STORYMIRROR

Lina Mohanty

Others Romance

3  

Lina Mohanty

Others Romance

ତୁମ ବିନା ମୋ ଜୀବନ ଅଧା

ତୁମ ବିନା ମୋ ଜୀବନ ଅଧା

1 min
14.4K


ଅଜଣା ଅଚିହ୍ନା ଥିଲୁ ଆମେ ଦୁହେଁ

ନ ଥିଲା ଆମର ବାଟ ବି ଏକା,

ବିଧାତା ଯୋଡ଼ିଲା ସମ୍ପର୍କର ଡ଼ୋର

ତୁମ ସାଥେ ଯେବେ ହେଲା ମୋ ଦେଖା ।।


ନ ଥିଲି ମୁଁ ତୁମ ସପନ ରାଇଯେ

ସପନର ସେଇ ରାଜକୁମାରୀ,

ନା ମୋ ସପନେ ତୁମେ ଥିଲ କେବେ

ଆସିଲ ମଥାରେ ସିନ୍ଦୂର ଭରି ।।


ଲାଗୁଥିଲା ନୂଆ ଜୀବନଟା ମୋର

ସ୍ବପ୍ନ ଅବା ସତ ପାରେନା ଜାଣି,

ଡେଇଁଲି ଏରୁଣ୍ଡି ତୁମ ହାତ ଧରି

ଗଢ଼ା ହେଲା ଗୋଟେ ନୁଆ କାହାଣୀ ।।


ସେଇ କାହାଣୀରେ ତୁମେ ମୋ ନାୟକ

ଦୁଃଖ ସୁଖ ସବୁ ତୁମରି ସାଥେ,

ସେ ପବିତ୍ର ମନ୍ତ୍ର ଫୁଲର ଡୋରିରେ

ବନ୍ଧା ହେଲା ହାତ ତୁମରି ହାତେ ।।


ଦଶ ଦିଗପାଳ ସାକ୍ଷୀ ଦେଇ ଆମେ

ବାନ୍ଧି ହେଲୁ ସାତ ଜନମ ପାଇଁ,

ମୁଁ ତୁମ ଵାମାଙ୍ଗୀ ତୁମ ଅର୍ଧାଙ୍ଗିନି

ହେଲି ତୁମ ହାତୁ ସିନ୍ଦୂର ନାଇ ।।


ତୁମ ବିନା ଅଧା ସବୁ କାହାଣୀ ମୋ

ସାଥେ ତୁମ ସାଥୀ ଚାଲୁଛି ମୁହିଁ,

ଛାଡିବନି ହାତ ଅଧା ବାଟେ ମୋର

ତୁମ ବିନା ଅନ୍ୟ ଗତି ମୋ ନାହିଁ ।।


ମୋ ସବୁ ସପନ ତୁମ ପାଇଁ ସାଥୀ

ମୋ ସ୍ବପ୍ନ ରାଇଯେ ତୁମେ ହିଁ ତୁମେ,

ମୋ ଦୁନିଆ ଗଢ଼ା ତୁମରି ପ୍ରେମରେ

ତୁମ ଛଡ଼ା କେହି ନାହିଁ ମୋ ମନେ ।।


ତୁମ ବାଟ କଣ୍ଟା ମୋ ପାଦରେ ଫୁଟୁ

ଯନ୍ତ୍ରଣା ନ ଆସୁ ଜୀବନେ ତୁମ,

ଆସୁ ଯେତେ ଝଡ଼ ତୁମ ଆଗେ ଥିବି

ସତ କରିବାକୁ ତୁମ ସପନ ।।


ତୁମ ବିନା ଗୋଟେ ମୁହୂର୍ତ୍ତ ମୋ ପାଇଁ

ଲାଗେ ସତେ ବିତେ ବରଷେ ପରି,

ତୁମ ବିନା ଏଇ ଜୀବନଟା ଅଧା

ତୁମ କୋଳେ ଯାଉ ଜୀବନ ସରି ।।


Rate this content
Log in