ଟିକି ଟିକି ଡେଣା ଟିକି ଚଢ଼େଇ
ଟିକି ଟିକି ଡେଣା ଟିକି ଚଢ଼େଇ
ଟିକି ଟିକି ଡେଣା ଟିକି ଚଢ଼େଇ
ଉଡ଼ି ବୁଲୁଥିଲା ଥଣ୍ଟ ମେଲେଇ
କୁନାକୁ ଦେଖିଲା ଫୁଲେଇ ହେଲା
ପାଶେ ଆସି ପୁଣି ଦୂରେଇ ଗଲା
ହାତ ବଢ଼େଇଲା କୁନା
କୁନି କୁନି ଡେଣା ହଲେଇ ହଲେଇ
କରୁଥିଲା ଅବା ମନା।।
କୁନା ସାଥେ ଥିଲା ପରଜାପତି
କହିଲା କୁନାରେ ଆଆ ମୋ କତି
କହୁଛି ଏ କୁନି ଚଢ଼େଇ କଥା
ମୋ କଥା ଶୁଣୁଥା ତାକୁ ଦେଖୁଥା
ବୁଝିପାରିବୁ ରେ ସବୁ
ଯେଝା କାମ ଯେଝେ କରୁଛନ୍ତି ବୋଲି
ସଂସାର ଚାଲିଛି ବାବୁ।।
ଉଡ଼ି ଉଡ଼ି ଗଲା କୁନି ଚଢ଼େଇ
ଫୁଲ ପାଶେ ଯାଇ ହେଲା ଗେହ୍ଲେଇ
କୁନି ଥଣ୍ଟ ତାର ଲମ୍ବା ଅଧିକ
ଶୋଷିବାକୁ ସଜ ଫୁଲର ରସ
କୁଜନ ର ଗୁଞ୍ଜରଣେ
ଫୁଲେଇ ଫୁଲକୁ ମନେଇ ମଗନ
ହେଲା ରସ ଆସ୍ଵାଦନେ।।
ଫୁଲ ବି ଜାଣିଛି କେତେ ଛଟକ
ରସ ପରସୁଛି ନାହିଁ ଆକଟ
ଚଢ଼େଇ ମୁହଁରେ ପରାଗ ଦେଇ
ଆନ ଫୁଲ ପାଖେ ଦିଏ ପଠେଇ
ପରାଗ ସଙ୍ଗମ ପାଇଁ
ଚଢ଼େଇର ଗୋଡ଼ ଥଣ୍ଟ ଅବା ପର
ସହାୟକ ହୋଇଥାଇ।।
ପବନ ବହୁଛି ରହି ରହିକା
ଫୁଲେଇ ଫୁଲକୁ ଛୁଇଁ ଛୁଇଁକା
ଫୁଲରୁ ଫୁଲରୁ ମହକ ନେଇ
କୀଟ ପତଙ୍ଗକୁ ଦିଏ ଶୁଂଘେଇ
ସୁବାସେ ହୋଇ ମୋହିତ
ମଧୂପ ଭ୍ରମର କୀଟ ପତଙ୍ଗ ବି
ଆସନ୍ତି ଫୁଲ ନିକଟ।।
ଫୁଲରୁ ଫୁଲକୁ ପରାଗ ନେଇ
ଉଡେଇ ପବନ ଦିଏ ଜଡ଼େଇ
ଜଳଜ ଉଦ୍ଭିଦ ଜଳେ ସଙ୍ଗମ
ଏଇ ତ ବାବୁରେ ବିଧି ନିୟମ
ହେତୁ କରି ରଖି ଥାଆ
ଉଛୁର ହେଲାଣି ଘରକୁ ଯା ଏବେ
ଖୋଜୁଥିବେ କାଳେ ମାଆ।।