Sachidananda Kar

Others

3  

Sachidananda Kar

Others

ଆଜି ଗୋଟେ ଭଲଦିନ

ଆଜି ଗୋଟେ ଭଲଦିନ

2 mins
112


--------------------------------

           ।। ଆଜି ଗୋଟେ ଭଲଦିନ ।।

            ---------------------------------------------

        ରାତି ପାହିଲେ ମୁଁ ଚାହିଁରହେ କାଗଜବାଲାକୁ।କେତେବେଳେ ସେ କାଗଜ ଖଣ୍ଡିକ ପକେଇବ ମୋର ଅପେକ୍ଷା ଥାଏ। 


        ସକାଳ ଚା' ପିଇବା ଆଗରୁ କାଗଜ ଖଣ୍ଡିକ ପଡ଼ି ଯାଇଥିଲେ ଭଲଲାଗେ।କାରଣ ଚା' ସହିତ ଖବରକାଗଜ ପଢ଼ିବାକୁ ମୁଁ ଭଲପାଏ। 


        ସବୁଦିନ ସେପରି ହୋଇପାରେନି।ଦିନେ ଦିନେ ସେ କୁଆଡ଼େ ଯାଇଥାଏ କେଜାଣି, ତା'ର କାଗଜ ପକେଇବାରେ ବିଳମ୍ବ ହୁଏ।ତାକୁ ଅପେକ୍ଷା କରି ମନଟା ସେଦିନ କେମିତି ପିତାଳିଆ ହୋଇଯାଏ।ସକାଳ ଚା'ର ଆନନ୍ଦ କମିଗଲା ଭଳି ଲାଗେ। 


        ଏବେ କିନ୍ତୁ କାଗଜ ପାଇଁ ମୋର ସେପରି ଆଗ୍ରହ ନାହିଁ।ତେଣୁ ମୁଁ ଆଉ କାଗଜକୁ ଅପେକ୍ଷା କରୁନାହିଁ। 


        ସକାଳୁ ସକାଳୁ ମୃତ୍ୟୁ ଖବର ପଢ଼ିବାକୁ କାହାକୁ ଭଲଲାଗେ ଯେ! 


        ହିଂସା, ନରହତ୍ୟା, ମାରପିଟ୍,ଶିଶୁ ନିଖୋଜ, ଆତ୍ମହତ୍ୟା, ଦାରିଦ୍ର୍ୟର ନଗ୍ନ ଚିତ୍ର,ନାବାଳିକା ଦୁଷ୍କର୍ମ, ଏ ଟି ଏମ୍ ଲୁଟ୍,ପରକୀୟା ପ୍ରୀତିରୁ ହତ୍ୟା, ସଡ଼କ ଦୁର୍ଘଟଣାରେ ମୃତ୍ୟୁ, ରାଜନୈତିକ ଦଳର ନେତାଙ୍କ ଝଗଡ଼ା ଆଦି ଖବର ମନକୁ ଦୋହଲାଇ ଦେଉଛି।ସେହି ଖବର ଭିତରେ ନିଜ ପ୍ରିୟ ପରିଜନ କେହି ଥିଲେ ତାହା ଆହୁରି ବାଧୁଛି। 


        ସକାଳ ହେଲେ ସୁନ୍ଦର ରଙ୍ଗରେ ସଜେଇ ହୁଏ ଆକାଶ।ପକ୍ଷୀମାନଙ୍କ କଣ୍ଠରୁ ଆନନ୍ଦର ନୂଆ ଗୀତ ଶୁଭେ।ଉଲ୍ଲସିତ ହେଉଥାଏ ଆଲୋକଭରା ପୃଥିବୀ।ସେତେବେଳେ ଦୁଃଖପୂର୍ଣ୍ଣ ଖବର ପଢ଼ିବାରେ ଆଦୌ ଆଗ୍ରହ ନ ଥାଏ। 


        ପ୍ରାୟ ସବୁଦିନେ ଖବରକାଗଜ ଏବେ ସେଭଳି ଖବର ସବୁ ନେଇ କରି ଆସୁଛି।ସେସବୁ ବେଶ୍ ଅସହାୟ କରି ଦେଉଛନ୍ତି।ଆଖି ଆଗରେ ନାଚି ଉଠୁଛି ଗୋଟେ କରୁଣ ଛବି।ଆବୋରି ବସୁଛି ନିର୍ଜନପଣ।ଘର ଭିତରେ ବସି ବସି ଅସହାୟ କରୁଣ ଭାବନାର ସୁଅରେ ପତ୍ରଟିଏ ଭଳି ଭାସୁଛି ମଣିଷ। 


