STORYMIRROR

Kamala Satpathy

Others

3  

Kamala Satpathy

Others

ତମ ଭିତରେ ମୁଁ

ତମ ଭିତରେ ମୁଁ

1 min
26.5K


ତୁମ ତୃତୀୟ ପାଦ ପାଇଁ

ଜାଗାଟିଏ ନଥିଲା ବୋଲି

ରଖିଦେଲ କାହା ମଥାରେ

ତା’ ସହନଶୀଳତା ଆଉ ଦାନଶୀଳତାର

ପରୀକ୍ଷା ନେବାକୁ !

ତମ ବନ୍ଧୁତା ଉପରେ ବିଶ୍ଵାସ ରଖି

ଡାକି ଚାଲିଥିଲା ବୋଲି

ଅପେକ୍ଷା କରି ରହିଲ

ତା’ ଭିତରେ ପୂର୍ଣ୍ଣ ସମର୍ପଣର ଭାବ

ଉକୁଟି ଆସିଲା ପର୍ଯ୍ୟନ୍ତ !

ତମ ପ୍ରେମରେ ବୁଡି

ନିଜ ଘର ସଂସାର, ସ୍ଵାମୀ

ଯେତେ ସବୁ ଲୌକିକ ଥାଟ ବାଟ ଭୁଲି

ମୁଣ୍ଡେଇ ପକେଇଥିଲା ଯେତେ ସବୁ

ଲୋକ ଅପବାଦ ବୋଲି

ଧରେଇ ଦେଇଥିଲ ବିଷର ପିଆଲା

ତମ ବଡପଣର ଟେକ ରଖିବାକୁ ..

ମୋ ବିଶ୍ଵାସର ରଥ ଦଉଡିରେ ବନ୍ଧା

ହେ ମୋର ଜଗତ ଈଶ୍ଵର

ତମକୁ ଭଲପାଇବା,

ବିଶ୍ଵାସ କରିବା,

ବନ୍ଧୁ, ସଖା, ସହୋଦର ମଣିବାଟା

ଯଦି ଏତେ ବିପଦରେ ଭରା

ମୋ ଭିତରେ କ’ଣ

ସେତିକି ସାହାସ ମୁଁ ଭରି ପାରିବିନି !

ରଖି ପାରିବିନି ସେତିକି ଆସ୍ଥା ଯେ ..

କେବେ ନା କେବେ ତୁମେ ଓହ୍ଲେଇ ଆସିବ

ଅବା ହାତ ବଢେଇବ

ଆଉ ମତେ ଡାକିନେବ

ମୋର ସବୁ ବିଶ୍ଵାସ .. ସବୁ ଆସ୍ଥା ସହ

ଲୀନ ହେଇ ଯିବାକୁ

ତମର ସେହି ଚକା ଚକା ସମୁଦ୍ରିଆ ଆଖିରେ !

ତମ ଅଧା ଗଢା ଦେହରେ !

ତମ ଦୟଣା ଚୂଳରେ

ତୁଳସୀ ମାଳରେ

ଅବା କଣିକାଏ ନିର୍ମାଲ୍ୟରେ !

କହିକି ପାରିବିନି କେବେ

ମୋ ଭିତରେ ତମେ ଥିଲା ପରି

ମୁଁ ବି ରହିଥିବି କୋଉଠି ନା କୋଉଠି

ତମ ହୃଦୟର ଅନ୍ଧାର କୋଣରେ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