ତୁମେ ଆସିବା ବେଳରେ ...
ତୁମେ ଆସିବା ବେଳରେ ...
ତୁମେ ଆସୁଛ ବୋଲି
ଚହଳ ପଡିଛି ଏବେ
ସାରା ରାଇଜ
ଗାଁ ଠାରୁ ସହର
ସବୁଠି ସଜବାଜ ।।
ଗାଁ-ପରିମଳ
ମନ-ନିର୍ମଳ
ସହର-ତଳ
ଚଳ-ଚଞ୍ଚଳ
ଲିପା-ପୋଛା ସରିଛି
ବାହାର- ଭିତର
ଘର କାନ୍ଥରୁ
ଅଗଣାର ତଳ
ଆକାଶ ଠାରୁ ମାଟି
ଯେତେ ଦୂର
ତୁମ ଆସିବାର ବେଳ ।।
ଋତୁବି' ବଦଳି ଯାଇଛି
ଆକାଶିଆ ରଂଗରେ
କେତେ ଢଂଗ
କେତେ ସରାଗରେ
ସକାଳ ତୁମ ଅପେକ୍ଷାରେ ।।
ପାଣି କଖାରୁ ଉଠିବା ହେଉଛି
ଛପର ଉପରେ
ଫୁଲବି' ଫୁଟିବ କହୁଛି
ମଂଦାର ଡାଳରେ
କିଛି ମୁହୂର୍ତ୍ତର
ବ୍ଯବଧାନ ପରେ ।।
ତୁମ ମୁହଁ ଭାସି ଭାସି ଆସୁଛି
ଧୀର କଣ୍ଠରେ
ପବନ ସୁଅରେ
କେଉଁ ଏକ ଶୁଭ ଲଗ୍ନର
ମାହେନ୍ଦ୍ର ବେଳାରେ
କାଶତଣ୍ଡି ହସ ଧାରେ ଧାରେ
ଜହ୍ନ ଆଲୁଅରେ
ନଈ-ପଠା ବିଲ-ବଣ
ପର୍ବତ ଶିଖରେ
ତୁମ ପାଦଚିହ୍ନ
ସବୁଠାରେ
ଶରତ ସମ୍ଭାରେ
ଏଇ ଦେଖ !
ମୁଁ ' ଦୁବଘାସ
ତୁମ ପ୍ରତୀକ୍ଷାରେ ....
*** *** ***
ଡଃ ଶିବ ପ୍ରସାଦ ତ୍ରିପାଠୀ
ସ୍ମୃତି ନିଳୟ,ଉଦୟ ନଗର
ଷ୍ସେସନ ରୋଡ,ବଲାଙ୍ଗୀର (ଓଡିଶା)
shibatripathy262@gmail.com
