STORYMIRROR

Prasant Kumar Nath

Others

3  

Prasant Kumar Nath

Others

ତଥାପି ମୋ ଗାଁ ହସୁଛି

ତଥାପି ମୋ ଗାଁ ହସୁଛି

2 mins
15K


ବଳଦ ପାଇଁ କି ଗୁହାଳ ନାହିଁ

ଲଙ୍ଗଳ ପାଇଁ କି ଓଲିଟେ ନାହିଁ

ଅମଳ ପାଇଁ କି ଖଳାଟେ ନାହିଁ

ରଖିବା ପାଇଁ କି ଅମ୍ଭାର ନାହିଁ

ସବୁତ ବଦଳି ଯାଇଛି

ତଥାପି ମୋ ଗାଁ ହସୁଛି ।

ସକାଳ ହୋଇଲେ ରବୁନି କାଉ

ପିଢ଼ା ନାହିଁ ଆଉ ମାଡିବ ଲାଉ

ଚାଷ ହେଉନାହିଁ ଭଲରେ ଆଉ

ଖାଆନ୍ତି ନି କେହି ମାଣ୍ଡିଆ ଯାଉ

ସେସବୁ ପୁରୁଣା ହେଇଛି

ତଥାପି ମୋ ଗାଁ ହସୁଛି ।

ଓଷା ପରବରେ ଚିତା ପଡୁନି

ନୂଆବୋହୂ ଆଉ ଲାଜ କରୁନି

ପଖାଳ ଖାଇଲେ ଦେହେ ଯାଉନି

ବାଡ଼ିରେ ବି ଛତୁ ଆଉ ଫୁଟୁନି

ସନ୍ଧ୍ୟାରେ ବିଲୁଆ ଜମା ଭୁକୁନି

ସବୁତ ବଦଳି ଯାଇଛି

ତଥାପି ମୋ ଗାଁ ହସୁଛି ।

ନଥାଉ ପଛକେ ଗୋଠରେ ଗାଈ

କଅଁଳା ବାଛୁରୀ ନଥାଉ ଡେଇଁ

ପୋଖରୀରେ ପଛେ ନଫୁଟୁ କଇଁ

ନମିଳୁ ପଛକେ ଗଛର ଛାଇ

ଶୋଭା ସିନା ହଜି ଯାଇଛି

ତଥାପି ମୋ ଗାଁ ହସୁଛି ।

ଗାଁଆ ପୁଅ ପଛେ ସହର ଧାଉଁ

ପାଠ ପଢି ପଛେ ବେକାର ହେଉ

ବିଷ ଖାଇ ପଛେ ଚାଷୀଟା ଶୋଉ

ଚାଷ ବାସ ପଛେ ଉଜୁଡି ଯାଉ

ଶାଢ଼ୀ ଛାଡି ବୋହୁ ଜିନ୍ସ ନାଉ ମନଟା କୁ ସିନା ବାଧୁଛି

ତଥାପି ମୋ ଗାଁ ହସୁଛି ।

ମାଟିର ହାଣ୍ଡିରେ ବସୁନି ଭାତ

ବିଲରେ ପଡୁନି ଗୋବର ଖତ

ଚାଳ ଘର ସବୁ ହୋଇଛି ଛାତ

ପୁଅ ମାରୁଅଛି ବାପକୁ ନାତ

କାହାର କଅଣ ଯାଉଛି

ତଥାପି ମୋ ଗାଁ ହସୁଛି ।

ବୋଉ ପରା ଏବେ ମମି ସାଜିଛି

ବାପା ଡାକ ଏବେ ଡାଡି ହୋଇଛି

ପୋଷାକରେ ଦେହ ଦେଖା ଯାଉଛି

ସହରି ସହରି ଗାଁଆ ବାସୁଛି

ଆଧୁନିକତା ଛୁଆଁ ଦେଇଛି

ତଥାପି ମୋ ଗାଁଅ ହସୁଛି ।

ରଜରେ ଆଉ ଲାଗୁନି ଦୋଳି

ବାଡ଼ି ନାହିଁ ଆଉ ହୋଇବ କୋଳି

ପିଠା ପଣା ନାହିଁ ଭଳିକି ଭଳି

ବଗିଚା ନାହିଁ କାହୁଁ ଆସିବ ମାଳି

ସବୁ ସିନା ସ୍ମୃତି ହୋଇଛି

ତଥାପି ମୋ ଗାଁ ହସୁଛି ।

ବାପର ମଥାରେ ପୁଅ ଚରଣ

ଷାଠିଏକୁ ସତର କରୁ ବରଣ

ସେବା ନାହିଁ ଏଠି ଅଛି ଭାଷଣ

ନାବାଳିକା ଝିଅ ହୁଏ ଧର୍ଷଣ

ଅନ୍ୟାୟ ଅନୀତି ଯେତେ ବଢିଛି

ତଥାପି ମୋ ଗାଁ ହସୁଛି ।

ଜମି ବାଡ଼ି ପଛେ ପଡୁ ପଡିଆ

ଦଳେ ଭରି ଯାଉ ଗାଁଆ ଗଢିଆ

ହେଲେ ହେଉ ତାହା ଯେତେ ଅଳିଆ

ଲାଗି ରହିଥାଉ ଗଣ୍ଡ ଗୋଳିଆ

ଗାଁଆ ପଛେ ଯେତେ ନିନ୍ଦା ପାଉଛି

ତଥାପି ମୋ ଗାଁ ହସୁଛି ।

ନନଷ୍ଟିକ ସାଜିଛି ମାଟିର ହାଣ୍ଡି

ନାହିଁ ହାଂଡିଶାଳ ନାହିଁ ଦେଇପିଣ୍ଡି

ମୁଣ୍ଡ ସିନା ନାହିଁ ଖାଲି ପଡ଼ିଛି ଗଣ୍ଡି

ତଥାପି ପ୍ରେମରେ ରଖିଛି ବାନ୍ଧି

କର୍ପୂର ଉଡି କନା ପଡି ରହିଛି

ତଥାପି ମୋ ଗାଁ ହସୁଛି ।

********

ପ୍ରଶାନ୍ତ କୁମାର ନାଥ

ସୁନ୍ଦରପୁର,ଉତ୍ତରକୂଳ ହାଟ୍,ପ୍ରୀତିପୁର,ଯାଜପୁର

ମୋ-୦୮୮୯୨୩୦୧୧୪୩


Rate this content
Log in