        ସମୟ ଓ ମଣିଷ ଏବେ କେତେ ନିଷ୍ଠୁର ହୋଇଯାଇଛି ସତେ!ବଞ୍ଚିବା ପାଇଁ ଅହରହ ବ୍ୟସ୍ତ ସମସ୍ତେ।ନିଜ ଘରେ ବି ମଣିଷ ନିଜକୁ ଆଉ ସୁରକ୍ଷିତ, ନିଶ୍ଚିନ୍ତ ମଣିପାରୁନି।ପ୍ରତି ମୁହୂର୍ତ୍ତରେ ଅସହାୟପଣରେ ଘାରିହେଉଛି। 


        କେତେଦିନ ଏମିତି ଚାଲିବ କେଜାଣି ଏ ଦୟନୀୟ ଜୀବନ!ସମସ୍ତେ ଯେମିତି ଏବେ ଏକାନ୍ତବାସରେ।ସବୁଠି ଖାଲି ଦୁଃଖ, ଭୟ,ହିଂସାର ଘନଘଟା।ଲୋଡୁଥିବା ମଣିଷକୁ ବୁନ୍ଦାଏ ରକ୍ତ ମିଳୁନି,ଅଥଚ ରାଜରାସ୍ତାରେ ରକ୍ତ ଲହଡ଼ି ଭାଙ୍ଗୁଛି।ପତ୍ରରେ, ଫୁଲରେ,ଡାଳରେ - ସବୁଠି ହାହାକାର। 


        ନା,ଏତେ ଆଉ ମଲାଖବର ପଢ଼ିବା ସମ୍ଭବ ନୁହେଁ।ଖବରକାଗଜ ବନ୍ଦ କରିଦେବା ବରଂ ଭଲ।ସକାଳ ଚା' ସହିତ ଅନ୍ୟ କିଛି ଖୁସିର କଥା ଆପଣେଇ ନିଆ ଯାଇପାରେ।ପ୍ରକୃତିର ସୁନ୍ଦର ଦୃଶ୍ୟ ମହୋତ୍ସବରେ ନିଜକୁ ହଜେଇ ଦିଆ ଯାଇପାରେ। 


        ହେଲେ ସେପରି କ'ଣ କରିପାରୁଛି ମୁଁ!କାଗଜବାଲା ପିଲାଟିର ଜୀବନଜୀବିକାର କଥା।କାହିଁକି ବନ୍ଦ କଲି ବୋଲି ପ୍ରଶ୍ନ ପଚାରିବ ସେ।କି ଉତ୍ତର ଦେବି ତାକୁ?ମଲାଖବର ପଢ଼ିବାକୁ ଭଲ ଲାଗୁନାହିଁ ବୋଲି ବନ୍ଦ କରିଦେଲି କହିପାରିବି? 


        ତେଣୁ ଭଲ ଲାଗୁ କି ନ ଲାଗୁ ମୋର ଖବରକାଗଜ ଆସୁଛି ସବୁଦିନ।କେତେବେଳେ ଚା' ପିଉପିଉ ପଢ଼ୁଛି ତ କେତେବେଳେ ଚା' ପିଇସାରିବା ପରେ ପଢ଼ୁଛି।କେବେ ନା କେବେ ତ ସମୟ ବଦଳିବ!ଆସିବ ଭଲ ଖବର, ଭଲ ଦିନ! 


        ଇଏ ତ ଏବେ ସମଗ୍ର ବିଶ୍ୱର କଥା।ସବୁଠି ସମୟ ଏବେ ଏପରି ଚାଲିଛି।ତେଣୁ ମନକୁ ବୁଝାଇଦେଇଛି ମୁଁ।ଆଉ କ'ଣ ଉପାୟ ଅଛି ଯେ!

   

        ହେଲେ ଆଜି ଗୋଟେ ଭଲ ଦିନ ଥିଲା।ଗୋଟେ କି ମଲାଖବର ମୁଁ ପଢ଼ି ନ ଥିଲି କାଗଜରେ।ଯେତେ ଯେତେ ବାଜେ ଖବର ସବୁ ଆସେ ସେସବୁ କିଛି ହେଲେ ମୋ ଆଖିରେ ପଡ଼ି ନ ଥିଲା।ଭାରି ଆନନ୍ଦ ଲାଗୁଥିଲା।ଖୁବ୍ ନିଶ୍ଚିନ୍ତ ଲାଗୁଥିଲା ମଧ୍ୟ। 


        କାହିଁକି ଜାଣନ୍ତି .....? 


        ମୋ ମଲାଖବର ଆଜି କାଗଜରେ ଛପାଯାଇଛି।ମିଛ ନୁହେଁ।ଯଦି ଦେଖିନାହାନ୍ତି ଆଉ ପାଖରେ ଖବରକାଗଜ ଅଛି ଥରେ ଆଖି ପହଁରେଇ ନିଅନ୍ତୁ ନା! 


        ଆଜି ଗୋଟେ ଭଲ ଦିନ ....!


Rate this content
Log in