ତୁମକୁ କହିନି
ତୁମକୁ କହିନି
ମୋ ଭିତରେ ତୁମ ସ୍ମୃତି
ସାଇତିଛି ଶାମୁକା ଭିତରେ ମୁକ୍ତା ଭଳି
ମୋ ମନରେ ତୁମ ପ୍ରୀତି
ଭରିଛି ସୁଗନ୍ଧା ଫୁଲ ଭିତରେ ମହୁ ଭଳି
ମୋ ସ୍ୱପ୍ନରେ ତୁମ ଇପ୍ସା
ସଜେଇଛି ପ୍ରଭୁ ପାଇଁ ସଜ୍ଜିତ ମାଳ ଭଳି
ମୋ ଆଖିରେ ତୁମ ଛବି
ଲାଖି ରହିଛି ଠିକ ଗୋଟେ ଚଳଚ୍ଚିତ୍ର ଭଳି
ମୋ ଓଠରେ ତୁମ ଛୁଆଁ
ଉଷ୍ମତା ଭରୁଛି ଠିକ ସେଇ କଫି ଭଳି
ତଥାପି ଜାଣେନା କାହିଁକି
ତୁମେ ବୁଝନା ମୋ ବେଦନା
ଦୁଇଟୋପା ଲୁହରେ ଭିଜେଇ
ଭୁଲିଗଲ ଦେଇ ହଜାରେ ଯାତନା
ନିତି ଏବେ ସ୍ମୃତି ସାଗର କୂଳେ
ରିକ୍ତ ହେଇ କାନ୍ଦୁଛି ମୁକ୍ତା ହୀନ ଶାମୁକା
ପ୍ରୀତି ପୁଷ୍ପ ବାଟିକା ଧ୍ୱସ୍ତ ବିଧ୍ୱସ୍ତ
ଶୁନ୍ୟ ସବୁ ମହୁ ଭରା ପୁଷ୍ପ କଳିକା
ମୋ ମନରେ ମଉଳି ଗଲାଣି ସ୍ୱପ୍ନ
ସାଜିଲିଣି ମୁଁ ଲୁହଭରା ମାଳିକା
ମୋ ଦୁଇଟୋପା ଲୁହ
କେବେ ଭିଜେଇବ ତୁମକୁ କେଜାଣି
ତୁମକୁ କହିନି ସିନା ସବୁବେଳେ
ଏକାନ୍ତରେ ବସି କରୁଛି ପ୍ରତୀକ୍ଷା
