ତୁମେ ବନାମ ମୁଁ
ତୁମେ ବନାମ ମୁଁ
ତମେ ଗୁମ୍ ସୁମ୍ ଶ୍ରାବଣୀ ର ଟିପ୍ ଟାପ୍ ବର୍ଷା,
ମୁଁ ଅଧାଲେଖା କାହାଣୀଟେ ଅବୁଝା ମୋ ଭାଷା ।
ତମେ ବୁଝି ପାରନା
ତମେ ଖୋଜି ପାରନା
ସେ କାହାଣୀର ପରିଭାଷା
ହଁ କାହାଣୀର ପରିଭାଷା ।୦।
ତମେ ଗୁମ୍ ସୁମ୍ ଶ୍ରାବଣୀର ଟିପ୍ ଟାପ୍ ବର୍ଷା
ସାହାରା ଭୁଇଁରେ ଗଢିପାର ତମେ
ସବୁଜିମା ଭରା ସୁନେଲି ହସ,
ସରୁନଇ ଧାରେ ସଜାଡ଼ି ପାରବି
ସତେଜତା ଆଉ ସୂକ୍ଷ୍ମ ବିଶ୍ବାସ ।
ଅଧା ଅଧା ବିଶ୍ବାସରେ
ଅଧା ଗଢ଼ା ସପନରେ
କେମିତି ବାନ୍ଧିବି ପ୍ରେମର ବସା ।୧।
ତମେ ଗୁମ୍ ସୁମ୍ ଶ୍ରାବଣୀର ଟିପ୍ ଟାପ୍ ବର୍ଷା
ଅକୁହା ଦରଜ ଆଦରି ପଡିଚି
ପଥର ସଜେଇ ଏଇମୋ ଛାତି,
ପ୍ରେମର ପାଉଣା କେତେ ମୁଁ ପାଇଚି
ସେକଥା ଜାଣିଚି କହିବ ରାତି।
ଦିନକୁ ପଚାରି ବୁଝ
ଜହ୍ନକୁ ପଚାରି ବୁଝ
କେମିତି ଛାଡ଼ିଲି ଜିଇଁବା ନିଶା ।୨।
ତମେ ଗୁମ୍ ସୁମ୍ ଶ୍ରାବଣୀର ଟିପ୍ ଟାପ୍ ବର୍ଷା
ଦେବପ୍ରକାଶ ସାହୁ
