ୍ବାସ ତା'ର ବାପାଙ୍କ ଉପରେ? ହଁ, ହେଇଥିବ। ପିଲାଦିନୁ ଆଜି ପର୍ଯ୍ଯନ୍ତ ତା ବାପାଙ୍କ ବିନା ପସନ୍ଦରେ ନା ସେ କିଛି ପିନ୍ଧିଛି ନା କିଛି କିଣିଛି। 

   

    ବାପ ଝିଅ ସାଙ୍ଗ ହେଇ ଖାଇ ବସିଲେ। ମଝିରେ ମଝିରେ କୈଳାସ ବାବୁ ଟିକେ ଟିକେ ମୁଣ୍ଡ ଟେକି ଚାହୁଁ ଥାନ୍ତି ନୀତୁ ର ମୁହଁ କୁ। ଏ କ'ଣ!!! ସଜ ଗୋଲାପ ଭଳି ମୁହଁଟି ଝାଉଁଳି ପଡିଲା ଭଳି ଦିଶୁଛି। କଥା କୁହା ଆଖି ଦୁଇଟିରେ ଯେମିତି ସାତ ସାଗରର ଢେଉ ଆସି ପିଟି ହେଉଛି। ଏମିତି ତ ହେବା କଥା ନୁହେଁ। ସବୁ ଝିଅ ବାହାହେଇ ଶାଶୁ ଘର ଚାଲିଯିବେ ଜାଣି ମନ ଖରାପ କରନ୍ତି। ଉଦାସ ରୁହନ୍ତି। ତଥାପି ତା ଭିତରେ ଲୁଚି ରହିଥାଏ ଅଦେଖା ଆକୁଳତା, ବ୍ଯାକୁଳତା। ନୂଆ ସାଥିକୁ ନେଇ ସ୍ବପ୍ନ ଦେଖୁଦେଖୁ ସେ ଉଦାସ ପଣିଆ କିଛି ସମୟ ପାଇଁ ଲିଭିଯାଏ। ମୁହଁରେ ଛାପି ହେଇଯାଏ ପ୍ରେମର ଛିଟା। ଯାହାକୁ ଯେତେ ଲୁଚେଇଲେ ମଧ୍ଯ ଲୁଚେନାହିଁ। କାଇଁ, ସେମିତି ତ ସେ କିଛି ଲକ୍ଷ୍ଯ କରିପାରୁନାହାଁନ୍ତି। ନୀତୁ ମୁହଁରେ ଥିବା ଉଦାସ ପଣିଆ କ୍ଷଣସ୍ଥାୟୀ ଭଳି ଲାଗୁନି। ସକାଳେ ଘରୁ ଗଲାବେଳେ ଯେମିତି ଦେଖିଥିଲେ ରାତିରେ ଫେରିକି ଆସିକି ବି ସେମିତି ଦେଖୁଛନ୍ତି। କ'ଣ ହେଇଥାଏ ପାରେ କାରଣ?ସିଏ ଆଉ ତାଙ୍କ ଝିଅର ମନ କଥା ବୁଝିବାରେ ଅସଫଳ ହେଇ ନାହାଁନ୍ତି ତ? ମନକୁ ମନ ପଚାରିଲେ କୈଳାସ ବାବୁ। ଖାଇସାରି ଅଇଁଠା ବାସନ ନେଇ ସେଠୁ ଚାଲିଗଲା ନୀତୁ। କୈଳାସ ବାବୁ ମଧ୍ଯ ହାତ ଧୋଇ ଚାଲିଗଲେ ନିଜ ଶୋଇବା ଘରକୁ। ହେଲେ ନିଦ କେଉଁଠି ହେଉଛି। କିଛିଗୋଟେ କମ୍ ରହିଗଲା ଭଳି ଲାଗୁଛି। ଗୋଟି ଗୋଟିକରି ସବୁ ମନେପକେଇ ତ କରୁଛନ୍ତି। ତଥାପି କିଛି ଅପୂରଣୀୟ ଭାବ ମାଡି ବସୁଛି ତାଙ୍କୁ। 

