ଆକାଶକୁ ଛୁଇଁବାର ବେଳ
ଆକାଶକୁ ଛୁଇଁବାର ବେଳ
ଆଜିକୁ ଦୁଇବର୍ଷ ହେଲା।ସମାନ ଆଜିର ଦିନ ଆଜିର ତାରିଖରେ ସେ ବାହାହେଇ ତା ଶାଶୁଘରକୁ ଚାଲିଗଲା।କେବଳ ବର୍ଷ ଯାହା ବଦଳି ଯାଇଛି।ଗଲା ଯେ ଗଲା ଦୁଇବର୍ଷ ହେଲା ନା ଫୋନ୍ ନା ମେସେଜ କିଛି ବି ଆସିଲାନି ତା ଠାରୁ।ଏତେ ଠକ ଥିଲା ସେ ବୋଲି ଆଜି ମୁଁ ଜାଣୁଛି।ସତରେ କ'ଣ ମଣିଷ ଏମିତି ବଦଳି ଯାଆନ୍ତି ଟଙ୍କା ସୁନା ର ମୋହରେ ପଡି?ନିଜକୁ ନିଜେ ପଚାରୁଥିଲା ରଶ୍ମୀ ତା ଅତି ପ୍ରିୟ ସାଙ୍ଗ ରେଖା ଉପରେ ଅଭିମାନ କରି।
ରଶ୍ମୀ ଆଉ ରେଖା ଦୁଇଜଣ ଏତେ ସାଙ୍ଗ ହୁଅନ୍ତି ଯେ ଗାଁରେ ସମସ୍ତେ କୁହନ୍ତି "କେହି କାହାରିକୁ ତ ଛାଡିକି ରହିପାରୁନ, ଏକା ବରରେ ଦୁଇଜଣ ଯିବ ଯେ ସାଙ୍ଗ ହେଇ ରହିବ"।ଦୁଇ ସାଙ୍ଗ ଚିଡନ୍ତି ସେମାନଙ୍କ କଥା ଶୁଣି।ରଶ୍ମୀର ବୋଉ ତାଙ୍କୁ ବୁଝାନ୍ତି ବସି।ରେଖା ତ ବିଚାରି ପିଲାଦିନରୁ ବୋଉ କ'ଣ ଜାଣେନି।ତାକୁ ଆଉ କିଏ ବୁଝେଇବ ।ସେଇ ରଶ୍ମୀର ବୋଉ ହିଁ ତାକୁ ଭଲରେ ମନ୍ଦରେ ପାଖରେ ବସେଇ ବୁଝାନ୍ତି ନିଜ ଝିଅ ରଶ୍ମୀକୁ ଯେମିତି ବୁଝାନ୍ତି।ବୟସର ଖସଡା ସୋପାନରେ ସମସ୍ତେ ଯେତେବେଳେ ପାଦ ଟଳମଳ କରନ୍ତି ଘରେ ଗୁରୁଜନ ମାନେ ସମ୍ଭାଳି ନିଅନ୍ତି।ବିଶେଷ କରି ମାଆ ମାନେ।ସେଇ ସୌଭାଗ୍ଯ ରେଖା ଭାଗ୍ଯରେ ନଥିଲା।ଜଗୁଆଳୀ ବିହୀନ ସୁଗନ୍ଧିତ ପୁଷ୍ପଭରା ଗଛଟିର ଭାଗ୍ଯ ଯେମିତି ଫୁଲ ସହ ଡାଳପତ୍ର ଭୁଲୁଣ୍ଠିତ ହେବାର ଆଶଙ୍କା ଥାଏ ସେହିଭଳି ଥିଲା ରେଖାର ଜୀବନ।ଆଦ୍ଯ ଯୌବନରେ ପାଦ ଦେବା ସମୟରେ ଅନେକ ପାଗଳ ଭଅଁର ତା'ର ଆଖ ପାଖରେ ଘୁରିବୁଲୁଥିଲେ ସୁଯୋଗ ପାଇଲା ମାନେ ମଧୁସବୁ ଶୋଷିନେବାପାଇଁ।ସେହି ସମୟରେ ରଶ୍ମୀର ବୋଉ ତାଙ୍କର ଅଭୟ ପଣତରେ ଘୋଡେଇ ଦେଇଥିଲେ ରଶ୍ମୀ ସହ ରେଖାକୁ ମଧ୍ଯ। ଛୁଆ ପାଇଁ କ'ଣ କେବେ ମାଆର ପଣତ ଛୋଟ ପଡେକି?ବାସ୍ ନିର୍ଭୟ ଆଶ୍ରୟସ୍ଥଳୀ ଟିଏ ପାଇଯାଇଥିଲା ରେଖା। କି ଦିନ କି ରାତି ସବୁବେଳେ ରଶ୍ମୀର ପାଖେପାଖେ ଥାଏ ରେଖା।ସାଙ୍ଗ ହେଇ କଲେଜ ଯିବା,ସାଙ୍ଗ ହେଇ ନଈକୁ ଗାଧେଇବାକୁ ଯିବା,ସାଙ୍ଗ ହେଇ ଖାଇବା ସବୁକିଛି।