ତୁମ ଲାଗି
ତୁମ ଲାଗି
1 min
182
ତୁମ ଲାଗି ସିନା ଆକାଶ ସୁନ୍ଦର
ଶାନ୍ତ ସୁନୀଳ ଦିଶେ
ତୁମ ଲାଗି ସିନା ଧରଣୀ ବକ୍ଷରେ
ସବୁଜିମା କ୍ଷେତ ହସେ ।
ତୁମ ଲାଗି ସିନା ବାଦଲ ସାଥିରେ
ଜହ୍ନ ଲୁଚକାଳି ଖେଳେ
ତୁମ ଲାଗି ସିନା ସାଗର ବୁକୁରେ
ଅସୁମାରି ଢେଉ ଦୋଳେ ।
ତୁମ ଲାଗି ସିନା ସୂର୍ଯ୍ୟ ଆତଯାତ
ଦିନପରେ ଆସେ ରାତି
ତୁମ ଲାଗି ସିନା ବନେ ଉପବନ
ଫୁଲଫୁଟେ ନାନା ଜାତି ।
ତୁମ ଲାଗି ସିନା ଗୋପାଳ ଓଠରୁ
ଝରେ ବଇଁଶୀ'ର ସ୍ଵନ
ତୁମ ଲାଗି ସିନା ଚୂତ ତରୁ ତଳୁ
ଶୁଭେ କୋଇଲିର ତାନ ।
ତୁମ ଲାଗି ସିନା ନର-ପଶୁ-ପକ୍ଷୀ
କୀଟ-ତରୁ-ଲତା ସୃଷ୍ଟି
ତୁମ ଲାଗି ସିନା ଝଡ଼ର ତାଣ୍ଡବ
ସବୁ କିଛି ନିଏ ଲୁଟି ।
ତୁମ ଲାଗି ସିନା କୁନି କୁନି ପିଲା
ବାଢ଼ୁଛୁ ପ୍ରଣତି ଆମେ
ସକଳ ସମାଜ ଶାନ୍ତିରେ ରୁହନ୍ତୁ
ସୁନ୍ଦର ଏ'ଧରା ଧାମେ ।
