ସମୟର ଛାଇ
ସମୟର ଛାଇ
ଦଶ ମାସ ଦଶ ଦିନ ମାତୃ ଗର୍ଭେ ରହି
ଆସିଥିଲୁ ଦୁନିଆକୁ କାନ୍ଦି କଇଁ କଇଁ ।
ନିଷ୍ପାପ ସେ ମନ ଥିଲା ବାଲ୍ୟ କାଳେ ତୋ'ର
ଅନ୍ୟାୟ ଅଧର୍ମ ସଂଜ୍ଞା ଥିଲା ଅଗୋଚର ।
ବୁଢୀ ଆଈ ଗପ ପେଡ଼ି ଅଲୋଡ଼ା ଲାଗିଲା
କୈଶୋର ର ଛାପ ଯେବେ ତୋ' ଦେହେ ବାଜିଲା ।
ଧିରେ ଧିରେ ବୋଳି ହେଲୁ ଯୌବନର ରଙ୍ଗ
କାମ କ୍ରୋଧ ଲୋଭ ହିଂସା ହେଲେ ତୋର ସାଙ୍ଗ ।
ବୟସର ଅପରାହ୍ନେ ବାର୍ଦ୍ଧକ୍ୟ ଆସିଲା
ରାମ ନାମ ହରି ନାମ ଜପି ଦିନ ଗଲା ।
ଜନ୍ମ ଠାରୁ ମୃତ୍ୟୁ ଯାଏଁ କଥା ଏହା ତୋ'ର
ଏବେ ଶୁଣୁ କିଏସେ ମୁଁ ପରିଚୟ ମୋ'ର ।
କଇଁ କଇଁ କାନ୍ଦ ପରେ କ୍ଷୀଣ ତୋ ହସରେ
ଏନ୍ତୁଡ଼ି ନିଆଁ ରେ ଅବା ମାଆ ର ଛୁଆଁରେ ।
ବୁଢୀ ଆଈ ଗପ ଆଉ ଧୋ ବାୟା ଗୀତରେ
ସବୁଠି ମୁଁ ଥିଲି ଧନ! ମନକୁ ପଚାରେ ।
ବୟସର ତାଡ଼ନାରେ ଚାଲଗଲା ଆଈ
ଆଖିରେ ତୋ ଲୁହ ଥିଲା ଦେଖି ତାର ଯୂଈ ।
ବାପା ମାଆ ଏବେ ତୋର ହେଲେ ବୁଢା ବୁଢୀ
ତୁ ବି କେବେ ଚାଲିଯିବୁ ଅକାଳରେ ଝଡ଼ି ।
ପଶୁ ପକ୍ଷୀ ଗଛ ଲତା ପତଙ୍ଗ ଓ କୀଟ
ନଦୀ ନାଳ ସାଗର ବି ହେବ ଦିନେ ନଷ୍ଟ ।
କେବଳ ମୁଁ ବଞ୍ଚିଥିବି ସ୍ମୃତି ସବୁ ନେଇ
ସବୁ ଆସି ଚାଲିଯିବେ ଏକା ଥିବି ମୁହିଁ ।
ଅକ୍ଷୟ ଅନନ୍ତ ଅଟେ "ସମୟ" ମୋ ନାମ
ମୂଲ୍ୟ ମୋର ଯେ' ବୁଝିଛି ସେହି ଏକା ଧନ୍ୟ ।
ଦାନ ପୂଣ୍ୟ ଧର୍ମ କର୍ମ କରିଯା ରେ ଭାଇ
ଚାଲିଗଲେ ନଫେରେ "ମୁଁ ସମୟର ଛାଇ" ।