ମା ଛେଉଣ୍ଡ ଝିଅଟି ରଶ୍ମୀ ବୋଉର ସ୍ନେହ ଆଦରରେ ବନ୍ଧା ପଡିଯାଇଥିଲା ଯେମିତି।ଦୁନିଆର ଆଉ କୌଣସି ସୁଖ ତା ପାଇଁ ବଡ ନଥିଲା।ସେ କେବଳ ଚାହୁଁଥିଲା ମାତୃସୁଖ କାଣିଚାଏ।ଅନୁଭବ କରିବାକୁ ଚାହୁଁଥିଲା ସେଇ ଅମୃତ ଟିକକକୁ।ସେତିକି ପାଇଯାଇଥିଲା ସେ ରଶ୍ମୀର ବୋଉଠାରୁ।ଆଉ କ'ଣ ତାକୁ ଦରକାର।ଏଥିରୁ ଫାଇଦା ଉଠଉଥିଲା ରଶ୍ମୀ।ପାଠଘରେ ତା'ର ଶୂନ।ରେଖା ଭଳି କିଛି ସେ ମନେ ରଖିପାରେନି କି ସହଜରେ ବୁଝି ପାରେନି।ବଦଳରେ ବାପାଙ୍କ ଠାରୁ ସବୁଦିନ ମାଡ ଖାଇବା ଟା ତା'ର ରୁଟିନରେ ଲେଖା ହେଇଯାଇଥିଲା। କିନ୍ତୁ ସବୁ ବଦଳିଗଲା ରେଖାର ସଂସ୍ପର୍ଶରେ ଆସିବା ଦିନଠାରୁ।ରେଖା ଖାତାରୁ ସବୁ ଟିପିନେଇ ବାପାଙ୍କ ପାଖରେ ବାଃବାଃ ନିଏ ରଶ୍ମୀ।କେବଳ ବାପାଙ୍କ ପାଖରେ କାହିଁକି ସ୍କୁଲରେ ବି ସମସ୍ତେ ରଶ୍ମୀର ପାଠପଢାରେ ଉନ୍ନତି ହେଲାଣି ବୋଲି କୁହନ୍ତି।ସେଥିରୁ ରଶ୍ମୀ ଉତ୍ସାହିତ ହେଇ ଆଉଟିକେ ଅଧିକ ପରିଶ୍ରମ କରେ।ତା ଛଡା ତା ପାଖ ପିଲାଟି ଯଦି ଅନବରତ ବହି ଭିତରେ ମୁହଁ ଗୁଞ୍ଜି ବସିବ ବାଧ୍ଯ ହେଇ ସେ ବି ସେମିତି କରିବ ଯେମିତି ହେଲେ ।ଧିରେଧିରେ ସ୍କୁଲ ଠାରୁ କଲେଜ ବେଳେ ଆହୁରି ଉନ୍ନତି ଘଟିଲା ରଶ୍ମୀର ପାଠପଢାରେ।ବାପା ବୋଉଙ୍କର ଗୋଟେ ଚିନ୍ତା ଗଲା।ଯେମିତି ହେଉ କଲେଜ ପଢାଟା ବିନା ବାଧାରେ ପାସ୍ କରିଗଲେ ଭଲ ଜ୍ବାଇଁଟିଏ ମିଳିବାକୁ ସହଜ ହେବ ବୋଲି।ସେତିକି ସେମାନେ ଆଶା କରନ୍ତି ରଶ୍ମୀ ଠାରୁ।ରେଖା ଭଳି ଯଦି ରଶ୍ମୀ ଭଲ ପଢିଥାଆନ୍ତା ହୁଏତ ଆଉ କିଛି ଭାବିଥାନ୍ତେ ସେମାନେ।
କଲେଜ ପଢା ସରିଲା। ଶେଷ ପରୀକ୍ଷା ଦିନ ଦୁଇସାଙ୍ଗ ମନଖୁସିରେ ବାଟସାରା କେତେ କ'ଣ ମଜାକରିବେ ବୋଲି ଯୋଜନା କରି ଆସୁ ଥାଆନ୍ତି। ସବୁ କିଛି ଫସର ଫାଟିଗଲା ଘରେ ପହଞ୍ଚୁ ପହଞ୍ଚୁ।ରେଖାର ଘରେ କିଛି ଗହଳି ଚହଳି ଲାଗିଥିଲା।ଦୁହେଁ ଦୁହିଁଙ୍କ ମୁହଁକୁ ଆଶ୍ଚର୍ଯ୍ଯ ହେଇ ଚାହିଁ ରହିଥାଆନ୍ତି କ'ଣ ହେଇଛି ଜାଣିବାକୁ।ଏତିବେଳେ ରଶ୍ମୀର ବୋଉ ସେଇ ଗହଳି ଭିତରୁ ବାହାରି ଆସି ରେଖାର ହାତ ଧରି ଟାଣିନେଇଗଲେ ତାଙ୍କ ନିଜ ଘରକୁ।