ଆକାଶର କାନ୍ଦ
ଆକାଶର କାନ୍ଦ
ମଧ୍ୟରାତ୍ରୀର କିଟିକିଟିଆ ଅନ୍ଧାର ସାଙ୍ଗକୁ ବନ୍ୟା ପାଣିର ସୁ ସୁ ଶଦ୍ଦ । ପ୍ରତ୍ୟେକ ପଲାରେ କାଁ ଭାଁ ଲଣ୍ଠନ ବା କାଚ ଥିବା ଛୋଟ ଲ୍ୟାମ୍ପ । ମନରେ କେମିତି ଛନକା ପଶୁଥାଏ ପୁନି ବଡବୋଉର । ସାହିର ସ୍ତ୍ରୀଲୋକ ଓ ଛୋଟ ଛୋଟ ପିଲାମାନଙ୍କ ସହିତ ପୁନି ବଡବୋଉ ଆଶ୍ରୟ ନେଇଛି ସିଡୁଆ ନଈବନ୍ଧ ଉପରେ । ଆଗରୁ ଘରର ପୁରୁଷ ଲୋକମାନେ ଚାରି ଚାରି ଖଣ୍ଡ ବାଉଁଶ ପୋତି, ଉପରେ ଜରିପାଲ ପକେଇ ପଲାଟିଏ ମାନ କରିଥିଲେ ହଠାତ୍ ବଢିପାଣି ଗାଆଁରେ ପଶିଗଲେ ଆଶ୍ରୟ ନେବା ପାଇଁ । ସମ୍ଭାବ୍ୟ ବନ୍ୟାରୁ ରକ୍ଷା ପାଇବା ପାଇଁ ଆଜି ସାହିଟାଯାକର ଲୋକମାନଙ୍କର ଆଶ୍ରୟ ପାଲଟିଛି ଏହି ପଲାସବୁ ।
ଭସା ବାଦଲଟାଏ କୋଉଠି ଥିଲା କେଜାଣି, ଠପ ଠପ ହେଇ ଅସରାଏ ବର୍ଷିଗଲା ନଈବନ୍ଧରେ ଆଶ୍ରୟ ନେଇଥିବା ଲୋକ ମାନଙ୍କ ଉପରେ । ଜାକିଜୁକି ହେଇଗଲେ ଛୋଟ ପିଲାମାନେ ।
ବିଶେଷ କିଛି କ୍ଷୟକ୍ଷତି ନକରି ବର୍ଷାଟା ଚାଲି ଯାଇଥିଲା ତା' ବାଟରେ । ଲାଗୁଥିଲା, ସତେ ଯେମିତି ଆକାଶଟା ଲୋକମାନଙ୍କ ଦୁର୍ଦ୍ଦଶାରେ ଗଡେଇ ପକେଇଥିଲା କେଇବୁନ୍ଦା ଲୁହ ।...........
"ଆହାଃ, ପୁନି ବଡ଼ବୋଉଟା ପଡ଼ିଗଲା" । ଏତକ କହି ଗୁରିଆ ପୁନି ବଡ଼ବୋଉ ପାଖକୁ ଦଉଡି ଗଲା । ତା' ପାଟିଶୁଣି ଓ ତା' ଦଉଡିବା ଦେଖି, ତା'ପଛେ ପଛେ ଆସୁଥିବା ରଘୁ, ନଖିଆ, ବାବୁଲି, ଅରିକ୍ଷିତ ଓ ଅନ୍ୟମାନେ ଦଉଡା ଦଉଡି ହେଇ ପୁନି ବଡ଼ବୋଉ ପାଖରେ ପହଞ୍ଚିଗଲେ ।
ଗୁରିଆ ଓ ଅନ୍ୟ ମାନଙ୍କ ସାହାଯ୍ୟରେ ପୁନି ଓରଫ ପୂର୍ଣ୍ଣିମା ନାୟକ, ସାହି ଗୋଟାକର ପୁନି ବଡ଼ବୋଉ ଉଠି ଛିଡାହେଲେ । ଅଣ୍ଟା ସଳଖି ବଡ କଷ୍ଟରେ ମହାନ୍ତି ଘର ଡିହକୁ ଯିବାକୁ ଚେଷ୍ଟା କଲା ପୁନି ବଡ଼ବୋଉ ।