କାହିଁକି, କାହିଁକି? ବାରମ୍ବାର ନିଜକୁ ପ୍ରଶ୍ନ କରୁଛନ୍ତି ସେ। ସତରେ କ'ଣ ସେ ବାପା ମା ଉଭୟ ଙ୍କର ଦାୟିତ୍ବ ସଠିକ୍ ଭାବେ ନେଇ ପାରିଛନ୍ତି। ଖାଲି ମନେ ମନେ ଭାବିଦେଲେ ହେବନି। ତାକୁ କାର୍ଯ୍ଯକାରୀ କରିବା ଦରକାର। ନିଜକୁ ମା ଟିଏ ଭାବି ଝିଅର ମନ ଭିତରକୁ ଯାଇ ତା ମନ କଥା ବୁଝିବାକୁ ପଡିବ। ପ୍ରସ୍ତାଵ ପଡିଥିବା ପୁଅଟି ଦେଖିବାକୁ ସୁନ୍ଦର, ସରକାରୀ ଚାକିରୀ କରିଛି, ଭଲ ଘର, ଭଲ ପରିବାର, ଏଇଆ ଭାବି ଝିଅର ମନ କଥା ବୁଝିବାକୁ ଚେଷ୍ଟା କରିନଥିଲେ ସେ। ଏଇଠି ହିଁ ଭୁଲ କରିଛନ୍ତି ସେ। କେବଳ ବାପାଟିଏ ହେଇ ଯାଇଛନ୍ତି। ମା ହେବାକୁ ଭୁଲି ଯାଇଛନ୍ତି। ପୁରୁଷ ଟିଏ ପାଇଁ ନାରୀର ଅବତାର ଧାରଣ କରିବା ବହୁତ କଷ୍ଟ। ସେଇଟା ପୁଣି ହୃଦୟରୁ। ତଥାପି ଚେଷ୍ଟା କଲେ କିଛି ଅସମ୍ଭବ ନୁହେଁ। ଆଜି ପର୍ଯ୍ଯନ୍ତ ସେ ସଫଳ ହୋଇଛନ୍ତି। ଆଜି କାହିଁକି ହେବେନି ,?


 ନୀତୁର ଶୋଇବା ଘର ଆଡକୁ ଗଲେ କୈଳାସ ବାବୁ। ଏବେବି ରୁମ୍ ରେ ଲାଇଟ୍ ଜଳୁଛି। ମାନେ ନୀତୁ ଶୋଇନି। କବାଟ ଠେଲି ଭିତରକୁ ପଶିଗଲେ କୈଳାସ ବାବୁ। ବାପାଙ୍କୁ ଦେଖି ଚମକି ପଡିଲା ନୀତୁ। ତରବର ହୋଇ କ'ଣ ଗୋଟେ ତକିଆ ତଳେ ଲୁଚାଇ ଦେଇ ଆଖିରୁ ଲୁହ ପୋଛିଲା। କୈଳାସ ବାବୁ ଦେଖିଲେ ଝିଅର ମୁହଁ କୁ। ଏ ଲୁହ ବାହାହେଇ ଶାଶୁ ଘରକୁ ଚାଲିଯିବାର ଦୁଃଖ ରେ ନୁହେଁ। ଏହାର ରୂପ ରଙ୍ଗ ସ୍ବର ଆଉ କିଛି କହୁଛି। "ବାପା ତମେ ଏତେବେଳ ଯାଏ ଶୋଇନ। ଚାଲ, ତମ ଗୋଡ ଟିକେ ଘଷିଦେବି, ତମକୁ ନିଦ ହେଇଯିବ"। ବାପାଙ୍କ ହାତ ଧରି ଟାଣୁଥିଲା ଝିଅ ନୀତୁ। 

ନାଁ-ନାଁ। ସେସବୁ କିଛି ଦରକାର ନାହିଁ। ତୁ ଆସେ। ଏଇଠି ବସ। ମୋର ବିଶ୍ବାସ ମୋ ଝିଅ ମୋତେ ମିଛ କହିବନି। ସତ କହ, ଏ ଲୁହ କ'ଣ ପାଇଁ? ମୁଁ କେବଳ ତୋର ବାପା ନୁହେଁ। ମା' ବି। ମୋତେ ଯଦି ଆଜି ନ କହିବୁ ସବୁଦିନ ପାଇଁ ଆମେ ବାପାଝିଅ ଆମ ଦାୟିତ୍ବ, ଆମ କର୍ତ୍ତବ୍ଯ ରେ ଭୁଲ ବୋଲି ପ୍ରମାଣିତ ହେଇଯିବା। ସତ କହ, ଏ ଲୁହର କାରଣ ଆଉ କିଛି ନୁହେଁ ତ?