ଶ୍ରମିକ
ଶ୍ରମିକ
1 min
89
ବଞ୍ଚିବାର ରାହା ଖୋଜି ଖୋଜି ମୁହିଁ
ସାଜିଛି ଜଣେ ଶ୍ରମିକ
ଅନ୍ୟ ଅଧୀନରେ କାମ କରିବାରେ
ମନେ ନାହିଁ ଜମା ଦୁଃଖ ।
ମାଜୁଅଛି କାହା ଅଇଁଠା ବାସନ
ଧୋଉଛି ପିନ୍ଧା ବସନ
ତଥାପି ପୂଜିତ ମୋପାଇଁ ସେମାନେ
ଅନ୍ନଦାତା ଭଗବାନ ।
ମାଟି ମୁଁ ତାଢୁଛି ଲଗାଉଛି ଗଛ
ରଖେ ପରିବେଶ ସ୍ୱଚ୍ଛ
ସମସ୍ତେ ରୁହନ୍ତୁ ସୁଖରେ ଶାନ୍ତିରେ
ହେଲେ ହେଲି ପଛେ ନୀଚ ।
ପେଟ ପୋଷିବାରେ ନାହିଁ ଜମା ଦୋଷ
କାମ ନୁହେଁ ଛୋଟ ବଡ଼
ଜୀବନରେ ଆସୁ ଯେତେ ଝଡଝଞ୍ଜା
ଗଢିବାକୁ ହେବ ନୀଡ଼ ।
ମୁଣ୍ଡ ଝାଳ ଏଠି ତୁଣ୍ଡରେ ମୋ ମାରି
କାମ କରେ ଅନ୍ୟପାଇଁ
ସେହିଥିରେ ହୁଏ ନିଜର ଭରଣା
ଦୁଃଖ ମୁଁ କରିବି କାହିଁ ।
