ଆମ ବ୍ୟବହାରରେ ଆଧୁନିକତା
ଆମ ବ୍ୟବହାରରେ ଆଧୁନିକତା


ସୋନାଲିର ବୟସ ପାଖାପାଖି ୩୦ ବର୍ଷ, ଦେଖିବାକୁ ମଧ୍ୟମ ଧରଣର, ପାଠରେ ବିଏ( B.A) ପାସ, ବାହାଘର ପ୍ରସ୍ତାବ ଆସେ ଯାଏ, ଘରେ ବଢ଼ିଲା ଝିଅ ଟିଏ ଥିଲେ ବାପା ମାଆଙ୍କ ଚିନ୍ତା ବଢିଯାଏ । ଦିନେ ସଦାନନ୍ଦ ବାବୁ ଝିଅର ବାହାଘର ବିଷୟରେ ବୁଝାବୁଝି କରିବା ପାଇଁ ଅଣ୍ଟା ଭିଡ଼ିଲେ । ରାତି ସାରା ସଦାନନ୍ଦଙ୍କର ନିଦ ନଥାଏ । ସେଦିନ ରାତି ତ ଏମିତି ଚିନ୍ତାରେ କଟିଗଲା । ରାତି ଚାରିଟାରୁ ନିଦ ଭାଙ୍ଗିଗଲା, ସୁମିତ୍ରା କହିଲେ, ଆରେ ତମେ ଏତେ ଶୀଘ୍ର କାହିଁକି ଉଠି ପଡିଲ? ରାତି ସାରା ମୋ ଆଖିରେ ନିଦ ନାହିଁ । ଶୁଣ! ଏତେ ରାତିରୁ ଉଠିବା ଦରକାର ନାହିଁ । ଆଉ ଘଣ୍ଟାଏ ଶୋଇପଡ଼ । କୌଣସି କାର୍ଯ୍ୟ କରିବାକୁ ହେଲେ ଚିତ୍ତ ମନ ସ୍ଥିର ହେବା ଦରକାର । ଝିଅ ସୋନାଲିର ବାହାଘର ନିଶ୍ଚିତ ହେବ । ଏଥିରେ ଭାବିବାର କ'ଣ ଅଛି, ଝିଅ ଜନ୍ମ ପରଘରକୁ । ମୁଁ ବି ତମ ସାଥିରେ ଯିବି । ଏହି ସମୟରେ ଫୋନରେ ରିଙ୍ଗ୍ ଶବ୍ଦ ଶୁଭିଲା । ସଦାନନ୍ଦ ବାବୁ ଫୋନ ଧରିଲେ, ହେଲୋ ! ଆଜ୍ଞା ! ସଦାନନ୍ଦ ବାବୁ କହୁଛନ୍ତି, ହଁ ମୁଁ କହୁଛି । ଆପଣ କିଏ କହୁଥିଲେ? ମୁଁ ସରୋଜ ବାବୁ, ଯାଜପୁରରୁ କହୁଥିଲି । ପ୍ରକୃତରେ ମୁଁ ଏଥିପାଇଁ ଫୋନ କରି ଥିଲି କି, ଆପଣଙ୍କ ଝିଅ ସହ ମୋ ପୁଅର ବାହାଘର କରିବା ପାଇଁ । ଯଦି ଆପଣଙ୍କର କିଛି ଆପତ୍ତି ନଥାଏ । ହଁ ଠିକ୍ କଥା ଯେ । କିନ୍ତୁ ଆପଣଙ୍କୁ ମୁଁ କେବେ ଦେଖିନି କି ଜାଣିନାହିଁ । ଶୁଣନ୍ତୁ ଆପଣଙ୍କ ସାଙ୍ଗ ଦୟାନିଧି ବାବୁ ମୋର ଜଣାଶୁଣା । ମୁଁ ଦୟାନିଧି ବାବୁଙ୍କ ଠାରୁ ଆପଣଙ୍କ ଘରକଥା ଜାଣିବାକୁ ପାଇଲି । ତାଙ୍କ ପାଖରୁ ଆପଣଙ୍କ ଫୋନ ନମ୍ବର ପାଇଲି । ଆଜ୍ଞା ମୁଁ ଜାଣି ପାରିଲି । ଦୟାନିଧି ବାବୁ ମୋ ଅତି ଅନ୍ତରଙ୍ଗ ସଙ୍ଗାତ । ତାହେଲେ ଠିକ ଅଛି । ଏବେ ଆମେ ମନଖୋଲି କଥା ହେବା । ମୁଁ କହୁଥିଲି ଆପଣଙ୍କ ଝିଅ ବାହାଘର କରିବାକୁ ଚାହାନ୍ତି ତ? ସଦାନନ୍ଦ ହଁ କହିଲେ । ମୁଁ ଟିକିଏ ସୁମିତ୍ରା ସହ କଥାବାର୍ତ୍ତା