ଦୁଇଜଣଙ୍କ ଘର ତ ପାଖାପାଖି।ସେଇଠି ରେଖା ହାତକୁ ସାବୁନଟିଏ ବଢେଇଦେଇ କହିଲେ "ଗଲୁ ଗଲୁ ସେ ମୁହଁ ହାତ ସବୁ ସଫାକରି ଧୋଇହେଇପଡିବୁ।ଖରାରେ ପୂରା ଝାଉଁଳି ପଡିଛି"।ଆଶ୍ଚର୍ଯ୍ଯ ହେଇ ରେଖା ଆଉ ରଶ୍ମୀ ତାଙ୍କ ବୋଉର ମୁହଁକୁ ଚାହିଁଥାନ୍ତି।ସବୁଦିନ ତ ସେମାନେ କଲେଜରୁ ଏମିତି ଖରାରେ ଆସନ୍ତି,ନୂଆ କ'ଣ ଆଉ ଆଜି ହେଲା।ରେଖାକୁ ତରବର କରି ସେଉଠୁ ରଶ୍ମୀର ବୋଉ ଗୋଟେ ପ୍ଳେଟ୍ ରେ କିଛି ପାନ ଓ ଚା' ଜଳଖିଆ ସଜାଡି ରଖିଲେ।ଆଉ ଗୋଟେ ଟ୍ରେରେ ଥଣ୍ଡା ପାଣି ।ଏସବୁ ଦୁଇ ସାଙ୍ଗକୁ ବଡ ଅଜବ ଲାଗୁଥାଏ।କ'ଣ ହେଉଛି ଇଏ ?କିଛିତ ବୁଝା ପଡୁନି।ପ୍ଳେଟ୍ ସଜାଡି ସାରି ରଶ୍ମୀର ବୋଉ ସେମାନଙ୍କ ପାଖକୁ ଆସି ରେଖା ଆଡକୁ ଚାହିଁ କହିଲେ "ତୁ ସେତେବେଳୁ ଏଇଠି ଛିଡାହେଇଛୁ?ମୁହଁ ଧୋଇହେବାକୁ ଯାଇନୁ?ସେମାନେ ଘଣ୍ଟାଏ ହେଲା ଆସିକି ତୋତେ ଅପେକ୍ଷା କରି ବସିଛନ୍ତି।ଦେଖିଦେଲେ ପଳେଇବେ।ଯା ଯା,ଶୀଘ୍ର ଧୋଇହେଇ ଆସିବୁ ଯା।ଆଉ ଡେରି କରନା"।ଏତେବିଳକୁ ଯାଇ ଦୁଇସାଙ୍ଗ କିଛିଟା ଅନୁମାନ ଲଗେଇଲେ।ରଶ୍ମୀ ରେଖା ଆଡକୁ ଚାହିଁ ମୁରୁକି ହସିଲା ବେଳକୁ ରେଖା ଆଖିରେ ଲୁହ ଡବଡବ ହେଉଥିଲା।ତା ଆଖିରୁ ନିଜ ପଣତରେ ଲୁହ ପୋଛିଦେଇ କହିଲେ ରଶ୍ମୀର ବୋଉ "ଝିଅ ଜନମ ପରା ପର ଘରକୁ ।କାନ୍ଦିଲେ କ'ଣ ହେବ। ଚମ୍ପା ଫୁଲ ଭଳି ମୁହଁଟା ଅସୁନ୍ଦର ଦିଶିବ।ଭଗବାନ କରନ୍ତୁ ଏଇଠି ସବୁ ଠିକ୍ ହେଇଯାଉ।ଘର ଭଲ।ବର ଭଲ। ରାଣୀ ଭଳିଆ ରହିବୁ"।ସବୁ ବୁଝୁଥିଲା ରେଖା। ପ୍ରତିବାଦ କରିବା ଭଳି ଶକ୍ତି ତା ଠାରେ ନଥିଲା।ବାପା ଆଉ ଏକା ଏକା କେତେଦିନ ତାକୁ ସମ୍ଭାଳି ରଖିଥାନ୍ତେ।ଯେମିତି ହେଲେବି ଏଇ ଦିନ ଥରେ ଆସିଥାନ୍ତା।ଅବଶ୍ଯ ଟିକେ ଜଲଦି ଆସିଗଲା।ଆସୁ।ଯାହାହେବ ଦେଖାଯିବ। ସବୁ ସହିଲା ଭଳି ଶକ୍ତି ତାକୁ ଭଗବାନ ଦେଇଛନ୍ତି ପିଲାଦିନୁ।ଆଉ ଡରିବ କାହାକୁ।ରଶ୍ମୀ ବୋଉଙ୍କ କଥାରେ ଆଖିରୁ ଲୁହ ସବୁ ପୋଛି ସାବୁନ ନେଇ ବାଡିପଟ ନଳକୂଅରେ ମୁହଁ ହାତ ଧୋଇହେଇପଡି ଆସିଲା।