କିଛିକ୍ଷଣ ପାଇଁ ଚୁପ୍ ରହିଗଲା ନୀତୁ। କ'ଣ ଉତ୍ତର ସେ ଦେବ କିଛି ଭାବି ପାରିଲାନି। ତା ବାପାଙ୍କୁ ସେ କେବେ ମିଛ କହିନି ଆଜି ପର୍ଯ୍ୟନ୍ତ। ଆଜି ବି ପାରିବନି। ସତ କହିବାକୁ ବି ସାହସ ହଉନି। ଭୟରେ ପାଟି ଖୋଲୁନି ତା'ର। ପ୍ରଥମରୁ ସେ ସେମିତି। କହିବାକୁ ଗଲେ ତାକୁ ସେମିତି ଗଢା ଯାଇଛି। ସେଥିପାଇଁ ଅବଶ୍ଯ କୈଳାସ ବାବୁ ବିବଶ ଷୋହଳ ବର୍ଷ ତଳୁ। 


ସେତେବେଳେ ତାଙ୍କ ସ୍ତ୍ରୀ ଦ୍ବିତୀୟ ଥର ପାଇଁ ଗର୍ଭବତୀ ଥାଆନ୍ତି। ନୀତୁ ମାତ୍ର ପାଞ୍ଚ ବର୍ଷ ବୟସର ହୋଇଥାଏ। ବାପା ମାଆ ଝିଅ ବହୁତ ଖୁସି ଥାଆନ୍ତି ଆଉ କିଛି ଦିନ ପରେ ଘରକୁ ତାଙ୍କର ନୃଆ ଅତିଥି ଟିଏ ଆସିବ ବୋଲି। କୈଳାସ ବାବୁ ପାଖ ଗାଁ ପ୍ରାଇମେରୀ ସ୍କୁଲ ରେ ଶିକ୍ଷକ ଥାଆନ୍ତି। ବାରମ୍ବାର କରି ସ୍କୁଲ କୁ ଯିବା ସମୟରେ ସ୍ତ୍ରୀ କୁ କହିକି ଯାଆନ୍ତି କି ଯନ୍ତ୍ରଣା ଆରମ୍ଭ ହେବାକ୍ଷଣି ତାଙ୍କ ପାଖକୁ ଖବର ପଠାଇବା ପାଇଁ। ସେଦିନ ବି କହିଲେ। "ଡାକ୍ତର ଦେଇଥିବା ଡେଟ୍ ଆହୁରି ପନ୍ଦର ଦିନ ଅଛି। ବ୍ଯସ୍ତ ହେବାର କିଛି ନାହିଁ" କହି ହସି ହସି ସ୍ତ୍ରୀ ରାଧା ଦେବୀ ତାଙ୍କୁ ସ୍କୁଲ ପଠାଇଦେଲେ। କିନ୍ତୁ ବିଧି ର ନିର୍ଦ୍ଦେଶ ଥିଲା କିଛି ଅଲଗା। ସକାଳୁ କିଛି ବି ଲକ୍ଷଣ ନଥାଇ ମଧ୍ଯ କୈଳାସ ବାବୁ ଯିବାର ମାତ୍ର ଘଣ୍ଟାଏ ପରେ ରାଧା ଦେବୀ ଙ୍କର ଯନ୍ତ୍ରଣା ଆରମ୍ଭ ହେଇଗଲା। ପାଖରେ କୈଳାସ ବାବୁ ଙ୍କର ଶାଶୁ ମାନେ ରାଧା ଦେବୀ ଙ୍କର ବୋଉ ମଧ୍ଯ ଝିଅର ଡେଲିଭରୀ ପାଇଁ ତିନିଦିନ ଆଗରୁ ଆସିକି ଥାଆନ୍ତି। ସାଙ୍ଗେସାଙ୍ଗେ ସେ ଗୋଟେ ପିଲା କୁ ସାଇକେଲ ଦେଇ ପଠେଇଲେ କୈଳାସ ବାବୁ ଙ୍କୁ ଖବର ଦେବା ପାଇଁ।ପିଲାଟି ଯାଇ ଘଟଣା ଜଣେଇବା ମାତ୍ରେ କୈଳାସ ବାବୁ ଧାଇଁଲେ ଛକକୁ ଅଟୋରିକ୍ସା ଡାକିବା ପାଇଁ। ସେ ସମୟରେ ଗାଁ ଗହଳି ଛକ ବଜାର ରେ ଚାରି ପାଞ୍ଚଟି ଅଟୋ ଷ୍ଟାଣ୍ଡ ରେ ଥିବା ବଡ କଥା। ଯୋଗକୁ ସେଦିନ ଗୋଟେ ହେଲେବି ଅଟୋ ଷ୍ଟାଣ୍ଡ ରେ ନଥିଲା। ସବୁ ଅଟୋ ବାଲା ଭଡାରେ ଗଲା ବେଳକୁ ଜଣକୁ ଜଗେଇ ଦେଇ ଯାଇଥାଆନ୍ତି