ତାରା
ତାରା
ତାରା ———————————— ✍️ଶ୍ରୀ ଟିକେଶ୍ବର ସାହୁ, ******************* ଆକାଶର ଗୋଭା ତାରାଫୁଲ ଶୋଭା ଆସିଛି ସବୁଜ ଧରା, ଚିକିମିକି ତାରା ମଣିମୁକ୍ତା ଝରା ଖଞ୍ଜିଛି ରାଇଜ ସାରା |୧| ମିଟିମିଟି ଆଖି ଖଞ୍ଜିଅଛି ସଖି ଅଗଣା ନୀଳ ସାଗରେ, ଭାସୁଥିଲେ ତାରା ରଙ୍ଗ ମାଖି ପରା ସବୁ ରଙ୍ଗଯାକ ସରେ |୨| ଦୂରେ ବହୁ ଦୂରେ ସରଗ ପୁରରେ ତାରା ଫୁଲେ ସଜା ହୋଇ, ରହିଛି ପାଲିଙ୍କି ରଙ୍ଗକୁ ଧରିକି ନିଜ ରୂପେ ଭଲ ପାଇ |୩| ଜ୍ଞାନବିଜ୍ଞାନର ବହି ପୃଷ୍ଠା ଧାର ଆକାଶର ତାରାଗଣ, ମଣ୍ଡିଛି ଫଗୁଣ ମୋହିବାକୁ ମନ ସଜା ହୋଇ ଧରା ବଣ | ୪| ମୁଣିରେ ପୂରେଇ ଶତ ତାରାଫୁଲ ନେଇ ଆସିଛି ଜୋଛନା, ଜହ୍ନ ରାଇଜର ଅଦେଖା ସହର ହୋଇଯାଏ ଆନମନା |୫| ଶରତ ଆଣିଛି କାନିରେ ବାନ୍ଧିଛି ଶତ ଶତ ତାରାଫୁଲ, ଅରପି ଦେବକି ମାଆ ପୂଜା ପାଇଁ ଯାହା ସବୁଠାରୁ ଭଲ |୬| କବିତାରେ ଦେବି ତାରାଫୁଲ ଖଞ୍ଜି ଦିଶୁଥିବ ମନଲୋଭା, ସବୁରି ଆଖିର କାଳିମାର ଧାର ଲାଖିଥିବ ତାରା ଶୋଭା |୭| ଗୋଟି ଗୋଟି ତାରା ତୋଳି ଦେବି ପରା ଟେକି ଦେବି ତୋର ହାତେ, କବିତା ପୁଞ୍ଜରେ ଶୀତୁଆ ସଞ୍ଜରେ ଆସୁଥିବ ମୋର ସାଥେ |୮| ମିଞ୍ଜି ମିଞ୍ଜି ତାରା ଆଖିର ମିଟିକା ନୟନର ତାରାମଣୀ, ତାହାର ବିହୁନେ ରହିଛି ସପନେ ଦିନ ହେଉଥାଏ ଗଣି |୯| ସେହି ତାରା ଫୁଲ ଏଇ ତାରା ମୂଲ ହେବକି ସଂସାର ତୁଲ, ନୀଳ ଗଗନର ଅସୀମ ସୁଷମା ତାରା ଦେବ ତାର ମୂଲ |