କିଏ ଗୋଟାଏ କହିଦେଲା, "ପଳେଇ ଚାଲ । ସିଡୁଆ ନଈରେ ଖଣ୍ଡେଇତା ପାଖ ଯମୁନାମୁହଁ ପାଖରେ ଘାଇ ହେଇ ଯାଇଛି । ଘାଇ ମେଲୁଛି । ପାଣି ଭୁସ୍ ଭୁସ୍ ହେଇ ମାଡି ଆସୁଛି ।" ବାସ୍, ଏତିକିରେ ନାହାକସାହି ଗୋଟାକ ପିଲାଛୁଆ, ମାଇକିନିଆ, ମରଦ ଓ ବୁଢ଼ାବୁଢ଼ୀ ସମସ୍ତେ, ଘରର କଡେଇ, ଡେକିଚି, କୁଲା, ଛାଞ୍ଚୁଣି ଇତ୍ୟାଦି ଧରି, ଗାଇଗୋରୁ, ଛେଳିମେଣ୍ଢା ସହିତ ଏକମୁହାଁ ହେଇଛନ୍ତି ମାହାନ୍ତି ଘର ଡିହକୁ । ତରତରରେ ଘରୁ ଆସୁଥିବାରୁ ପୁନି ବଡବୋଉର ଏମିତି ଅବସ୍ଥା । ପଚପଚିଆ କାଦୁଆ ଗାଆଁଦାଣ୍ଡକୁ ଅନ୍ଧାର । ବୁଢ଼ାବୁଢ଼ୀ କ'ଣ, ଭେଣ୍ଡିଆବି ପଡିଯିବାର ସମ୍ଭାବନା ଯଥେଷ୍ଟ ଅଧିକ ।
ସନ୍ଧ୍ୟା ସାତଟା ବାଜିବ । ମାହାନ୍ତିଘର ଡିହରେ ବେଶ୍ ଭିଡ । ସାହି ଗୋଟାକର ପିଲାଛୁଆ ଓ ସ୍ତ୍ରୀ ଲୋକମାନେ ନିଜ ନିଜର ଠାକ୍ ଠିକଣା ବନ୍ଦୋବସ୍ତ କରିବାରେ ବ୍ୟସ୍ତ । ପୁରୁଷମାନେ ଘର ଉପରେ ନଜର ରଖିବା ଓ ନଦୀବନ୍ଧ ସୁରକ୍ଷାର ତଦାରଖ କରିବାରେ ଆଦୌଁ ହେଳା କରୁନଥାନ୍ତି ।
ଗାଆଁ ଦାଣ୍ଡରେ ପାଣିର ଧିର ଧିର ସୁଅ ଚାଲିଛି । ବନ୍ଧପାଖରେ ଥିବା ଓଉଗଛ ପର୍ଯ୍ୟନ୍ତ ପାଣି ଲାଗି ଯାଇଥିବାରୁ ଘୋଳିଆ ପଡି ଏମିତି ଅବସ୍ଥା ।
ଦାଣ୍ଡରେ ବାବାଜୀ, ଲକ୍ଷ୍ମୀଧର, ପୁନାନନ୍ଦ ଓ ଭଗବାନ ଠେଙ୍ଗା ଗୋଟାଏ ଗୋଟାଏ ଧରି, ବଡ ପାଟିରେ, "ହୁସିଆର ଖବରଦାର୍, ବଡ ବନ୍ୟା ମାଡି ଆସୁଛି । ସମସ୍ତେ ଉଜାଗର ରୁହ । ପିଲାଛୁଆ ମାନଙ୍କୁ ଜାଗ୍ରତରେ ରଖ ", ଏମିତି କହି କହି, ବଡ ବଡ ପାହୁଣ୍ଡ ପକେଇ ଏକ ରକମ ଦଉଡିଲା ଭଳିଆ ନଦୀବନ୍ଧ ଆଡ଼କୁ ଗଲାବେଳେ, ପୁନି ବଡ଼ବୋଉର ଛାତି ଭିତରଟା କେମିତି ଧଡ ଧଡ ହେଇ ଯାଉଥାଏ । ମଝିରେ ମଝିରେ ଟିକିଏ ଦୂରରେ ବନ୍ଧା ହେଇଥିବା ତା'ର ଅତିପ୍ରିୟ ବଉଳାକୁ ଅନେଇ, ଉପରକୁ ହାତଟେକି ଭଗବାନଙ୍କୁ ଡାକ ପକଉଥିଲା ସିଏ । ବଉଳା ଗାଈଟିଏ ହେଲେ ବି ଭାରି ପ୍ରିୟ ପୁନି ବଡବୋଉର । ଏଥିପାଇଁ ବଉଳା ଉପରେ ବରାବର ନଜର ରଖିଥାଏ ପୁନି ବଡ଼ବୋଉ ।
ଦାଣ୍ଡରେ ଦଳେ ପିଲା ଏକ ବଡ ଲମ୍ବା କାଠ ବେଞ୍ଚକୁ ଟେକି ଟେକି ନଦୀବନ୍ଧର ବିପରୀତ ଦିଗରେ ଥିବା କେନାଲବନ୍ଧ ବ୍ରିଜ୍ ଆଡ଼କୁ ନଉଥିବାର ଦେଖି ପୁନି ବଡବୋଉ ପୁତୁରା ଦିପୁନାକୁ ପଚାରିଲା, " ହଇରେ ପୁଅ ! ଏମାନେ ଏତେବଡ ବେଞ୍ଚଟାକୁ ବୋହିକି କୁଆଡେ ନଉଛନ୍ତି ? କ'ଣ ହବକି ?"
