Maitreyee Kamila

Children Stories

3  

Maitreyee Kamila

Children Stories

ଆଜି ଭାରି ମନେ ପଡ଼ନ୍ତି ସେମାନେ

ଆଜି ଭାରି ମନେ ପଡ଼ନ୍ତି ସେମାନେ

2 mins
155


ପ୍ରାଥମିକ ସ୍କୁଲର ଶିକ୍ଷକ ଭଗବାନ ସାର । ତାଙ୍କ କଥା ଭାରି ମନେପଡେ ଆଜି । ଅଙ୍କ ପଢେଇବା ବେଳେ କେତେବେଳେ ବି ଠିକ ଉତ୍ତର ଦେଇପରେନି । ଭାଜ୍ୟ ୩୬ ଭାଜକ ୭ ହେଲେ ଭାଗଫଳ ଆଉ ଭାଗଶେଷ କେତେ? ପଣିକିଆ ଯେତେ ଅନ୍ଧାରରୁ ଉଠି ଘୋଷିଲେ ଠିକ ବେଳକୁ ଭୁଲି ଯାଏ । ଆମ ଗାଁ ପ୍ରାଥମିକ ସ୍କୁଲରେ ଗାଁର ବୟସ୍କ ଲୋକମାନଙ୍କ ଅବଦାନ ପାଇଁ ସବୁ ବେଳେ ମିଟିଙ୍ଗରେ ବୁଢା ବାପାଙ୍କୁ ଡାକନ୍ତି । ଦିନେ ଏମିତି ଭୁଲ ପଣିକିଆ ପାଇଁ ବେତ ପାହାରଟେ ବସିଗଲା । ଠିକ ସେଇ ସମୟରେ ତାଙ୍କ ହାତ ଆଙ୍ଗୁଳିକୁ ଗଣି ଦେଲି ବୁଢା ଆଙ୍ଗୁଠି ପାଖରେ ଆଉ ଗୋଟେ ଛୋଟ ଆଙ୍ଗୁଠି । ସବୁ ମିଶି ଛଅଟା ଆଙ୍ଗୁଳି । ପିଲା ସବୁ ଜୋରରେ ପାଟି କରନ୍ତି ଛଅ ଅଙ୍ଗୁଳିଆ ସାର । କେବେ ନିଜ ଆଖିରେ ଦେଖି ନ ଥିଲି । ତାପରେ ଦିନେ ମୋ ବୁଢ଼ାବାପାଙ୍କୁ ଡାକି କହିଲେ । ସେବେଠୁ ସବୁଦିନ ଅନ୍ଧାର ଥିବ ଡାକିଦେବେ ସବୁ ଭାଇ ଭଉଣୀଙ୍କୁ । ନିଦ ମଳୁ ମଳୁ ପଣିକିଆ ଘୋଷା ହେଉ ଥିବ । ବେଳେ ବେଳେ ଢୁଳାଉ ଥିବୁ ବହି ଉପରେ ବୋଉ ଆସି କହିବ ଯାହାକୁ ବେଶି ନିଦ ଲାଗୁଛି ସେ ଦାଣ୍ଡ ଧୋଇ ଦେବ ଯାଅ ନିଦ ଛାଡିଯିବ । ମୁଁ ଯାଇ ଦାଣ୍ଡ ଧୋଇ ଆସେ । ଖେଳିବା ଛୁଟିରେ ସ୍କୁଲ କଡ଼ ପିଣ୍ଡାରେ ଗୋଟେ ବୁଢା ମଉସା କଣ୍ଟା ଲେମ୍ବୁ ଆଉ କଇଁତ ଧରି ବସିଥିବ ଶୀତ ଦିନରେ । ପ୍ରାୟ ସବୁ ଦିନ କଇଁତ ଲେମ୍ବୁ କିଣେ । କେବେ କେବେ ଘରକୁ ନେଇ ଭାଇ ଭଉଣୀ ମିଶି ଖାଉ । ଆଉ କେବେ ସାଙ୍ଗମାନଙ୍କ ସହ । ସ୍କୁଲ ସାମ୍ନାରେ ବାରମଜା ଆଜି ମଧ୍ୟ ଦେଖିବାକୁ ପାଏ । ସେତେବେଳେ ସବୁ ଜିନିଷ ଦେଖି ଖାଇବାକୁ ଇଚ୍ଛା ହଉଥିବ । ମୋ ବୁଢ଼ୀମାଆ ସବୁଦିନ ଖେଳିବା ଛୁଟିରେ ଦଶ ପଇସି ଧରେଇ ଦିଅନ୍ତି । ମୁଁ ଭାବେ ଯଦି ମୁ ୟାକୁ ନଖାଇ ରଖିବି ଛଅ ଦିନରେ ଷାଠିଏ ପଇସା ହେଇଯିବ । ତେଣୁ ନଖାଇ ପଇସା ରଖି ଦିଏ । ସ୍ନେହ ଦିଦି ମୋର ପଞ୍ଚମ ଶ୍ରେଣୀରେ କ୍ଲାସ୍ ଟିଚର୍ । ଥରେ ସେ ବିଜ୍ଞାନ ଖାତା ଚେକ କରି ଦେଇଛନ୍ତି ମୋତେ ଆଉ ଅନ୍ୟମାନଙ୍କର ଖାତା ଚେକ କରୁଛନ୍ତି , ମୁ ତାଙ୍କ ନାଲି ପେନର ଯେଉଁ ରାଇଟ୍ ଚିହ୍ନ ତା ଉପରେ ଧଳାଚକରେ ଆଉ ଥରେ ମଡଉଛି , ଚୁପ କିନା ଦେଖି ବାଡ଼ିରେ ଗୋଟେ ପାହାର ଲଗେଇଲେ । ତାଙ୍କଠୁ ମାଡ଼ ଖାଇବାଟା ପୁଣି ସବୁ ସାଙ୍ଗ ଆଗରେ ବହୁତ କଷ୍ଟ ହୋଇଥିଲା । ଆଜି ମଧ୍ୟ ସେ ଅଛନ୍ତି । ଘରକୁ ଗଲେ ଦେଖା ହୁଅନ୍ତି । ସବୁ କଥା ପଚାରନ୍ତି । 

