ତୁମେ ଆସିଗଲା ପରେ
ତୁମେ ଆସିଗଲା ପରେ
ଆଦ୍ୟ ଆଷାଢ଼ର ଶୁଭ ଲଗନରେ
ପ୍ରଫୁଲ୍ଲିତ ବସୁମତୀ
ମୌସୁମୀ ପରଶେ ଭିଜୁଅଛି ମାଟି
ପ୍ରଶମିତ ହୁଏ ତାତି ।
ମେଘ ଆଚ୍ଛାଦିତ ଆକାଶ ବକ୍ଷରେ
ଇନ୍ଦ୍ରଧନୁ ମନୋରମ
ସପ୍ତରଙ୍ଗ ତା'ର ଆହା କି ସୁନ୍ଦର
ହୃଦୟରେ ଭରେ ପ୍ରେମ ।
ରହି ରହି ଶୁଭେ ଘଡଘଡି ଶବ୍ଦ
ମନେ ସୃଷ୍ଟିକରେ ଭୟ
ବିଜୁଳି ଖେଳୁଛି ଲୁଚକାଳି ଖେଳ
ଚତୁର୍ଦ୍ଦିଗ ଜ୍ୟୋତିମୟ ।
ସୁଲୁସୁଲୁ ବାଆ ବୋହୁଅଛି ଧୀରେ
ଶିହରିତ କରେ ତନୁ
ବିରହି ପ୍ରେୟସୀ ଭୋଗୁଛି ବେଦନା
ହୃଦୟର ରାଜା ବିନୁ ।
ନିରସ ପାଦପ ହୋଇ ପଲ୍ଲବୀତ
ଧରାପୃଷ୍ଠ କୁସୁମିତ
ଶ୍ୟାମଳ ସୁନ୍ଦର ରୂପରେ ବିଭୋର
କବିପ୍ରାଣ ଆନନ୍ଦିତ ।
ଶୁଷ୍କ ସ୍ରୋତସ୍ୱିନୀ ଜଳପୂର୍ଣ୍ଣ ହୋଇ
ସାଗରକୁ ଛୁଇଁବାକୁ
ବନ୍ଧବାଡ଼ ଡେଇଁ ଯାଉଅଛି ବୋହି
ଜୟକରି ବିପଦକୁ ।
ଗହନ ବନରେ ଆନନ୍ଦ ମନରେ
ନୃତ୍ୟରତ ପିକକୁଳ
ତୃଷିତ ନେତ୍ରରେ ଭିଜି ପୀରତିରେ
ଧାବମାନ ମେଘମାଳ ।
ସାଧବ ବୋହୂର ଥିରି ଥିରି ଚାଲି
ନୟନରେ ଭରେ ତୃପ୍ତି
ମଣ୍ଡୁକର ନାଦ ନୀରବତା ଭାଙ୍ଗେ
ବିଚଳିତ ଅମା ରାତି ।
ବରଷାର ଧାରା ଗାଉଛି ସଙ୍ଗୀତ
ପ୍ରକୃତିର ବକ୍ଷପରେ
ମୌସୁମୀ ଗୋ କାହିଁ ଆନମନା ମହୀ
ତୁମେ ଆସିଗଲା ପରେ ।
