ସଂଘର୍ଷମୟ ଜୀବନ
ସଂଘର୍ଷମୟ ଜୀବନ
ଜନ୍ମ ଦିନଠୁ କାୟା ଛାୟା ଭଳି
ଜୀବନ ସହିତ
ଜଡେଇ ହୋଇଛି,
ଛୁଇଁ ଯାଇଛି ଯେ
ଦେହ ଦେହଳୀଠୁ
ନିଶ୍ବାସର ପ୍ରତି ଫର୍ଦ୍ଦ,
ପଦ ପଦବୀଠୁ
ସଂପର୍କର ସେତୁ -
ଜୀଇଁବାର କ୍ରିୟା
ତ୍ବରାନ୍ବିତ କରି
ଅଜାଡି ଦେଇଛି
ସଫଳତା ମଧୁ ସ୍ବାଦ,
"ସଂଘର୍ଷ " ସିଏ_
ପ୍ରତି ଜୀବନର
ଯୁଦ୍ଧ ଭେରୀ ତୂର୍ଯ୍ଯନାଦ।
"ଗଣ୍ଡ୍ଓ୍ବାନା" ଠାରୁ
କୁହ "ଜୁରାସିକ୍" ଅବା
"ଆର୍ଯ୍ୟାବର୍ତ୍ତ " ସାଗର ଗରଭେ
କ୍ରମିକ ସଂଘର୍ଷେ
ଚଳନ୍ତା, ଅଚଳ...
ସଭିଏଁ ତ ଏଠି
ନିରବଚ୍ଛିନ୍ନ ସଂଗ୍ରାମେ ରହି ଲିପ୍ତ,
କୋଉଠି ଭୂଗୋଳ
ନୁଆଁଉଛି ମଥା,
ଇତିହାସ କାହିଁ
ବଖାଣି ବସୁଛି..
" ଓ୍ବାଟାରଲୁ" ଠାରୁ
'ପଲାସୀ', 'ବକ୍ସାର'
ସବୁଠି କେବଳ ସଂଘର୍ଷ ସହିତ
ବିଜୟର ଦସ୍ତଖତ।
ସଂଘର୍ଷ କରୁଛି
ଦାଦନ ମୂଲିଆ,
ଯୋଡା ମୁଣ୍ଡ ଶିଶୁ,
ଦୁଷ୍କର୍ମ ପୀଡିତା
ଅବା ବିଷ ପିଆ -
ଋଣୀ ଚାଷୀ ଶେଷ ସ୍ବର,
ସଂଘର୍ଷ ବି କରେ
'ମାଲ୍ଯା' 'ନୀରବ'..
ସଂଘର୍ଷର ବିନା
ଲୁଚି ଗଲେ କେତେ
' ମହେଞ୍ଜୋଦାର'ରୁ
'ମାୟା ସଭ୍ୟତା'ର
ଯେତେ ଇମାରତ
ଗର୍ବୋନ୍ନତ ଦୁର୍ଗ ଗଡ।
ପ୍ରତି ଆବଶ୍ୟକ
ପୂର୍ତ୍ତିର ଲାଗି_
ରେସନ୍ କାର୍ଡ ଠୁ ସ୍ଥାନ ସଂରକ୍ଷଣ,
ବାର୍ଦ୍ଧକ୍ୟ ଭତ୍ତା ରୁ ଛାତ୍ର ବୃତ୍ତି ଋଣ,
ସବୁଠି ସଂଘର୍ଷ ଲହୁ ଲୁହ ଆପଣେଇ,
ଜଳ ଜଳ ଦିଶେ
ମନ ଆଇନାରେ,
ଗରୀବ କି ଧନୀ
ସଭିଏଁ ତ ଏଠି
ସଂଘର୍ଷ ରତ
ଛାତି ତଳେ ଛପା -
ଦୁଃଖ ବାରୁଦକୁ ଗଣ୍ଠିଲି ଟିଏ ବନେଇ।
ତେଣୁ ମୁଁ ରଖୁଛି କହି_
"ଲଢୁଛି, ଲଢିବି ତମାମ୍ ଜୀବନ....