ଏଥର ପଡିଶାଘର ଜଣେ ଭାଉଜ ଆସି ତାକୁ ବହୁତ ସୁନ୍ଦର ଭାବେ ତାଙ୍କର ଗୋଟେ ଶାଢୀ ପିନ୍ଧେଇଦେଲେ।ସତରେ ରାଣୀ ଟିଏ ଭଳି ଦିଶୁଥିଲା ସେଦିନ ରେଖା।ସେଇ ଭାଉଜଙ୍କ ସାଥିରେ ଅତିଥି ବସିଥିବା ଘରକୁ ଗଲା ରେଖା।ସମସ୍ତଙ୍କୁ ପ୍ରଣାମ କରି ସମସ୍ତଙ୍କ ହାତକୁ ପାଣି ଓ ତା ପରେ ପରେ ଚା ଜଳଖିଆ ସଜାଡି ଦେଲା।ଆସିଥିବା ଅତିଥି ମାନେ ରେଖାର ଆତିଥ୍ଯରେ ଖୁସିହେଇଗଲେ।ଯାହା ହେଉ ଝିଅଟି ଭଲ ସଣ୍ଠଣା ଶିଖିଛି ବୋଲି କହିଲେ।ଗଲା ବେଳକୁ ରେଖାର ହେବାକୁ ଥିବା ଶାଶୁ ତାଙ୍କ ବେକରୁ ଗୋଟେ ବଡ ଲମ୍ବା ଆଉ ମୋଟା ଚେନ୍ ବାହାର କରି ରେଖା ବେକରେ ପକେଇଦେଇ କହିଲେ "ଆମର ବୋହୂ ପସନ୍ଦ ହେଇଛି।ଏଥର ଆଗକୁ ବଢିବା।ଶୁଭସ୍ଯ ଶୀଘ୍ରମ୍।ଡେରି କରିବା କିଛି ଆବଶ୍ଯକ ନାହିଁ।ବାହାଘରର ସମସ୍ତ ଖର୍ଚ୍ଚ ଆମେ କରିବୁ।ସେଥିପାଇଁ କିଛି ଚିନ୍ତା କରିବା ଦରକାର ନାହିଁ"।ରେଖାର ବାପା ରଶ୍ମୀର ପରିବାର ଓ ସାହିର ଅନ୍ଯ ମାନେ ସମସ୍ତେ ଏ କଥା ଶୁଣି ଖୁସି ହେଇଗଲେ।ଯା ହେଉ ମା ଛେଉଣ୍ଡ ପିଲାଟି ଭଲଘରେ ବସିଲା ଏଥର।ମାଆ ଭଳି ଶାଶୁଟା ପାଇଲା।
ରଶ୍ମୀ ରେଖାକୁ ଚିଡାଏ।ବଡ ଘର ,ସୁନ୍ଦର ବର ପାଇ ଆଉ ଏ ସାଙ୍ଗକୁ ଭୁଲି ଯିବୁନି ତ?
ସେମିତି କହିବୁନି।ସବୁ କିଛି ଭୁଲିପାରିବି କିନ୍ତୁ ତୋତେ ନୁହେଁ।
ତା ହେଲେ ସବୁ ମାସରେ ମୋ ପାଖକୁ ଚିଠି ପଠେଇବୁ ଶପଥ କର।
ଏତେ ଅବିଶ୍ବାସ କାହିଁକି କରୁଛୁ ଯେ କଥା ଦେବାକୁ ପଡିବ ମୋତେ।ସତ କହୁଛି ଚିଠିଦେବି।
କିଏ ଜାଣେ ।ଭିଣେଇ ଭାଇଙ୍କ ପ୍ରେମରେ ବୁଡିରହି ଯଦି ମୋ ପାଇଁ ସମୟ ନମିଳେ।
ସେମିତି କେବେ ହେବନି।ସିଏ ସ୍ବାମୀ ହେଲେ ତୁ ମୋ ସାଙ୍ଗ।ଦୁହେଁ ଦୁଇଜଣଙ୍କ ଜାଗାରେ ମୋ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ ମଣିଷ।କାହାକୁ ବି ମୁଁ ଅଣଦେଖା କରିପାରିବିନି।