ଦିପୁନା କହିଲା, " ବଡ଼ବୋଉ ! ଏମାନେ କେନାଲବନ୍ଧ ବ୍ରିଜ୍ ଉପରେ ବେଞ୍ଚଟାକୁ ଆଡବାଗିଆ ପକେଇ ଜଗିବେ । ବାହାର ଲୋକଙ୍କୁ ଗାଆଁ ଭିତରକୁ ଛାବିବେ ନାହିଁ । କାଳେ ବାହାର ଲୋକ କିଏ ଆସି ପାରା ପକେଇ ବନ୍ଧ ଭାଙ୍ଗିଦେବ । ଏଣୁ ଆମ ଗାଆଁର ଟୋକାଟାକେଳିଆ କିଛି ରାତିସାରା ଜଗିବେ ।"
ଦିପୁନା କଥା ଶୁଣି ପୁନି ବଡ଼ବୋଉ ଉପରକୁ ହାତଟେକି ଭଗବାନଙ୍କ ଉଦ୍ଦେଶ୍ୟରେ କହିଲା, " ହେ ମାହାପ୍ରୁ ! ପିଲାମାନଙ୍କର ମଙ୍ଗଳ କର ।"...................
ରାତି ବଢି ବଢି ଚାଲିଛି । ଭୟ ବି ବଢି ବଢି ଚାଲିଛି । ଗୁରିଆ ଆସି ମାହାନ୍ତି ଘର ଡିହରେ ଆଶ୍ରା ନେଇଥିବା ସାହିର ସ୍ତ୍ରୀଲୋକ ଓ ପିଲାମାନଙ୍କୁ କହିଲା, " ବ୍ୟସ୍ତ ହେବାର କିଛି ନାହିଁ । ଯମୁନା ମୁହଁ ଘାଇ ହେଇଥିବା କଥା ମିଛ । କିଏ ଗୋଟାଏ ଗୁଜବ କରି ଦେଇଥିଲା ମଜା ଦେଖିବା ପାଇଁ ।"
"ଏମିତି ବେଳରେ ପୁଣି ଗୁଜବ । କାହାର ସର୍ବନାଶ, ଏମାନଙ୍କ ପାଇଁ ପୁଷମାସ ଚାଲିଛି ।"
ଜେମା ବୋଉ ପାଟିରୁ ଏମିତି କଥା ଶୁଣି ପୁନି ବଡବୋଉ ପୁଣିଥରେ ପାଟି କରିବା ଆରମ୍ଭ କରିଦେଲା । ଏଥରକ ବିଶୁଦ୍ଧ ଓଡିଆ ଗାଳି ।
"ବାଡିଖିଆ, ଯୋଗଣିଖିଆ, ଅଳପେଇସା, ବଡରୋଗିଆ ମରିବେ ସବୁ । ସେମାନଙ୍କ ଉପରେ ରାଧା ଚଡକ ପଡିବ । ବାଟରେ ପଡି ମରିବେ । ଢିଅରେ ବିଲୁଆ ଡେଇଁବେ ।" ଏମିତି କେତେ କ'ଣ ।
ଗୁରିଆ କହିଲା, " ଏଇଟା ଗାଳି ଦବାର ସମୟ ନୁହଁ ବଡବୋଉ । ଯମୁନା ମୁହଁ ସିନା ଘାଇ ହେଇ ନାହିଁ, ହେଲେ ଆମ ଗାଆଁ ଓଉଗଛ ମୂଳ ଘୋଳିଆଟା ରୋକିବାର ନାଁ' ଗନ୍ଧ ନେଉନାହିଁ । ଜାଫିରି ବନ୍ଧା ହେଇଛି । ବାଲିବସ୍ତା ପଡୁଛି । ହେଲେ ପାଣିର ସୁଅ ରୋକୁ ନାହିଁ । ବେଳକୁ ବେଳ ସୁଅ ବଢୁଛି । କ'ଣ ହବ କହି ହଉନାହି । ସମସ୍ତକୁ ନଈବନ୍ଧ ଉପରକୁ ଯିବାକୁ ପଡିବ । ସେଠି ବାଉଁଶ ପୋତା ହେଇ ପାଲ ଟଣା ହେଇଛି । ରାତିଟା ସେଇଠି କଟେଇବାକୁ ପଡିବ ।"