ହୁଏ, ତାପରେ ଆପଣଙ୍କ ସହିତ ମୁଁ କଥା ହେବି । ସୁମିତ୍ରା ଘର ଭିତରେ ଥିଲେ, ଉଚ୍ଚ ପାଟିରେ ପଚାରିଲେ କାହାର ଫୋନ୍ ଥିଲା । ସଦାନନ୍ଦ କହିଲେ ଯାଜପୁରର ଜଣେ ବ୍ୟକ୍ତି ବାହାଘର ବିଷୟରେ ଜାଣିବାକୁ ଚାହୁଁଛନ୍ତି । ତମେ କଣ ମନା କଲ କି? ନା ମୁଁ କାହିଁକି ମନା କରିବି! ମୁଁ କହିଲି ମୋ ସ୍ତ୍ରୀ ସହିତ କଥାବାର୍ତ୍ତା କରି କହିବି ।
ସଦାନନ୍ଦ ସେହିକ୍ଷଣି ଆଉଥରେ ସରୋଜ ବାବୁ ଙ୍କୁ ଫୋନ କରି କହିଲେ, ସୁମିତ୍ରା ଆପଣଙ୍କ ସ୍ତ୍ରୀ ସହ କଥା ହେବାକୁ । ସୁମିତ୍ରା ଦେବୀ କହିଲେ ସରୋଜ ବାବୁଙ୍କୁ କହିଦିଅ ଆମେ ସମସ୍ତେ ଆପଣଙ୍କ ଘରକୁ ଯିବୁ ଆଉ ସେହିଠାରେ କଥା ହେବା । ସେମାନେ ବି ଆମ ଘରକୁ ଆସିବେ । ସମୟ ଓ ତିଥି ଅନୁସାରେ ଦିନ ଧାର୍ଯ୍ୟ ହେଲା । ସଦାନନ୍ଦ ବାବୁ, ସ୍ତ୍ରୀ ସୁମିତ୍ରାଙ୍କ ସହ ଯାଜପୁର ବାହାରି ଗଲେ । ଦିନ ୧୦ଟା, ସଦାନନ୍ଦ ଓ ତାଙ୍କ ସ୍ତ୍ରୀ ସରୋଜ ବାବୁଙ୍କ ଘରେ ଯାଇ ପହଞ୍ଚିଗଲେ ।
ସରୋଜ ବାବୁ ଆଦର ସତ୍କାର ସହ ଘର ଭିତରକୁ ଡ଼ାକି ନେଇ ଗଲେ । ସଦାନନ୍ଦ ବାବୁ ମନେ ମନେ ଚିନ୍ତା କରୁଥାନ୍ତି ଯେ ଏତେ ବଡ଼ ପରିବାର, ସୁନାଲି ଏ ଘରକୁ ବୋହୁ ହୋଇ ଆସିବ, କେମିତି କେମିତି ଲାଗୁଥାଏ । ମନରେ ଅନେକ ପ୍ରଶ୍ନ, ଖାଲି ଉତ୍ତର ଅପେକ୍ଷାରେ । କଥାବାର୍ତ୍ତା ଆରମ୍ଭ ହେଲା । ନୂଆ ନୂଆ ବନ୍ଧୁଙ୍କ ଘରେ ପ୍ରବେଶ, ସରୋଜ ବାବୁଙ୍କ ଘରର ଚାଲିଚଳନ, ବ୍ୟବହାର ଓ ଜିନିଷ ପତ୍ର ସବୁ କିଛି ଅଲଗା ଅଲଗା ଲାଗୁଥିଲା । ସୁମିତ୍ରା ଦେଖୁଛ ତ ! ତାଙ୍କ ଘରର ଚାଲିଚଳନ, ବ୍ୟବହାର, ସବୁ ଯେମିତି ଅଲଗା ଅଲଗା ଲାଗୁଛି । ତମେ ଏମିତି ନ ଦେଖିଲା ଓଉ ଛଫଡା ଭଳି ହେଉଛ ! ଚୁପଚାପ ଦେଖ ତା'ପରେ କଥାବାର୍ତ୍ତା କରିବ । ସଦାନନ୍ଦ ମନେମନେ ଭାବୁଥାନ୍ତି, ଏଠିକାର ସବୁ ତ ଆଧୁନିକ ଢାଞ୍ଚାର । ବୋଉ ମାନେ ସବୁ ଶାଢ଼ୀ ବଦଳରେ ଡ୍ରେସ, ଖାଦ୍ୟ ପାନୀୟରେ ସବୁ ବାହାରୁ କିଣା, ମୁଁ ଶୁଣିଥିଲି ଦେଖିବାକୁ ଗଲେ କୁଆଡେ଼ ଲେମ୍ବୁପାଣିର ସର୍ବତ ଦିଆଯାଏ । ଏମାନେ ପ୍ରଥମେ ବଜାରର ମିଳୁଥିବା ମୃଦୁ ପାନୀୟ ଆମକୁ ଦେଉଛନ୍ତି । ସେଗୁଡ଼ିକ ତ ବିଷାକ୍ତ ପାନୀୟ । ଜଳଖିଆ ବି ବଜାରରୁ ଆସିଥାଏ । ଏ ସବୁ ଦେଖି ମୋ ମନରେ ଟିକିଏ ବ୍ୟତିକ୍ରମ ହେଉଥିଲା । ତଥାପି ମୁଁ ଶାନ୍ତ ମନରେ ନିଜକୁ ବୁଝାଇଦେଲି ଯେ ସୁମିତ୍ରା ଯାହା ନିଷ୍ପତ୍ତି ନେବ ସେଥିରେ ମୋର କୌଣସି ଆପତ୍ତି ଉଠାଇବାର ନାହିଁ । କଥାବାର୍ତ୍ତା ସରି ସରି ଆସୁଥାଏ, ସବୁକିଛି ସକରାତ୍ମକ ଭଳି ଲାଗୁଥିଲା । ସବୁଠାରୁ ବଡ଼ କଥା ହେଲା ଏତେ ବଡ଼ ପରିବାର, ସମସ୍ତେ ଶିକ୍ଷିତ, କିନ୍ତୁ ପ୍ରକୃତରେ ପରିବାରର ଯେଉଁ ପରମ୍ପରା, ବ୍ୟବହାର ଚାଲିଚଳନ ସେସବୁ ନଥିଲା । ଯେମିତି ଆଧୁନିକ ଢାଞ୍ଚାର ପରିବାରଟି ସନ୍ତୁଳିତ । ସମସ୍ତଙ୍କୁ ନିଜ ନଜରରେ ଦେଖିଲେ ଜଣାପଡ଼ୁଥିଲା ଯେ ଏ ପରିବାର ମଧ୍ୟରେ ଏକତା ଅଛି କିନ୍ତୁ ସମସ୍ତେ ଆଧୁନିକର ମାୟା ଜାଲରେ ଛନ୍ଦି ପଡିଛନ୍ତି । ଏଥି ମଧ୍ୟରେ ସୁମିତ୍ରା ବାହାଘର କଥାବାର୍ତ୍ତା ସାରି ସଦାନନ୍ଦଙ୍କୁ ଡାକିଲେ । ସୁମିତ୍ରା କହିଲେ, ଶୁଣୁଛ ମୋତେ ଏ ଘର ପସନ୍ଦ । ତମେ କଣ ଭାବୁଛ? ସଦାନନ୍ଦ କହିଲେ ନାହିଁ ମୋର କୌଣସି ଆପତ୍ତି ଅଭିଯୋଗ ନାହିଁ । ଦ୍ୱିପ୍ରହରର ଖାନା ପ୍ରସ୍ତୁତ ହୋଇସାରିଥାଏ । ସଦାନନ୍ଦ ଓ ସରୋଜ ବାବୁ ବାହାଘର ବିଷୟରେ ଶେଷ କଥା ହେବାପାଇଁ ଦୁହେଁ ଟିକିଏ ବାଡି ବଗିଚା ଭିତରକୁ ଗଲେ । କଥାବାର୍ତ୍ତା ସାରି ଆସି ଖାଦ୍ୟ ପାଖରେ ବସିଲେ । ଖିଆପିଆ ସରିଲା । ଟିକିଏ ବିଶ୍ରାମ ନେଇ ନିଜ ଘରକୁ ଫେରିଲେ । ସଦାନନ୍ଦ ସୁମିତ୍ରାଙ୍କୁ ପଚାରିଲେ ଯେ, ତମେ ସୁନାଲି ବାହାଘର ପାଇଁ ଏକମତ ? ସୁମିତ୍ରା ଡେରି ନକରି ଯୋର ହଁ ଟିଏ ମାରିଦେଲେ । ସତରେ ସୁମିତ୍ରା ସରୋଜ ବାବୁଙ୍କ ଘର ପସନ୍ଦ, ଲୋକଙ୍କ ବ୍ୟବହାର ଆଧୁନିକତା ପରିପୂର୍ଣ୍ଣ । ପରମ୍ପରା ଚାଲିଚଳନ ସବୁ ଯେମିତି ଆଧୁନିକତାରେ ପରିପୂର୍ଣ୍ଣ । ଯାହା ବି ହେଉ ଝିଅ ଜନ୍ମ ତ ପରଘରକୁ । ଏଥିରେ ଆଧୁନିକ ବ୍ୟବହାରକୁ ଗୁରୁତ୍ୱପୂର୍ଣ୍ଣ ଦେବାର ଲାଭ କଣ? ମଣିଷର ଭଲପାଇବା ଓ ସ୍ନେହ ଆଦର ଅନ୍ୟକୁ ଭଲ ମଣିଷ କରିଥାଏ । ଆଧୁନିକତାରେ ଥାଇ ଭଲ ମଣିଷଟିଏ ହବା ସବୁଠାରୁ ବଡ଼କଥା ।