ବାହାଘର ଦିନ ପାଖେଇ ଆସୁଥିଲା। ପ୍ରଥମେ ପ୍ରଥମେ ଲୁଚେଇ ଲୁଚେଇ କାନ୍ଦୁଥିବା ରେଖା ଏବେ ଲୁଚେଇ ଲୁଚେଇ ହସୁଛି।ସ୍ବପ୍ନ ରାଇଜରେ ଘୂରି ବୁଲୁଛି।ମନ ଭିତରେ ଅସୁମାରୀ ଆଶା ବସା ବାନ୍ଧୁଛି।ସେସବୁ ରଶ୍ମୀ ଆଖିରୁ ବାଦ ଯାଏନି।ରେଖାକୁ ଚିଡେଇ ଚିଡେଇ ମାରେ ସବୁଦିନ ସେ।ଶେଷରେ ସେଇଦିନ ଆସିଗଲା।ରେଖାର ହାତଧରି ତା ସ୍ବପ୍ନର ନାୟକ ତାକୁ ନେଇଗଲେ ସବୁଦିନ ପାଇଁ ତା'ର ସ୍ବପ୍ନର ମହଲକୁ।ଦୁଇସାଙ୍ଗ ବହୁତ କାନ୍ଦିଲେ ଜାବୋଡି ଧରି ପରସ୍ପରକୁ।ତାଙ୍କ କାନ୍ଦ ଦେଖି ସେଠି ଅନ୍ଯମାନେ ପଥର ପାଲଟିଗଲେ ଯେମିତି।ଏମିତି କିଏ କାନ୍ଦେ ସାଙ୍ଗ ବାହାଘରରେ। କାନ୍ଦି କାନ୍ଦି ବି ରଶ୍ମୀ ପାଟିରୁ ସେଇ ଗୋଟିଏ କଥା ବାହାରୁଥାଏ " ମୋ ପାଖକୁ ଚିଠି ଦେବୁ"।
ଚାହୁଁ ଚାହୁଁ ରେଖାର ବାହାଘରକୁ ମାସେ ପୂରିଗଲା।ଦୁଇମାସ ପୂରିଲା।ଛଅମାସ ପୂରିଲା ।ବର୍ଷେ ପୂରିଲା।କାହିଁ ?ଚିଠି କୁଆଡେ ଗଲା।ଦାଣ୍ଡରେ ଡାକବାଲା ଡାକଦେଲେ ଦୌଡିଯାଏ ରଶ୍ମୀ କାଳେ ତା ସାଙ୍ଗ ଚିଠିଦେଇଥିବ ବୋଲି।କିନ୍ତୁ ଡାକବାଲା ତା ଆଡକୁ ଟିକେ ବି ନଚାହିଁ ଆଗକୁ ପଳାଏ।ରଶ୍ମୀ ମନ ଦୁଃଖ କରି ଘର ଭିତରେ ପଶେ।ବର୍ଷ ପରେ ବର୍ଷ ବିତିଗଲା। ମନରୁ ଧିରେ ଧିରେ ରେଖାର କଥା ଭୁଲିବାକୁ ଚେଷ୍ଟା କଲା ରଶ୍ମୀ।ସତରେ ଦୁନିଆଟା ବଡ ସ୍ବାର୍ଥପର।ଏଠି ଯିଏ ଯାହାକୁ ବେଶୀ ବିଶ୍ବାସ ଓ ଭରସା କରେ ସେହିଁ ବେଶି ବିଶ୍ବାସଘାତକତା କରେ।ଛାଡ ସେସବୁ ଏଥର ଆଗକୁ ଯିବାର ସମୟ।କେତେ ଆଉ ନିଲଠା ପଣରେ ସେଇ ଗୋଟିଏ ଆଶା ନେଇ ଦାଣ୍ଡ ଦୁଆରକୁ ଦୌଡିଯିବ ସେ। ବାଧ୍ଯ ହେଇ ନିଜର ପଢାପଢି ରେ ମନ ଦେଇ ନିଜକୁ ନିୟନ୍ତ୍ରଣ କଲା ରଶ୍ମୀ।ଏକା ରଶ୍ମୀ କାହିଁକି ।ଅନ୍ଯ ସମସ୍ତଙ୍କର ମନରେ ସେଇ ଗୋଟିଏ ପ୍ରଶ୍ନ।ଏ ରେଖା ବାହାଘର ପରେ ବାପଘରକୁ କାହିଁକି ବୁଲିବାକୁ ଆସୁନି?ବଡ ଘର କଥା।ନିଜର ଗାଡି ଅଛି।ଏଇନା ଚାହିଁଲେ ଏଇନା ଆସିଯିବା କଥା।ଆସୁନି କାହିଁକି।ରେଖାର ବାପା ପ୍ରତି ପର୍ବ ପର୍ବାଣୀରେ ରେଖାର ଶାଶୁ ଘରକୁ ଯାଆନ୍ତି।ତାଙ୍କୁ ରେଖା କଥା ପଚାରିଲେ ଫିକା ହସଟିଏ ହସିଦେଇ ଝିଅ ଭଲରେ ଅଛି ବୋଲି କୁହନ୍ତି।ସମସ୍ତେ ସେତିକିରେ ଖୁସି ହେଇ ଯାଆନ୍ତି।ବାପଘରକୁ ନଆସୁ।ଭଲରେ ତ ଶାଶୁଘରେ ଅଛି।ସେମିତି ଭଲରେ ଥାଉ।