ପୁନି ବଡବୋଉ କହିଲା, " ରାତି ଅଧରେ ପୁଣି ଦୁଃଖ । ହେ ଭଗବାନ, କେତେ ତୁ' ଆଉ ପରୀକ୍ଷା ନବୁ ।" ଆଖି ତା'ର ଛଳ ଛଳ ହେଇ ଆସିଲା । ସେଇ ଛଳଛଳ ଆଖିରେ ସାହିର ସବୁ ସ୍ତ୍ରୀଲୋକ ଓ ଛୁଆ ପିଲାମାନଙ୍କୁ ତରତର କଲା ବନ୍ଧକୁ ଯିବା ପାଇଁ ।
ରାତିରେ, କିଟିମିଟିଆ ଅନ୍ଧାରରେ, ଧିକି ଧିକି ଲଣ୍ଠନ ଆଲୁଅରେ ଦଳେ ଛାଇ ଶୋଭାଯାତ୍ରାରେ ଗଲାଭଳିଆ ଲାଗୁଥାଏ, ସାହିର ଛୋଟ ପିଲା ଓ ସ୍ତ୍ରୀଲୋକମାନଙ୍କର ଏମିତି ନଈବନ୍ଧକୁ ଯିବାର ଦୃଶ୍ୟ । ଯାହାରା ପୁରୋଭାଗରେ ଥିଲା, ସାହିଟା ଯାକର ବଡବୋଉ ପୁନି ବଡବୋଉ । ନିଃଶଦ୍ଦ ରାତିରେ ଝିଙ୍କାରି ମାନଙ୍କ ରଡିକୁ ତାଳ ଦେଉଥିଲା ନଈବନ୍ଧକୁ ଯାଉଥିବା ଏହି ଲୋକ ମାନଙ୍କର ପାଦ ଦ୍ଵାରା ଦାଣ୍ଡରେ ଚାଲୁଥିବା ପାଣିରେ ସୃଷ୍ଟି ହେଉଥିବା କାବୁରୁ କାବୁରୁ ଶଦ୍ଦ ।...........
ସିନ୍ଦୁରା ଫିଟୁଛି । ପୂର୍ବ ଆକାଶଟା ଟିକିଏ ଟିକିଏ ଫର୍ଚ୍ଚା ହେବାକୁ ଆରମ୍ଭ ହେଇଛି । ପିଲାମାନଙ୍କୁ ଛାଡିଦେଲେ ପ୍ରାୟ ସମସ୍ତେ ରାତି ଅନିଦ୍ରା । ତଥାପି ସକାଳ ହେବାର ଆଭାସରେ ସମସ୍ତେ ସଚେତ ହେଇ ଯାଇଛନ୍ତି । ବଢିର ସମ୍ଭାବ୍ୟ ବିପଦ ଟଳି ନଥିଲେ ମଧ୍ୟ ଲୋକମାନଙ୍କ ଛାତିରେ ଦମ୍ଭ ପଶିଛି । ଦିନବେଳା ଯାହା ହବ ଦେଖାଯିବ।
ଅନଉ ଅନଉ ସକାଳ ହେଇଗଲା । ଆକାଶରୁ ବାଦଲ ଅପସରି ଯାଇଛି । ଆକାଶରେ ବାଦଲ ନଥିବାରୁ ପୂର୍ବ ଆକାଶ ନାଲି ଦେଖାଗଲା । ସୂର୍ଯ୍ୟ ଉଇଁଲେ । ଲାଗୁଥିଲା, ସତେକି ବାଳୁତ ସୂର୍ଯ୍ୟ ନଈବଢିର ମନଲୋଭା ଦୃଶ୍ୟ ଦେଖିବାକୁ ଆତୁର ହେଇ ଉଠିଛନ୍ତି । ହାଲୁକା ଥଣ୍ଡାପାଗ ସାଙ୍ଗକୁ କଅଁଳିଆ ସୂର୍ଯ୍ୟର ଛିଟା ସୃଷ୍ଟି କରୁଥାଏ ଏକ ଅଦ୍ଭୁତ କୁହୂକମୟ ପରିବେଶ । ଯଦିଓ ନଈର ଗୋଳିଆ ପାଣିରେ ସୂର୍ଯ୍ୟଙ୍କର ଛବି ସ୍ପଷ୍ଟ ପ୍ରତୀୟମାନ ହେଉ ନଥାଏ, ତଥାପି ଏକ ଆବେଗମୟ ସୃଷ୍ଟିର ସର୍ଜନା ହେଇ ଯାଇଥାଏ ।