ଯେ ଭଡାଟିଆ ଆସିଲେ କହିବୁ ଗାଡି ଏତିକି ସମୟ ଭିତରେ ପହଞ୍ଚିବ। ସବୁଠୁ କମ୍ ସମୟ ରେ ଫେରିବା ଗାଡି ର ସମୟ ଥିଲା ଅଧଘଣ୍ଟା। ଅଧଘଣ୍ଟା ବୋଲି କହି ଗାଡି ଆସିଲା ଘଣ୍ଟେ ପନ୍ଦର ମିନିଟ୍ ପରେ। ଗାଁ ଗହଳିରେ ଝିଅ ବୋହୂ ମାନେ ଶାଶୁ ଘର କି ବାପ ଘର ଯିବାର ଥିଲେ ତାଙ୍କର ସମୟ ଜ୍ଞାନ ରୁହେନି। ହଜାରେ ବେଭାର ଜିନିଷ ଲୋଡିଂ ଅନ୍ ଲୋଡିଂ କରିବା ପୁଣି ସେଥିରେ ଝିଅ ବୋହୂ ମାନଙ୍କ ର ଗାଁ ଏ ମୁଣ୍ଡ ରୁ ସେ ମୁଣ୍ଡ ଯାଏ ୟାକୁ ଜୁହାର ତାକୁ ଜୁହାର କରିବାରେ ଅତି କମ୍ ରେ ଘଣ୍ଟାଏ ଲାଗିବ ନିଶ୍ଚୟ। ସେଥିପାଇଁ ବିଚରା ଗାଡିବାଲା ଅଧଘଣ୍ଟା କହିଥିଲେ ବି ଆସିଲା ବିଳମ୍ବ ରେ। ଆସୁଆସୁ ଗାଡି ଭିତରକୁ କୁଦିପଡି ବସିଗଲେ କୈଳାସ ବାବୁ। ଶୀଘ୍ର ଚଲା ବୋଲି ଅଟୋ ବାଲା କୁ ତରବର କଲେ। କଚ୍ଚା ରାସ୍ତା ରେ ଅଟୋ ବାଲା ର ସ୍ପିଡ୍ କୋଡିଏ ରୁ ଜମାରୁ ବି ଅଧିକ ହେଉନଥାଏ। ଗାଁ ରେ ପହଞ୍ଚିଲା ବେଳକୁ ରାଧା ଦେବୀ ପୁଅଟେ ଜନ୍ମକରି ସାରି ଅତ୍ଯଧିକ ରକ୍ତ ସ୍ରାବ ହେତୁ ବେହୋସ ହୋଇ ପଡି ଥାଆନ୍ତି। ସାଙ୍ଗେ ସାଙ୍ଗେ ଗାଁ ରୁ ସାତ କିଲୋମିଟର ଦୂର ଡାକ୍ତରଖାନା ନେଇ ସେଠି ପହଞ୍ଚିଲା ବେଳକୁ ସବୁ ସରିଥାଏ। କେବଳ ଡାକ୍ତର କୁ ଦେଖେଇ ନିଶ୍ଚିତ ହେବା କଥା। 


 ମା ଛେଉଣ୍ଡ ପୁଅ ଟିକୁ ଶାଶୁ ଜ୍ବାଇଁ ମିଶି ବହୁତ କଷ୍ଟରେ କୋଡିଏ ଦିନ ବଞ୍ଚେଇ ପାରିଲେ। ଏକୋଇଶା ଦିନ ସକାଳୁ ସେ ବିଚରା ତା ମା' ପାଖକୁ ଚାଲିଗଲା।ସମସ୍ତେ ଆହା ଚୁ'ଚୁ' କଲେ ସିନା କେହି ଆଗକୁ ଆସି ମା ଛେଉଣ୍ଡ ଝିଅ ଟିର ବୋଝ ମୁଣ୍ଡେଇବାକୁ ଆଗ୍ରହ କଲେନି। କୈଳାସ ବାବୁ ଙ୍କୁ ଛାଡି ତାଙ୍କର ଆଉ ଦୁଇଟି ଭାଇ ମଧ୍ଯ ସେହି ଗାଁ ରେ ରହୁଛନ୍ତି। ଦୁଇଟି ଭଉଣୀ ମଧ୍ଯ ଶାଶୁ ଘରେ ଅଛନ୍ତି। ଝିଅକୁ କେହି ସବୁଦିନ ପାଇଁ କୋଳକୁ ନେବାକୁ ରାଜି ନୁହଁନ୍ତି। ନୀତୁର ମାମୁଁ ମାଇଁ ଙ୍କର ଟିକେ ଇଛା ଥିଲେବି ନୀତୁକୁ ନେଇଗଲେ କୈଳାସ ବାବୁ କାଳେ ଦ୍ବିତୀୟ ବିବାହ କରି ପରେ ଝିଅକୁ ହତାଦର କରିବେ ସେଥିପାଇଁ ସେମାନେ ବି ମୁହଁ ବୁଲେଇ ନେଲେ। ଶେଷରେ ଅଣ୍ଟାଭିଡି ମନକୁ ଟାଣ କରି ନିଜେ କୈଳାସ ବାବୁ ସେଇଦିନ ଠାରୁ ତାଙ୍କ ଝିଅର ମାଆ ଓ ବାପା ହେବାର ନିଷ୍ପତ୍ତି ନେଲେ। ସାବତ ମା' ଆସିଲେ ଝିଅ ର ଦାୟିତ୍ବ ନେବା ବଦଳରେ ଝିଅ ବେଶି ଅବହେଳିତ ହେବ ଭାବି ଦ୍ବିତୀୟ ବିବାହ କଥା ମନରେ ଭାବନ୍ତି ନାହିଁ ମଧ୍ଯ। ମାଆ ଭାବରେ ସେ ଯେତିକି କୋମଳ ହୁଅନ୍ତି, ବାପା ଭାବରେ ସେତିକି କଠୋର ହୋଇଯାଆନ୍ତି। ଅବଶ୍ଯ ଏହି ଭୟରେ ଯେ ତାଙ୍କ ସରଳତାର ସୁଯୋଗ ନେଇ ଝିଅ ଯେମିତି କିଛି ଭୁଲ ନକରୁ। ଭୁଲ ର ଆଖ ପାଖ ବି ଝିଅ ମାଡେନି। ବାପାଙ୍କ ଆଖି ଆଢୁଆଳ ରୁ କେବେ ବି ସେ ଯାଏନି। କୌଣସି କଥା ଲୁଚାଏନି। ମିଛ କୁହେନି। 


   ସବୁକିଛି ଠିକ୍ ଠାକ୍ ଥାଇ ବି ବେଳେବେଳେ ବ୍ଯତିକ୍ରମ ଘଟିଯାଏ ଆଉ କାହାର ଇଙ୍ଗିତ ରେ। ଅନୁରାଗ, ନୀତୁର ଗୋଟେ କ୍ଳାସ ଉପରେ ପଢେ। ଗୋଟିଏ ଗାଁ ରେ ଘର। ଅନେକ ସମୟରେ କୈଳାସ ବାବୁ ଙ୍କ ପାଖକୁ ଆସେ ଇଂଲିଶ୍ ବୁଝିବା ପାଇଁ। ପ୍ରାଇମେରୀ ସ୍କୁଲ ଶିକ୍ଷକ ହେଲେ ମଧ୍ଯ ଦଶମ ଶ୍ରେଣୀ ପିଲାଙ୍କୁ ଇଂଲିଶ୍ ପଢେଇବାରେ ଦକ୍ଷତା କୈଳାସ ବାବୁ ଙ୍କର ଅଛି। ଅନୁରାଗ ର ମ୍ଯାଟ୍ରିକ ପରୀକ୍ଷା ପରେ ତା'ର ସବୁ ନୋଟ୍ ନୀତୁକୁ ଦେବାକୁ ଆସିଥିଲା କୈଳାସ ବାବୁ ଙ୍କର ଅନୁରୋଧରେ। ବହି ସବୁ ଦେଲା ବେଳେ କାଗଜ ଖଣ୍ଡେ ମଧ୍ଯ ବହି ତଳେ ଅତି ସନ୍ତର୍ପଣରେ ଧରେଇଦେଇ ଆସିଥିଲା। ନୀତୁର ପାଦତଳୁ ଭୂମିକମ୍ପ ରେ ମାଟି ଦୋହଲି ଗଲା ଭଳି ଲାଗିଲା। କ'ଣ ହେଇଥିବ ଏ କାଗଜ ଖଣ୍ଡକ। ବହିସବୁ ଥାକରେ ରଖିଦେଇ କାଗଜ ଖଣ୍ଡକ ଖୋଲି ଦେଖିଲା।ମାତ୍ର ଦୁଇ ଲାଇନ୍ "ମୁଁ ତୋତେ ବହୁତ ଭଲ ପାଏ, ଭାବି ଚିନ୍ତି ଉତ୍ତର ଦେବୁ"। ବାସ୍ ଏତିକି।