ରେଖା ବାହାଘରର ପ୍ରାୟ ତିନିବର୍ଷ ପରେ ରଶ୍ମୀର ବାହାଘର ଠିକ୍ ହେଇଗଲା।ପୁଅ ଗୋଟେ ପ୍ରାଇଭେଟ୍ ସ୍କୁଲରେ ପ୍ରିନ୍ସପାଲ ଅଛି।ତା ବାପା ପୋଲିସ୍ ଇନସ୍ପେକ୍ଟର ଅଛନ୍ତି।ରେଖାକୁ ବି ଆସିବାକୁ ନିମନ୍ତ୍ରଣ କରା ଯାଇଥିଲା।କିନ୍ତୁ ସେ ଆସି ନଥିଲା।ରଶ୍ମୀର ମନରେ ଯାହା ଟିକେ ଟିକେ ଦରଦ ରହିଥିଲା ରେଖା ପ୍ରତି ସେତକ ସବୁ କୁଆଡେ ଧୋଇହେଇଗଲା ଆଖିର ଲୁହରେ।ଆଉ କେବେ ସେଇ ସ୍ବାର୍ଥପର ଝିଅ କଥା ମନରେ ନଭାବିବାକୁ ଶପଥ କରି ବେଦିରେ ବସିଲା ରଶ୍ମୀ।ଶାଶୁଘରେ ବେଶ୍ ମନ ଆନନ୍ଦରେ ରହିଥିଲା ରଶ୍ମୀ।ଏକଦମ ଝିଅଟିଏ ଭଳି।ଶାଶୁ ଶ୍ବଶୁର ସ୍ବାମୀ ସମସ୍ତେ ଅତି ଶାନ୍ତ ସରଳ ସ୍ବଭାବର ଲୋକ।ଦିନ ଗୁଡିକ ଅତି ସୁନ୍ଦର ଭାବରେ ବିତି ଯାଉଥିଲା।ରେଖାର ଭାବନା ମସ୍ତିଷ୍କ ଭିତରକୁ ପ୍ରବେଶ କରିବା ତ ଦୂରର କଥା ତା ଆଖ ପାଖରେ ମଧ୍ଯ ପଶିପାରୁନଥିଲା।ସେଦିନ ହଠାତ୍ ଡାକବାଲାର ପାଟି ଶୁଭିଲା ଚିଠି ଚିଠି।ରଶ୍ମୀର ଶାଶୁ ଗଲେ ଚିଠି ଆଣିବାକୁ।ରେଜେଷ୍ଟ୍ରି ଚିଠି ।ରଶ୍ମୀ ମାଡାମଙ୍କ ନାଁରେ ଆସିଛି ।ମାଡାମ ନିଜେ ଆସିଲେ ଯାଇ ଦେବ ବୋଲି କହିଲା ଡାକବାଲା।ଏଥର ଶାଶୁ ଡାକିଲେ ରଶ୍ମୀକୁ।ଦସ୍ତଖତ କରିସାରି ଚିଠି ଆଣି ନିଜ ଶୋଇବା ଘର ଭିତରକୁ ପଶିଗଲା ରଶ୍ମୀ।ତା ପାଖକୁ କିଏ ଆଉ ରେଜେଷ୍ଟ୍ରି ଚିଠି ଦେଇଥିବ ସେ ଅନୁମାନ ବି କରିପାରୁନଥିଲା।କିନ୍ତୁ ଚିଠିର ହାତ ଲେଖା ଅତି ପରିଚିତ ଥିଲା।ତାକୁ କେବେ ସେ ଭୁଲିପାରିବନି।ସେଇ ଗୋଲଗୋଲ ପେଟୁଆ ଅକ୍ଷର।ଯାହାପାଇଁ ଅନେକଥର ରଶ୍ମୀ ତା ବାପାଙ୍କ ଠାରୁ ଗାଳି ଖାଇଛି ସେଇଭଳି ଅକ୍ଷର ତୋର କାହିଁକି ହେଉନି ବୋଲି।ଆଜି ସେଇ ଚିହ୍ନା ପରିଚିତ ଅକ୍ଷର ଏଠି କେମିତି ବାଟବଣା ହେଇ ଚାଲି ଆସିଛି।ଏଠିକାର ଠିକଣା ସେ ପାଇଲା କେମିତି।ତା ମାନେ ସେ ବରାବର ରଶ୍ମୀର ଖବର ରଖୁଥିଲା!!ଚିଠିକୁ ଖୋଲି ପଢିବାକୁ ବସିଲା ରଶ୍ମୀ।
ରଶ୍ମୀ,