 ଆଉ ଜଣେ ଥିଲେ ଶାନ୍ତି ଦିଦି । ଦ୍ଵିତିୟା ଶ୍ରେଣୀର କ୍ଲାସ୍ ଟିଚର୍ । ଦିନେ କହିଲେ କାଲି ସବୁ ପିଲା ସ୍କୁଲ ଆସିବ । ଇଞ୍ଜେକ୍ସନ ଦିଆଯିବ । ଆଉ କିଛି ଘର ପାଇଁ ହୋମ ଓ୍ୱାର୍କ୍ ଦେଇ ଥିଲେ । ଡରରେ ହୋମ ଓ୍ୱାର୍କ୍ କରିନି । ଦଶଟା ବେଳକୁ ଭାତ ଖାଇଛି ସ୍କୁଲ ବେଗ ନେଇ ଘର ଛାଡ଼ି ତିନିଟା ଘର ପିଣ୍ଡାରେ ଲୁଚିକି ଛିଡା ହୋଇଛି । ଦିନ ଦିପହରକୁ ମୋ ପିଇସୀ ଖାଇ ସାରି ଅଇଁଠା ପକେଇବାକୁ ଆସି ମୋତେ ଦେଖି ଘରେ କହି ଦେଲେ । ବୋଉ ଆସି ଘୋଷାରି କି ଛାତ ଉପରକୁ ନେଇଗଲା । ଯୋଉ ମାଡ଼ ଜୀବନରେ କେଭେଁ ଖାଇନି ସେମିତି । ତା ପରଠୁ ପୁରା ସିଧା । ଆଉ କେବେ ସ୍କୁଲ ଯିବିନି ବୋଲି କହିନି କି ପାଠ ନ କରି ଠକେଇନି କଲେଜ ପଢିବା ଯାଏଁ । 

ଶାନ୍ତି ଦିଦି ଛଅ ଅଙ୍ଗୁଳିଆ ସାର ଆଉ ନାହାନ୍ତି । ମୋ ବୋଉ ସ୍ନେହ ଦିଦି ମନ୍ଦିରକୁ ଗଲେ ପରସ୍ପର କଥା ହୁଅନ୍ତି । 

 ଆଜି ଗୁରୁ ଦିବସରେ ସେମାନଙ୍କୁ ମନେ ପକେଇବାର ସୌଭାଗ୍ୟ ମିଳିଛି । 



Rate this content
Log in