କିଛି ବି ଭାବି ପାରୁନ ଥିଲା ନୀତୁ ଉତ୍ତର କ'ଣ ଦେବ। ପାଟିରୁ ହଁ ବାହାରୁ ନଥିଲା। ହୃଦୟ ଭିତରୁ ନାଁ ବି ବାହାରୁ ନଥିଲା। ପାଠ ପଢା ଛାଡି ଏ ପ୍ରେମ ଫ୍ରେମ ରେ ପଡିବାକୁ ଚାହୁଁନଥିଲା କି ହାତ ପାହାନ୍ତାରେ ମିଳୁଥିବା ପ୍ରେମ ଭଳି ଏକ ମହାନ୍ ଅନୁଭବ କୁ ହାତ ଛଡା କରିବାକୁ ଚାହୁଁ ନଥିଲା। ସେଇ ଦୁଇଧାଡି ଲେଖାକୁ ଚାହିଁ କି ବି ଭୁଲି ପାରୁନ ଥିଲା। ଯେତେ ଭୁଲିବାକୁ ଚେଷ୍ଟା କରୁଥିଲା ସେତେ ମୁଖସ୍ଥ ହେଇଯାଉଥିଲା। ଏ କିଭଳି ଅବସ୍ଥା ତା'ର ସେ ନିଜେ ବି ଜାଣି ପାରୁ ନ ଥିଲା। ଏମିତି ଏମିତିରେ ନୀତୁର କଲେଜ ପଢା ସରିଗଲା। ଏହା ଭିତରେ ବିତି ଗଲାଣି ଛଅ ବର୍ଷ। ମଝିରେ ମଝିରେ ଅନୁରାଗ ତାଙ୍କ ଘରକୁ ଆସେ। ପ୍ରତିଥର ପରୀକ୍ଷା ର ରେଜଲ୍ଟ ବାହାରିଲା ପରେ ମିଠା ଆଣି ଘରକୁ ଆସେ ଦେବାପାଇଁ। କୈଳାସ ବାବୁ ଙ୍କ ସାଥିରେ କଥା ହୁଏ। ତା ପରେ ଚାଲିଯାଏ। ନା ସେ ନୀତୁ ଆଡକୁ ଚାହେଁ ନା ନୀତୁ ତାକୁ ଦେଖା ଦିଏ। ଦୂରରୁ ଯଦି କେବେ ନୀତୁ କୁ ଦେଖେ ତା ଆଖିରୁ କିଛିବି ପଢି ହୁଏନି। ହଁ ନାହିଁ କି ନାଁ ନାହିଁ। 



   ନୀତୁର ଗ୍ରାଜୁଏସନ୍ ପରେ ପରେ କୈଳାସ ବାବୁ ତା'ର ବାହାଘର କାମ ସାରି ଦେବାକୁ ଚାହୁଁ ଥିଲେ ଏଇଆ ଭାବିକି ଯେ ଏକାଏକା ଝିଅଟା କୁ କେତେଦିନ ନଜରରେ ରଖି ପାରିବେ ଏହି ଭୟରେ। ବିଭିନ୍ନ ଆଡୁ ବିଭିନ୍ନ ପ୍ରସ୍ତାବ ମାନ ଆସୁଥିଲା। ସବୁଠୁ ଉତ୍ତମ ପ୍ରସ୍ତାବ ଥିଲା ତାଙ୍କ ସ୍କୁଲ ପିଅନ ରଘୁଆ ଆଣିଥିବା ପ୍ରସ୍ତାବ ଟି। ମନକୁ ଆସିଲା ଆଉ କଥା ଆଗକୁ ବଢିଲା। ଦେଖା ଚାହାଁ ସବୁ ପରେ ନିର୍ବନ୍ଧ ଦିନ ଧାର୍ଯ୍ୟ କରାଗଲା। ନିର୍ବନ୍ଧ କାମ ଜୋର୍ ସୋର୍ ରେ ଚାଲିଥିବା ସମୟରେ ପୁଣି ସେମିତି ଖଣ୍ଡେ କାଗଜ ଅନୁରାଗ ଠାରୁ ଆସିଲା। ପ୍ରେମ ପତ୍ର ବୋଲି ତାକୁ ଆଦୌ କହିହେବନି। ଟିକେ ବି ପ୍ରେମାଳାପ ନଥିଲା ସେଥିରେ। ଥିଲା ତ କିଛି ବାର୍ତ୍ତା। ନାଁ ଗାଁ ଠିକଣା କିଛି ନାହିଁ। କେବଳ ପାଇବା ଲୋକ ଜାଣିବ ଚିଠି ଟି କିଏ ଦେଇଛି ଦେବା ଲୋକ ଜାଣିବ ଚିଠିଟି କାହା ପାଇଁ। ନା କେଉଁ ଫୁଲ ପକା ଅତର ସିଞ୍ଚା କାଗଜ ଥିଲା ନା ନାଲି ନେଳି ରଙ୍ଗର କାଳିରେ ସଜିଆ ହୋଇ ଲେଖା ହେଇଥିଲା। ନାଁ ତିନି ଚାରି ଫର୍ଦ୍ଦ ଲେଖିଲା ପରେ ବି ଜାଗା ନିଅଣ୍ଟ ହେଉଥିଲା। କେବଳ ସେଇ ତିନି ଚାରି ଲାଇନ୍ ର ଲେଖା। ତଥାପି ଏତେ ଶକ୍ତି ସେଥିରେ ଥିଲା ଯେ ନୀତୁର ଅଟଳ ହୃଦୟକୁ ଚହଲେଇ ଦେଇଥିଲା। "ଏବେ ବି ସମୟ ଅଛି। ଗୋଟେ ମୂହୁର୍ତ୍ତରେ ବହୁତ କିଛି ବଦଳି ଯାଉଛି। ଚୁପ୍ ରହିବା ଠାରୁ ଥରେ ଚେଷ୍ଟା କରି ତ ଦେଖ୍। ମୋ କଥା ଥରେ ଖାଲି ଭାବେ। ମୁଁ ବଞ୍ଚି ପାରିବିନି ତୋ ବିନା"। 

ବାସ୍, ପୁଣି ଆରମ୍ଭ ହେଇଗଲା ଥମି ଆସିଥିବା ଝଡ ନୀତୁର ମୁଣ୍ଡ ଭିତରେ। କ'ଣ ସେ କରିବ? ତା ବାପା ତା'ର ଜୀବନ। ଅନୁରାଗ କହୁଛି ନୀତୁ ତା ଜୀବନ। କ'ଣ ସେ ଏବେ କରିବ? ଏପଟେ କୈଳାସ ବାବୁ ବାରମ୍ବାର ପଚାରି ଚାଲିଛନ୍ତି କହ କହ। ଥରଥର ହାତରେ ତକିଆ ତଳୁ କାଗଜ ଖଣ୍ଡକ ବାହାର କରି ବାପାଙ୍କ ହାତକୁ ବଢେଇ ଦେଲା। ନିଷ୍ପତ୍ତି ଏବେ ବାପାଙ୍କ ହାତରେ। ପଢିସାରି ପଚାରିଲେ କୈଳାସ ବାବୁ "କିଏ ଇଏ"? 

"ଅନୁରାଗ"କମ୍ପିତ ସ୍ବର ରେ ଉତ୍ତର ଦେଲା ନୀତୁ। କାଗଜ ଖଣ୍ଡକ ପୁଣି ଥରେ ନୀତୁ ହାତରେ ଧରେଇ ଦେଇ ସେଠୁ ବାହାରି ଆସିଲେ କୈଳାସ ବାବୁ। ତକିଆ ଭିତରେ ମୁହଁ କୁ ଗୁଞ୍ଜି ଦେଇ ଖଟ ଉପରେ ପଡିଗଲା ନୀତୁ। ଭୟ ଓ ଆଶଙ୍କା ରେ ରାତି ପାହିଲା। ସକାଳୁ ଉଠି ନୀତୁ ଦେଖିଲା ଦାଣ୍ଡ କବାଟ ଖୋଲା ପଡିଛି। କୈଳାସ ବାବୁ ଙ୍କ ରୁମ୍ ବି ଖୋଲା। ଏତେ ସକାଳୁ ଆଉ ବାପା କୁଆଡେ ଗଲେ ଚା ନ ପିଇ। ମନକୁ ବିଭିନ୍ନ ଦୁଃଶ୍ଚିନ୍ତା ମାଡି ବସିଲା ନୀତୁର। ବାପା ଆଉ ରାଗରେ କିଛି ଭୁଲ୍ ନିଷ୍ପତ୍ତି ନେଇ ଯାଇ ନାହାଁନ୍ତି ତ? ଏଇଟା ତାଙ୍କ ସମ୍ମାନ ର କଥା ଥିଲା। ନିର୍ବନ୍ଧ ପାଇଁ ସବୁ ଆୟୋଜନ ସରିଲାଣି। ଏବେ ଏହି କଥା ନ କହିଥିଲେ ହୋଇନଥାନ୍ତା। ନିଜ ଉପରେ ରାଗ ଓ ଘୃଣା ଆସିଲା ତା'ର। ଦୌଡି ଯାଇ ଫୋନ୍ ଲଗେଇଲା ବାପାଙ୍କ ନିକଟକୁ। ଫୋନ୍ ଘର ଭିତରେ ରିଙ୍ଗ ହେଉଛି। କାନ୍ଦ କାନ୍ଦ ହେଇ ବାପାଙ୍କ ରୁମ୍ ଭିତରକୁ ପଶି ଦେଖିଲା କୈଳାସ ବାବୁ ଙ୍କ ଲୁଙ୍ଗି ଗାମୁଛା ଖଟ ଉପରେ ପଡିଛି।