ସ୍ମୃତି ପିଲାଦିନର
ସ୍ମୃତି ପିଲାଦିନର
କାହିଁ ସେ ହଜିଲା ସ୍ମୃତି ପିଲାଦିନର
ଲଙ୍ଗଳା ଫୁଙ୍ଗୁଳା ଦେହେ
ଗଛ ଚଢିବାର ପ୍ରବଳ ଉତ୍କଣ୍ଠା
ଅବା ଗ୍ରାମ ଜଳାଶୟେ କୁଦିବାର ନିଶା
ଲାଗେ ସତେ କୁରୁକ୍ଷେତ୍ର ରଣାଙ୍ଗନ
ଅକସ୍ମାତ ରହିରହି ଶୁଭେ
ଦଦେଇଙ୍କ ଉଚ୍ଚାଟ କୁହାଟ
ହସ୍ତେ ଉତ୍ତୋଳିତ ବାଉଁଶ ପାଞ୍ଚଣ
ଯେମିତିକି ପ୍ରତିପକ୍ଷ ଅଗ୍ନି କ୍ଷପଣାସ୍ତ୍ର
ହଡବଡ ଗଡବଡ ଭୀତତ୍ରସ୍ତ
ଆମେ ସବୁ ନିରସ୍ତ୍ର ସୈନିକ
ପଳାୟନପନ୍ଥୀ ସାଜି
ଚଟପଟ ପିନ୍ଧିନେଉ ପାଲଟା ବସନ
ତଥା ତତକ୍ଷଣାତ ଚମ୍ପଟ ମାରିବା
ଏକ ନିଆରା ଅନୁଭବ ନିଶ୍ଚୟ ।
ନାକରେ ଭୁଡୁଭୁଡୁ ପାଣିମିଶା ସର୍ଦ୍ଦି
ସାବୁନ୍ ଫେଣ ପରି ଚକଚକ
ବୋଉର ହାତ ପରଶା ଶାଗ ପଖାଳ
ବଡିଚୂରା, ବାଇଗଣ ପୋଡା
ଚୂନାମାଛ ଚଡଚଡି
ପେଟେ ଠୁଙ୍କି ଶପ ପାରି
ନିଶ୍ଚିନ୍ତରେ ଶୋଇଯାଏ ନିଘୋଡ ନିଦରେ
ଯାହା ଅବିସ୍ମରଣୀୟ ।
ଅପରାହ୍ନ ସମୟରେ ସାଙ୍ଗମେଳେ
ଗାଁ'ମୁଣ୍ଡ ପଡିଆରେ
କବାଡି, ଗୋଡାଗୋଡି, ଗୁଚିତାଣ୍ଡୁ ଖେଳେ
ସତେକି ଅଲିମ୍ପିକ୍ କ୍ରୀଡା
ହୋ...ହୋ...ଘୁ...ଘୁ....
ହଜିଯାଏ ମଜ୍ଜିଯାଏ ମତୁଆଲା ମନେ
ପୁଣି ସଞ୍ଜ ନଇଁ ଆସେ ଯେବେ
ସ୍ବଗୃହକୁ ବାହୁଡିବା ବେଳା
ସନ୍ଧ୍ୟା ପ୍ରାର୍ଥନା କରୁକରୁ
ଚୁପିଚୁପି ଆଖି ମେଲି ବେଳେ ଚାହିଁଦିଏ
କାଳେ କିଏ ଦେଖିନେବ ଖୁବ୍ ହୁସିଆର ।
ମିଞ୍ଜିମିଞ୍ଜି ଡିବିରି ଆଲୁଅ ଜଳେ
ବହି ଖାତା ଖୋଲି ପାଠ ପଢୁପଢୁ
ନିଦ ମାଉସୀର କଅଁଳ ଚୁମ୍ବନ
ପୁନଶ୍ଚ ଦଦେଇଙ୍କ ଗମ୍ଭୀର ଚିତ୍କାର
ଚିଲାନ୍ତି, ନିହାତି ବାଜେ ପିଲାଟିଏ
ହାଃ....ହାଃ....ହାଃ.....
ନିଦ ଭାଙ୍ଗିଯାଏ....।
ଓଃ....ଏମିତିଏ ବୟସର ମଧ୍ୟାହ୍ନରେ
ସେଦିନର ସ୍ମୃତି ଯଦି ମନେ ପଡିଯାଏ
ଇଚ୍ଛାହୁଏ ଫେରି ଆସନ୍ତାକି
ସେ ପିଲାଦିନ......!