ମୋ ସୁନା ସାଙ୍ଗଟା ପରା ।ମୋ ଉପରେ ରାଗିବୁନି ଦୟାକରି।ମୁଁ ଜାଣିଛି ମୁଁ ଭୁଲ କରିଛିବୋଲି।ମୁଁ ସେଥିପାଇଁ ବିବଶ ଥିଲି।କ'ଣ ଆଉ କରିଥାନ୍ତି କହିଲୁ।କେଉଁ ସୁଖର କାହାଣୀ ତୋ ଆଗରେ ବଖାଣିବାପାଇଁ ଚିଠି ଲେଖିଥାନ୍ତି କହିଲୁ।ଯାହା ଆଖିକୁ ଚିକିମିକି ଦେଖାଯାଏ ସେ ସବୁ ସୁନା ନଥାଏଲୋ ରଶ୍ମୀ।ଯାହାକୁ ମୁଁ ସୁନା ଭାବିଥିଲି ସେ ସୁଦୁ କଳା ତମ୍ବା ଖଣ୍ଡେ।ବଡଘରେ ବେଶି ଗୁମର ଥାଏ ବୋଲି ଆଗରୁ ଶୁଣିଥିଲି ।ଏଠିକି ଆସି ଅଙ୍ଗେ ନିଭେଇଲି।ଏଠି ଖାଇବାକୁ ଅନେକ ପ୍ରକାର ଦରବ ଥାଏ କିନ୍ତୁ ମୁଁ ଖାଇବାକୁ ସମୟ ପାଏନି। ଏଠି ପିନ୍ଧିବାକୁ ବହୁତ ଦାମୀ କପଡା ମିଳେ ,କିନ୍ତୁ ମୁଁ ସେଥିରେ ମୋ ସ୍ବାମୀ ଆଖିକୁ ସୁନ୍ଦର ଦିଶେନି।ଏମାନେ ଏମିତି ଏକ ବୋହୂ ଚାହୁଁଥିଲେ ଯିଏ ତାଙ୍କର ମଦୁଆ ପୁଅର ସମସ୍ତ ଅତ୍ଯାଚାର ବିନା ପ୍ରତିବାଦରେ ସହିପାରୁଥିବା ସହିତ ତାଙ୍କ ନିଶାଶକ୍ତ ପୁଅର ମନୋରଞ୍ଜନର ମାଧ୍ଯମ ବି ହେଇପାରୁଥିବ। ସବୁ ସହିବା ଭଳି ଶକ୍ତି ମୋ ଠାରେ ଥିଲା ବୋଲି ଏତେ ବର୍ଷ ସହିଗଲି। ନହେଲେ ମୋ ଆଗରୁ କୁଆଡେ ଆଉ ଦୁଇଜଣ ଜମାରୁ ଛଅ ମାସ ବି ରହିନଥିଲେ।ଏତେବଡ ଘରେ ଟଙ୍କା ପଇସାର ଅଭାବ ଜମାରୁ ନାହିଁ,କିନ୍ତୁ ଟଙ୍କାଟେ ଖର୍ଚ୍ଚ କରିବାକୁ ମୋର ସ୍ବାଧୀନତା ନାହିଁ।ସ୍ବାମୀ ସାଙ୍ଗରେ ବାହାରକୁ କୌଣସି ଅନୁଷ୍ଠାନ କୁ ଯିବାକୁ ପଡିଲେ ମୋତେ ଆଠଦିନ ଆଗରୁ ଟ୍ରେନିଂ ନେବାକୁ ପଡେ କେମିତି ଚାଲିବି, କେମିତି ବସିବି,କେମିତି ଖାଇବି,କେମିତି କଥାହେବି ଇତ୍ଯାଦି ଇତ୍ଯାଦି।ତା ଠାରୁ ନଯିବା ବରଂ ଭଲ ବୋଲି ମୁଁ ଭାବେ ସିନା କାର୍ଯ୍ଯକାରୀ କରି ପାରିନି।ମୋର ଇଚ୍ଛା ଟିଏ ବୋଲି କିଛି ଅଛି ବୋଲି ଭୁଲି ସାରିଛି।ପ୍ରତି କଥାରେ ସନ୍ଦେହ।ମୋ ଭଳି ଝିଅର ଚରିତ୍ରରେ ଦାଗ ଲଗେଇବାକୁ ବି ପଛାନ୍ତିନି ଏମାନେ।ଆଉ ସହିବା କାହିଁକି ସମ୍ଭବ ହେଉନି।ଭାବୁଛି କିଛି ନହେଲେ ନାହିଁ ମୁକ୍ତ ଆକାଶ ତଳେ ଟିକେ ଶାନ୍ତିରେ ନିଶ୍ବାସ ମାରିବାର ସୁଯୋଗ ମୋତେ ମିଳିଯାଉ।ଆଉ କିଛି ଧନ ଦରବ ମୋର ଆବଶ୍ଯକ ନାହିଁ।ଯଦି ସାଙ୍ଗ ପାଇଁ ଏତିକି ସାହାଯ୍ଯ କରି ପାରିବୁ ତୋ ପାଖରେ ଚିରଋଣୀ ହେଇ ରହିଯିବି।ମୋତେ ଏ ଜେଲ୍ ଭିତରୁ ଉଦ୍ଧାର କରିଦେ ଖାଲି।