STORYMIRROR

Kalpana Mishra

Others

4.8  

Kalpana Mishra

Others

ସଳିତା ଓ ନାରୀ

ସଳିତା ଓ ନାରୀ

1 min
1.3K



--------------------

ଦୀପର ବେଦନା ସିଏତ ଜାଣିଛି

କି ସୁଖରେ ଜଳୁଥାଏ

ତା'ପେଟ ତଳର ଅନ୍ଧକାର ତାକୁ

ଜଳିବାକୁ ଛାଡିଦିଏ।

ଛାଇ ଆଲୁଅର ଲୁଚକାଳି ଖେଳ

ପବନର ମୃଦୁ ଛୁଆଁ

ସିତ୍କାର ଆଣେ ଦେହରେମନରେ

ଦୀପେ ଦୋଷ ଦିଅ କିଆଁ।

ସ୍ନେହ,ପ୍ରେମପରି ତେଲ ଟିକେ ଲୋଡ଼ା

ସରିଲେ ଜୀବନ ସରେ,

ଜଳି ଜଳି ସିଏ ଆଲୋକ ବିତରି

ଦୁରେଇ ଥାଏ ଅନ୍ଧାରେ।

ସଳିତାଟିଜଳେ ଦୀପ ଟି ଜଳେନା

ନାଁ ନିଏ କିନ୍ତୁ ଦୀପ

କେହି ବୁଝେନାହିଁ ସଳିତାରତ୍ୟାଗ

ପାଏ ପାଉଁଶ ର ଭାଗ୍ୟ।

ନାରୀ ଜନ୍ମ ପରା ସଳିତାପରିରେ

ଦୁଃଖ ଓ ଯାତନା ଭରା,

କେହି ବୁଝେ ନାହିଁ ମନକଥା ତା'ର

ସଂସାରେ ଅଲୋଡା ପରା।

ଭାଷଣ ବାଜିରେ ତା'ଗୁଣ ପ୍ରଶଂସା

ଘରେ ହୁଏ ହୀନିମାନ

କନ୍ୟାଭ୍ରୁଣ ହତ୍ୟା, ନାରୀ ନିର୍ଯ୍ୟାତନା

ଏ ସବୁର ନିଦର୍ଶନ

ଯେତେ ପାଠ ପଢି ଶିକ୍ଷିତା ହେଲେବି

ତା'ଜନ୍ମ ପଥର ତଳେ,

ଯୁଗେ ଯୁଗେ ତାକୁ ଉଦ୍ଧାର କରନ୍ତି

ପରମ ପୁରୁଷ ମାନେ।

ସଳିତା ଓ ନାରୀ ଦୁହେଁ ତ ସମାନ

ପୋଡ଼ା ପାଉଁଶର ଭାଗ୍ୟ,

ସଂସାର ଅନ୍ଧାର ଦୂରେଇ ଦିଅନ୍ତି

କିନ୍ତୁ,ସମ୍ମାନ ପାଇଁ ଅଯୋଗ୍ୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