ଶରଦେ ମଙ୍ଗଳ
ଶରଦେ ମଙ୍ଗଳ
ଶରଦେ ଶାରଦା ଶାରଦୀୟ ପୂଜା ଶରଧା ଜନ ମାନସ,
ସୁନ୍ଦରେ ସଜ୍ଜିତ ସକଳ ପାର୍ବଣେ ଶ୍ରାଦ୍ଧାଦି ପିତୃ ପୁରୁଷ ।୧
ମହାଳୟେ ମହାକାଳୀଙ୍କ ପୂଜନ ବଜ୍ର ମହାକାଳୀ ପୂଜା,
ଦୁର୍ଗାଷ୍ଟମୀ ଦିନ ଦୁର୍ଗା ଦେବୀ ପ୍ରୀତେ ନାନା ଫଳ ଭାର ସଜା ।୨
ପୁଅ ଜୀଅନ୍ତିଆ ମୂଳାଷ୍ଟମୀ ପର୍ବେ ଦୁତିବାହାନଙ୍କ ବ୍ରତ,
ଶରଦେ ମଙ୍ଗଳ ମନାସି ମଙ୍ଗଳା ପୂଜୁଥାନ୍ତି ନିଶା ଅର୍ଦ୍ଧ ।୩
ନବରାତ୍ର ପର୍ବେ ବନ ଦୁର୍ଗା ପୂଜା ଦଶମୀ ଅପରାଜିତା,
ପୂର୍ଣ୍ଣମୀର ଦିନ କୁମାର କୁମାରୀ ଗଜଲକ୍ଷ୍ମୀ ବ୍ରତେ ରତା ।୪
ନବ ପରିଧାନ ନବ ବସ୍ତ୍ର ମାନ ନବ କିଶୋର କିଶୋରୀ,
ନୁଆଁଖାଇ ପୂଜି ନାନା ପିଠା ପଣା ନାନା ରଙ୍ଗେ ଖେଳ ଖେଳି ।୫
କୃଷ୍ଣ ପକ୍ଷ ପିତୃ ଗଣଙ୍କ ପୂଜନ ଶୁକ୍ଳ ପକ୍ଷେ ଦେବୀ ଯାତ,
ଆଶ୍ଵିନେ ଶରଦ ପୂଜା ପାର୍ବଣରେ ଭରଇ ଜନେ ଆମୋଦ ।୬
ଯେଝା ମାନସିକେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ,
କରିଣ ପୂଜନ୍ତି ଭବାନୀ ପୟରେ ବାଞ୍ଛି ନିଜ ସୁକଲ୍ୟାଣ ।୭
ଅପର ପକ୍ଷରେ ନାତି ପିଣ୍ଡ ଦାନେ ଉଦ୍ଧାରେ ପୁରୁଷ ସପ୍ତ,
ଦେବୀଙ୍କ ବାର୍ଷିକ ନବରାତ୍ର ପୂଜା ଜଗତ କଲ୍ୟାଣ ସାର୍ଥ ।୮
ଗ୍ରାମରୁ ସହର ସର୍ବତ୍ର ମୁଖର ସୁଖର ସଂସାର ପାଇଁ,
ଥିଲେ ବିଦେଶରେ ଫେରନ୍ତି ଗୃହକୁ ଶରଦ ସେନେହ ନେଇ ।୯
ଥାଉ ଏ ଶରଧା ଜନ ମାନସରେ ଶରଦର ଶାରଦୀୟ,
ପିତୃ ଆଶିଷରେ ପାର୍ବତୀ କଲ୍ୟାଣେ ପଥ ହେଉ ପୁଷ୍ପମୟ ।୧୦
ବିଷ୍ଣୁ ପ୍ରସାଦ ମିଶ୍ର କୋରାପୁଟ
