ଶରତ ଛୁଆଁରେ
ଶରତ ଛୁଆଁରେ
1 min
14K
ନୀଳ ଆକାଶର ନୀଳ ଅଗଣାରେ
ଗୋଟି ଗୋଟି ସେଇ ଭସା ବଉଦ
ଦୂର ପାହାଡ଼ର ଝରଣାର ସୁର
ଚପଳାର ଛୁଆଁ ଦୁନ୍ଦୁଭି ନାଦ... ।
ଲୁଚିଯାଏ ଧୀରେ ସମୟ ସୁଅରେ
ଲିଭିଯାଏ ମନୁ ଅକୁହା ସ୍ମୃତି
ଥିରି ଥିରି ବହି କାନେ ଦିଏ କହି
ଅଝଟ ହୃଦୟ ଅକୁହା ଗୀତି... ।
ସୂରୁଯର ତେଜ ମନେ ଭରି ଲାଜ
ସଞ୍ଜ ଆକାଶରେ ଲୁଚି ଯାଇଛି
ଗୋଧୂଳି ଗଗନେ ହୋଇଣ ମଗନେ
ଚାନ୍ଦିନୀ ଆଶାରେ ଶଶୀ ବସିଛି... ।
ପୂନେଇଁ ପରଶ ଜୋଛନାର ଆଶ
ମନେ ଭରିଦିଏ ପୁଲକ ନୂଆ
ଅଭୁଲା ସେ ସ୍ମୃତି ଭରିଦିଏ ପ୍ରୀତି
ହୃଦୟ କନ୍ଦରୁ ଉଠଇ ଧୂଆଁ... ।
ସବୁଜ ବନାନୀ ସାଜିଛି ଧରଣୀ
ଶରତ କହୁଛି ଶେଫାଳୀ କାନେ
ଗଲା ସନ ପ୍ରିୟା କହିଥିଲ ଯାହା
ଭୁଲି ଯାଇଛ କି ରଖିଛ ମନେ.... ।