ଥରେ ବାହାରକୁ ବାହାରି ଆସିଲା ପରେ ସେମାନେ ମୋର କିଛି ବି କରିପାରିବେନି।ସବୁ ସମ୍ପର୍କ ତୁଟେଇ ଦେଇ ମୁଁ ସେମାନଙ୍କ ଠାରୁ ବହୁତ ଦୂରକୁ ଚାଲିଯିବି। ଏ ଚିଠି ବହୁତ କଷ୍ଟରେ ଲୁଚେଇକି ଲେଖିକରି ବାପାଙ୍କୁ ଦେଇଥିଲି ଡାକରେ ପୋଷ୍ଟ କରିବାକୁ।ବାପାଙ୍କୁ ରାଣଦେଇଥିଲି ବୋଲି ସେ କିଛି ତମ ମାନଙ୍କୁ କହିନଥିଲେ।ଆମେ ବାପ ଝିଅ ଭାବୁଥିଲୁ ସବୁ ସମୟ ଆସିଲେ ଠିକ୍ ହେଇଯିବ।ଗୋଟେ ପିଲା ଛୁଆ ହେଇଗଲେ ସମସ୍ତଙ୍କ ମନ ପରିବର୍ତ୍ତନ ହେଇଯିବ।ସେତିକି ସୁଖ ବି ଏମାନେ ମୋତେ ଦେଉନାହାଁନ୍ତି।କାହାପାଇଁ ଆଉ ଏଠି ରହିବି କହିଲୁ।
ରହିଲି ,ତୋ ସାହାଯ୍ଯ ଅପେକ୍ଷାରେ ତୋ ସାଙ୍ଗ ରେଖା।
ଚିଠିର ଶେଷ ଆଡକୁ ରଶ୍ମୀର ଆଖିକୁ ସବୁ ଜାଲିଜାଲିଆ ହେଇ ଦିଶୁଥାଏ କେବଳ।ବହୁତ କଷ୍ଟରେ ଶେଷକଲା ଚିଠିଟିକୁ। ରେଖା ଏତେକଥା ଲୁଚେଇ ରଖିଥିଲା ତା ଠାରୁ!!ହେ ଭଗବାନ୍।
ସେ ତାକୁ ଖାଲିଟାରେ ଖରାପ ଭାବୁଥିଲା।ରେଖା ତ ବରାବର ତା'ର ଖବର ରଖିଛି।ଆଖିରୁ ଧାରଧାର ଲୁହ ବୋହୁଥିଲା ରଶ୍ମୀର।ଏତିକିବେଳେ ରଶ୍ମୀର ସ୍ବାମୀ ରଞ୍ଜନ ଘର ଭିତରକୁ ଆସି ଆଉ ଏସବୁ ଦୃଶ୍ଯ ଦେଖି ଆଶ୍ଚର୍ଯ୍ଯ ହେଇଗଲେ।କିଛି ପଚାରିବା ଆଗରୁ ରଶ୍ମୀ ତାଙ୍କ ହାତକୁ ବଢେଇଦେଇଥିଲା ରେଖା ହାତ ଲେଖା ଚିଠି ଖଣ୍ଡକ।ସବୁ ପଢିଲେ ରଞ୍ଜନ।ବାପାଙ୍କ ସହ କିଛିଟା ଆଲୋଚନା କଲାପରେ ରଞ୍ଜନଙ୍କ ବାପା ଗାଡି ବାହାର କଲେ ପୋଲିସ ଷ୍ଟେସନ।କିଛିଟା ଷ୍ଟାଫ୍ ଙ୍କ ସହିତ ଗାଡି ଚାଲିଥିଲା ରେଖାର ଶାଶୁଘର ଗାଁ ଆଡେ।ଏପଟେ ରଞ୍ଜନ ଫୋନ୍ କରି କହୁଥିଲେ କାହାକୁ "ଗଣିତ ଶିକ୍ଷକ ପାଇଁ ଇଣ୍ଟରଭ୍ଯୁ ନେବା ଦରକାର ନାହିଁ।ଜଣେ ଭଲ ଶିକ୍ଷୟତ୍ରୀ ମିଳିଯାଇଛନ୍ତି"।ରଶ୍ମୀ ଫୋନ୍ କରି କହୁଥିଲା ତା ବୋଉକୁ " ମୋ ଶୋଇବା ଘର ବଖରାଟା ସଜାଡିଦେଇଥିବୁ ଭଲକରି ।ଆଜିଠାରୁ ଆଉ ଗୋଟେ ଝିଅ ତୋର ପାଖେପାଖେ ରହିବ"।ସେପଟେ ଦାଣ୍ଡ ଦୁଆର ମୁହଁରେ ପୋଲିସ ଭ୍ଯାନ ଦେଖି ପିଞ୍ଜରା ବଦ୍ଧ ପକ୍ଷୀଟି ଡେଣା ଖଡଖଡ କରୁଥିଲା।ବୋଧେ "ଆକାଶକୁ ଛୁଇଁବାର ବେଳ" ଆସିଗଲା ତା'ର।
