STORYMIRROR

Kamala Satpathy

Others

3  

Kamala Satpathy

Others

ଯମଦୂତର ସାକ୍ଷାତକାର

ଯମଦୂତର ସାକ୍ଷାତକାର

2 mins
144

ଟିଭିରେ ଦଉଛି ସାକ୍ଷତକାରଟେ

ଦେଖୁଛନ୍ତି ବାବୁ ବସି

ଆଜିକା ସାବିତ୍ରୀମାନଙ୍କୁ ପଚାରେ

ଯମଦୂତ ହସି ହସି ।


“କେତେ ଜନ୍ମ ପାଇଁ ଲୋଡା ତୁମ କୁହ

ଏ ଜନ୍ମର ସତ୍ୟବାନ

ପୂଜା ତ କରୁଛ ସାତ ଜନ୍ମ ପାଇଁ

ଢାଳିଦେଇ ମନ ଧ୍ୟାନ !


ଫଳମୂଳ ଖାଇ, ଶାଢି ଚୁଡି ପିନ୍ଧି

ପୂଜୁଛ ଯାହାଙ୍କୁ ତୁମେ

ସ୍ୱାମୀ ପାଇଁ ନିଷ୍ଠା ସେତିକି ଅଛି କି

ତୁମମାନଙ୍କର ମନେ ?


ଦରକାର ହେଲେ ଲଢି କି ପାରିବ

ଯମରାଜାଙ୍କ ସହିତ

ପଛେ ପଛେ ତାଙ୍କ ଯାଇ କି ପାରିବ

ଲଙ୍ଘି ସାତ ପରବତ ?”


କୁହନ୍ତି ସାବିତ୍ରୀ, “ଭାରି ପଡିଲାଣି

ଗୋଟାଏ ଜନ୍ମର ବୋଝ

ସାତ ଜନ୍ମ କଥା କିଏ ସେ ପଚାରେ

ଏଇ ଜନ୍ମ ସରୁ ଆଗ ।


ପୂଜା କରିବାଟା ଜରୁରୀ ଅଟଇ

ସେଥିପାଇଁ କରୁ ଆମେ

ନହେଲେ ସଂସାରେ ଛି ଛା ହେବ

ଲଇଁବ ମୁଣ୍ଡ ସରମେ ।


ହିନ୍ଦୁ ନାରୀ ହୋଇ ସାବିତିରୀ ପୂଜା

କିଏ ବା ନକରେ କୁହ

ସତ ଅବା ମିଛ, ଏ ବ୍ରତ କରିଲେ

ସନ୍ତୁଷ୍ଟ ହୁଅନ୍ତି ଯମ ।


ଶାଢି ଗହଣାର ଲୋଭ ଅଟେ ବଡ

ଉପାସ ରହୁ ତା’ ପାଇଁ

ସାବିତିରୀ ପୂଜା ନାମକୁ ମାତର

ଭକ୍ତି ଭାବ ଜମା ନାହିଁ ।


ଗୋଟାଏ ଜନ୍ମରେ ଅଣ୍ଟାପିଠି ସିଧା

ଛଅ ଜନ୍ମ କାହିଁ କୁହ

ବୁଜିଦେଲେ ଆଖି, ସବୁଯିବ ତୁଟି

ହଜିଯିବ ସବୁ ମୋହ ।


ଲୋଡା ନାହିଁ ମୋର ସ୍ୱାମୀଙ୍କ ଶରଧା

ନ ସହିବି ତାଙ୍କ ତାଉ

ପୂଜା ମୁଁ କରୁଛି ମୁକ୍ତି ପାଇବାକୁ

ଏ ଜୀବନ ଥାଉ ଥାଉ !”


ଶୁଣି ଆଚମ୍ଭୀତ ଲାଗିଲା ବାବୁଙ୍କୁ

ଭରିଗଲା ଅବସୋସ

ଏତେ ଖର୍ଚ୍ଚବାର୍ଚ୍ଚ କରିଲେ ସ୍ତ୍ରୀ ପାଇଁ

ହେଲା ସବୁ ଫୁସଫାସ !


ଆଜିର ପତିନୀ ଚାହୁଁନାହିଁ ଆଉ

ସାତ ଜନ୍ମର ବନ୍ଧନ

ଜାଣିଥାନ୍ତେ ଯଦି ଆଗରୁ ଏସବୁ

ନଥାନ୍ତେ କରି ଯତନ !


ପତ୍ନୀଙ୍କର ପ୍ରେମ ଉପରେ ଭରସା

ରଖିଥିଲେ ଆଜି ଯାଏଁ

ସବୁ କିନ୍ତୁ ଅଟେ ମାୟା ମୋହ ଭରା

କହି ଦେଇଗଲା ଇଏ !


ତଥାପି ସନ୍ଦେହ ଉଠୁଛି ମନରେ

ପ୍ରାଣପ୍ରିୟା କଥା ଭାଳି

ସତ ମିଛ ଆଜି ଜାଣିବା ପାଇଁକି

ପତ୍ନୀଙ୍କୁ ଦେଲେ ପଚାରି ।


ହସିଲେ ଘରଣୀ, ପତିଙ୍କ ଭାଳେଣୀ

ମନକୁ କରେ ଆମୋଦ

ଗୋଟାଏ ଜନ୍ମରେ ମନ ନଭରୁଣୁ

ଛଅ ଜନ୍ମକୁ ବିବାଦ !!


“କିଏ ସେ କହୁଛି ମନ ଭରିଗଲା

ଗୋଟାଏ ଜନ୍ମରେ ତା’ର ?

ଏଇଟା ତ ମାତ୍ର ଶୁଭାରମ୍ଭ ହେଲା

ଜନ୍ମ ଜନ୍ମକୁ ତୁମେ ଦର୍କାର ।


ରାତିଦିନ କେତେ ପରିଶ୍ରମ କରି

ବାଗେଇଛି ତୁମ ଗୁଣ

ସେ ଗୁଣ ସବୁକୁ ଭୋଗ କରିବାକୁ

ପାଇନି ସୁଯୋଗ ଜାଣ ।


ଉଗ୍ର ରୂପ ଆଜି ଶୀତଳ ହେଇଛି

ବହୁ କଷ୍ଟ କଲା ପରେ

ଆଉ କା’ ହାତକୁ କାହିଁ ଟେକିଦେଇ

ଚାହିଁ ରହିଥିବି ଘରେ !!


ଏ ଜନ୍ମରେ ଯାହା କଷ୍ଟ କରିଅଛି

ତାହାର ଭରଣା ପାଇଁ

ସାତ ନୁହେଁ ଖାଲି, ସାତ ଶ’ ଜନ୍ମକୁ

ତୁମକୁ ଚାହିଁବି ମୁହିଁ !

                  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