ଆକ୍ଟିଭା ଚାବି ଦରାଣ୍ଡି ପକାଇଲା। ଓଃ, ଟିକେ ଦୀର୍ଘଶ୍ବାସ ନେଲା ନୀତୁ। ତା ପରେ ଘର କାମରେ ଲାଗି ପଡିଲା।କିଛି ସମୟ ପରେ ବାହାରେ ଆକ୍ଟିଭା ର ହର୍ଣ୍ଣ ଶୁଣି ନିଜକୁ ମାନସିକ ଭାବେ ପ୍ରସ୍ତୁତ କରିନେଲା ଗାଳି ଶୁଣିବା ପାଇଁ। ଘର ଭିତରକୁ କୈଳାସ ବାବୁ ଆସି ନୀତୁ ହାତକୁ ଜିଅନ୍ତା ଭାକୁର ମାଛ ଟେ ଧରେଇ ଦେଇ କହିଲେ "ଯା, ଚା ଟିକେ ଆଣିକି ଆ"। ନୀତୁ ମାଛ ନେଇ ଚାଲିଗଲା ପରେ ରୁମ୍ କୁ ଯାଇ ଖଟ ଉପରୁ ମୋବାଇଲ ଫୋନ ଆଣି କାହା ପାଖକୁ ଫୋନ୍ ଲଗେଇ କାନରେ ଦେଲେ। ରୋଷେଇ ଘରେ ଚା ବସଉ ବସଉ ବାପାଙ୍କ କଥାକୁ କାନେଇ ଥାଏ ନୀତୁ। ବାପା ବୋଧେ ଫୋନ୍ ରେ କହିବେ ନିର୍ବନ୍ଧ ନୁହେଁ ତିନିଦିନ ଭିତରେ ବାହାଘର କରିଦେବା। କିନ୍ତୁ ଏ କ'ଣ? ବାପାଙ୍କ ର ସ୍ବର ବଦଳିଗଲା ଭଳି ଶୁଭୁଛି। ସେ ଫୋନ ରେ କହୁଥାନ୍ତି "ମୋ ଝିଅ ଠାରୁ କ'ଣ ଟଙ୍କା ଏତେ ବଡ। ସେମାନଙ୍କର ଯାହା ଖର୍ଚ୍ଚ ହେଇଛି ହିସାବ କରି କୁହ ମୁଁ ସବୁ ଦେଇଦେବି। କିନ୍ତୁ ମୋ ଝିଅର ବାହାଘର ମୁଁ ଏବେ କରିବିନି। ସେ ଆଗକୁ ଆହୁରି ପଢିବ"। ନୀତୁ ଚା' କପ୍ ଆଣି ବାପାଙ୍କ ହାତରେ ଦେଲା। ଚା' କପ୍ ଟି ଝିଅ ହାତରୁ ନେଉ ନେଉ କହିଲେ କୈଳାସ ବାବୁ" ମାଛ ତରକାରୀ ଭଲ କରି ରାନ୍ଧିବୁ। ଆଜି ଅନୁରାଗ ଓ ତା ବାପା ବୋଉ ଆମ ଘରକୁ ଆସୁଛନ୍ତି। ତିନିଦିନ ପରେ ନିର୍ବନ୍ଧ ହେବ। ଅନୁରାଗ ସାଙ୍ଗରେ। ଆମରି ଗାଁ ଠାକୁରାଣୀ ଙ୍କ ନିକଟରେ। କିନ୍ତୁ ବାହାଘର ହେବ ଅନୁରାଗ ର ପଢା ସରିଲେ। କୈଳାସ ବାବୁ ଙ୍କୁ କୁଣ୍ଢେଇ ଧରି କାନ୍ଦି ପକେଇଲା ନୀତୁ। ହସିଦେଲେ କୈଳାସ ବାବୁ। ବାସ୍, ଏଇ ଲୁହକୁ ସେ ଖୋଜୁଥିଲେ ତାଙ୍କ ଝିଅର ଆଖିରେ। "ଆନନ୍ଦାଶ୍ରୁ"

     


Rate this content
Log in