ପିଲାମାନଙ୍କ ଦ୍ଵାରା କାଠି ପୋତି ଦିଆଯାଇଥିବା ଚିହ୍ନ ଠାରୁ ଢେର୍ ତଳକୁ ଖସି ଯାଇଛି ପାଣି । ଓଉଗଛ ପାଖ ଘୋଳିଆ ବନ୍ଦ ହେଇଯାଇଛି ଓ ଗାଆଁ ଦାଣ୍ଡରୁ ପାଣି ଶୁଖିଯାଇଛି ।
କଅଁଳିଆ ଖରା ଧିରେ ଧିରେ ଦେହକୁ ଟାଣ ଲାଗିବା ଆରମ୍ଭ ହେଉଥାଏ । ଏତିକି ବେଳେ କୁଆଡୁ ଥିଲା, ଝିପି ଝିପି କୁଣ୍ଡାଝଡା ବର୍ଷା ବର୍ଷିବାକୁ ଆରମ୍ଭ କଲା । ଲାଗୁଥାଏ ସତେଯେମିତି ଆକାଶଟା ପୁଣି ଥରେ କାନ୍ଦିବା ଆରମ୍ଭ କରିଛି । ମାତ୍ର ଦୁଃଖର କାନ୍ଦ ନୁହେଁ । ଲୋକମାନଙ୍କ ମୁଣ୍ଡରୁ ବଡ ବନ୍ୟାର ବିପତ୍ତି ଟଳି ଯାଇଥିବାରୁ, ଆକାଶର ଇଏ ଖୁସିର କାନ୍ଦ । ଲାଗୁଛି ଆକାଶର ଆଖିରୁ ସତେ ଯେମିତି ଖୁସିର ଲୁହ ସବୁ କୁଣ୍ଡାଝରା ବର୍ଷାର ରୂପ ନେଇ ଝରୁଛି । ଠିକ୍ ଏତିକି ବେଳେ ଛୋଟ ଛୋଟ କିଛି ପିଲାମାନେ ପାଟି କରିବା ଆରମ୍ଭ କରିଦେଇଥିଲେ ।
"ଖରା ହଉଛି, ବର୍ଷା ହଉଛି, ବିଲୁଆ ନନା ବାହା ହଉଛି ।"
ପୂର୍ଣ୍ଣିମା ନାୟକ ଓରଫ ପୁନି ବଡବୋଉର ମୁହଁଟା ତେଜିଆନ ଦେଖାଯାଉଥାଏ । ଗାଆଁ ଦାଣ୍ଡକୁ ଅନେଇଲା ସେଠୁ । ବନ୍ଧ ଉପରୁ ଗାଆଁ ଦାଣ୍ଡଟା ପରିଷ୍କାର ଦେଖାଯାଏ । କିଏ କ'ଣ କିଛି ବାଣ୍ଟୁଥିବା ଭଳିଆ ଲାଗିଲା ପୁନି ବଡବୋଉକୁ । ଲୋକମାନେ ଧାଡ଼ିରେ ଛିଡା ହେଇଛନ୍ତି । ଗୁରିଆଠୁଁ ବୁଝିଲା ରିଲିଫ୍ ।
ମୁହଁ ଛିଞ୍ଚାଡି ଗର ଗର ହେଇ କହିଲା, "ଆମର ଏଠି କ'ଣ ହେଇଛି ଯେ ରିଲିଫ ବଣ୍ଟା ହଉଛି । ଯୋଉଠି ବନ୍ୟାରେ ଲୋକ ଖାଇବାକୁ ପାଉନାହାନ୍ତି ସେଠି ନଦେଇ ଏଠି କ'ଣ ପାଇଁ ଏ ତାମସା ଚାଲିଛି ?"
ଆକାଶରୁ ପୂର୍ବଭଳି କୁଣ୍ଡା ଭଳିଆ ବର୍ଷା ଝରୁଥାଏ ।


